କାଳିଆର ସେବା କରୁଥିବା ୯୫ ପ୍ରତିଶତ ସେବାୟତ ଗରିବ !

ପୁରୀ(ଓଡିଶା ରିପୋର୍ଟର):  ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଓ ଭକ୍ତଙ୍କ ସୁରକ୍ଷା ଏବଂ ଦାନ ଅର୍ଥର ସଠିକ୍ ବିନିଯୋଗ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ତର୍ଜମା ପାଇଁ ଆଜି ଛତିଶା ନିଯୋଗ ବୈଠକ ବସିଥିଲା। ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତିକୁ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର ସ୍ୱାଗତ କରିଥିଲେ ବି ଶ୍ରୀମନ୍ଦିର ସତ୍ତ୍ୱଲିପିକୁ କୋର୍ଟରେ ଠିକ୍ ଭାବେ ଉପସ୍ଥାପନ କରାଯାଇ ନ ଥିବା ସେ କହିଛନ୍ତି। ଶ୍ରୀମନ୍ଦିରର ମାତ୍ର ୫ପ୍ରତିଶତ ସେବାୟତ ଧନୀ ହୋଇଥିବା ବେଳେ ୯୫ ପ୍ରତିଶତ ସେବାୟତ ପରିବାର ମନ୍ଦିର ଦାନ ଦକ୍ଷିଣାରୁ ଚଳିଥାଏ ବୋଲି ସେ କହିଛନ୍ତି । ତେଣୁ ଏଭଳି ନିର୍ଦ୍ଦେଶର ପୁର୍ନବିଚାର ସମ୍ପର୍କରେ ସେବାୟତମାନେ ଆଲୋଚନା କରି ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ରାମକୃଷ୍ଣ। ତାସହ ଆଗକୁ ରଥଯାତ୍ରା ଥିବାରୁ ବିବାଦ ନ ଥମିଲେ ଏହା ପ୍ରଭାବ ପକାଇବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ସେହିପରି ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସେ ଦାବି କରିଛନ୍ତି।

ସେପଟେ ଛତିଶା ନିଯୋଗ ବୈଠକ ପୂର୍ବରୁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା  ଯେଉଁଥିରେ ଜିଲ୍ଲା ଦୌରା ଜଜ୍, ଜିଲ୍ଲାପାଳ, ଏସ୍ପି, ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଓ ଅନ୍ୟ ଅଧିକାରୀ ସମିଲ ହୋଇଥିଲେ। ଜୁନ୍ ୩୦ ସୁଦ୍ଧା ସୁପ୍ରିମ୍‌ କୋର୍ଟଙ୍କୁ ରିପୋର୍ଟ ଦେବା ନେଇ ଏଥିରେ ଆଲୋଚନା ହୋଇଥିଲା ।

Previous ArticleNext Article

Send this to a friend