ଟଙ୍କିକିଆ ଚାଉଳ ପାଇଁ ଚାଲିବାକୁ ପଡୁଛି ଦୁଇଦିନ, ବାଟଖର୍ଚ୍ଚ ୧୫ ଟଙ୍କା

ଗରିବ ଲୋକଙ୍କ ପାଇଁ ସରକାର କରିଛି ଟଙ୍କିକିଆ ଚାଉଳ ଯୋଜନା। ଘର ପାଖରୁ ସେମାନେ ପାଇ ପାରୁଛନ୍ତି ଏହି ଚାଉଳ। କିନ୍ତୁ ଏମିତି କିଛି କିଛି ଜାଗା ଅଛି, ଯେଉଁଠି ଲୋକେ ଚାଉଳ କେଇକିଲୋ ପାଇବାକୁ ଦୁଇଦିନ ଧରି ଚାଲନ୍ତି। ଆଉ ଏଥିପାଇଁ ସେମାନଙ୍କର ବାଟଖର୍ଚ୍ଚ ପଡୁଛି ୧୫ ଟଙ୍କା। କଥାଟି ବିଶ୍ୱାସ ହେଉନଥିଲେ ବି ସତ। ପଢ଼ନ୍ତୁ ଏହି ଖବର।

ବ୍ରହ୍ମପୁର (ଯଶୋବନ୍ତ ନାରାୟଣ ପାଢ଼ୀ) ସରକାରଙ୍କ ଟଙ୍କିକିଆ ଚାଉଳ ପାଇବାକୁ ଲୋକଙ୍କୁ ଯେ ଏତେ କଷ୍ଟ କରିବାକୁ ପଡୁଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚାଉ ଦିଆଯାଉଥିବା ଜାଗାରେ ପହଂଚିବା ପାଇଁ ଲାଗିଯାଏ ଗୋଟିଏ ଦିନ। ଆଉ ଚାଉଳ ସଂଗ୍ରହ କରି ଘରେ ପହଞ୍ଚିବା ପାଇଁ ଲାଗିଯାଏ ଆଉ ଗୋଟିଏ ଦିନ। ସବୁଠାରୁ ଗୁରୁତ୍ୱପୂର୍ଣ କଥାହେଲା, ଟଙ୍କିକିଆ ଚାଉଳ ପାଇବାକୁ ଲୋକଙ୍କୁ ଖର୍ଚ୍ଚ କରିବାକୁ ୧୫ ଟଙ୍କା। ଏମିତି ଅବସ୍ଥା ସୃଷ୍ଟି ହୋଇଛି ଗଂଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଂଚାୟତ ଅନ୍ତର୍ଗତ ଗଡ଼ଙ୍ଗ ଓ ଗାଈଡ଼ା ଗାଁରେ।

ସ୍ୱାଧୀନତାର ୭୦ ବର୍ଷ ପୁରି ସାରିଥିଲେ ସୁଦ୍ଧା ଗଂଜାମ ଜିଲା ପାତ୍ରପୁର ବ୍ଲକ ଆଙ୍କୁଲି ପଂଚାୟତ ଅନ୍ତର୍ଗତ ଗଡଙ୍ଗ ଓ ଗାଈଡା ଗାଁକୁ ଭଲ ରାସ୍ତା ନାହିଁ। ଯାହା ଅଛି ତାହା କେବଳ ପାଦଚଲା ରାସ୍ତା। ଆଙ୍କୁଲି ପଂଚାୟତରେ ରହିଛି ଗଡଙ୍ଗ, ଗାଈଡା, ବେହେରାପୁଟୁ, ବଣିଆବସା, ରାଇଖାଲ, ତସାରଙ୍ଗ, ଶୀରିଷୀଗଣ୍ଡ, ତରମୁଣ୍ଡା, ଟୁଁବୁରୁସିଙ୍ଗି, ମାଡୁଆ, ଲୁକେଇସୁଣୀ, ଜଳିଅର, ହଳଦିଆବାଡ଼ ପ୍ରମୁଖ ୫୪ଟି ଆଦିବାସୀ ଗ୍ରାମ। ୨୦୧୧ ମସିହା ଜନଗଣନା ଅନୁଯାୟୀ ଏ ସବୁ ଗାଁ ଗୁଡିକର ଜନସଂଖ୍ୟା ୩୭୯୨। ଚଳିତ ବର୍ଷ ଏଠାକାର ଜନସଂଖ୍ୟା ପାଖାପାଖି ୫ ହଜାର ଛୁଇଁଥିବା ଅନୁମାନ କରାଯାଉଛି।

