କଂଗ୍ରେସର ନୂଆ ଫର୍ମୁଲା: ଗାଁରେ ଲୋକଙ୍କ ସହ ନରହିଲେ ଟିକେଟ ମିଳିବ ନାହିଁ

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁରେ ଲୋକଙ୍କ ସହ ନ ରହି ଭୁବନେଶ୍ୱରରେ ରହିଲେ କଂଗ୍ରେସରେ ଟିକଟ ମିଳିବ ନାହିଁ। ନବ ନିର୍ବାଚିଚ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପ୍ରଥମ ବୈଠକରେ ଏପରି ସତର୍କବାଣୀ ଶୁଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହ ପ୍ରତି ଜିଲ୍ଲା ପରିଷଦ ଜୋନ୍‌ରେ ଦଳ ସଭାପତି ନିଯୁକ୍ତି କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରତି ୧୫ ଦିନରେ ଜିଲ୍ଲା କମିଟି ବସି ସଭାପତିଙ୍କୁ ରିପୋର୍ଟ ଦେବ। ଘର ସଜାଡ଼ିବା କାମର ପ୍ରଥମ ସୋପାନରେ କଂଗ୍ରେସ ପାଇଁ କ୍ୟାପଟେନ କରିଛନ୍ତି ଏମିତି କିଛି ନୂଆ ଫର୍ମୁଲା।

ଗାଁ ଲୋକଙ୍କ ସହ ରହି କାମ କଲେ ଟିକେଟ ପାଇବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ନିରଞ୍ଜନ। କିଏ ଲୋକଙ୍କ ସହ ଅଛି ତା’ର ତଥ୍ୟ ୩ରୁ ୪ ମାସ ଭିତରେ ନେଇ ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ବଛାଯିବ ବୋଲି ନବ ନର୍ବାଚିତ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ଶୁଣାଇଛନ୍ତି ନିରଞ୍ଜନ।

ଆଜି ପ୍ରଥମ ଦିନରେ ଦକ୍ଷିଣ ଓଡିଶାର ୧୦ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ କଂଗ୍ରେସ ଭବନରେ ୪ ଘଣ୍ଟା ଧରି ମାନସ ମନ୍ଥନ କରାଯାଇଥିଲା। ସେହିପରି ଜିଲ୍ଲା କଂଗ୍ରେସ କମିଟିକୁ ୧୫ ଦିନରେ ଜିଲ୍ଲାର ସାଂଗଠନିକ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପରେ ୩ରୁ ୪ ଟି ଜିଲ୍ଲାରେ ଅସନ୍ତୋଷ ରହିଥିବା କଥାକୁ ମଧ୍ୟ ଦଳ ସ୍ୱୀକାର କରିଛି। ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ  କୋରାପୁଟରେ ଦେଖାଇଥିବା କନ୍ଦଳ ଆସନ୍ତାକାଲି ସୁଦ୍ଧା ଦୂର ହେବ ବୋଲି କହିଛନ୍ତି। ମୋଟ ୩୩ଟି ସାଂଗଠନିକ ଜିଲ୍ଲାରୁ ୫ଟି ଜିଲ୍ଲାରେ କୌଣସି କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇ ନଥିବା ବେଳେ ବାକି ୨୮ ଜିଲ୍ଲାରେ ୫୦ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦିଆଯାଇଛି। ଜୁନ୍ ଶେଷ ସୁଦ୍ଧା ସବୁ ଜିଲ୍ଲା ପରିଷଦ ଜୋନକୁ ବ୍ଲକ୍ ଭାବରେ ଗ୍ରହଣ କରି ଜଣେ ଜଣେ ସଭାପତି ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଦିନ ଦକ୍ଷିଣ ଓଡିଶାର ଜିଲ୍ଲାକୁ ନେଇ ବୈଠକ ହୋଇଥିଲେ ବି ଏଥିରେ କୋରାପୁଟକୁ ସାମିଲ କରାଯାଇ ନଥିଲା। ସେହିପରି ଝାରସୁଗୁଡାର ବିଧାୟକ ନବକିଶୋର ଦାସ କାର୍ଯ୍ୟକାରୀ ସଭାପତି ହୋଇଥିବାରୁ ତାଙ୍କ ଜିଲ୍ଲା ଓ ଜଗତିସଂହପୁର ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ଜିଲ୍ଲାକୁ ଦକ୍ଷିଣ ଓଡିଶା ଗ୍ରୁପରେ ସାମିଲ କରଯାଇଥିଲା। କନଫ୍ଲିକଟ ଅଫ ଇଣ୍ଟରେଷ୍ଟ ଅଭିଯୋଗରୁ ରକ୍ଷା ପାଇଁ ନିଜ ଜିଲ୍ଲାର କର୍ତ୍ତୃତ୍ୱ ଅନ୍ୟ ହାତକୁ ଦେଇ ଦଳ ଏଭିଳି ରଣନୀତି କରିଥିବା ଚର୍ଚ୍ଚା ହେଉଛି।

Previous ArticleNext Article

Send this to a friend