ଅସହିଷ୍ଣୁ ତୃତୀୟ ମହଲା ଓ ଦକ୍ଷିଣୀ ମନ୍ତ୍ରଣାଦାତା

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କୁ ପ୍ରଶ୍ନ ପଚାରିବାକୁ ଉଦ୍ୟମ କରିବାରୁ ଏବେ ଓଡ଼ିଶାର ସାମ୍ୱାଦିକ ମାନଙ୍କୁ ଅଗ୍ନି ପରୀକ୍ଷା ଦେଇ ଯିବାକୁ ପଡୁଛି। କେତେବେଳେ ସଚିବାଳୟରେ ଚେକିଂ ତ କେତେବେଳେ ରାଜୀବ ଭବନରେ ଚେକିଂ। ରାଜୀବ ଭାବନରେ ବି ସାମ୍ୱାଦିକମାନଙ୍କୁ ସେକ୍ରେଟାରିଏଟ‌୍‍ ପାସ‌୍‍ ଦେଖେଇବାକୁ ପଡ଼ିବ ବୋଲି ସୁରକ୍ଷାକର୍ମୀ କହିଲେ। ସେହିପରି ‘ଓଡ଼ିଶା ରିପୋର୍ଟର’ ପୋଲ‌୍‍ ଖୋଲୁଥିବାରୁ ଡିଜିଟାଲ‌୍‍ ମିଡ଼ିଆ ଉପରେ ଅଙ୍କୁଶ ଲଗେଇବାକୁ ଚେଷ୍ଟା ଆରମ୍ଭ ହୋଇଥିବା […]

PANDIAN-4

PANDIAN-4

Ordigital Desk
  • Published: Thursday, 18 January 2018
  • Updated: 18 January 2018, 08:56 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କୁ ପ୍ରଶ୍ନ ପଚାରିବାକୁ ଉଦ୍ୟମ କରିବାରୁ ଏବେ ଓଡ଼ିଶାର ସାମ୍ୱାଦିକ ମାନଙ୍କୁ ଅଗ୍ନି ପରୀକ୍ଷା ଦେଇ ଯିବାକୁ ପଡୁଛି। କେତେବେଳେ ସଚିବାଳୟରେ ଚେକିଂ ତ କେତେବେଳେ ରାଜୀବ ଭବନରେ ଚେକିଂ। ରାଜୀବ ଭାବନରେ ବି ସାମ୍ୱାଦିକମାନଙ୍କୁ ସେକ୍ରେଟାରିଏଟ‌୍‍ ପାସ‌୍‍ ଦେଖେଇବାକୁ ପଡ଼ିବ ବୋଲି ସୁରକ୍ଷାକର୍ମୀ କହିଲେ। ସେହିପରି ‘ଓଡ଼ିଶା ରିପୋର୍ଟର’ ପୋଲ‌୍‍ ଖୋଲୁଥିବାରୁ ଡିଜିଟାଲ‌୍‍ ମିଡ଼ିଆ ଉପରେ ଅଙ୍କୁଶ ଲଗେଇବାକୁ ଚେଷ୍ଟା ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।

ଗୋଟିଏ କଥା ଭଲ ହେଲା ଯେ, ବିଜେଡି ସରକାର ଏବେ ସାମ୍ୱାଦିକ ମାନଙ୍କୁ ଟିକିଏ ଗୁରୁତ୍ୱର ସହ ବିଚାର କରିବା ଆରମ୍ଭ କଲେ। ଆମ ସାମ୍ୱାଦିକ ଭାଇମାନେ ଦିନରାତି ସେକ୍ରେଟାରିଏଟ‌୍‍ରେ ବୁଲି ବୁଲି ଖାଲି ସରକାରଙ୍କ ଖବର ଲୋକଙ୍କୁ ଦେଉଥିଲେ। ପାଣ୍ଡିଆନ‌୍‍ ବାବୁ ଏଥିରେ ବରଂ ଖୁସି ହେବାର ଥିଲା ଯେ, ତାଙ୍କ ସରକାରଙ୍କ ବିକାଶ ଯୋଜନା ସବୁ ଲୋକେ ଜାଣୁଥିଲେ ସାମ୍ୱାଦିକଙ୍କ ଦ୍ୱାରା। କିନ୍ତୁ ରାଗ ତମତମ ହୋଇ କଟକଣା କରିଦେଲେ। କିଛି ବୁଦ୍ଧିଜୀବୀ ଚର୍ଚ୍ଚା କରୁଛନ୍ତି ଯେ, ବରଂ ଭଲ ହେଲା। ଏବେ ‘ସରକାରୀ ସାମ୍ୱାଦିକତା’ ବଦଳରେ ‘ଡେଭେଲପ‌୍‍ମେଣ୍ଟ ଜର୍ଣାଲିଜିମ‌୍‍’ ବା ‘ବିକାଶମୂଳକ ସାମ୍ୱାଦିକତା’ ବଢ଼ି ଯିବ। ତେଣୁ ତୃତୀୟ ମହଲାର ବୁଦ୍ଧିମାନ ବାବୁମାନଙ୍କୁ ଓଡ଼ିଶାବାସୀ ଫୁଲତୋଡ଼ା ଦେବା ଉଚିତ।

