ରାଜଧାନୀର ଏ ସବୁ ଜାଗାର ନାଁ ଏମିତି କାହିଁକି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱରର ଆଜି ହେଉଛି ଜନ୍ମଦିନ। ୭୧ତମ ଜନ୍ମଦିନ ପାଳୁଛି ଆମ ରାଜଧାନୀ। ଏହା ଭିତରେ କେତେ କ’ଣ ବଦଳିଗଲାଣି। ଦିନ ଥିଲା ମାଷ୍ଟର କ୍ୟାଣ୍ଟିନ୍‌ଠାରୁ ଆରମ୍ଭ କରି ବାଣୀବିହାର କି ସିଆରପି ଛକରୁ ସଚ୍ଚିବାଳୟ ଯାଏଁ ଥିଲା ଆମ ରାଜଧାନୀର ସୀମା। ହେଲେ ଏବେ ତାର କଳେବର ଢେର ବଢିଗଲାଣି। ଗୋଟିଏ ପଟେ ଜଟଣୀଠାରୁ ଆରମ୍ଭ କରି ପଟିଆ ନନ୍ଦନକାନନ ଦେଇ କଟକ ଛୁଇଁବାକୁ ବସିଥିବା ବେଳେ ଏପଟେ ବାଳକାଟୀ ଦେଇ ପିପିଲି ଛୁଇଁବାକୁ ବସିଛି ଭୁବନେଶ୍ୱର। ଚିକ୍‌ ଚିକ୍‌ ରାସ୍ତା, ଫିନ୍‌ ଫିନ୍‌ ଗାଡିଘୋଡା ଯେତେବେଳେ ରାଜଧାନୀ ଛାତି ଉପରେ ଗଡିଯାଉଛି ନିଜକୁ ଭୁବନେଶ୍ୱରିଆ ବୋଲି କହିଲା ବେଳକୁ ଛାତି କୁଣ୍ଢେମୋଟ ହୋଇଯାଉଛି। ଏତେ ବଡ ଜାଗରେ ଏମିତି ଅନେକଗୁଡିକ ନା ରହିଛି ଯାହାକୁ ଆମେ ଆମ କଥାରେ ନିତିଦିନ ବ୍ୟବହାର କରୁଛେ । ହେଲେ ଜାଣିନେ ସେ ନାଁ ପଛର କାହାଣୀ। କେହି ଜଣେ ଖାଣ୍ଟି ଭୁବନେଶ୍ୱରିଆ ବି ବେଳେବେଳେ ଅଡୁଆରେ ପଡିଯିବ ଯଦି କେହି ତାକୁ ସିଆରପି, ମାଷ୍ଟରକ୍ୟାଣ୍ଟିନ୍‌ କି ରୂପିଲି ଛକର ନାଁ ପଛର କାହାଣୀ ପଚାରିବ। ତା ହେଲେ ଆସନ୍ତୁ ଜାଣିବି ସେମିତି କିଛି ନାଁ ପଛର କାହାଣୀ।

