ଭୁବନେଶ୍ୱର: ଏଣିକି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ବେଳେ ରହିବ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା। କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ସମ୍ପୂର୍ଣ୍ଣ ସ୍ଥାନର ଅକ୍ଷାଂଶ ଓ ଦ୍ରାଘିମାକୁ ଭଲ ଭାବେ ଯାଞ୍ଚ କରି ସାର୍ଟିଫିକେଟ୍ ଦେବେ। ଗତକାଲି କୋରାପୁଟ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ୪୫ ମିନିଟ୍ ଧରି ଅନ୍ତର୍ଦ୍ଧାନ ହୋଇଯିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏସବୁ ପଦକ୍ଷେପ ନେଇଛି।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ। ଜୟପୁରରେ କାର୍ଯ୍ୟକ୍ରମ ସାରି ସେ କୋଟପାଡ଼ ଅଭିମୁଖେ ଯାଇଥିଲେ। ତେବେ ନିର୍ଦ୍ଧାରିତ ସମୟର ୪୫ ମିନିଟ୍ ପରେ ସେ କୋଟପାଡ଼ରେ ପହଞ୍ଚିଥିଲେ। ଅକ୍ଷାଂଶରେ ୧ ଡିଗ୍ରୀର ଭୁଲ୍ ରିପୋର୍ଟ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବାଟବଣା ହୋଇ ଛତିଶଗଡ଼ର ମାଓପ୍ରବଣ ଜଗଦଲପୁର ଅଞ୍ଚଳକୁ ଚାଲି ଯାଇଥିଲା।
ଦକ୍ଷିଣାଞ୍ଚଳ ଆର୍ଡିସିଙ୍କୁ ଜୟପୁରର ନିଲମ୍ବିତ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ମହାନ୍ତି ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଜୟପୁର ଓ କୋଟପାଡ଼ ଗସ୍ତ କାର୍ଯ୍ୟକ୍ରମ ଥିଲା। ସେତେବେଳେ ଅକ୍ଷାଂଶ ୧୯ ଡିଗ୍ରୀ ୮ ମିନିଟ୍ ୧୫ ସେକେଣ୍ଡ୍ ନେଇ ଅବଗତ କରାଯାଇଥିଲା। କିନ୍ତୁ ଏହା ବାତିଲ ହୋଇଯାଇଥିଲା ଓ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତ ସ୍ଥିର ହୋଇଥିଲା। ସେତେବେଳେ କୋଟପାଡ଼ ଅସ୍ଥାୟୀ ହେଲିପ୍ୟାଡ୍ର ଅକ୍ଷାଂଶ ୧୮ ଡିଗ୍ରୀ ୮ ମିନିଟ୍ ୧୫ ସେକେଣ୍ଡ୍ ବୋଲି ଅବଗତ କରାଯାଇଥିଲା। ଟାଇପ୍ରେ ଭୁଲ୍ ଯୋଗୁଁ ଏଭଳି ହୋଇଥିବା ସେ ଚିଠିରେ ଲେଖିଛନ୍ତି।
ବିଶେଷଜ୍ଞଙ୍କ ମତରେ ରିପୋର୍ଟରେ ୧ ଡିଗ୍ରୀ ଭୁଲ୍ ରହିଲେ ବିମାନ ଲକ୍ଷ୍ୟ ସ୍ଥଳରୁ ୨୩ରୁ ୨୪ କିଲୋମିଟର ଦୂରକୁ ଚାଲିଯିବାର ସମ୍ଭାବନା ଥାଏ।
ଗତକାଲିର ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଭିଆଇପିଙ୍କ ହେଲିକପ୍ଟରର ସଠିକ୍ ଅବତରଣ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।