ଇତିମଧ୍ୟରେ ଅନେକ ସାମ୍ୱାଦିକ ବନ୍ଧୁ ଓ ବୁଦ୍ଧିଜୀବୀ ‘ଓଡ଼ିଶା ରିପୋର୍ଟର’କୁ ଫୋନ‌୍‍ କରି ତୃତୀୟ ମହଲା ସହ ଜଡ଼ିତ ଗୁଡାଏ (ଅ)ଖବର ଆମକୁ ଦେଇଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ସଚିବାଳୟର ତୃତୀୟ ମହଲା କେମିତି ସାମ୍ୱାଦିକ ମାନଙ୍କୁ ନିୟନ୍ତ୍ରଣ କରିବାଚୁ ଚେଷ୍ଟା କରିଛି, ତା’ର କିଛି ଉଦାହରଣ ପଢ଼ନ୍ତୁ।

ଉଦାହରଣ ନମ୍ବର-୧। କିଛିମାସ ତଳର କଥା। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାମିକିଆ ପୋଷାକ ପରିଧାନକୁ ନେଇ ବିଜେଡି ନେତାଏ ଖୁବ‌୍‍ ସମାଲୋଚନା କରିବାରେ ଲାଗିଥାନ୍ତି। ବିଜେଡିର ଅମାନିଆ ତୁଣ୍ଡଧାରୀ, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଟିଭି କ୍ୟାମେରା ଆଗରେ କହିଲେ ଯେ, ମୋଦି ପ୍ରାଚୁର୍ଯ୍ୟକୁ ଭଲ ପାଆନ୍ତି, ବହୁତ ଦାମିକା ପୋଷାକ ପିନ୍ଧନ୍ତି। ତ ଏଇ ସମୟରେ ଜଣେ ଯୁବ ସାମ୍ୱାଦିକ ତାଙ୍କୁ ପଚାରିଦେଲେ, ମୋଦି ଯଦି ଦାମିକିଆ ପୋଷାକ ପିନ୍ଧୁଛନ୍ତି, ନବୀନବାବୁ କେମିତି ଦାମିକିଆ ମଦ ପିଉଛନ୍ତି ? ତ ଦାମୋଦର ବାବୁ କାଳେ କହିଲେ, ନବୀନ ବାବୁ ଆଗରୁ ପିଉଥିଲେ, ଏବେ ଆଉ ପିଉ ନାହାଁନ୍ତି। ଦାମବାବୁଙ୍କ ଏ ମତାମତ କାଳେ ଟିଭି କ୍ୟାମେରାରେ ରେକର୍ଡ ବି ହୋଇଛି, ସୋସିଆଲ‌୍‍ ମିଡିଆରେ ବି ବୁଲୁଚି।

ବାସ‌୍‍ କଥା ଥିଲା ଏତିକି। ଦାମବାବୁଙ୍କ ଏ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ‌୍‍ରେ ପ୍ରସାରଣ ବି ହେଲା। କିନ୍ତୁ ଏହାପରେ ଦାମବାବୁଙ୍କୁ ପ୍ରଶ୍ନ ପଚାରିଥିବା ସେ ଯୁବ ସାମ୍ୱାଦିକ ବାବୁଙ୍କୁ ହଠାତ‌୍‍ ସଚିବାଳୟ ବ୍ୟାନ‌୍‍ ହୋଇଗଲା। ତାଙ୍କୁ ଆଉ ସେକ୍ରେଟାରିଏଟ‌୍‍ ପଠାଗଲା ନାହିଁ। ତାଙ୍କ ଅଫିସ‌୍‍ ବାଲାଏ ତାଙ୍କ ସେକ୍ରେଟାରିଏଟ‌୍‍ ପାସ‌୍‍ ଫେରେଇ ନେଲେ। ପ୍ରଶ୍ନ ଉଠୁଛି, କାହା ଇଙ୍ଗିତରେ ସେ ସାମ୍ୱାଦିକଙ୍କୁ ସଚିବାଳୟ ବ୍ୟାନ‌୍‍ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କଥାକୁ ନେଇ ମିଡିଆରେ ଚର୍ଚ୍ଚା ହେବାରୁ ତୃତୀୟ ମହଲା ରାଗିଗଲା। ଦାମ ବାବୁଙ୍କୁ ତ କିଛି କହିପାରିଲେ ନାହିଁ, ମାର‌୍‍ ମାର‌୍‍ ଭଣ୍ଡାରିଆକୁ ମାର‌୍‍ ନୀତିରେ, ସଂପୃକ୍ତ ଟିଭି ସଂସ୍ଥାର ଯୁବ ସାମ୍ୱାଦିକଙ୍କ ପକ୍ଷ ଚ୍ଛେଦନ କଲେ। ଆପଣମାନେ ଯଦି ମୋଦିଙ୍କ ବ୍ୟକ୍ତିଗତ ଋଚି ଉପରେ ପ୍ରଶ୍ନ ଉଠାଇଲେ, ସାମ୍ୱାଦିକ ଜଣକ ନବୀନଙ୍କ ବ୍ୟକ୍ତିଗତ ଋଚି ଉପରେ ପ୍ରଶ୍ନ ଉଠାଇଲେ ଦୋଷ କୋଉଠି ରହିଲା ?

ଜଣେ ବରିଷ୍ଠ ସାମ୍ୱାଦିକଙ୍କ ସହ କଥାହେଲା ବେଳେ ସେ ମନେପକେଇ କହିଲେ, ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ, ସେ କାଳେ କୌଣସି ସୁରକ୍ଷା କର୍ମୀ ରଖିନଥିଲେ। କେବଳ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୁଆରେ ବସିଥାନ୍ତି। ଯିଏ ଚାହିଁଲା ଭିତରକୁ ଗଲା, କଥା ହେଇ ଆସିଲା। ଏମିତିକି ଜାନକୀବଲ୍ଲଭ ବାବୁଙ୍କ ବେଳେ ବି ଏତେ କଟକଣା ନଥିଲା। ନବୀନ ବାବୁ ଆସିଲା ପରେ ତୃତୀୟ ମହଲାକୁ ଦୁର୍ଗରେ ପରିଣତ କରିଛନ୍ତି।

ଉଦାହରଣ ନମ୍ୱର-୨। ସେମିତି ଆଉଏକ ଟିଭି ଚ୍ୟାନେଲ‌୍‍ରେ ନବୀନ ବାବୁଙ୍କ ଆଉଏକ ବ୍ୟକ୍ତଗତ କଥାକୁ ନେଇ ଜଣେ ସାମ୍ୱାଦିକଙ୍କ ଚାକିରି ଯାଇଥିଲା। କଥାଟି ଥିଲା ନବୀନ ବାବୁ ଏକ ସଭାରେ ଭାଷଣ ଦେବାର ଥିଲା। ଏ ସଂପର୍କରେ ସଂପୃକ୍ତ ଟିଭି ପକ୍ଷରୁ ରିପୋର୍ଟରଙ୍କ ଫୋନ‌୍‍ ପ୍ରତିକ୍ରିୟା ନିଆଯାଉଥିଲା। ତ ରିପୋର୍ଟର ବନ୍ଧୁ ଜଣକ କହୁ କହୁ କାଳେ କହିଦେଲେ ଯେ, ଏବେ ମୁଖ୍ୟମନ୍ତ୍ରୀ ସିଗାରେଟ‌୍‍ ଟାଣୁଛନ୍ତି, କିଛି ସମୟ ପରେ ଆସି ସେ ତାଙ୍କ ଅଭିଭାଷଣ ପ୍ରଦାନ କରିବେ। ରିପୋର୍ଟର ହୁଏତ ଲାଇଭ‌୍‍ ଫୋନୋ ଦେଉଥିବା ବେଳେ ଅସାବଧାନତା ବଶତଃ ତାଙ୍କ ପାଟିରୁ ‘ସିଗାରେଟ‌୍‍ ଟଣା’ କଥାଟା ଖସି ଯାଇଥିବ। କିନ୍ତୁ ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା। କଥା ପହଂଚିଲା ତୃତୀୟ ମହଲାରେ। ରିପୋର୍ଟରଙ୍କ ଚାକିରି ଗଲା।

