ଅଣସର ଘରେ ଜ୍ୱରରେ କମ୍ପୁଥିବା ବେଳେ କେମିତି ହୁଏ ମହାପ୍ରଭୁଙ୍କ ଚିକିତ୍ସା: ଜାଣନ୍ତୁ ଗୁପ୍ତନୀତିର ଗୁପ୍ତ ରହସ୍ୟ

jagannath

ଅଣସରର ଗୁପ୍ତ ରହସ୍ୟ:

ସରିଯାଇଛି ସ୍ନାନ ଯାତ୍ରା। ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁର୍ଦଶନ ବର୍ତ୍ତମାନ ଅଣସର ପିଣ୍ଡିରେ। ସ୍ନାନପୂର୍ଣ୍ଣିମା ରାତିରୁ ଅମାବାସ୍ୟା ଦିନର ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଦିଅଁମାନେ ରୁହନ୍ତି ଅଣସରରେ। ବିଗ୍ରହଙ୍କୁ ଏହି ସମୟରେ ଦର୍ଶନ କରିହୁଏ ନାହିଁ। ବାଉଁଶ ପଟି ଘେରା ଅଣସର ପିଣ୍ଡିକୁ ଦଇତାପତି ଓ ପତି ମହାପାତ୍ର ସେବାୟତଙ୍କ ଛଡ଼ା ଆଉ କାହାକୁ ପ୍ରବେଶ ଅନୁମତି ନାହିଁ। ଏହି ସମୟରେ ଚାଲେ ଚତୁର୍ଦ୍ଧା ବିଗ୍ରହଙ୍କର ଗୁପ୍ତ ନୀତି।

ସଂପୂର୍ଣ୍ଣ ଗୁପ୍ତ ନୁହେଁ:

କଣ ଘଟେ ଅଣସର ସମୟରେ? ଏହା ଏକ ସ୍ୱାଭାବିକ ପ୍ରଶ୍ନ। ହେଲେ ଏହାର ସଠିକ୍ ଉତ୍ତର ମିଳିବା ସହଜ ନୁହେଁ। ଅଣସର ସମୟରେ ଠାକୁରଙ୍କ ସେବା କରୁଥିବା ଦଇତାପତି ଓ ପତି ମହାପାତ୍ର ସେବାୟତମାନେ ହିଁ ଜାଣନ୍ତି ଅଣସର ବେଳର ପ୍ରକୃତ ଘଟଣାକ୍ରମ, କିନ୍ତୁ ସେମାନେ ଏହାର ଗୁପ୍ତ ରହସ୍ୟ ବଜାୟ ରଖିବାକୁ ବଚନବଦ୍ଧ। ହେଲେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକମାନେ ଅଣସର ଗୁପ୍ତନୀତି ବିଷୟରେ ଆଭାସ ପାଇଛନ୍ତି। ଶ୍ରୀଜଗନ୍ନାଥ ଓ ତାଙ୍କ ନବକଳେବର ସମ୍ୱନ୍ଧିତ ଗବେଷଣାତ୍ମକ ପୁସ୍ତକ ଓ ପ୍ରବନ୍ଧରେ ଅଣସର ନୀତି ବିଷୟରେ ବର୍ଣ୍ଣନା ଅଛି। ଶ୍ରୀ ମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ ତାଙ୍କର “ଶ୍ରୀ ଜଗନ୍ନାଥ” ପୁସ୍ତକରେ ଅଣସର ବେଳର ନୀତିକାନ୍ତି ବିଷୟରେ ସୂଚନା ଦେଇଛନ୍ତି।

ଜର୍ମାନ ଗବେଷକ ପ୍ରଫେସର ରୋଲାଣ୍ଡ ହାର୍ଡେନ୍‌ବର୍ଗ ଶ୍ରୀ ଜଗନ୍ନାଥଙ୍କ ନବକଳେବର ବିଷୟରେ ଲେଖିଥିବା ଗବେଷଣାତ୍ମକ ପୁସ୍ତକରେ ଅଣସର ଗୁପ୍ତନୀତି ବିଷୟରେ କିଛିଟା ଆଲୋକପାତ କରିଛନ୍ତି। ପ୍ରଫେସର ହାର୍ଡନେବର୍ଗଙ୍କୁ ଅଣସର ନୀତି ବିଷୟରେ ଅନେକ କିଛି ତଥ୍ୟ ଯୋଗାଇଥିଲେ ଶ୍ରୀ ବଳଭଦ୍ରଙ୍କ ବାଡ଼ର ଜଣେ ଦଇତାପତି, ଏହି ଦଇତାପତିଙ୍କ ନାଁକୁ ପ୍ରଫେସର ହାର୍ଡେନ୍‌ବର୍ଗ ଗୁପ୍ତ ରଖିଛନ୍ତି।

