ଭଦ୍ରକ(ଓଡିଶା ରିପୋର୍ଟର): ଜିଲ୍ଲାପାଳଙ୍କ ଆଗରେ ଆତ୍ମାହୂତି ଉଦ୍ୟମ କରିଛନ୍ତି ଜଣେ ମହିଳା। ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଛି। ଭଦ୍ରକ ଜିଲ୍ଲାପାଳ ଆଜି ବିଭିନ୍ନ ଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ସୃଷ୍ଟି ହୋଇଥିଲା ଏଭଳି ଅଭାବନୀୟ ପରିସ୍ଥିତି।
ଧାମନଗର ଥାନା ଦିହୁଡ଼ି ଆନନ୍ଦପୁରର ବିଳାସିନୀ ପାତ୍ରଙ୍କ ଝିଅ ୫୦ ଦିନ ହେଲା ନିଖୋଜ ଅଛନ୍ତି । ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ବିଳାସିନୀ । ଏ ସମ୍ପର୍କରେ ସେ ଅନେକ ଥର ଧାମନଗର ଥାନା, ଭଦ୍ରକ ଏସ୍ପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ କେହି ତାଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେଇନାହାନ୍ତି । ଝିଅ ନିଖୋଜ ହେବାର ଦୁଇ ମାସ ହେବାକୁ ବସିଥିଲେ ବି ଝିଅର କୌଣସି ପତ୍ତା ନାହିଁ । ଏଥିରେ ହତାଶ ହୋଇ ବିଳାସିନୀ ଆଜି ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ଏହି ସମୟରେ ମାନସିକ ଭାରସାମ୍ୟ ହରାଇ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ନିଆଁ ଲଗାଉଥିବା ବେଳେ ତାଙ୍କୁ ପୋଲିସ ଅଟକାଇଥିଲା। ପରେ ଭଦ୍ରକ ଟାଉନ ଥାନାକୁ ଅଣାଯାଇ ଖୁବ ଶୀଘ୍ର କାର୍ଯ୍ୟନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦିଆଯାଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।