କ୍ୟାଣ୍ଟିନ୍‌ ନାଁରୁ ମାଷ୍ଟର କ୍ୟାଣ୍ଟିନ୍‌: ନୂଆ ନୂଆ ରାଜଧାନୀ ହୋଇଥାଏ ଭୁବନେଶ୍ୱର। ଏଠି ଯେଉଁ କୋଠାବାଡି ଆମେ ଆଜି ଦେଖୁଛେ ଦିନେ ସେ ସବୁ ନ ଥିଲା। ନିକଟବର୍ତ୍ତି ଷ୍ଟେଶନ କହିଲେ ଖୋର୍ଦ୍ଧାରୋଡ । ଭୁବନେଶ୍ୱର ଷ୍ଟେଶନର ସ୍ଥିତି ସେଭଳି ନ ଥିଲା କହିଲେ ଚଳେ। ଏପରିକି ଖୋର୍ଦ୍ଧାରୋଡ ବା ବର୍ତ୍ତମାନର ଜଟଣୀ ଥିଲା ବିଏନ୍‌ଆର(ବେଙ୍ଗଲ ନାଗପୁର ରେଲୱେ) ରେଳବାଇର ପ୍ରମୁଖ ପେଣ୍ଠସ୍ଥଳ। ପୁରୁଣା ଭୁବନେଶ୍ୱର ତଥା ଲିଙ୍ଗରାଜ ମନ୍ଦିର ସଂଲଗ୍ନ ଅଞ୍ଚଳକୁ ଛାଡିଦେଲେ ଅନ୍ୟସ୍ଥାନ ସବୁ ବଣ ଜଙ୍ଗଲ ହୋଇ ରହିଥିଲା। କୋଠବାଡି ଦୂରର କଥା କାଁ ଭାଁ ଚାଳିଆଟିଏ ଦେଖିବା ବଡ କାଠିକର ପାଠ। ୧୯୫୦ ମସିହାରେ ୟୁନିଟ୍‌ ୨ରେ ଥିବା ମାର୍କେଟ ବିଲ୍ଡିଂ ନିର୍ମାଣ ପାଇଁ ସୋହନଲାଲ ହଂସ ନାମକ ଜଣେ ଠିକାଦାରଙ୍କୁ କାମ ଦିଆଯାଇଥାଏ। ସେ ଭୁବନେଶ୍ୱର ଷ୍ଟେଶନର ନିର୍ମାଣ କାର୍ଯ୍ୟ ମଧ୍ୟ କେତେକାଂଶରେ ହାତକୁ ନେଇଥିଲେ ବୋଲି କୁହାଯାଏ। ସେ ନିଜ ଅନ୍ୟ ୪ ଭାଇଙ୍କ ସହ ଭୁବନେଶ୍ୱର ଆସି ଷ୍ଟେଶନ ପାଖରେ ଏକ କ୍ୟାଣ୍ଟିନ୍‌ ଖୋଲିଥିଲେ । ନିଜେ କାମ କରୁଥିବା ଠିକାସଂସ୍ଥା ମାଷ୍ଟର କନ୍‌ଷ୍ଟ୍ରକସନ୍‌ର ସ୍ମୃତୀକୁ ମନେ ରଖିବାକୁ ଯାଇ ନିଜ କ୍ୟାଣ୍ଟିନ୍‌ର ନାଁ ରଖିଥିଲେ ମାଷ୍ଟର କ୍ୟାଣ୍ଟିନ୍‌। ବାସ୍‌ ତା ପରଠାରୁ ଏହି ସ୍ଥାନର ନାଁ ହେଇଗଲା ମାଷ୍ଟର କ୍ୟାଣ୍ଟିନ୍‌।

ରାଜୁ ସାହୁଙ୍କ ଚା’ ଦୋକାନରୁ ରାଜମହଲ ଛକ: ନୂଆ ରାଜଧାନୀ ନିର୍ମାଣ ବେଳେ ରାଜୁ ସାହୁ ନାମକ ବ୍ୟକ୍ତି ବର୍ତ୍ତମାନର ରାଜମହଲ ଛକ କୁହାଯାଉଥିବା ସ୍ଥାନରେ ଏକ ଚାଳିଆ ଘରେ ଚା ଜଳଖିଆ ବିକୁଥିଲେ। ଭୁବନେଶ୍ୱର ନିର୍ମାଣରେ ଲାଗିଥିବା ଠିକାଦାର, ଶ୍ରମିକ ଓ ଇଞ୍ଜିନିୟର ଏଠାରେ ଖଟି କରନ୍ତି ଆଉ ଚା ପିଅନ୍ତି। ଧିରେ ଧିରେ ସେମାନଙ୍କ ଭିତରେ ପ୍ରସିଦ୍ଧ ହୋଇଗଲେ ରାଜୁ। ପରେ ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ଜମିଟିକୁ ପାଇବା ପରେ ଆରମ୍ଭ ହେଲା ରେଷ୍ଟୁରାଣ୍ଟ ନିର୍ମାଣ। ଆଉ ରାଜଧାନୀ ବଢିବା ସହ ରାଜୁ ସାହୁଙ୍କ ଦୋକାନର ଉନ୍ନତି ହେଲା। ଠିଆ ହେଲା ରାଜମହଲ ହୋଟେଲ। ଆଉ ସେଇ ନାଁରେ ଆଜି ଆମେ ଏହି ସ୍ଥାନକୁ କହୁଛେ ରାଜମହଲ ଛକ।