ଗବେଷକଙ୍କ ମତରେ ଶ୍ରୀ ମନ୍ଦିରର ମାଦଳା ପାଞ୍ଜିରେ ପ୍ରତିବର୍ଷ ଲିପିବଦ୍ଧ କରାଯାଉଥିବା ଅଣସର ନୀତି ସମ୍ୱନ୍ଧିତ ତଥ୍ୟ ଏହି ଗୁପ୍ତନୀତି ବିଷୟରେ ଅନେକ କିଛି ଜଣାଏ।

ଜଗନ୍ନାଥଙ୍କୁ ଜ୍ୱର ହୁଏ କି ?

ratha yatraସ୍ନାନଯାତ୍ରାରେ ଅଧିକ ଗାଧୋଇବା ଯୋଗୁଁ ଠାକୁର ମାନେ ଜ୍ୱରରେ ପଡନ୍ତି। ଅଣସର ସମୟରେ ସେମାନଙ୍କ ଉପଚାର କରାଯାଏ। ସେମାନେ ସୁସ୍ଥ ହୋଇ ଅମାବାସ୍ୟା ଦିନ ନବଯୌବନ ଦର୍ଶନ ଦିଅନ୍ତି। ଏହା ହେଉଛି ସାଧାରଣ ବିଶ୍ୱାସ। ଆମେମାନେ ଜଗନ୍ନାଥଙ୍କୁ ଅତି ନିଜର ଓ ନିଜଭଳି ଭାବୁ। ତେଣୁ ଏହାକୁ ଗ୍ରହଣ କରିନେଇ ଥାଉ। ଅନ୍ୟପଟେ ଅଣସର ସେବା ଦଇତାପତିଙ୍କର ଏକ ପ୍ରମୁଖ ସେବା। “ପୁରୁଷୋତ୍ତମ ମାହାତ୍ମ୍ୟ” ପୁସ୍ତକରେ ଦଇତାପତିମାନଙ୍କ ମୁଖ୍ୟ କର୍ମ “ଲେପସଂସ୍କାର” ବୋଲି ଲେଖାଯାଇଛି। ପ୍ରଫେସର୍ ହାର୍ଡେନ୍‌ବର୍ଗଙ୍କ ମତରେ “ଲେପସଂସ୍କାର”ର ଅର୍ଥ ଠାକୁରଙ୍କ ଦେହରୁ ପୁରୁଣା ଆସ୍ତରଣ ବା ଲେପ ବାହାର କରି ନୂଆ ଆସ୍ତରଣ ଚଢାଇବା।

ତେଣୁ ଅଣସର ହେଉଛି ଦାରୁବିଗ୍ରହ ମାନଙ୍କର ବାର୍ଷିକ ରକ୍ଷାଣବେକ୍ଷଣ ପ୍ରକିୟା। ପଥର କିମ୍ୱା ଧାତୁ ବିଗ୍ରହ ମାନଙ୍କ ଭଳି ଦୀର୍ଘସ୍ଥାୟୀ ନୁହେଁ ଦାରୁ ବିଗ୍ରହ। ହୁଏତ ସେଥିପାଇଁ ଦାରୁବିଗ୍ରହ ମାନଙ୍କ ଉପରର ଆସ୍ତରଣକୁ ପ୍ରତିବର୍ଷ ବଦଳାଯାଏ ଅଣସର ସମୟରେ।ଏହା ଗୁପ୍ତ ଭାବରେ ସମ୍ପନ୍ନ କରାହୁଏ।

ଅଣସର ବେଳର କିଛି ପ୍ରମୁଖ ନୀତି:

ଅଣସର ଦ୍ୱିତୀୟ ଦିନ ଠାକୁରମାନେ ସ୍ନାନବେଦିରୁ ଫେରିଲା ବେଳେ ପିନ୍ଧିଥିବା ବସ୍ତ୍ରକୁ ବାହାର କରାଯାଏ। ଚତୁର୍ଥୀ ଦିନ ଚାଲେ “ଶ୍ରୀଅଙ୍ଗ ଫିଟା” ନୀତି । ଶ୍ରୀଯୁକ୍ତ ତ୍ରିପାଠୀ ଏହାକୁ ବର୍ଣ୍ଣନା କରି ଲେଖିଛନ୍ତି, ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ। ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ।

ଅଣସର ପଞ୍ଚମୀ ଦିନ “ଫୁଲୁରି” ବା ସୁବାସିତ ତେଲ ଲାଗି ହୁଏ। ଏହି “ଫୁଲୁରି”ରେ ମିଶିଥାଏ ରାଶିତେଲ, ଗୁଆ, କପୂର୍ର ଓ ଅନେକ ସୁବାସିତ ଦ୍ରବ୍ୟ। ଷଷ୍ଠୀ ଠାରୁ ନବମୀ ଯାଏ ବିଗ୍ରହ ମାନଙ୍କୁ “ଓଷୁଅ ଲାଗି” କରାଯାଏ। ଓଷୁଅ, ଝୁଣା, ରାଶିତେଲ ଓ ପାଣିରେ ପ୍ରସ୍ତୁତ ଲେପ ଶ୍ରୀଅଙ୍ଗରେ ଲାଗିଲା ପରେ ଏହା କଠିନ ହୋଇଯାଏ। ଅଣସର ବେଳେ ଶ୍ରୀଅଙ୍ଗରୁ ଛଡ଼ା ଯାଉଥିବା ପୁରାତନ ଓଷୁଅ ଆସ୍ତରଣକୁ କୁହାଯାଏ “କରାଳ”।ଅଣସର ଏକାଦଶୀ ଦିନ ଚନ୍ଦନ ସହ କପୂର୍ର ଓ କେଶର ବଟା ହୋଇ ଦିଅଁ ମାନଙ୍କୁ ଲାଗି କରାହୁଏ।

