ବିରଜା ମନ୍ଦିରକୁ କ’ଣ ପିନ୍ଧି ଯାଇଥିଲେ ସୋନୁ ନିଗମ ? ସୋସିଆଲ ମିଡିଆରେ ଗୁଜବ, ଜାଣନ୍ତୁ ସତ କ’ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ତାଣ୍ଡବ ଯୋଗୁ ଗତକାଲି ଯାଜପୁରରେ ବାଳାଶ୍ରମ ପଡ଼ିଆରେ କୋଟିଏ ଟଙ୍କାର ଷ୍ଟେଜ୍‌ ଭୁଶୁଡ଼ି ପଡ଼ିଥିଲା। ଯାଜପୁର  ପୌରପାଳିକାକୁ  ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏଠାରେ ୯ ଦିନ ଧରି  ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ତେବେ ଗତକାଲି ବଲିଉଡ୍‌ ସିଙ୍ଗର ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ଥିଲା ବେଳେ ଝଡ଼ପବନ ଯୋଗୁଁ ସୋ’କୁ ବାତିଲ କରାଯାଇଥିଲା। ତେବେ କାର୍ଯ୍ୟକ୍ରମକୁ ଆସିବା ଅବସରରେ ସୋନୁ ନିଗମ ବିରଜା ମନ୍ଦିରକୁ ମା’ଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ତେବେ ସୋନୁ ନିଗମ ମନ୍ଦିର ଦର୍ଶନକୁ ଯାଇଥିବା ବେଳେ ଏକ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ସୋନୁ ନିଗମ ମନ୍ଦିର ଯାଇଥିବା ବେଳେ ପାଦରେ ଜୋତା ପିନ୍ଧିବା ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଚାଲିଛି। ହେଲେ ଏହି ଖବରଟି ମିଛ ବୋଲି ଜଣାପଡ଼ିଛି।

ମନ୍ଦିର ପରିସରକୁ ସୋନୁ ନିଗମ ଜୋତା ପିନ୍ଧି ଯାଇ ନ ଥିବା ବିରଜା ମନ୍ଦିର କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୋନୁ ଗୋଡ଼ରେ ପିନ୍ଧିଥିବା ମୌଜା ଜୋତାର ଭ୍ରମ ସୃଷ୍ଟି କରୁଥିବାରୁ ଏନେଇ ମିଛ ଖବର ପ୍ରଚାର କରାଯାଉଥିବା ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।  ଏ ସମ୍ପର୍କରେ ମନ୍ଦିରର ଜଣେ ଭକ୍ତ ଦେବଦତ୍ତ ମିଶ୍ର କହିଛନ୍ତି ଯେ, ସୋନୁ ନିଗମଙ୍କ ନାମରେ ଯେଉଁ ଖବର ପ୍ରଚାର ହେଉଛି ତାହା ଅତ୍ୟନ୍ତ ମିଛ। ତେବେ ବିରଜା ମନ୍ଦିର ଦର୍ଶନ କରି ସୋନୁନିଗମ ନିଜକୁ ଧନ୍ୟ ମନେ କରିଥିବା ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ, ବିରଜା ମନ୍ଦିର ହେଉଛି ୧୩ ଶହ ଶତାବ୍ଦୀର। ଏହା ହେଉଛି ଓଡ଼ିଶାର ୧୧ତମ ଶକ୍ତିପୀଠ। ଏ ବିଷୟରେ ମନ୍ଦିର ପୂଜକ ତାଙ୍କୁ କହିଥିବା ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ତେବେ ପ୍ରତି ଉତ୍ତରରେ ପୁଣିଥରେ ଯାଜପୁରରେ ଦେଖା ହେବ ବୋଲି ସୋନୁ ନିଗମ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି। ତେବେ ସେ ଲେଖିଥିବା ଗୋଟିଏ ଶବ୍ଦ ତ୍ରୁଟିପୂର୍ଣ୍ଣ ରହିଛି। ତାହା ହେଉଛି ବିରଜା କ୍ଷେତ୍ର ବଦଳରେ ‘ଗିରିଜା’ କ୍ଷେତ୍ର ହୋଇଯାଇଛି। ତେବେ ଗତକାଲି ସୋ’ ବାତିଲ ହେବା ପରେ ସୋନୁ ନିଗମ ଦୁଖଃ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ବାତିଲ ହେବାରୁ ପ୍ରାୟ ୮୦ ହଜାର ଦର୍ଶକ ନିରାଶ ହୋଇଥିବା ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

Previous ArticleNext Article

Send this to a friend