ପୋଲିସ୍ ପଡ଼ିଆରୁ ବାହାରି ବୃଦ୍ଧାଙ୍କ ଛାତିରେ ବାଜିଲା ଗୁଳି

gun

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳରେ ପୋଲିସ୍‌ ଟ୍ରେନିଂ କଲେଜରେ ଫାୟାରିଂ ବେଳେ ଆଜି ଏକ ଅଘଟଣ ଘଟିଛି।  ଶରଧାପୁରରେ ଥିବା ପ୍ରାକ୍ଟିସ୍ ଗ୍ରାଉଣ୍ଡରେ ସିଆଇଏସ୍‌ଏଫ୍‌ର ଆନୁଏଲ ରେଞ୍ଜ କୋର୍ସ ଅବସରରେ ଫାୟାରିଂ ଅଭ୍ୟାସ ବେଳେ ଜଣେ ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ସେ ସେହି ଶରଧାପୁର ଗାଁର।

ଆହତ ବୃଦ୍ଧାଙ୍କ ପୁଅ ବିଜୟ କୁମାର ମିଶ୍ର କହିଛନ୍ତି,“ଏ ପାଖରେ ପୋଲିସ୍ ଟ୍ରେନିଂ କଲେଜର ଏକ ପଡ଼ିଆ ରହିଛି। ସେଠାରେ ଫାୟାରିଂ ଚାଲିଥିଲା। ମାଆ ଘର ପୋଟିକୋରେ ବସିଥିଲେ। ଗୋଟିଏ ଗୁଳି ଆସି ପ୍ରଥମେ ଘର କାନ୍ଥରେ ବାଜି ଥିଲା। କାନ୍ଥରେ ବାଜିବା ପରେ ତାହା ମାଆଙ୍କ ଛାତିରେ ବାଜି ତଳେ ପଡ଼ି ଯାଇଥିଲା।ମାଆଙ୍କ ଛାତିରେ କ୍ଷତ ହୋଇଛି।”

666
ଏଇ ଗୁଳି ବୃଦ୍ଧାଙ୍କ ଛାତିରେ ବାଜି ଥିଲା

ଅନୁଗୋଳ ଏସ୍‌ଡିପିଓ ହରିହର ପାଣି କହିଛନ୍ତି,“ଆହତ ମହିଳାଙ୍କ ଅବସ୍ଥା ଭଲ ଅଛି। ସେ ବିପଦମୁକ୍ତ ଅଛନ୍ତି। ଗୁଳି ଘର କାନ୍ଥରେ ବାଜି ତାଙ୍କ ଦେହରେ ବାଜିଛି।  କିନ୍ତୁ ଆମକୁ ତଦନ୍ତ କରିବାକୁ ପଡ଼ିବ ଯେ ଫାୟାରିଂ ରେଞ୍ଜରୁ କେତେ ଦୂରତାରେ ତାଙ୍କ ଘର ରହିଛି। ଏ ଘଟଣାରେ ଏଫ୍‌ଆଇଆର୍‌ ହେବ। ତା’ ପରେ ଯାହାର ଭୁଲ ବାହାରିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଶରଧାପୁର ଗାଁର ବିଶ୍ୱମ୍ବର ସାହୁ କହିଛନ୍ତି ଯେ ଫାୟାରିଂ ଅଭ୍ୟାସ ପୂର୍ବରୁ ଗାଁ ଲୋକଙ୍କୁ କୌଣସି ସୂଚନା ଦିଆଯାଏ ନାହିଁ। ପୂର୍ବରୁ ମଧ୍ୟ ଏମିତି ଫାୟାରିଂ ଅଭ୍ୟାସ ବେଳେ ଗାଁ ଭିତରୁ ଗୁଳି ପଶିଛି। ଏନେଇ ଅଭିଯୋଗ ମଧ୍ୟ କରାଯାଇଛି। ଏଠାରୁ ପୋଲିସ୍ ଫାୟରିଂ ପଡ଼ିଆ ଉଠାଇ ଦିଆଗଲେ ଭଲ ହୁଅନ୍ତା।

Previous ArticleNext Article

Send this to a friend