ତ୍ରୟୋଦଶୀ ଦିନ ପ୍ରଥମେ ଘଣାଲାଗି ହୁଏ। ପ୍ରଫେସର୍ ହାର୍ଡେନ୍‌ବର୍ଗ “ଘଣା”କୁ ତେଲ ଭାବେ ଦର୍ଶାଇଛନ୍ତି। ଏହାପରେ ହୁଏ “ଖଡ଼ିଲାଗି”। ଗହମଚୁନାରୁ ପ୍ରସ୍ତୁତ ହୁଏ ଏହି ଖଡ଼ି। ଏହାକୁ ଲେପାଯାଏ ବିଗ୍ରହଙ୍କ ଉପରେ। ଏହା ପରେ “ଖଡ଼ଲାଗି” ବା ଧଳା ଖଡ଼ିପଥର ଘୋରାର ଲେପ ଦିଆଯାଏ। ଶେଷରେ ହୁଏ “ପାଟଲାଗି” । ପ୍ରାୟ ୨୫ ହାତ ଲମ୍ୱର ପାଟ ବସ୍ତ୍ର ଗୁଡ଼ାଯାଏ ବିଗ୍ରହ ମାନଙ୍କ ଦେହରେ।

ଚତୁର୍ଦ୍ଦଶୀରେ ଦତ୍ତ ମହାପାତ୍ର ସେବକ ମାନେ “ବନକଲାଗି” ବା ବିଗ୍ରହ ମାନଙ୍କ ଶ୍ରୀମୁଖକୁ ରଙ୍ଗ ଦ୍ୱାରା ଚିତ୍ରଣ କରନ୍ତି।ଅମାବାସ୍ୟା ଦିନ ସକାଳ ବେଳକୁ ଦିଅଁମାନେ ପ୍ରସ୍ତୁତ ହୋଇ ଯାଇଥାନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ। ଏହାକୁ “ନବଯୌବନ ଦର୍ଶନ” କୁହାଯାଏ।

ଆଉ କିଛି ଗୁପ୍ତ କଥା:

suna-besa-2014 ବଳଭଦ୍ରଙ୍କ ବାଡ଼ର ଦଇତାପତି ଜଣକ ପ୍ରଫେସର ହାର୍ଡେନ୍‌ବର୍ଗଙ୍କୁ ସହଜରେ ଅଣସର ନୀତି ବୁଝାଇବା ପାଇଁ ଏହି ସମୟର ବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ହେଉଥିବା ରଙ୍ଗର କ୍ରମାତ୍ମକ ପରିବର୍ତ୍ତନକୁ ମାଧ୍ୟମ କରିଥିଲେ।ଏହି ଦଇତାପତିଙ୍କ ମତରେ ସର୍ବପ୍ରଥମେ  ଦାରୁବିଗ୍ରହ ଦେହରେ ତେଲ ଲଗାଯାଏ। ଏହା ବିଗ୍ରହମାନଙ୍କ ରଙ୍ଗକୁ କଳା କରିଦିଏ।

ଏହା ପରେ ଦାରୁବିଗ୍ରହ ମାନଙ୍କ ଚାରିପଟେ କିଛି ବସ୍ତ୍ର ଗୁଡାଯାଏ। ଯାହା ସେମାନଙ୍କୁ ଲାଲ ରଙ୍ଗରେ ପରିବର୍ତ୍ତିତ କରେ। ଏକାଦଶୀ ଦିନ ହେଉଥିବା ଚନ୍ଦନଲାଗି ଦିଅଁ ମାନଙ୍କୁ ହଳଦୀ ରଙ୍ଗ ପ୍ରଦାନ କରେ।

ତ୍ରୟୋଦଶୀରେ ଖଡ଼ିଲାଗି ବିଗ୍ରହ ମାନଙ୍କୁ ପ୍ରଦାନ କରେ ଶୁଭ୍ରତା। ଏହା ଉପରେ ରଙ୍ଗରେ ଅଙ୍କା ହୁଏ ଦିଅଁମାନଙ୍କର ଆମେ ଦର୍ଶନ କରୁଥିବା ମୁଖମଣ୍ଡଳ।

(ଲେଖକ: ଶିବ କୁମାର ଦାସ)

(ପ୍ରବନ୍ଧରେ ଦିଆ ଯାଇଥିବା ସମସ୍ତ ତଥ୍ୟ ଲେଖକଙ୍କ ଗବେଷଣା ଲବ୍ଧ)

 

 

Previous ArticleNext Article