ଖାଲି ଅତନୁ-ପ୍ରତାପ କଳି ନୁହେଁ, ଏହା ବି ହୋଇପାରେ କାରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସ ୩୦ ତାରିଖରେ କେନ୍ଦ୍ରାପଡ଼ାର ଜଣାଶୁଣା ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର୍‌ କରିଥିଲା ପୋଲିସ୍। ଗୁଳିଟି ତା ଦେହରେ ସାମାନ୍ୟ ଘଷି ହୋଇ ଚାଲି ଯାଇଥିଲା। ସେ ଆହତ ହୋଇଥିଲା। ଏବେ ସେ ଜେଲ୍‌ରେ ଅଛି। ତେବେ ଏ ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚା ଚାଲିଛି, ବାସ୍ତବରେ ଏ ଗୁଳିଟି କାହାର, ପୋଲିସ୍‌ର ନା ରାଜନୀତିର?  ଜିଲ୍ଲାରେ ଅପରାଧ ଦମନ ପାଇଁ ନା ରାଜନୈତିକ କାରଣ ପାଇଁ ଟିଟୋକୁ ଏନ୍‌କାଉଣ୍ଟର୍‌ କରାଗଲା? ଗତକାଲି (ଶନିବାର) […]

titoencounter

titoencounter

Rakesh Mallick
  • Published: Sunday, 08 July 2018
  • Updated: 11 July 2018, 08:25 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତମାସ ୩୦ ତାରିଖରେ କେନ୍ଦ୍ରାପଡ଼ାର ଜଣାଶୁଣା ଗ୍ୟାଙ୍ଗଷ୍ଟର ଟିଟୋକୁ ଏନ୍‌କାଉଣ୍ଟର୍‌ କରିଥିଲା ପୋଲିସ୍। ଗୁଳିଟି ତା ଦେହରେ ସାମାନ୍ୟ ଘଷି ହୋଇ ଚାଲି ଯାଇଥିଲା। ସେ ଆହତ ହୋଇଥିଲା। ଏବେ ସେ ଜେଲ୍‌ରେ ଅଛି। ତେବେ ଏ ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚା ଚାଲିଛି, ବାସ୍ତବରେ ଏ ଗୁଳିଟି କାହାର, ପୋଲିସ୍‌ର ନା ରାଜନୀତିର?  ଜିଲ୍ଲାରେ ଅପରାଧ ଦମନ ପାଇଁ ନା ରାଜନୈତିକ କାରଣ ପାଇଁ ଟିଟୋକୁ ଏନ୍‌କାଉଣ୍ଟର୍‌ କରାଗଲା? ଗତକାଲି (ଶନିବାର) ଆମେ ‘ଓଡ଼ିଶା ରିପୋର୍ଟର’ରେ ଏନେଇ ଏକ କାରଣ ଦର୍ଶାଇଥିଲୁ। ଆମେ ଲେଖିଥିଲୁ ଯେ କେନ୍ଦ୍ରାପଡ଼ା ରାଜନୀତିରେ ବିଜେଡି ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱରେ ଟିଟୋକୁ ବଳି ପକାଯାଇଛି। ତେବେ ଆଜି ଆମ ପାଖରେ ଆଉ ଏକ ଚର୍ଚ୍ଚାର ଖବର ଆସି ପହଞ୍ଚିଛି। ସେଥିରୁ ଜଣାପଡ଼ୁଛି ଯେ ଟିଟୋକୁ ଏନ୍‌କାଉଣ୍ଟର କରିବା ପଛରେ ଆଉ ଏକ କାରଣ ରହିଛି। ଟିଟୋ କୁଆଡ଼େ ନିକଟରେ ଦିଲ୍ଲୀ ଯାଇଥିଲା। ସେଠାରେ ସେ ବିଜେପି ନେତାଙ୍କୁ ଭେଟିଥିଲା। କୁହାଯାଉଛି ଏହା ପଛରେ ରହିଥିଲା ରାଜନୀତିରେ ପାଦ ଥାପିବାର ଅଭିସନ୍ଧି। ବାସ୍‌, ଏହି ଖବର ପାଇବା ପରେ ରକ୍ତମୁଖା ହୋଇଯାଇଥିଲା ବିଜେଡି ସରକାର। ତେଣୁ ତାକୁ ସାବାଡ଼୍ କରିବାକୁ ପୋଲିସ୍‌କୁ ଲଗାଇ ଟିଟୋକୁ ଏନ୍‌କାଉଣ୍ଟର କରିଛି।

