ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପରମ୍ପରାକୁ ଓଡ଼ିଶାରେ ଲୋକାଭିମୁଖୀ କରିବାକୁ ପ୍ରୟାସ

ବାଲେଶ୍ୱର(କେଶୁ ଦାସ): ବାଲେଶ୍ୱରରେ ପଟ୍ଟିଦିଅଁ ଅଙ୍କନ ଉତ୍ସବ ସରିବା ପରେ ଏବେ ଜିଲାର ଅନେକ ଜଗନ୍ନାଥ ମନ୍ଦିରରେ ପୂଜା ପାଉଛନ୍ତି ପଟିଠାକୁର। ପାରମ୍ପରିକ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ହୋଇଥିବା ପଟ୍ଟଚିତ୍ର ପୂଜାପାଉଛନ୍ତି ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ ସ୍ଥାନରେ। ବହୁ ପୁରାତନ ଜଗନ୍ନାଥ ସଂସ୍କୃତିରେ ଅନବସର ସମୟରେ ଜଗନ୍ନାଥାଦି ବିଗ୍ରହଙ୍କ ଦର୍ଶନ ମିଳେନାହିଁ। ସ୍ନାନ ପୂର୍ଣ୍ଣିମାନେ ବିଗ୍ରହଙ୍କ ସାକ୍ଷାତ ସ୍ନାନ ପରେ ଜ୍ୱରାକ୍ରାନ୍ତ ହୁଅନ୍ତି ଶ୍ରୀଜୀଉ। ଆଉ ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରୁହେ। ଏହି ସମୟରେ ପଟିଦିଅଁ ପୂଜା ପାଇବାର ପରମ୍ପରା ରହିଛି।

ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଶ୍ରୀ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟ୍ଟଚିତ୍ର ବା ପଟିଦିଅଁ ପୂଜା ପାଆନ୍ତି। ଶ୍ରୀମନ୍ଦିରରେ ପ୍ରଚଳିତ ଏହି ନୀତି ଓଡ଼ିଆ ଲୋକଙ୍କ ଘରେ ଘରେ ପହଞ୍ଚାଇବାକୁ ବାଲେଶ୍ୱରରୁ ଉଦ୍ୟମ ଆରମ୍ଭ ହୋଇଛି।

ଆମେ ସମସ୍ତେ ଜାଣୁ ଯେ, ଚିତ୍ରକଳା ହେଉଛି ମଣିଷ ମନର ଅଭିବ୍ୟକ୍ତିର ପ୍ରାଚୀନ ସ୍ୱର ବା କଳା। ଅନ୍ୟ ବହୁ ସଂସ୍କୃତିରେ ଚିତ୍ରକଳାକୁ ନିଜ ନିଜ ଶୈଳୀରେ ଭିନ୍ନ ଢଙ୍ଗରେ ସମ୍ମାନର ସହ ବଂଚାଇ ରଖାଯାଇଥିବା ବେଳେ ଆମ ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଆକର୍ଷଣୀୟ ଢଙ୍ଗରେ ଆଧ୍ୟାତ୍ମିକ ଶୈଳୀରେ ଏହାକୁ ସମ୍ମାନ ଦେଇ ବଞ୍ଚାଇ ରଖାଯାଇଛି। ଯାହାର ନାଁ ହେଉଛି ଅଣସର ପଟ୍ଟିଦିଅଁ। ଜଗନ୍ନାଥ ସଂସ୍କୃତିରେ ସବୁବର୍ଗ ତଥା ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନ ଦିଆଯାଇଛି। ଏହି କ୍ରମରେ ଚିତ୍ରକଳା ଓ ଚିତ୍ରକାରଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯାଇଛି।

