ଘରେ ଖାଇବାକୁ ନ ଥିଲା, କିନ୍ତୁ ଏ ୩ ଝିଅ ଏବେ ଜାତୀୟ ଖେଳାଳି

ପଙ୍କରେ ପଦ୍ମ ଫୁଟେ। ଏମିତି କଥାଟିଏ ଓଡିଆରେ ଅଛି, ଯାହାର ମାନେ ହେଲା ପ୍ରତିକୂଳ ପରିସ୍ଥିତି ସତ୍ୱେ ପ୍ରତିଭାର ବିକାଶ ହୋଇପାରେ। ଯଦି ଆପଣ ଏହି କଥାଟିର ପ୍ରମାଣ ଖୋଜୁଛନ୍ତି ତା ହେଲେ ଆମର ଖୁବ୍‌ ନିକଟରୁ ଏହାର ପ୍ରମାଣ ପାଇପାରିବେ। ଏଠି ଆମେ ସୁନ୍ଦରଗଡ ଜିଲ୍ଲାର ଏମିତି ୩ ଜଣ ସୁନା ଝିଅଙ୍କ କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି ଏମାନଙ୍କୁ ପଦ୍ମ ସହ ତୁଳନା କରିବେ। କାରଣ କ’ଣ ଜାଣନ୍ତି? ଏହି ୩ ଝିଅ ଆଜି ଉପ କନିଷ୍ଠ ଜାତୀୟ ହକି ଟିମ୍‌ରେ ସାମିଲ ହେବାକୁ ଯାଉଛନ୍ତି। ହେଲେ ଏଥିପାଇଁ ସେମାନଙ୍କୁ କମ୍‌ କଷ୍ଟ କରିବାକୁ ପଡିନାହିଁ। ଯାହାଙ୍କ ଅତୀତ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଓଡିଶାର ଏହି ୩ ପଦ୍ମ ପଖୁଡା ହେଉଛନ୍ତି  ସୁସ୍ମିତା ପନ୍ନା, ସୁଜାତା କୁଜୁର ଓ ନେଲିସମିତା ଟପୋ। ଯୁବ ଦିବସରେ ଆସନ୍ତୁ ଜାଣିବା ଏହି ଉଦୀୟମାନ୍‌ ଯୁବ ତାରକା କେମିତି ଚଢିଛନ୍ତି ସଫଳତାର ପାହାଚ ।

ସୁସ୍ମିତା ପନ୍ନା ସୁସ୍ମିତାଙ୍କ ରହିଛି ଏକ ଦୁଃଖ ଭରା କାହାଣୀ । ପିଲାଟିବେଳୁ ସୁସ୍ମିତାଙ୍କ ବାପା ନାହାନ୍ତି। ଅନ୍ୟ ଘରେ ଝାଡ଼ୁ ପୋଛା କରି ତାଙ୍କ ମାଆ ପରିବାର ଭରଣପୋଷଣ କରନ୍ତି। ପରିବାରର ଏପରି ପରିସ୍ଥିତିରେ ସୁସ୍ମିତା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଗାଁରେ ଖେଳପଡ଼ିଆ ନ ଥିବାରୁ ଖେଳିବାକୁ ତାଙ୍କୁ ଅନ୍ୟ ଗାଁକୁ ଯିବାକୁ ପଡୁଥିଲା। ସୁସ୍ମିତା ଭୋର ଚାରିଟାରେ ଅଭ୍ୟାସ୍‌ କରିବାକୁ ଯାଆନ୍ତି। ତିନି ଭଉଣୀଙ୍କ ଭିତରେ ସୁସ୍ମିତା ସବୁଠାରୁ ବଡ଼। ଏବେ ସେ ନବମ ଶ୍ରେଣୀରେ ପଢୁଛନ୍ତି।

କୁକୁଡା ଗାଁରେ ରୁହନ୍ତି ନେଲିସମିତା ଟପୋ। ବାପା ତାଙ୍କର ଚାଷକାମ କରି ପରିବାର ଚଳାନ୍ତି। କିନ୍ତୁ ଝିଅ ତାଙ୍କର ଉପକିନଷ୍ଠ ହକିରେ ଭାଗ ନେବାକୁ ଯାଉଛନ୍ତି। ୪ ବର୍ଷ ପୂର୍ବରୁ ନେଲିସମିତା ହକି ଖେଳ ଆରମ୍ଭ  କରିଥିଲେ। ଗାଁରେ ପଡ଼ିଆ ନ ଥିବାରୁ ସେ ନିଜ ଗାଁଠାରୁ ୧ କିଲୋମିଟର ଦୂରରେ ଥିବା ପଡ଼ିଆକୁ ସାଇକେଲରେ ଅଭ୍ୟାସ୍‌ କରିବାକୁ ଯାଉଥିଲେ। କିଛିଦିନ ପୂର୍ବରୁ ନେଲିସମିତାଙ୍କ ଘରକୁ ବିଜୁଳି ସଂଯୋଗ ହୋଇଥିଲା। ଆଉ ଆଜି ତାଙ୍କ ସ୍ୱର୍ଣ୍ଣିମ ଭବିଷ୍ୟ ପାଇଁ ଆଲୋକ ବତୀଟିଏ ଜଳିଛି କହିଲେ ଅତ୍ୟୁକ୍ତି ହେବନି।

ଜୋଲିଡିହି ଗାଁରେ ରହୁଥିବା ସୁଜାତା କୁଜୁରଙ୍କ କାହାଣୀ ସୁସ୍ମିତାଙ୍କ କାହାଣୀ ସହ ପ୍ରାୟ ସମାନ। ସେ ନବମ ଶ୍ରେଣୀର ପଢ଼ନ୍ତି। ସୁଜାତାଙ୍କ ବାପା ମାଆ ଗାଁରେ ଚାଷବାସ  କରି ପରିବାର ଚଳାନ୍ତି। ଗାଁରେ ପଡ଼ିଆ ନ ଥିବାରୁ ସୁଜାତାଙ୍କୁ ମଧ୍ୟ ଅନ୍ୟ ଗାଁକୁ ଅଭ୍ୟାସ୍‌ କରି ଯିବାକୁ ପଡେ। ଖେଳ ପଡ଼ିଆ ଗାଁଠାରୁ ବହୁ ଦୂରରେ ଥିବାରୁ ବେଳେ ବେଳେ ଭୋକ ଉପାସରେ ଅଭ୍ୟାସ୍‌ କରିବାକୁ ପଡୁଥିଲା। ଏବେ ତାର ଫଳ ମିଳିଛି।  ସଫଳତା ପରେ ସେ ସିନିୟର ଟିମ୍‌ରେ ଖେଳିବାର ସ୍ୱପ୍ନ ରଖିଛନ୍ତି ବୋଲି କୁହନ୍ତି।

Previous ArticleNext Article

Send this to a friend