‘ରତ୍ନଭଣ୍ଡାର ଚାବି ରହସ୍ୟ ଶତାବ୍ଦୀର ସବୁଠାରୁ ବଡ଼ ଘୋଟାଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ରହସ୍ୟ ହେଉଛି ଶତାବ୍ଦୀର ସବୁଠାରୁ ବଡ଼ ଘୋଟାଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତୃତୀୟ ମହଲାର ଜଣେ କ୍ଷମତାକେନ୍ଦ୍ର ଆଇଏଏସ୍‌ ଅଫିସର, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ନବ ନିଯୁକ୍ତ ଶ୍ରୀମନ୍ଦିର ପ୍ରଶାସନ ପ୍ରଦୀପ୍ତ ମହାପାତ୍ର ସମ୍ପୃକ୍ତ ଅଛନ୍ତି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ସରକାରୀ ଟ୍ରେଜେରୀରେ ରହିବା ପରିବର୍ତ୍ତେ ରେକର୍ଡ଼ ରୁମ୍‌ରୁ କେମିତି ମିଳିଲା, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ କି ବୋଲି ବିଜେପି ପ୍ରଶ୍ନ କରିଛି।

ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କଥାରେ ଆଇନ୍‌ ତା’ ବାଟରେ ଯିବ ବୋଲି କୁହନ୍ତି। ହେଲେ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା ଭଳି ଏକ ସମ୍ୱେଦନଶୀଳ ପ୍ରସଙ୍ଗରେ ସେ ପଦୁଟିଏ କହୁନାହାନ୍ତି। ଏପ୍ରିଲ ୪ ତାରିଖରୁ ମୁଖ୍ୟମନ୍ତ୍ରୀ ଏସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି। ଏନେଇ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଗତକାଲି ରାତି ୯ଟା ବେଳେ ରତ୍ନଭଣ୍ଡାର ନକଲି ଚାବି ମିଳିଲା ବୋଲି ଜିଲ୍ଲାପାଳ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଡାକି ସୂଚନା ଦେଇଥିଲେ। ଏଥିରୁ ଜଣାପଡ଼ୁଛି ଚାବି ହଜିବା ପଛରେ ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତୃତୀୟ ମହଲାର ଜଣେ କ୍ଷମତାପ୍ରାପ୍ତ ଆଇଏଏସ୍‌ ଅଫିସର ଓ ସେମାନଙ୍କ ପୃଷ୍ଟପୋଷକତାରେ ୪ ବର୍ଷ ଧରି ପୁରୀ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟକରୁଥିବା ଅରବିନ୍ଦ ଅଗ୍ରୱାଲ। ଏହାଛଡ଼ା ପୂର୍ବତନ ପୁରୀ ଜିଲ୍ଲାପାଳ ତଥା ନବ ନିଯୁକ୍ତ ଶ୍ରୀମନ୍ଦିର ପ୍ରଶାସନକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି। ଏମାନେ ସମସ୍ତେ ଚାବି ଚୋରି ସମ୍ପର୍କରେ ଜାଣିଛନ୍ତି। ଜାଣିଶୁଣି ଚାବି ଚୋରି କଥାରେ ଓଡ଼ିଶାବାସୀଙ୍କୁ ଛପାଇ ରଖିଥିଲେ।”

bjpସେ କହିଛନ୍ତି, “ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଟେମ୍ପୁଲ ନିୟମାବଳୀ ୧୯୬୦ ଅନୁଯାୟୀ, ରତ୍ନଭଣ୍ଡାରରେ ଦୁଇଟି ତାଲା ପଡ଼ିବ। ସେଗୁଡ଼ିକ ଜଉ ମୁଦ କରାଯିବ। ଜଉ ମୁଦରେ ଶ୍ରୀମନ୍ଦିର ପ୍ରଶାସକ କମିଟିର ସଦସ୍ୟମାନେ ହସ୍ତାକ୍ଷର କରିବେ। ପରେ ସେହି ଚାବିକୁ ପ୍ରଶାସକ ସରକାରୀ ଟ୍ରେଜେରୀରେ ରଖିବେ। ଏହାକୁ କଦାପି ଜିଲ୍ଲା ରେକର୍ଡ଼ ରୁମ୍‌ରେ ରଖାଯାଇପାରିବ ନାହିଁ। କେଉଁ ପରିସ୍ଥିତିରେ ସରକାରୀ ଟ୍ରେଜେରୀରୁ ଚାବି ଚୋରି ହେଲା? ଯଦି ଚାବି ଚୋରି ହେଲା ଏନେଇ ରାଜ୍ୟ ସରକାର ଥାନାରେ ଏତଲା ଦେଲେ ନାହିଁ କାହିଁକି?”

