ନିର୍ବାଚନ ଓ ନେତାଙ୍କ ସ୍ୱାସ୍ଥ୍ୟ

ଭାରତୀୟ ରାଜନୀତିରେ ନିର୍ବାଚନ ସମୟରେ ନେତାଙ୍କୁ ନେଇ ଯେତେ ଚର୍ଚ୍ଚା ହୁଏ ନେତାଙ୍କ ଦେହପା’କୁ ନେଇ ସେତେ ଅଧିକ ଗୁଜବ ସୃଷ୍ଟି ହୋଇଥାଏ। ନେତା ଜଣଙ୍କ ସାଧାରଣ ଜୀବନଯାପନ କରୁଥିଲେ ବି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଘଟୁଥିବା ଘଟଣା ଏବଂ ଦୁର୍ଘଟଣାସବୁକୁ ସାର୍ବଜନୀନ କରିବାକୁ କେବେହେଲେ ଉଦ୍ୟମ କରିନଥା’ନ୍ତି। ଆଉ ପ୍ରକୃତ ଘଟଣା ଜାଣି ନ ପାରି ଲୋକମାନେ ଅନେକ ସମୟରେ ଗୁଜବକୁ ଭରସା କରି ଚାଲିଥା’ନ୍ତି। ଦୁର୍ନୀତି କିମ୍ୱା ଅନ୍ୟ କୌଣସି କାରଣ ପାଇଁ ଗିରଫ […]

healthcare

healthcare

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 09:24 PM IST

Sports

Latest News

[caption id="attachment_125491" align="alignleft" width="281"]rudra ରୁଦ୍ର ପ୍ରସନ୍ନ ରଥ[/caption]

ଭାରତୀୟ ରାଜନୀତିରେ ନିର୍ବାଚନ ସମୟରେ ନେତାଙ୍କୁ ନେଇ ଯେତେ ଚର୍ଚ୍ଚା ହୁଏ ନେତାଙ୍କ ଦେହପା’କୁ ନେଇ ସେତେ ଅଧିକ ଗୁଜବ ସୃଷ୍ଟି ହୋଇଥାଏ। ନେତା ଜଣଙ୍କ ସାଧାରଣ ଜୀବନଯାପନ କରୁଥିଲେ ବି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଘଟୁଥିବା ଘଟଣା ଏବଂ ଦୁର୍ଘଟଣାସବୁକୁ ସାର୍ବଜନୀନ କରିବାକୁ କେବେହେଲେ ଉଦ୍ୟମ କରିନଥା’ନ୍ତି। ଆଉ ପ୍ରକୃତ ଘଟଣା ଜାଣି ନ ପାରି ଲୋକମାନେ ଅନେକ ସମୟରେ ଗୁଜବକୁ ଭରସା କରି ଚାଲିଥା’ନ୍ତି।

ଦୁର୍ନୀତି କିମ୍ୱା ଅନ୍ୟ କୌଣସି କାରଣ ପାଇଁ ଗିରଫ ହେବା ସଙ୍ଗେ ସଙ୍ଗେ ପୋଲିସଠାରୁ ରକ୍ଷା ପାଇବା ତଥା ବେଲ୍ ପାଇବା ପାଇଁ ଖରାପ ସ୍ୱାସ୍ଥ୍ୟର ବାହାନା ଦେଖାଉଥିବା ନେତା ଜଣଙ୍କ ଅନ୍ୟ ସମୟରେ ସବୁବେଳେ ଫିଟ୍‌ ଅଛି ବୋଲି ଦେଖାଇବାକୁ ଚେଷ୍ଟା କରୁଥାଏ। ମିଛରେ ହେଉ ପଛେ ନିଜର ସ୍ୱାସ୍ଥ୍ୟ ଉତ୍ତମ ଅଛି ବୋଲି କହି ହେଉଥାଏ। ମାତ୍ର ପ୍ରକୃତରେ ଏମିତି ହୋଇନଥାଏ। ତେବେ ପ୍ରଶ୍ନ ଉଠିବା ସ୍ୱଭାବିକ‌ ଯେ ଏମିତି କାହିଁକି ହୁଏ? ନେତାମାନେ ସ୍ୱାସ୍ଥ୍ୟକୁ ନେଇ ମିଛ କାହିଁକି କହନ୍ତି ?

ଭାରତୀୟ ରାଜନୀତିରେ ନେତାମାନଙ୍କୁ ହୀରୋର ମର୍ଯ୍ୟାଦା ଦିଆଯାଏ। ଲୋକମାନେ ଭାବନ୍ତି ଯେ ନେତାଟିଏ ହିରୋ ପରି ତାଙ୍କର ସମସ୍ତ ଲକ୍ଷ୍ୟ, ଅଭାବ, ଆବଶ୍ୟକତା ଏବଂ ସ୍ୱପ୍ନକୁ ପୂରଣ କରିବା ଆବଶ୍ୟକ। ତେଣୁ ସେ ଫିଟ୍ ରହିବା ଆବଶ୍ୟକ। ଯଦି ଥରେ ନେତାଟିଏ ରୋଗୀ ପର୍ଯ୍ୟାୟଭୁକ୍ତ ହେଲା ତେବେ ସେ ସାରା ଜୀବନ ଖଟି କରି ତିଆରି କରିଥିବା ଇମେଜ୍ ବା ଛବିଟି ଲୋକଙ୍କ ଆଖିରେ ଧୂଳିଧୂସରିତ ହେବା ସ୍ୱାଭାବିକ‌। ପୁଣି ସେ ରୋଗରେ ପଡ଼ିଛି ବୋଲି ଖବର ବ୍ୟାପିଲା ମାତ୍ରେ ତାକୁ ରାଜନୀତିର ପଶାପାଲିରୁ ହଟାଇବାକୁ ତାର ରାଜନୈତିକ ପ୍ରତିପକ୍ଷ ଗୋଟିଚାଳନା କରିବାକୁ ଚେଷ୍ଟା କରିବାର ଭୟ ତାକୁ ଅନବରତ ଘାରୁଥାଏ। ଏଣୁ ଯେତେ ରୋଗରେ ପଡିଲେ ବି ସେ ସତ୍ୟକୁ ଲୁଚାଇବାର ଏକ ସାମୟିକ ପ୍ରୟାସ କରିଥାଏ।

କ୍ୟାମେରା ଆଗରେ ସ୍ୱାସ୍ଥ୍ୟକୁ ନେଇ ମନମତାଣିଆ ବାର୍ତ୍ତା ଦେଉଥିବା ନେତା ବେଳେ ବେଳେ କଦବା କେମିତି ଯୋଗ ଦିବସ ପରି କାଯ୍ର୍ୟକ୍ରମରେ ମୁହଁ ଦେଖାଇ ବାହାବା ନେବା ପାଇଁ ଚେଷ୍ଟା କରୁଥାଏ। ମାତ୍ର ପ୍ରକୃତରେ ଯେ ନେତାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନୁହନ୍ତି ତାହା ସେ ତାଙ୍କ ସହ ବୁଲୁଥିବା କର୍ମୀମାନେ ସହଜରେ କହି ଦେଇପାରିବେ। ଖାସ କରି ନିର୍ବାଚନ ସମୟରେ ନେତା ମାନେ ସମୟରେ ନିଜ ସ୍ୱାସ୍ଥ୍ୟପ୍ରତି କରୁଥିବା ଅବହେଳା ବେଶ ବାରି ହୋଇପଡ଼େ। ରାତି ରାତି ଠିକ୍‌ରେ ନ ଶୋଇବା, ପ୍ରଚାର ପାଇଁ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଲମ୍ବା କ୍ଳାନ୍ତିକର ଯାତ୍ରା କରିବା ପୁଣି ପଦଯାତ୍ରା ଆଦି ସମୟରେ ଚାଲି ଚାଲି ଲମ୍ୱା ରାସ୍ତା ଚାଲିବା ଆଦି କାମ ନେତାଙ୍କର ସ୍ୱାସ୍ଥ୍ୟ ପ୍ରତି ବଡ ଆହ୍ୱାନ ସୃଷ୍ଟି କରେ।