କେମିତି ତିଆରି ହୁଅନ୍ତି ପଟ୍ଟିଦିଅଁ

ଚିତ୍ରକର ସେବକମାନେ ପରସ୍ତ ପରସ୍ତ କନା ଦେଇ ଏହା ଉପରେ କଇଁଆ ମଞ୍ଜି ମଣ୍ଡର ପ୍ରଲେପ ଦେଇ ପଟ୍ଟି ପ୍ରସ୍ତୁତ କରିଥାନ୍ତି। ଏହା ଉପରେ ଦିଅଁମାନଙ୍କ ଚିତ୍ର ଆଙ୍କନ କରାଯାଇଥାଏ। ହରିତାଳ, ହିଙ୍ଗୁଳ, ଦୀପକଳା ତଥା ଶୁଦ୍ଧ ଶଙ୍ଖରେ ପ୍ରସ୍ତୁତ କଳା, ଧଳା, ନାଲି ଓ ହଳଦୀଆ ରଙ୍ଗରେ ଠାକୁରମାନଙ୍କର ଚିତ୍ରକୁ ଚିତ୍ରିତ କରାଯାଇଥାଏ। ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ପୂଜା ପାଉଥିବା ଶ୍ରୀ ଅନନ୍ତ ବାସୁଦେବ ହେଉଛନ୍ତି ଚତୁର୍ଭୂଜ ନାରାୟଣ, ଯାହାଙ୍କ ମଥାରେ ବାସୁକୀ ନାଗ ରହିଥାନ୍ତି । ଏହାଙ୍କ ବର୍ଣ୍ଣ ଧଳା। ଚକାପକାଇ ବସିଥିବା ଏହି ପଟ୍ଟିଠାକୁରଙ୍କ ନିମ୍ନ ୨ ପାର୍ଶ୍ୱରେ ଭଗବନା ଶିବ ଓ ନାରଦ ଯୋଡ ହସ୍ତରେ ଛିଡା ହୋଇଥିବା ଚିତ୍ର ଅଙ୍କିତ ଥାଏ। ସେହିପରି ସୁଭଦ୍ରାଙ୍କ ବାଡ଼ରେ ପୂଜିତ ପଟ୍ଟିଦିଅଁ ହେଉଛନ୍ତି ଦେବୀ ଭୁବନେଶ୍ୱରୀ। ଏହାଙ୍କର ରଙ୍ଗ ଦେବୀ ସୁଭଦ୍ରାଙ୍କ ଭଳି ହଳଦୀଆ। ଏହି ଦେବୀ ପଟ୍ଟିର ନିମ୍ନ ୨ ପାର୍ଶ୍ୱରେ ମେଧା, ସୁମେଧା ନାମକ ୨ ଦେବୀ ଚାମର ଓ ଆଲଟ ଧରି ସେବା କରୁଥିବାର ଚିତ୍ର ଅଙ୍କନ କରାଯାଇଥାଏ। ସେହିପରି ଜଗନ୍ନାଥଙ୍କ ସ୍ଥାନରେ ପୂଜା ପାଉଥିବା ପଟ୍ଟିଦିଅଁ ଅନନ୍ତ ନାରାୟଣ ଚତୁର୍ଭୂଜ ବିଷ୍ଣୁଙ୍କ ସ୍ୱରୂପରେ ପୂଜା ପାଆନ୍ତି। ଏହାଙ୍କର ବର୍ଣ୍ଣ କୃଷ୍ଣ ବା କଳା। ଏହି ପଟ୍ଟିଠାକୁରଙ୍କ ନିମ୍ନ ପାଦଦେଶରେ ଯୋଡହସ୍ତରେ ସପ୍ତଋଷୀଙ୍କ ଚିତ୍ର ଅଙ୍କିତ ଥାଏ। ଏକ ବାଉଁଶ ତାଟି ଉପରେ ଏହି ୩ ପଟ୍ଟିଠାକୁର ଅଣସର ସମୟରେ ପୂଜିତ ହୁଅନ୍ତି।

