କଟକ: କଟକ ଇନ୍ଡୋର ଷ୍ଟାଡିୟମରେ ସହରାଞ୍ଚଳର ୧୮୨ଟି ପାଇପ୍ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଟି ମହାନଗର ନିଗମର ୬ ଲକ୍ଷ ଲୋକଙ୍କ ପାଇଁ ଏହି ପ୍ରକଳ୍ପରେ ପାନୀୟ ଜଳ ଯୋଗାଣ ପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହାସହ ୫୫୫ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଖର୍ଚ୍ଚ ହେବ ୭୮୩ କୋଟି ୪୮ ଲକ୍ଷ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ସମସ୍ତ ୧୧୩ଟି ପୌରଞ୍ଚଳରେ ସବୁ ଘର ଓ ସବୁ ଗଳିକୁ ଶତ ପ୍ରତିଶତ ପାଇପ୍ ଯୋଗେ ପାନୀୟ ଜଳ ମିଳିବ ବୋଲି ସରକାର ଦାବି କରିଛନ୍ତି।
ଏବେ ରାଜ୍ୟର ସହରାଞ୍ଚଳରେ ରହୁଥିବା ୬୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୧ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆହୁରି ୬ ଲକ୍ଷ ଲୋକ ପାଇପ୍ ଯୋଗେ ପାନୀୟ ଜଳ ପାଇପାରିବେ। ଏଥିପାଇଁ ପ୍ରାୟ ୨୫୨.୨ କିଲୋମିଟରର ପାଇପ ବିଛାଯିବ।
ସେହିପରି ମୁଖ୍ୟମନ୍ତ୍ରୀ ୮ଟି ପାନୀୟ ଜଳ ପରୀକ୍ଷାଗାରାର ମଧ୍ୟ ଉଦ୍ଘାଟନ କରିଥିଲେ। ଏହାଦ୍ୱାରା ଜଣ୍ଡିସ୍ ଓ ହଇଜା ବ୍ୟାପିବା ବେଳେ ଜଳ ପରୀକ୍ଷା ପାଇଁ ଲାଗୁଥିବା ୧୦ ଦିନ ସମୟ କମି ୩ ଘଣ୍ଟା ହୋଇଯିବ ବୋଲି କୁହାଯାଉଛି। କଟକ ଇନ୍ଡୋର ଷ୍ଟାଡିୟମ୍ରେ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।