ପୁନ୍ନାର ମା’ ସକାଶେ ପୁନାମା ଗେଟ୍‌: ବର୍ତ୍ତମାନର ନବୀନ ନିବାସରୁ ପୁରୁଣା ଭୁବନେଶ୍ୱରକୁ ଯିବାବେଳେ ଉଡନ୍ତା ପୋଲଟିଏ ଅଛି। ବେସ୍‌ ସୁରୁଖୁରୁରେ ଆମେ ସେ ବାଟ ଦେଇ ଯା ଆସ କରୁଛେ। ଏହି ରାସ୍ତାରେ ସଳଖେ ଗଲେ ଆପଣ ଜଟଣୀରେ ବାହାରିବେ ଆଉ ବାଙ୍କରେ ବୁଲିଗଲେ ଲିଙ୍ଗରାଜ ମନ୍ଦିର। ହେଲେ ଜାଣିଛନ୍ତି ଏହି ପୋଲ ତଳେ ଥିବା ଲେଭଲ୍‌ କ୍ରସିଂ ଦିନେ ପୁନାମା ଗେଟ୍‌ ନାଁରେ ଭାରି ପ୍ରସିଦ୍ଧ ଥିଲା। କୁହାଯାଏ ଏ ସ୍ଥାନଟି ଭାରି ନିଛାଟିଆ ଥିଲା। ବାଘ ବି ଯା ଆସ କରୁଥିଲେ ଏଠାକୁ। ଆଉ ସେଇଥିପାଇଁ ରେଳବାଇ ପକ୍ଷରୁ ଜଣେ ଗେଟ୍‌ କିପରଙ୍କୁ ଏଠି ନିୟୋଜିତ କରାଯାଇଥିଲା। ନାଁ ତାଙ୍କର ଥିଲା ପୁନା। ପୁନା ନିଜ ମା’ ସହ ଏଠାରେ ରହୁଥିଲେ ଆଉ ଟ୍ରେନ୍‌ ଆସିଲେ ଗେଟ୍‌ ପକାଉଥିଲେ। ହେଲେ ଦୁଃଭାଗ୍ୟକୁ ପୁନାଙ୍କ ମୃତ୍ୟୁ ଘରେ। ମା’ ତାଙ୍କର ଏକେଲା ଏଠି ଜଗୁଆଳି କାମ କରନ୍ତି। ଆଉ ପୁନାଙ୍କ ମା’ ଏଠି ଗେଟ୍‌ ଜଗୁ ଥିବାରୁ ଏହାକୁ ଲୋକେ ପୁନାମା ଗେଟ୍‌ ନାମରେ ଡାକିବାକୁ ଆରମ୍ଭ କରନ୍ତି। ଯାହା ଏବେ ବି କେତେକ ଭୁବନେଶ୍ୱରିଆଙ୍କ ମୁହଁରୁ ଶୁଣିବାକୁ ମିଳେ।

ଅସୁଲଗଡରୁ ରସୁଲଗଡ଼: ଖୋର୍ଦ୍ଧାରେ ଗଜପତି ମହାରାଜଙ୍କ ନହର ଥିବା ବେଳେ ଏହି ସ୍ଥାନଟି ଶିଶୁପାଳ ଗଡ଼କୁ ସଂଲଗ୍ନ କରି ରହିଥିଲା। ଏଠାରେ ବହୁ ପାଇକ ପରିବାର ଓ କାରଣ ପରିବାର ରହୁଥିଲେ। ଏହି କରଣମାନେ ସ୍ଥାନୀୟ ଲୋକଙ୍କଠାରୁ ଖଜଣା ଅସୁଲ କରି ରାଜ ନହରରେ ପଇଠ କରୁଥିଲେ। ଏଠାକାର କିଛି ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କ ମତରେ ଖଜଣା ଅସୁଲ ବା ଅସୁଲ ଗଡ଼ରୁ ଅପଭ୍ରଂଶ ହୋଇ ଏହି ସ୍ଥାନର ନାଁ ହୋଇଛି ରସୁଲଗଡ।

Previous ArticleNext Article

Send this to a friend