କାହିଁକି ଲୋକପ୍ରିୟ ହୋଇପାରିଲାନି ପଟ୍ଟିଦିଅଁ ପରମ୍ପରା

ପଟ୍ଟିଦିଅଁ ପରମ୍ପରାଟି ବେଶି ଲୋକପ୍ରିୟ ହୋଇ ନ ପାରିବାର ମୁଖ୍ୟ କାରଣ ହେଉଛି ଆଲୋକ ବ୍ୟବସ୍ଥା ନ ଥିବା। ଅଣସର ସମୟରେ ଅଣସର ପିଣ୍ଡି ସମ୍ମୁଖରେ ପଟ୍ଟିଦିଅଁ ପୂଜାପାଆନ୍ତି। ୩ଟି ଖଟ ଉପରେ ୩ ପଟ୍ଟିଦିଅଁଙ୍କୁ ମିଶାଇ ମୋଟ ୧୦ ଠାକୁର ପୂଜା ପାଆନ୍ତି। ଏହି ସମୟରେ ମାତ୍ର ଗୋଟିଏ ଦୀପ ଜଳୁଥାଏ। ଯେଉଁ କାରଣରୁ ଅଣସର ପିଣ୍ଡିର ଏହି ସ୍ଥାନଟି ଅନ୍ଧକାରମୟ ଥାଏ। ଏହି ସମୟରେ ଶ୍ରୀମନ୍ଦିରକୁ ଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ପଟ୍ଟି ଠାକୁରଙ୍କୁ ଭଲରେ ଦର୍ଶନ କରିପାରନ୍ତି ନାହିଁ। ସମ୍ଭବତଃ ଏହି କାରଣରୁ ପଟ୍ଟିଦିଅଁ ପୂଜା ପରମ୍ପରା ରାଜ୍ୟରେ ଲୋକପ୍ରିୟ ହୋଇପାରି ନାହିଁ। ଦ୍ୱିତୀୟ କାରଣଟି ହେଉଛି ଏହି ସମୟରେ ଶ୍ରଦ୍ଧାଳୁ ଆଲାରନାଥ ଦର୍ଶନକୁ ଗୁରୁତ୍ୱ ଦେବା ।

ବାଲେଶ୍ୱରରେ ପଟ୍ଟିଦିଅଁ ଅଙ୍କନ ଉତ୍ସବ

ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଏବେ ରାଜ୍ୟର ଅଳ୍ପ କେତୋଟି ପ୍ରାଚୀନ ଜଗନ୍ନାଥ ମନ୍ଦିରରେ ପଟ୍ଟିପୂଜା ହେଉଥିଲେ ବି ତାହା ଏତେ ଲୋକପ୍ରିୟ ହୋଇପାରି ନାହିଁ। ଉକ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡ଼ିଶାର ଲୋକକଳା-ସଂସ୍କୃତିର ପ୍ରଚାରକ ଶିଳ୍ପୀ କେଶୁ ଦାସ ସମସ୍ତ ଜଗନ୍ନାଥ ମନ୍ଦିରମାନଙ୍କରେ ‘ପଟିଦିଅଁ’ ପରମ୍ପରାକୁ ପ୍ରଚଳନ କରି ଅଧିକରୁ ଅଧିକ ଲୋକାଭିମୁଖି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଶ୍ରୀଜଗନ୍ନାଥଙ୍କ ନବକଳେବର ଅବସରରେ ୨୦୧୫ରେ ବାଲେଶ୍ୱରରେ ବାଲେଶ୍ୱରୀ କଳା କେନ୍ଦ୍ର ଓ ନୋସି କଲଚ୍ୟୁରାଲ ଏକାଡେମୀର ମିଳିତ ସହଯୋଗରେ ବାଲେଶ୍ୱରରେ ପ୍ରଥମ ଥର କରି ଆରମ୍ଭ କରାଯାଇଥିଲା ପଟଦିଅଁ ଅଙ୍କନ ଉତ୍ସବ । ଉକ୍ତ ଉତ୍ସବ ବଡ଼ଠାକୁରଙ୍କ ଆର୍ଶିବାଦ ତଥା ସମସ୍ତଙ୍କ ଆନ୍ତରିକତାରେ ସଫଳ ହୋଇଥିଲା। ନୋସି ବିଜନେସ୍‌ ପାର୍କସ୍ଥିତ ଉତ୍କଳ ଶିଳ୍ପଗ୍ରାମରେ ତା୨୮/୦୫/୨୦୧୫ରୁ ତା ୨/୦୬/୨୦୧୫ ପର୍ଯ୍ୟନ୍ତ ଏହି ଅଙ୍କନ ଉତ୍ସବ ଆୟୋଜିତ ହୋଇଥିଲା।

ଚଳିତବର୍ଷ ନୀଳଗିରିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, ମୋତିଗଞ୍ଜର ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଶାସଙ୍ଗର ଜଗନ୍ନାଥ ମନ୍ଦିର, ଜଳେଶ୍ୱର ଜଗନ୍ନାଥ ମନ୍ଦିର ଓ ଦୁବଲାଗଡିର ପତିତପାବନ ଶ୍ରୀ ଜଗନ୍ନାଥଙ୍କ ପାଇଁ ପଟ୍ଟିଦିଅଁ ଅଙ୍କନ କରାଯାଇଥିଲା। ଏହି ପଟ୍ଟିଠାକୁରଙ୍କୁ ଯଥାକ୍ରମେ ଶିଳ୍ପୀ କେଶୁ ଦାସ, ବଡସାହିର ଦିବ୍ୟ ରାଉତ, ନୀଳଗିରିର ପ୍ରବୀର ପାତ୍ର ଅଙ୍କନ କରିଥିଲେ। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପଟି ଦିଅଁ ଅଙ୍କନ ପରମ୍ପରାକୁ ଯଥାରୀତି ପାଳନ କରିବାକୁ ଯାଇ ଉକ୍ତ ଚିତ୍ରକରମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟା ଦିବସରେ ମନ୍ଦିରମାନଙ୍କ ତରଫରୁ ବିଧି ପୂର୍ବକ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ପୁଣି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥି ଅଧିବାସ ଦିବସ ରୂପେ ପାଳନ କରାଯାଇ ଏକାଦଶୀରୁ ଦେବସ୍ନାନ ପୂର୍ଣ୍ଣୀମା ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଟି ଦିଅଁ ଅଙ୍କନ କାର୍ଯ୍ୟକ୍ରମ ଚାଲିଥିଲା।

ଏହି ଅବସରରେ ଉତ୍କଳୀୟ ପଟ୍ଟଚିତ୍ରର ପ୍ରଦର୍ଶନୀ, ପ୍ରଶିକ୍ଷଣ ଶିବିର ଆଲୋଚନା ଚକ୍ର ତଥା ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଅଭିଭାଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କାରାଯାଇଥିଲା । ଏଥିରେ ନୀଳଗିରିର ରାଜା ଜୟନ୍ତ ହରିଚନ୍ଦନ ମର୍ଦ୍ଦରାଜ, ରାଣୀ ମନୋଜା ମଞ୍ଜରୀ ଦେବୀ, ସୁବାସିନୀ ଜେନା, ଅଭୟ ଦାସ, ନୃସିଂହ ଚରଣ ନାୟକ, ସୃଷ୍ଟିଧର ପରିଡ଼ା, ହରିଶ୍‌ ପଟେଲ, ଶୁଭଙ୍କର ମହାପାତ୍ର, ମମତା ମହାପାତ୍ର, ଧୀରେନ୍ଦ୍ର ନାଥ ମହାପାତ୍ର, ପ୍ରଭାସ ଦାସ, ଶ୍ରୀନିବାସ ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।   ଆଲୋଚକ ଭାବେ ନିମାପଡାର ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ପଟ୍ଟଚିତ୍ର ଶିଳ୍ପୀ ଶରତ ଚନ୍ଦ୍ର ପ୍ରଧାନ, ଭଦ୍ରକର ଅଶୋକ ମହାନ୍ତି ଓ ସୁଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

 

Previous ArticleNext Article

Leave a Reply

Send this to a friend