ଉଦାହରଣ ନମ୍ୱର-୩। ଏକ ପ୍ରତିଷ୍ଠିତ ଓଡ଼ିଆ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା। ଖବରଟି ଥିଲା ଜଣେ ନେତାଙ୍କ ମନ୍ତବ୍ୟ। ସେ କହିଥିଲେ ଯେ, ତୃତୀୟ ମହଲାର ଜଣେ ଅଣଓଡିଆ ଅଫିସର ଏବେ ରାଜ୍ୟକୁ ଚଳାଉଛନ୍ତି। ଏ ମନ୍ତବ୍ୟ ପ୍ରକାଶ ପାଇବା ପରେ ସଂପୃକ୍ତ ବରିଷ୍ଠ ସାମ୍ୱାଦିକଙ୍କୁ ଯେଉଁ ଢଙ୍ଗରେ ସଂସ୍ଥାରୁ ବିଦା କରାଯାଇଥିଲା ତାହା ସାମ୍ୱାଦିକ ମହଲରେ ଅଳ୍ପେବହୁତେ ସମସ୍ତେ ଜାଣନ୍ତି।

ଉଦାହରଣ ନମ୍ୱର-୪। ଏକ ଓଡିଆ ଖବରକାଗଜର ଫଟୋ ସାମ୍ୱାଦିକ କାଳେ ଥରେ ତୃତୀୟ ମହଲାର ସେହି ପ୍ରଭାବଶାଳୀ ଅଫିସରଙ୍କ ଫଟୋ ଉଠାଉଥିବା ବେଳେ ତାଙ୍କୁ ସଂପୃକ୍ତ ବାବୁ ଜଣକ ଧମକ ଚମକ ଦେଇଥିଲେ। କାଳେ କହିଥିଲେ, ଫଟୋ ଉଠାଇବା ଆଗରୁ ମୋ ଅନୁମତି ନେଇଛ ?

ଭାରତୀୟ ରାଜନୀତି ଓ ପ୍ରଶାସନିକ ଇତିହାସରେ ପୁରୁଣା ଲୋକମାନେ ଏତେ ଅସହିଷ୍ଣୁ ନଥିଲେ। ପ୍ରସିଦ୍ଧ କାର୍ଟୁନିଷ୍ଟ ଆର‌୍‍.କେ.ଲକ୍ଷ୍ମଣଙ୍କୁ କାଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ‌୍‍ ନେହରୁ ଦେଖାହେଲେ କହୁଥିଲେ, ଆଜିକାଲି ଆପଣ ମତେ ଭୁଲିଗଲେଣି। ଆଉ ମନେରଖୁ ନାହାଁନ୍ତି କିମ୍ୱା ଭଲ ପାଉନାହାଁନ୍ତି। ତ ଜବାବରେ ଲକ୍ଷ୍ମଣ ମହାଶୟ ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲେ- ସେମିତି ତ କେବେ ନୁହେଁ ଆଜ୍ଞା। ତା ପରେ ପଣ୍ଡିତ ନେହରୁ କହୁଥିଲେ- ଯଦି ମୋ ଅଭିଯୋଗ ସତ ନୁହେଁ, ତେବେ କାହିଁ ଆପଣଙ୍କ କାର୍ଟୁନି ଭିତରେ ମୁଁ କେବେ ତ ରହୁନି। ଅର୍ଥାତ ମୋର କାର୍ଟୁନ‌୍‍ ଆଉ କାଇଁ ବାହାରୁନି ତ !

ଆହାଃ କେତେ ଉଦାରପଣିଆ ଥିଲା ସେତେବେଳର ରାଜନୀତିରେ ! ସେହିପରି ପ୍ରସିଦ୍ଧ ଲେଖକ ସୁରେନ୍ଦ୍ର ମହାନ୍ତି ତାଙ୍କ ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରେ ଠାଏ ଲେଖିଛନ୍ତି ଯେ, (ଯାହାର ସାରମର୍ମ ହେଲା) ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ କାଳେ ଅତ୍ୟନ୍ତ ଅସହିଷ୍ଣୁ ଥିଲେ। ତାଙ୍କ ବିରୋଧରେ ସ୍ୱର ଉଠାଇଥିବା ଲୋକଟି ବା ସଂସ୍ଥାଟି ବା ଖବରକାଗଜଟି ଯେତେ ଛୋଟିଆ ହେଉ ବରଂ ସେ ତା’ର ପ୍ରତିଶୋଧ କଡାଗଣ୍ଡା କରି ନେଉଥିଲେ। ତା’ର ଉଦାହରଣ ଥିଲା, ସୁରେନ୍ଦ୍ର ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘କଳିଙ୍ଗ’ ଖବରକାଗଜକୁ ବନ୍ଦ କରିଦେବା ଓ ତାଙ୍କୁ ଜେଲ‌୍‍ରେ ପୂରେଇ ଦେବା।

ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପରିବେଶବିତ୍ ତଥା ରାଜନେତା ବାଙ୍କବିହାରୀ ଦାଶ ମଧ୍ୟ ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମର ଶେଷନାହିଁ’ରେ ଜରୁରୀକାଳିନ ସ୍ଥିତି ବେଳେ ଓଡ଼ିଶାର ଚିତ୍ର ଦେଇଛନ୍ତି। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ କିପରି ସାମ୍ବାଦିକ ମାନଙ୍କ ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରୁଥିଲେ ତାହା ସେ ଉଲ୍ଲେଖ କରିଛନ୍ତି।

ଆମର କେବଳ ଏତିକି କହିବା କଥା, ମାନ୍ୟବର ତୃତୀୟ ମହଲାର ସାର‌୍‍ମାନେ, ଆପଣମାନେ ପବ୍ଲିକ‌୍‍ ଲାଇଫ‌୍‍ରେ ଅଛନ୍ତି। ଆପଣଙ୍କ ବିଷୟରେ କେଉଁଠି କେଉଁଠି ଚର୍ଚ୍ଚା ତ ନିଶ୍ଚୟ ହେବ। ଫଟୋ ତ ନିଶ୍ଚୟ ଉଠିବ। ତାକୁ ଏତେ ଧରିଲେ ଚଳିବ କି ? ପୃଥିବୀ ସାରା ଲୋକ କ’ଣ ସମସ୍ତେ କେବଳ ଆପଣଙ୍କ ଗୁଣ କୀର୍ତନ କରିବେ ? ସମାଲୋଚନାକୁ ସାମ୍ନା କରି ଶିଖିଲେ ଆପଣମାନେ ‘ବଡ’ରୁ ‘ମହାନ’ ହୋଇଯିବେ।

ତେଣୁ ନବୀନ ବାବୁ ଓ ତାଙ୍କ ପାରିଷଦମାନେ ଏ ଯେଉଁ ‘କାହାକୁ ନ ସହିବାକୁ’ ନିଷ୍ପତ୍ତି ନେଇଛନ୍ତି, ସେଥିରୁ ଓହରି ଗଲେ ଭଲ ହେବ। ଅମଲା ମାନଙ୍କ ବୁଦ୍ଧିରେ ଚାଲିଲେ ସେମାନେ ହିଁ ଏମିତି ପରାମର୍ଶ ଦେବେ। ରାଜନୀତିକୁ କର୍ପୋରେଟ‌୍‍ ସଂସ୍ଥା ଭଳି ଚଲାଇଲେ ତ ପରିମାଣ ଭୟଙ୍କର ହେବ। ଏବେ ଦେଖିବାକୁ ବାକି ରହିଲା, ଆମ କଲମ ବନ୍ଦ କରିବାକୁ ତୃତୀୟ ମହଲା କି କୌଶଳ ପାଞ୍ଚୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos