ଆରବିଆଇର କେନ୍ଦ୍ରୀୟ ଅନୁଦାନ ରିପୋର୍ଟକୁ ନେଇ ବିବାଦ

odisha

odisha 2ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନ୍‌ ଷ୍ଟେଟ୍‌ସ ଫାଇନାନ୍ସ- ଏ ଷ୍ଟଡି ଅଫ୍‌ ବଜେଟ୍‌ ଅଫ୍‌ ୨୦୧୫-୧୬ରେ କେନ୍ଦ୍ରୀୟ ଅନୁଦାନ ତଥ୍ୟକୁ ନେଇ ବିବାଦ ଦେଖାଦେଇଛି। ପୂର୍ବରୁ ଅନୁଦାନକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଏହି ରିପୋର୍ଟ ଆସିବା ପରେ ନୂଆ ମୋଡ ନେଇଛି। ରିପୋର୍ଟ ଅନୁସାରେ ଚର୍ତୁଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ଓଡ଼ିଶାକୁ ଦେଉଥିବା ଟିକସ ୩୨ରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। କିନ୍ତୁ ବଜେଟରେ ଗ୍ରାଣ୍ଟ ଇ ଏଡ୍‌ ଅର୍ଥ ବ୍ୟାପକ ପରିମାଣରେ ହ୍ରାସ ପାଇଛି। ଏହି କ୍ରମରେ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶା ୩,୪୨୫ କୋଟି ଟଙ୍କା କମ୍‌ ଅନୁଦାନ ପାଇବ।

ଅନ୍ୟପକ୍ଷରେ ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪,୫୯୦ କୋଟି ଟଙ୍କା ଅନୁଦାନ ହରାଇବେ। ଅନୁଦାନ ହ୍ରାସ ପାଉଥିବାରୁ ଓଡ଼ିଶା ସରକାର ଖୋଲା ବଜାରରୁ ଋଣ ନେବା ପାଇଁ ବାଧ୍ୟ ହେଉଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ଋଣର ପରିମାଣ ୩,୦୦୦ କୋଟି ଟଙ୍କା ରହିଛି। ଏହା ଭିତରେ ରାଜ୍ୟରେ ଚାଲିଥିବା ୮ କେନ୍ଦ୍ରୀୟ ଯୋଜନାକୁ ମୋଦି ସରକାର ବନ୍ଦ କରିଛନ୍ତି। ସେହିଭଳି ୩୩ଟି ଯୋଜନାର ଅନୁଦାନ ଅନୁପାତକୁ ମଧ୍ୟ କମାଇ ଦେଇଛନ୍ତି କେନ୍ଦ୍ର ସରକାର।

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଆସିବା ପରେ ପୁଣି ଥରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଯାଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଆରବିଆଇ ଯେଉଁ ରିପୋର୍ଟ ଦେଇଛି ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ରାଜ୍ୟ ସରକାର ଯାହା କହୁଥିଲେ ତାହା ଠିକ୍‌। ବିଜେପିର କେନ୍ଦ୍ରୀୟ ନେତା ଓ ରାଜ୍ୟ ନେତା ଯାହା କହୁଥିଲେ ତାହା ଭୁଲ। ଯେଉଁମାନେ ଏ ନେଇ ବଡ ବଡ କଥା କହୁଥିଲେ ଏବେ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି।”

ବରିଷ୍ଠ କଂଗ୍ରେସ ନେତା ନୀରଞ୍ଜନ ପଟ୍ଟନାୟକ କହିଛନ୍ତି, “ରାଜ୍ୟକୁ କେଉଁ ସ୍କିମ୍‌ରେ କେତେ ଅର୍ଥ ଆସୁଛି ତାହା ସ୍ପଷ୍ଟ ହେଉ ନାହିଁ। କେନ୍ଦ୍ର ସରକାର ରାଜ୍ୟକୁ ଦେଉଥିବା ଅନୁଦାନର ଅର୍ଥ କାଟ କରୁଛନ୍ତି। ଯେଉଁମାନେ କହୁଛନ୍ତି ରାଜ୍ୟର ଉନ୍ନତି ହେଉଛି ବୋଲି ତାହା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବାହାସ୍ପୋଟ।”

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “କେନ୍ଦ୍ରୀୟ ଅନୁଦାନ ଅନୁପାତିକ ହାରରେ କମି ନାହିଁ। ଟ୍ୟାକ୍ସ ଆସିବା କମିଥିବାରୁ ସେହି ଅନୁପାତ ଅର୍ଥ ଆସିବା କିଛି କମ୍‌ ବେଶୀ ହୋଇଛି।”

ଆରବିଆଇ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ହ୍ରାସ କରିଥିବା ଅର୍ଥ ପରିମାଣ ମୋଟ୍‌ ଘରୋଇ ଉତ୍ପାଦର ୦.୩ %। ଦିନକ ପରେ ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ନେଇ ଆରବିଆଇ ରିପୋର୍ଟ ରାଜ୍ୟ ବିଜେପିକୁ ଅଡୁଆରେ ପକାଇଛି।

Previous ArticleNext Article

Send this to a friend