ଶିକ୍ଷା, ସ୍ୱାସ୍ଥ୍ୟ, ଖାଉଟି ସାମଗ୍ରୀ, ଭତ୍ତା ଇତ୍ୟାଦି ପାଇଁ ଏଠାକାର ଆଦିବାସୀ ମାନେ ତାଡକାସାହି ଉପରେ ନିର୍ଭର କରନ୍ତି। ତାଡକାସାହି ଠାରୁ ଆଙ୍କୁଲି ଗ୍ରାମର ଦୂରତା ୨୨ କିଲୋମିଟର। ରାସ୍ତା ଅଭାବରୁ ତାଡକାସାହି ଠାରୁ ଆଙ୍କୁଲିରେ ପହଂଚିବା ବହୁତ କଷ୍ଟକର। ଗଡଙ୍ଗ ଓ ଗାଈଡା ଗ୍ରାମର ଆଦିବାସୀମାନେ ଏଠାକୁ ପହଂଚିବାକୁ ହେଲେ ଗୋଟିଏ ଦିନ ସମୟ ଲାଗିଯାଏ। ଉଭୟ ଗ୍ରାମରେ ୧୮ଟି ପରିବାର ବାସ କରନ୍ତି। ଏମାନେ ସମସ୍ତେ ମିଳିତ ହୋଇ ପ୍ରାୟ ୪ ହଜାର ଟଙ୍କା ଖର୍ଚ୍ଚ କରି ଗଜପତି ଜିଲାର ଜେ.ବଡ଼ଗାଁ, ରାମଗିରି ଓ ସିଆଳିଲଟି ଦେଇ ତାଡକାସାହି ସେଣ୍ଟରରୁ ଚାଉଳ ଦେଇ ବାଦୁଆବାଡ଼ି ଗ୍ରାମରେ ପହଂଚିଥିଲେ ଏବଂ ଏଠାରେ ରାତ୍ରିଯାପନ ପରେ ସକାଳେ ଚାଉଳ ବୋହି ପାଦରେ ଚାଲି ଚାଲି ପାହାଡ଼ ପାରି ହୋଇ ନିଜ ଗାଁରେ ପହଂଚିଥିଲେ।

ଗ୍ରାମବାସୀଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ରାଜ୍ୟ ସରକାର ରାସ୍ତା ନିର୍ମାଣ କରୁନଥିବାରୁ ନିରୀହ ଆଦିବାସୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯିଏ ଆର୍ଥିକ ଭାବରେ ଟିକିଏ ସକ୍ଷମ, ସେ ଗାଡ଼ିରେ ଚାଉଳ ବସ୍ତା ବୋଝେଇ କରି ଆଣୁଥିବା ବେଳେ ଗରିବ ଆଦିବାସୀମାନେ ଦୁଇଦିନ ଧରି ମୁଣ୍ଡରେ ଚାଉଳ ବସ୍ତା ଧରି ଓ ପାଦରେ ଚାଲି ଚାଲି ୩୦ କିଲୋମିଟର ରାସ୍ତା ଅତିକ୍ରମ କରି ନିଜ ଗାଁରେ ପହଂଚିଛନ୍ତି। ରାସ୍ତାଟିଏ ଥିଲେ ଏହି ସମସ୍ୟା ସୃଷ୍ଟି ହୋଇନଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।

ସେମାନଙ୍କ କହିବା ଅନୁଯାୟୀ, ଆଙ୍କୁଲିରୁ ତାଡକାସାହିକୁ ରାସ୍ତା ନିର୍ମାଣ ପାଇଁ ୨୧ କୋଟି ଟଙ୍କା ବ୍ୟୟବରାଦ ହେବା ସହ ୨୦୧୩ ମସିହାରେ ମନ୍ତ୍ରୀ ଉଷାଦେବୀ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। କିନ୍ତୁ ତାହା ବର୍ତମାନ ସୁଦ୍ଧା ଯୋଜନା ଭିତରେ ହିଁ ସୀମିତ ହୋଇ ରହିଛି। ଯାହା ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଆଙ୍କୁଲିରୁ ତାଡକାସାହିକୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପରେ ତିନିବର୍ଷ ପୂର୍ବେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଅର୍ଥାତ କାମ ତଳ ଭାଗରେ ହିଁ ଅଟକି ରହିଛି। ଜଙ୍ଗଲ ବିଭାଗର ସ୍ୱିକୃତି ମିଳି ନଥବାରୁ କାମ ଆଗକୁ ବଢ଼ିପାରୁ ନଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Previous ArticleNext Article

Leave a Reply

Send this to a friend