ହିଂସ୍ର ହେଲେ ବି ବାଘର ଅଛି ହୃଦୟ

tiger

ଓଡ଼ିଆରେ କୁହାଯାଏ କର୍ମ ଘେନି ଫଳ । ଅର୍ଥାତ୍ ଯିଏ ଯେମିତି କର୍ମ କରିବ, ସେମିତି ଫଳ ପାଇବ। ଏଥିରେ ଦ୍ୱିମତ ହେବାର ନାହିଁ । ଏହା ସବୁ ଧର୍ମର ସାର କଥା। ଏଠାରେ ଜାପାନର ଜଣେ ବୌଦ୍ଧ ସଂସ୍କାରକଙ୍କ କଥା ଉଲ୍ଲେଖ କରାଯାଇପାରେ। ତାଙ୍କ କହିବାନୁଯାୟୀ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଯାହା କିଛି କରେ ତାହା ସୁକର୍ମ ଓ କୁକର୍ମ ଦୁଇ ଭାଗରେ ବିଭକ୍ତ ହୁଏ । ସୁକର୍ମ ଓ କୁକର୍ମ ଭିତରେ ହିସାବ ନିକାଶ ସବୁବେଳେ ଚାଲିଥାଏ। ମୃତ୍ୟୁ ସମୟରେ ମଣିଷ ଅର୍ଜନ କରିଥିବା ଧନସଂପତ୍ତି ନେଇଯାଏ ନାହିଁ। ସେ ଏକା ଆସେ ଓ ଏକା ଯାଏ। କିନ୍ତୁ ସାଙ୍ଗରେ ସେ ସୁକର୍ମ ଓ କୁକର୍ମର ଏକ ହିସାବ ଖାତା ନେଇ ଯାଏ। ଯେ ପର୍ଯ୍ୟନ୍ତ ସୁକର୍ମର ପଏଣ୍ଟ କୁକର୍ମକୁ ଟପି ନ ଥାଏ ସେ ପର୍ଯ୍ୟନ୍ତ ସେ ସର୍ବଶକ୍ତିମାନ୍‌ଙ୍କ ନିକଟରେ ଋଣୀ ହୋଇଥାଏ ଓ ବାରମ୍ବାର ବିଭିନ୍ନ ରୂପରେ ଜନ୍ମ ନିଏ। ଦ୍ୱିତୀୟ କଥା ହେଉଛି ସୁକର୍ମ ଓ କୁକର୍ମ ଉଭୟର ଫଳ ମଣିଷକୁ ନିଶ୍ଚିତ ଭାବେ ଭୋଗିବାକୁ ପଡ଼ିଥାଏ । ଏଠାରେ ଏକ ସୁନ୍ଦର ଲୋକଗଳ୍ପର ଅବତାରଣା କରାଯାଇପାରେ ।

ଆକିଟୋ ନାମକ ଜଣେ ଗରିବ ଲୋକ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲକୁ ଯାଇଥିଲେ । ଥରେ ଜଙ୍ଗଲରେ ସେ ଏକ ମହାବଳ ବାଘକୁ ଛଟପଟ ହେଉଥିବା ଦେଖିଥିଲେ । ବାଘର ଗୋଡ଼ରେ ଏକ ବିଷାକ୍ତ କଣ୍ଟା ପଶିଯାଇଥିଲା।

ସେ ଜାଣିଥିଲେ, ବାଘ ପାଖକୁ ଗଲେ ସେ ତାଙ୍କୁ ନିଶ୍ଚୟ ଖାଇଯିବ। ଯଦି ବାଘ ତାଙ୍କୁ ଖାଇଯାଏ, ତେବେ ଘରେ ତାଙ୍କ ପିଲା ଛୁଆ ଓପାସ ରହିବେ। କିନ୍ତୁ ବାଘଟି ଏତେ ଛଟପଟ ହେଉଥିଲା ଯେ, ତାଙ୍କ ପରିବାରର ପେଟଜ୍ୱାଳା ଅପେକ୍ଷା ବାଘର ଯନ୍ତ୍ରଣା ତାଙ୍କ ହୃଦୟରେ ଉଦ୍‌ବେଳନ ସୃଷ୍ଟି କଲା।

ଆକିଟୋ ଭାବିଲେ ବାଘ ପଛେ ତାଙ୍କୁ ଖାଇଯାଉ, ସେ କିନ୍ତୁ ବାଘର ଯନ୍ତ୍ରଣା ଲାଘବ କରିବେ । ତାଙ୍କ ପିଲା ଛୁଆଙ୍କୁ ବରଂ ତାଙ୍କ ପତ୍ନୀ ପୋଷିବେ। ହେଲେ ବାଘକୁ ଯଦି ସେ ଉଦ୍ଧାର ନ କରିବେ ତେବେ ସେ ଛଟପଟ ହୋଇ ମରିଯିବ। ଏହା ଭାବି ସେ ବାଘ ପାଖକୁ ଗଲେ ଆଉ ଦେଖିଲେ ବାଘଟି ଯେମିତି ତାଙ୍କ ଆସିବା ବାଟକୁ ଚାହିଁ ବସିଥିଲା। । ସେ ବାଘର ଗୋଡ଼ରୁ ଉକ୍ତ ବିଷାକ୍ତ କଣ୍ଟା ବାହାରି କରିଦେଲେ।

ବାଘର ଯନ୍ତ୍ରଣା କମିଗଲା, ଆଉ ଦୁଇଗୋଡ଼ ଆଗକୁ ବଢ଼ାଇ ଆକିଟୋଙ୍କୁ ପ୍ରଣାମ କଲା। ତା’ ପରେ ବାଘଟି ତା’ର ଆଘାତପ୍ରାପ୍ତ ଗୋଡ଼କୁ ଦେଖାଇ ଶୋଇ ରହିଲା।  ଆକିଟୋ ମନେ ମନେ ଭାବିଲେ ବାଘଟି ହୁଏ ଉକ୍ତ ଗୋଡ଼ରେ କିଛି ଉପଚାର ଚାହୁଁଛି। ତେଣୁ ସେ ତୁରନ୍ତ ଜଙ୍ଗଲରୁ ଲିମ୍ବ ପତ୍ର ଆଣି ତାର ରସ ବାହାର କରି ବାଘ ଗୋଡ଼କୁ ନିଜ ପିନ୍ଧା ବସ୍ତ୍ର ଚିରି ବାନ୍ଧିଦେଲେ । ପରେ ପରେ ସେ ଜଙ୍ଗଲରୁ କିଛି ଫଳମୂଳ ଆଣି ଘରକୁ ଫେରିଆସିଲେ।

ଠିକ୍ ତା’ ପର ଦିନ ସେ ପୁଣି ଜଙ୍ଗଲକୁ ଗଲେ ଓ ଦେଖିଲେ ସେଇ ସ୍ଥାନରେ ବାଘଟି ଆଉ ନ ଥିଲା। ତେଣୁ ସେ ଆତ୍ମ ସନ୍ତୋଷ ଲାଭ କଲେ ଯେ, ବାଘଟି ସୁସ୍ଥ ହୋଇଯାଇଛି।

ଏହାର ବର୍ଷେ ଦୁଇ ବର୍ଷ ପରେ ଆକିଟୋଙ୍କୁ ତାଙ୍କର ପଡ଼ୋଶୀ ମିଥ୍ୟା ଚୋରି ଅଭିଯୋଗରେ ଫସାଇଲେ। ରାଜାଙ୍କ ପାଖରେ ମିଥ୍ୟା ଅଭିଯୋଗ କଲେ । ଉକ୍ତ ରାଜ୍ୟରେ ଚୋରି ଏକ ବଡ଼ ଅପରାଧ ଭାବେ ଗଣାହେଉଥିଲା । ତେଣୁ ରାଜା ଘୋଷଣା କଲେ ଯେ, ଆକିଟୋଙ୍କୁ କଠୋର ଦଣ୍ଡବିଧାନ କରାଯିବ। ଦଣ୍ଡବିଧାନ ସ୍ୱରୂପ ଅପରାଧୀଙ୍କୁ ଏକ ଭୋକିଲା ବାଘ ହାବୁଡ଼ରେ ପକାଇ ଦିଆଯିବ। ବାଘ ତାଙ୍କୁ ଖାଇବ ଏବଂ ସମସ୍ତେ ଏହା ଦେଖିବେ, ଯେମିତି ଏଭଳି ଅପରାଧ କରିବାକୁ ଆଉ କେହି ସାହସ କରିବେ ନାହିଁ ।

ରାଜାଙ୍କ ନିର୍ଦ୍ଦେଶମାନି ସୈନ୍ୟମାନେ ଏକ ବାଘକୁ ଜଙ୍ଗଲରୁ ଧରିଆଣିଲେ । ଭଗବାନଙ୍କ ବରାଦକୁ ସେ ଥିଲା ସେହି ବାଘ ଯାହାକୁ ଆକିଟୋ ଉଦ୍ଧାର କରିଥିଲେ। ବାଘକୁ ତିନି ଦିନ ପାଇଁ ଭୋକିଲା ରଖାଗଲା । ଆଉ ତା’ ପରେ ଏକ କର୍ଡନ ନିର୍ମାଣ କରାଯାଇ ବାଘ ହାବୁଡ଼ରେ ଆକିଟୋଙ୍କୁ ଛାଡ଼ି ଦିଆଗଲା । ଆଉ ତା’ ପରେ ଯାହା ହେଲା ତାହା ବିଶ୍ୱାସଯୋଗ୍ୟ ନୁହେଁ ।

ଗର୍ଜନ କରୁଥିବା ବାଘଟି ଯେମିତି ଆକିଟୋଙ୍କୁ ଦେଖିଲା, ସେ ତାଙ୍କ ଋଣ ଶୁଝିବା ପାଇଁ ତାଙ୍କ ପାଦ ତଳେ ପଡ଼ିରହିଲା। ରାଜା, ମନ୍ତ୍ରୀ ଓ ତାଙ୍କ ପାରିଷଦ ବର୍ଗ ଏହା ଦେଖି ତାଟକା ହୋଇଗଲେ। ଏହା ଦେଖି ମନ୍ତ୍ରୀ କହିଲେ ମହାରାଜ…‘ଆପଣଙ୍କ ବିଚାରରେ କୋଉଠି ତ୍ରୁଟି ରହିଛି’। ରାଜା ସତ ଅନୁଭବ କଲେ ଓ ପୁଣି ଏହାର ବିଚାର ଆରମ୍ଭ କଲେ ।

ବିଚାର ବେଳେ ଜଣାପଡ଼ିଲା ଯେ, ଅଭିଯୋଗକାରୀ ମିଛ କହିଛି । ରାଜା  ତୁରନ୍ତ ଆକିଟୋଙ୍କୁ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବା ସହ ତାଙ୍କୁ ଚାକିରି ଦେଲେ। ଆଉ ମିଥ୍ୟା ଅଭିଯୋଗକାରୀଙ୍କୁ ଆଜୀବନ ବନ୍ଦୀ ଭାବେ ଘୋଷଣା କଲେ।

ତେଣୁ ସୁକର୍ମ କେବେ ବ୍ୟର୍ଥ ଯାଏନା। କେବେ ନା କେବେ ତାହାର ଫଳ ମିଳେ । ବାଘର ଉପକାର ସ୍ୱରୂପ ଆକିଟୋ ମିଥ୍ୟା ଆରୋପରୁ ମୁକ୍ତ ହେଲେ। ସେହିପରି ଅନ୍ୟର ଲୁହ ମଧ୍ୟ କେବେ ବ୍ୟର୍ଥ ଯାଏ ନାହିଁ । ଆକିଟୋଙ୍କୁ ଦଣ୍ଡ ଘୋଷଣା ହେବା ପରେ ତାଙ୍କ ପତ୍ନୀ ଓ ପିଲା ପ୍ରତିଦିନ ଆଖିରୁ ଲୁହ ଝରାଉଥିଲେ ଯାହାର ଫଳ ସ୍ୱରୂପ ମିଥ୍ୟା ଅଭିଯୋଗକାରୀ ବନ୍ଦୀ ଜୀବନ ବିତାଇଲେ।

(ଓମ୍‌ପ୍ରକାଶ ସାହୁ)

Previous ArticleNext Article

Send this to a friend