ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବାକୁ ଓଡ଼ିଶା ଦୁଇଟି ମାନଦଣ୍ଡ ପୂରଣ କରୁନି। ବିଧାନସଭାରେ ଆଜି ଏହା ମାନିଛନ୍ତି ରାଜ୍ୟ ସରକାର। ଏହା ପରେ ବିରୋଧୀ କଂଗ୍ରେସ ଶାସକ ବିଜେଡିକୁ ଟାର୍ଗେଟ କରିଛି ଏବଂ ଆରୋପ ଲଗାଇଛି- ରାଜ୍ୟ ସରକାର ସବୁ ଜାଣି ଡ୍ରାମା କରୁଛି।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଆଜି ବିଧାନସଭାରେ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଥିଲେ,“ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ୫ଟି ମାନଦଣ୍ଡ ରହିଛି। ତେବେ ସେଥିମଧ୍ୟରୁ ପଡ଼ୋଶୀ ଦେଶମାନଙ୍କ ସୀମାନ୍ତରେ ଥିବା ନୀତିଗତ ସ୍ଥାନ ଓ ରାଜ୍ୟ ଅର୍ଥ ବ୍ୟବସ୍ଥାରେ ଅଚଳାବସ୍ଥା ଭଳି ୨ଟି ମାନଦଣ୍ଡ ଓଡ଼ିଶା ପୂରଣ କରୁନାହିଁ।”
ବିରୋଧୀ ଦଳ ମୁଖ୍ୟସଚେତନ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ଦୁଇଟି ମାନଦଣ୍ଡ ପୂରଣ କରୁନାହିଁ। ରାଜ୍ୟ ସରକାର ଏସବୁ ଜାଣି ଡ୍ରାମା କରୁଛନ୍ତି। ଆଗରୁ ଉପା ଓ ଏବେ ଏନ୍ଡିଏ ସରକାରଙ୍କୁ ବଦନାମ କରୁଛନ୍ତି।”
ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ନୀତି ଆୟୋଗ ନିର୍ଦ୍ଧାରଣ କରିଥିବା ନିୟମ ଅନୁସାରେ ଓଡ଼ିଶା ଦୁଇଟି ମାନଦଣ୍ଡ ପୂରଣ କରୁନି। ମାତ୍ର ଓଡ଼ିଶାରେ ବହୁ ପଛୁଆ ଅଞ୍ଚଳ ରହିଛି। ଏହି ହିସାବରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଉ। ଏହି ଦାବି ଆଜିର ନୁହେଁ, ବହୁ ପୂର୍ବରୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।