ସେ ଆହୁରି କହିଛନ୍ତି,“ତେଣୁ ଗତକାଲି ବିଜେପି ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ। ଆଇଆଇଜି ଏତଲା ଗ୍ରହଣ କଲେ, ମାତ୍ର ରେଜିଷ୍ଟ୍ରି କଲେ ନାହିଁ। ୪ ଘଣ୍ଟା ଧରି ଆମେ ବସିଲା ପରେ ଆଇଆଇସି ଅସହାୟତା କରି ଉଚ୍ଚ ଅଧିକାରୀ ବା ତୃତୀୟ ମହାଲାର ନିର୍ଦ୍ଦେଶକୁ ଅପେକ୍ଷା କଲେ। ସେଥିପାଇଁ ଆମେ ପୁରୀ ଏସ୍‌ପି ଓ ଆଇଜିଙ୍କୁ ଫୋନ୍‌ କରିଥିଲୁ। କିଛି ସମୟ ପରେ ସିଟି ଡିଏସ୍‌ପିଙ୍କ ସହିତ ୩ରୁ ୪ ଜଣ ଆଇଆଇସି ଥାନାରେ ପହଞ୍ଚି ଥିଲେ। ସେମାନେ ସମସ୍ତେ ଅଫିସ ଭିତରକୁ ଗଲେ। କିଛି ସମୟ ପରେ ସେମାନେ ଆମ ପାଖକୁ ଆସି ଏତାଲା ବଦଳାଇବାକୁ ବାଧ୍ୟ କଲେ।”

ସେ କହିଛନ୍ତି,“ଆଇନ୍‌ ଅନୁସାରେ ରତ୍ନଭଣ୍ଡାରରେ ଦୁଇଟି ଚାବି ପଡ଼ିବ। ଏହି ଚାବି ଗୁଡ଼ିକ ସରକାରୀ ଟ୍ରେଜେରୀରେ ରହିବ। ତେବେ କେଉଁ ପରିସ୍ଥିତିରେ ରେକର୍ଡ଼ ରୁମ୍‌କୁ ନକଲି ଚାବି ଆସିଲା? ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ। ଏଥିରୁ ଜଣାପଡ଼ୁଛି ରତ୍ନଭଣ୍ଡାର ଅସଲି ଚାବି ନାହିଁ। ଚାବି ଟ୍ରେଜେରୀରୁ ଚୋରି ହୋଇଛି। ସରକାରଙ୍କ ଇଙ୍ଗିତରେ ପୁରୀ ଜିଲ୍ଲାପାଳ ଦୁଇଟି ନକଲି ଚାବି ତିଆରି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି, ଯେଉଁ ନକଲି ଚାବି ମିଳିଲା ତାହାକୁ ଯାଞ୍ଚ କରାଗଲା କି? ଏପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ତରଫରୁ ଉକ୍ତ ନକଲି ଚାବିକୁ ଯାଞ୍ଚ କରାଯାଇ ନାହିଁ।  ଏଥିରୁ ଜଣାପଡ଼ୁଛି ଘଟଣାକୁ ବିଭ୍ରାନ୍ତ କରିବା ପାଇଁ ଜିଲ୍ଲାପାଳ ଏମିତି ସବୁ କାମ କରୁଛନ୍ତି। ଯଦି ସରକାରଙ୍କର ସତ୍‌ସାହସ ଅଛି ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାପାଳଙ୍କୁ ଗିରଫ କରନ୍ତୁ।”

Previous ArticleNext Article

Send this to a friend