ଏହି ଖବରଟି ଶୁଣିଲା ପରେ ଆମର ଆଉ ଗୋଟିଏ କଥା ମନେ ପଡ଼ିଗଲା। ଟିଟୋକୁ ଯେଉଁ ଦିନ ଏନ୍‌କାଉଣ୍ଟର କରାଯାଇଥିଲା ସେହି ଦିନ ତାଙ୍କ ସ୍ତ୍ରୀ କହିଥିଲେ ଯେ ଯେତେବେଳେ ଖରାପ କାମ କରୁଥିଲେ, ସେତେବେଳେ ପୋଲିସ୍ କିଛି କଲାନି। ଆଉ ଏବେ ଯେତେବେଳେ ସେ ଭଲ ହେବାକୁ ଚାହୁଁଛନ୍ତି ପୋଲିସ୍ ଏମିତି କାମ କରୁଛି। ୫ ବର୍ଷ ହେଲାଣି ଟିଟୋ ଅପରାଧିକ କାମ ଛାଡ଼ି ଦେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ଦାବି କରିଥିଲେ। ତେଣୁ ଟିଟୋକୁ ଏମିତି ହଠାତ୍ ଏନ୍‌କାଉଣ୍ଟର୍‌ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି, ତାହା ଅତନୁ-ପ୍ରତାପ କଳିରୁ ହେଉ ଅବା ଟିଟୋର ରାଜନୀତିରେ ପାଦ ଥାପିବାର ଇଚ୍ଛାରୁ ହେଉ।

ତେବେ ଆମେ ଗତକାଲି ଯେଉଁ କାରଣଟି ଲେଖିଥିଲୁ ତାହାକୁ ମଧ୍ୟ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ। ଆମେ କ’ଣ ଲେଖିଥିଲୁ ପଢ଼ନ୍ତୁ-

tito

କେନ୍ଦ୍ରାପଡ଼ାରେ ଦୁଇ ପ୍ରମୁଖ ଖେଳାଳି ହେଲେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଆଳିରୁ ବିଜେଡିର ପରାଜିତ କିନ୍ତୁ ପ୍ରଭାବଶାଳୀ ନେତା ତଥା ରାଜ୍ୟସଭା ସାଂସଦ ରାଜା ପ୍ରତାପ ଦେବ। କେନ୍ଦ୍ରପଡ଼ିଆଙ୍କ ଭିତରେ ଚର୍ଚ୍ଚା ହେଉଛି ଯେ,  ପ୍ରତାପଙ୍କ ପତିଆରା କାଳେ ସହି ପାରନ୍ତିନି ଅତନୁ। ତେଣୁ ସେ କଳେବଳେ କୌଶଳେ ପ୍ରତାପଙ୍କ ରାଜନୈତିକ ପ୍ରଭାବ କ୍ଷୁଣ୍ଣ କରିବାକୁ ଚେଷ୍ଟା କରିଆସିଛନ୍ତି।

୨୦୧୪ ନିର୍ବାଚନରେ ବିଜେଡିର ମୁଖ୍ୟ ମୁଖପାତ୍ର ତଥା ଏବକାର ରାଜ୍ୟସଭା ସାଂସଦ ପ୍ରତାପ ଦେବ, ଆଳି ବିଧାନସଭା ଆସନରେ ଖୁବ୍ କମ୍ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। କିନ୍ତୁ ଲୋକେ ଏ ପରାଜୟକୁ ସହଜରେ ଗ୍ରହଣ କଲେ ନାହିଁ। ଚର୍ଚ୍ଚା ଚାଲିଲା ଯେ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କାଳେ ଏଥିପାଇଁ କୂଟନୀତି ଖେଳିଥିଲେ। ସେ ସମୟରେ ଜିଲ୍ଲା ପ୍ରଶାସନର ଜଣେ ଉପର ଅଫିସରଙ୍କୁ ଧରି, ତାଙ୍କ ମାଧ୍ୟମରେ ଆଳିର କଂଗ୍ରେସ ପ୍ରାର୍ଥୀଙ୍କୁ ଭିତରେ ଭିତରେ ସାହାଯ୍ୟ କଲେ। ତାଙ୍କ ଫନ୍ଦିଫିକର କାମ କଲା, ଆଳିରୁ ପ୍ରତାପ ଜିତୁ ଜିତୁ ହାରିଗଲେ।

ଅତନୁ ଭାବିଥିଲେ, ପ୍ରତାପ ହାରିଗଲେ ମନ୍ତ୍ରୀ ପଦ ପାଇବାକୁ ପଥ ପରିଷ୍କାର ହୋଇଯିବ। ଏପଟେ ପ୍ରତାପ ଦେବଙ୍କ ମନରେ ଅତନୁଙ୍କ ଏ ଫନ୍ଦି ଏକ ଦାଗ ହୋଇ ରହିଯାଇଥିଲା। ସେ ପରାଜିତ ହେଲେ ସିନା, ବିଜେଡି ରାଜନୀତି ଓ ତୃତୀୟ ମହଲାରେ ସେ ନିଜର ପ୍ରଭାବ ଅକ୍ଷୁଣ୍ଣ ରଖିବାରେ ସଫଳ ହେଲେ। ସେ ମଧ୍ୟ ସୁଯୋଗ ଉଣ୍ଡୁଥିଲେ କେମିତି ଅତନୁଙ୍କୁ ପାନେ ଦେବେ। ଶେଷରେ ସେ ସୁଯୋଗ ଆସିଲା। କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ମାଧ୍ୟମରେ କିଛିଦିନ ତଳେ ନବୀନ ନିବାସ ଆସି କିଛି ଲୋକ ବିଜେଡିରେ ମିଶିଲେ। ଏହାର ପ୍ରଚ୍ଛଦରେ ରହିଥିଲେ ଅତନୁ। ବିଜେଡିରେ ମିଶିବାକୁ ଥିବା ଲୋକମାନେ କିପରି ଭୁବନେଶ୍ୱର ଆସିବେ, ନବୀନ ନିବାସରେ ପହଞ୍ଚିବେ, ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେବେ, ଏ ସବୁର ବ୍ୟବସ୍ଥା ଅତନୁ କରିଥିଲେ ବୋଲି ସେଇ ଲୋକମାନେ କହୁଥିଲେ। ଏପରିକି ନବୀନ ନିବାସରେ ନବୀନ ବାବୁଙ୍କ ପାଖରେ ଠିଆ ହୋଇ ଫୁଲତୋଡ଼ା ଦେବାକୁ ଅତନୁବାବୁ ଜଣ ଜଣ କରି ନାଁ ଧରି ଡାକିଥିଲେ।

ତେବେ ନବୀନ ନିବାସରେ ବିଜେଡିରେ ମିଶିଥିବା ଏହି ଲୋକମାନଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ତା’ର କିଛି ବନ୍ଧୁ ମଧ୍ୟ ଥିଲେ। ଧୀରେ ଧୀରେ ଏହି ଖବର ଗଣମାଧ୍ୟମରେ ବ୍ୟାପିଲା। ଫଟୋ ଓ ଭିଡିଓ, ସୋସିଆଲ୍ ମିଡିଆରେ ବୁଲିଲା। ବିଜେଡିରେ ମିଶିଲେ ଅପରାଧୀ- ଏମିତି କଥା ଚର୍ଚ୍ଚା ହେଲା। ହରଡ଼ଘଣାରେ ପଡ଼ିଗଲା ନବୀନ ନିବାସ ଓ ତୃତୀୟ ମହଲା। କଥାଟା କେମିତି ଜଣାପଡ଼ିଲା, ତାହା ତ ପଛକଥା, ଆଗ କାଠଗଡ଼ାକୁ ଆସିଗଲେ ଅତନୁ। କିନ୍ତୁ ଚତୁର ଅତନୁ ସବୁ ଦୋଷ ଠେଲିଦେଲେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ଉପରକୁ। ବିଚରା ତରାଇ ବାବୁଙ୍କ ଉପରେ ଗାଳି ବର୍ଷଣ ହେଲା। ଏହା ପରଠୁ ଅତନୁଙ୍କ ସହ କିଶୋର ତରାଇଙ୍କର ସଂପର୍କ ଛିନ୍ନ। କିଶୋରବାବୁ ଅତନୁଙ୍କ କୂଟବୁଦ୍ଧିର ଶିକାର ହୋଇଗଲେ।

ଚର୍ଚ୍ଚା ହେଲା ଯେ, ଏହି ଫଟୋ ଓ ଭିଡିଓ କାଳେ ପ୍ରତାପ ଦେବଙ୍କ ଦ୍ୱାରା ବଣ୍ଟା ଯାଇଥିଲା। ଏ ବିଷୟରେ କେନ୍ଦ୍ରାପଡ଼ା ବିଜେଡି ମଧ୍ୟରେ ଖୋଲାଖୋଲି ଆଲୋଚନା ମଧ୍ୟ ହୋଇଥିଲା ସେତେବେଳେ। ପ୍ରତାପ, ଅତନୁଙ୍କ ଉପରେ ନିଜ ପରାଜୟର ପ୍ରତିଶୋଧ ଏଇ ବାଟରେ ନେଲେ ବୋଲି ଲୋକେ କହିଲେ। ନାମ ପ୍ରକାଶ ନକରି କେନ୍ଦ୍ରାପଡ଼ା ବିଜେଡିର ଜଣେ ନେତା କହିଛନ୍ତି, କିଶୋର ତରାଇଙ୍କ ମାଧ୍ୟମରେ ହିଁ ଅତନୁଙ୍କର ଗ୍ୟାଙ୍ଗଷ୍ଟର ଟିଟୋ ସହ ସଂପର୍କ ସ୍ଥାପନ ହୋଇଥିଲା। ଏପରିକି ଟିଟୋ ବିଜେଡିକୁ ପାଣ୍ଠି ମଧ୍ୟ ଯୋଗାଉଥିଲା। କିନ୍ତୁ ସେଇ ଟିଟୋକୁ ନେଇ ତୃତୀୟ ମହଲାରେ ନିଜ ଛବି ମଳିନ ପଡ଼ିବା ପରେ, ଅତନୁ ଜିଲ୍ଲା ପୁଲିସ୍ ପ୍ରଶାସନକୁ କହି, ମିଛିମିଛିକା ଟିଟୋ ଉପରେ ଏନ୍‌କାଉଣ୍ଟର କରିଛନ୍ତି। ଜଣେ ପୋଲିସ୍ ଅଫିସର ନିଜ ନାମ ପ୍ରକାଶ ନକରି ଏହି ସୂଚନା ଦେଇଛନ୍ତି। ତେଣୁ ଏବେ କେନ୍ଦ୍ରାପଡ଼ାରେ ଚର୍ଚ୍ଚା ଚାଲିଛି ଯେ, ଟିଟୋ ଦେହରେ ବାଜିଥିବା ଗୁଳି ପୋଲିସ୍‌ର ନା ରାଜନୀତିର।

ଏବେ ଦେଖିବାକୁ ବାକି ରହିଲା, ଆଗାମୀ ନିର୍ବାଚନରେ ଅତନୁ-ପ୍ରତାପ କଳି, ବିଜେଡି ଓ କେନ୍ଦ୍ରାପଡ଼ା ରାଜନୀତିକୁ କେଉଁ ମୋଡ଼ରେ ପହଞ୍ଚାଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos