ପାରଳା ଗଣଆତ୍ମହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କଲେ ଅନଙ୍ଗମଞ୍ଜରୀଙ୍କ ପରିବାର ଲୋକେ

parala1

ଭୁବନେଶ୍ୱର: ପାରଳା ଗଣଆତ୍ମହତ୍ୟା ଘଟଣାରେ ନ୍ୟାୟ ଦେବାକୁ ପୀଡିତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଆଜି ମୃତ ଅନଙ୍ଗମଞ୍ଜରୀଙ୍କ ଭାଇ ଓ ଭଉଣୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ପରବାରକୁ ନ୍ୟାୟ ଦେବାକୁ ଅନୁରୋଧ କରିଥିଲେ। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ନବୀନ ନିବାସରୁ ଆସିବା ପରେ ମୃତ ଅନଙ୍ଗମଞ୍ଜରୀଙ୍କ ପରିବାର ଲୋକେ କହିଛନ୍ତି।

ପୂର୍ବରୁ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର, ଦୁଇ ଭଉଣୀ ଓ ଭିଣୋଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ପାରଳା ମହାରାଜାଙ୍କ ଆର୍ଥିକ କାରବାରରେ ଅନିୟମିତତା ଅଭିଯୋଗ ଆସିବା ପରେ ଗତ ଅଗଷ୍ଟ ୨୧ ତାରିଖରେ ତାଙ୍କର ପୂର୍ବତନ ମ୍ୟାନେଜର ଅନଙ୍ଗମଞ୍ଜରୀ ପାତ୍ର, ତାଙ୍କ ଭାଇ ତଥା ମହାରାଜାଙ୍କ ପିଏ ସଞ୍ଜୟ ପାତ୍ର, ସନ୍ତୋଷ ପାତ୍ର ଓ ଭଉଣୀ ବିଜୟଲକ୍ଷ୍ମୀ ପାତ୍ର ଆତ୍ମହତ୍ୟା କରିଥିଲେ। ଏକ ଘରୁ ଅନଙ୍ଗମଞ୍ଜରୀ, ସଞ୍ଜୟ ଓ ବିଜୟଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା।

ମୃତଦେହ ଗୁଡିକ ପାଖରୁ ପୋଲିସ ୩ଟି ଚିଠି ପାଇଥିଲା। ଯେଉଁଥିରେ ମୃତ୍ୟୁ ପାଇଁ ୧୧ ଜଣଙ୍କୁ ଦାୟୀ କରାଯାଇ ସେମାନଙ୍କ ନାମ ଲେଖାଯାଇଥିଲା। ପାରଳାଖେମୁଣ୍ଡି ବିଧାୟକ କେ. ସୁରିଆ ରାଓ ଏବଂ ଏକ ଗଣମାଧ୍ୟମକୁ ମଧ୍ୟ ଦାୟୀ କରାଯାଇଥିଲା।

ମୃତ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ କହିଛନ୍ତି,“ମୋର ଦୁଇ ଭାଇ ଓ ଦୁଇ ଭଉଣୀ ଆତ୍ମହତ୍ୟା କରିବାର ୮ ମାସ ବିତିଗଲାଣି। ହେଲେ ଆମକୁ ନ୍ୟାୟ ମିଳିଲାନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟୟ ଦେବାକୁ ଅନୁରୋଧ କରିଛୁ। କ୍ରାଇମବ୍ରାଞ୍ଚ ଡିଜିଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।”

ସେ କହିଛନ୍ତି,“ଏହି ଆତ୍ମହତ୍ୟା ପଛରେ ଚକ୍ରାନ୍ତ ରହିଛି। ମୃତ୍ୟୁର ଏକମାସ ପୂର୍ବରୁ ଜଗନ୍ନାଥ ଗଜପତି ଓ ତାଙ୍କ ପତ୍ନୀଙ୍କ ଇଙ୍ଗିତରେ ବିଧାୟକ କେ. ସୁରିଆ ରାଓ ଓ ଅନ୍ୟମାନେ ଆନ୍ଦୋଳନ କରି ମୋ ପରିବାରକୁ ବଦନାମ୍‌ କରିଥିଲେ। ଏଥିରେ ସେମାନଙ୍କୁ ଏକ ନ୍ୟୁଜ୍‌ ଚ୍ୟାନେଲ ସହଯୋଗ କରିଥିଲା। ଲୋକ ଲଜ୍ଜା ସହି ନ ପାରି ସେମାନେ ଆତ୍ମହତ୍ୟା କଲେ। ପାରଳା ଗଜପତି ନଜର ବନ୍ଦି ନ ଥିଲେ କି ତାଙ୍କ ଅର୍ଥ ହଡ଼ପ ହୋଇ ନ ଥିବା ଏବେ ତଦନ୍ତରୁ ଜଣାପଡୁଛି। ଯେଉଁମାନଙ୍କ ଅପବାଦ ପାଇଁ ମୋ ଭାଇଭଉଣୀମାନେ ଆତ୍ମହତ୍ୟା କଲେ ତୁରନ୍ତ ସେମାନଙ୍କୁ ଦଣ୍ଡ ଦିଆଯାଉ।”

Previous ArticleNext Article

Send this to a friend