ପୁଣି ନିର୍ବାଚନ ସମୟରେ ନେତା ଜଣଙ୍କ ଖାଦ୍ୟ ଖାଇବାର ମଧ୍ୟ ଠିକ୍‌ ଠିକଣା ନ ଥାଏ। ରାତ୍ରୀରେ ଅନିଦ୍ରା ରହିବା ସହିତ ଖାଦ୍ୟ ଖାଇବାରେ ସମୟାନୁବର୍ତ୍ତି ନହେବା, ପଦଯାତ୍ରା ସମୟରେ ଘରକୁ ଘର ବୁଲିବା ସମୟରେ ଏକାଧିକ କପ୍‌ ଚାହା ପିଇବା ଆଦି କାରଣରୁ ନେତା ନିଜର ସ୍ୱାସ୍ଥ୍ୟ ଖରାପ କରିବା ପାଇଁ ସତେ ଯେମିତି ନିଜ ସହ ଏକ ଅଲିଖିତ ବୁଝାମଣା କରିଦେଇଥାଏ। ପୁଣି ନିର୍ବାଚନ ଜନିତ କାରଣ ପାଇଁ ସେ ନିଜର ସ୍ୱାସ୍ଥ୍ୟର ବିଭିନ୍ନ ଯତ୍ନ ପାଇଁ ତାରିଖ ଏବଂ ସମୟ ଘୁଂଚାଇ ଦେଇଥାଏ।  ଏହି ସମୟରେ ତାପାଇଁ ସ୍ୱାସ୍ଥ୍ୟ ସର୍ବନିମ୍ନ ଗୁରୁତ୍ୱ ବହନ କରୁଥାଏ। ମଧୁମେହ, ଉଚ୍ଚ ରକ୍ତଚାପ, ବୃକକ୍‌ର ହ୍ରାସ ପାଇ ଚାଲିଥିବା କ୍ଷମତା, ଛାତିରେ ଜଳାପୋଡା ଏବଂ ପାଦ ଓ ପିଠିରେ ଯନ୍ତ୍ରଣା ସତ୍ତ୍ୱେ ନେତା ଜଣଙ୍କ ରାଜନୀତିରେ କ୍ଷମତା ଲୋଭରେ ଜିନ୍ଦାବାଦ ଏବଂ ମୂର୍ଦ୍ଦାବାଦ ପକାଇ ଚାଲିଥାଏ। ଦାନ୍ତ ଚିପି ଚିପି ଆସନ୍ତା କାଲିର କ୍ଷମତା ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ ।

କେବଳ ଯେ ଭାରତୀୟ ନେତା ମାନେ ରାଜନୀତି କରିବାକୁ ଯାଇ ଶାରିରୀକ ଭାବେ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ତାହା ନୁହେଁ ବରଂ ସେମାନଙ୍କୁ ମାନସିକଭାବେ ମଧ୍ୟ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖିନ ହେବାକୁ ପଡିଥାଏ। ହାଇକମାଣ୍ଡଙ୍କ ଲିଖିତ ଓ ଅଲିଖିତ ନିର୍ଦ୍ଦେଶ ସବୁକୁ ପାଳନ କଲାବେଳେ, ପ୍ରଶାସନ ତାଙ୍କ ବୋଲ ମାନୁ ନଥିଲା ବେଳେ, କାମ ନକରୁଥିବାରୁ ଜନତା ତାଙ୍କୁ ହଲାପଟା କରୁଥିବା ବେଳେ ଏବଂ ନିଜ ରାଜନୈତିକ ଭିତ୍ତିଭୂମି କାଳେ କୌଣସି କାରଣରୁ ଦୋହଲି ଯାଉଛି ବୋଲି ଆଶଙ୍କା କରି କରି ସେ ମାନସିକ ରୂପେ ବ୍ୟତିବ୍ୟସ୍ତ ହୋଇ ରହିଥାଏ। ଏଣୁ ଅନ୍ଦର ମହଲରେ କଥା କଥାକେ ବିରକ୍ତ ହେବା, ଚିଡିଚିଡା ପ୍ରକୃତିର ହେବା,ସବୁ କଥାରେ ସମସ୍ତଙ୍କୁ ସଂଦେହ କରିବା, ନିଜକୁ ସବୁବେଳେ ସବୁ ଜାଗାରେ ଜାହିର କରିବାର ମାନସିକତା ଦେଖାଇବା ଆଦି ସ୍ୱଷ୍ଟ ରୂପେ ପ୍ରମାଣ କରିଦିଏ ଯେ ନେତା ଜଣଙ୍କ ମାନସିକ ରୁପେ ଫିଟ୍‌ ନାହାନ୍ତି ବୋଲି। ମାତ୍ର ଏକଥା ବାହାରେ ଜଣା ପଡେନି। ନେତା ତଥାପି ଠିକ୍ ଅଛନ୍ତି ବୋଲି ଅଭିନୟ କରି ଚାଲନ୍ତି ଆଉ ତାଙ୍କ ଚାମଚା ମାନେ ନେତା ଜଣଙ୍କ ଠିକ୍ ଅଛନ୍ତି ବୋଲି ପ୍ରଚାର କରି ଚାଲନ୍ତି।

ମାତ୍ର ହଠାତ୍ ଦିନେ ନେତାଙ୍କର ଦେଖା ମିଳେନି। ନେତାଙ୍କର ଫୋନ୍‌ କେହି ରିସିଭ କରନ୍ତି ନାହିଁ। ଖବର ମିଳିଲା ବେଳକୁ ନେତା ଜଣଙ୍କ କୌଣସି ଗୋଟିଏ ନାମୀ ଦାମୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥାନ୍ତି। ଏପଟେ ଗୁଜବ ବଢିଲା ବେଳକୁ ନେତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିସାରିଥାନ୍ତି।  ଯେଉଁ ନେତା ଜଣଙ୍କ ଚୁପ୍‌ଚାପ୍‌ ଚିକିତ୍ସା ପାଇ ଯାଇଥାନ୍ତି ତାଙ୍କ ମର ଶରୀର ଫେରିଲା ବେଳେ ଶୋଭାଯାତ୍ରା ଲୋକାରଣ୍ୟ ହୋଇ ପଡ଼େ।

ସାଧାରଣ ଲୋକଙ୍କ ପରି ନେତା ଯେ ଜଣେ ମଣିଷ ଏବଂ ତାର ଶାରୀରିକ ଏବଂ ମାନସିକ ଦକ୍ଷତାର ମଧ୍ୟ ସୀମା ରହିଛି ତାହା ଆଉ କେହି ନ ବୁଝିଲେ ବି ନେତା ଜଣଙ୍କ ନିଜେ ପ୍ରଥମେ ବୁଝିବା ଦରକାର। ଆମ ସମସ୍ତଙ୍କ ପରି ତାକୁ ମଧ୍ୟ ଦୈନିକ ୫ ଲିଟର ପାଣି ଆଠ ଘଣ୍ଟାର ବିଶ୍ରାମ ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସମୟରେ ସନ୍ତୁଳିତ ଖାଦ୍ୟ ଏବଂ ଔଷଧ ଖାଇବା ଦରକାର ଏହା ଜଣେ ନେତା ହିସାବରେ ମନେ ରଖିବା ଦରକାର।

ନିର୍ବାଚନ ଆସିବ ଆଉ ଯିବ ମାତ୍ର ସ୍ୱାସ୍ଥ୍ୟ ଖରାପ ହୋଇଗଲେ ଉଭୟ ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ ଭିତ୍ତିରେ ଆମ ନେତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗକୁ ଲୁଚାଇ ବଡ କରି ନିଜ ଭିତରେ ଭିତରେ ଦୁର୍ବଳ ହେଉଥିବା ନେତା ଜଣଙ୍କ ନିଜପାଇଁ ଗୋଟିଏ ଫମ୍ପା ଆଦର୍ଶବାଦର ବିଗୁଲ ବଜାଇ ଚାଲିଥାଏ। ହୁଏତ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ସେ ଏହି ବିଗୁଲ୍‌ ବଜାଇ କିଛି ଲୋକଙ୍କୁ ସେ କିଛି ସମୟ ପାଇଁ ବୋକା ବନାଇ ପାରେ। ମାତ୍ର ପରୋକ୍ଷରେ ସେ ନିଜର ସ୍ୱାସ୍ଥ୍ୟର ଯତ୍ନ ନ ନେଇ ସେ କେବଳ ଯେ ସୁ‌ସ୍ଥ ଗଣତନ୍ତ୍ର ପାଇଁ ବାଧକ ସାଜୁଛି ତାହା ସହଜରେ କୁହାଯାଇପାରେ। ତେଣୁ ନିର୍ବାଚନର ବାଧ୍ୟ ବାଧକତା, କର୍ମୀ ସମ୍ମିଳନୀର ଭିଡ, ପଦଯାତ୍ରାର ଆଡାମ୍ୱର ଭିତରେ ନେତା ଟିଏ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ  ମଧ୍ୟ ସମୟ ବାହାର କରୁ ଏକଥା କହିବାରେ କୌଣସି କାର୍ପଣ୍ୟ କାହିଁକି କରିବା?

ଧବଳଗିରି,ଯାଜପୁର ରୋଡ୍

୯୮୫୩୨୦୬୧୬୮

(ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ)

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos