ଗାଡ଼ିରେ ଗଲାବେଳେ ବାନ୍ତି ହେଉଛି କି? ଜାଣନ୍ତୁ କେମିତି ମିଳିବ ମୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ କିମ୍ବା କାର୍ ଆଦିରେ ଯାତ୍ରା କଲାବେଳେ ବାନ୍ତି କରୁଥିବା ଲୋକମାନେ ସାରା ଜୀବନ ଏଥିପାଇଁ କଷ୍ଟ ଭୋଗିଥାନ୍ତି । ସେମାନେ ଏଥିଯୋଗୁ କୌଣସି ଦୂର ସ୍ଥାନକୁ ବସ୍ ଆଦିରେ ଯାଇପାରନ୍ତି ନାହିଁ ଏବଂ ସେମାନଙ୍କୁ ନେବାକୁ ଅନେକେ ଅନିଚ୍ଛା ମଧ୍ୟ ପ୍ରକାଶ କରନ୍ତି । କେବଳ ଏତିକି ନୁହେଁ, ସେମାନେ ଯିବା ବେଳେ ବାନ୍ତି କରିବା ସହ ଯାତ୍ରା ପରେ ମଧ୍ୟ ବହୁ ସମୟ (ଏପରିକି କିଛି ଲୋକଙ୍କ  କ୍ଷେତ୍ରରେ କିଛି […]

voming-1

voming-1

Ordigital Desk
  • Published: Monday, 06 November 2017
  • Updated: 06 November 2017, 02:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ କିମ୍ବା କାର୍ ଆଦିରେ ଯାତ୍ରା କଲାବେଳେ ବାନ୍ତି କରୁଥିବା ଲୋକମାନେ ସାରା ଜୀବନ ଏଥିପାଇଁ କଷ୍ଟ ଭୋଗିଥାନ୍ତି । ସେମାନେ ଏଥିଯୋଗୁ କୌଣସି ଦୂର ସ୍ଥାନକୁ ବସ୍ ଆଦିରେ ଯାଇପାରନ୍ତି ନାହିଁ ଏବଂ ସେମାନଙ୍କୁ ନେବାକୁ ଅନେକେ ଅନିଚ୍ଛା ମଧ୍ୟ ପ୍ରକାଶ କରନ୍ତି । କେବଳ ଏତିକି ନୁହେଁ, ସେମାନେ ଯିବା ବେଳେ ବାନ୍ତି କରିବା ସହ ଯାତ୍ରା ପରେ ମଧ୍ୟ ବହୁ ସମୟ (ଏପରିକି କିଛି ଲୋକଙ୍କ  କ୍ଷେତ୍ରରେ କିଛି ଦିନ ପର୍ଯ୍ୟନ୍ତ) ଅସୁସ୍ଥତା, ମୁଣ୍ଡବିନ୍ଧା, ମାନସିକ ଅସ୍ଥିରତା ଆଦିର ଶିକାର ହୁଅନ୍ତି । ତେବେ ପ୍ରଶ୍ନ ଉଠେ ଏଭଳି ହୁଏ କାହିଁକି? ସମସ୍ତଙ୍କ କ୍ଷେତ୍ରରେ ଏହା ନହୋଇ କେବଳ କିଛି ଲୋକ ଏଭଳି ସମସ୍ୟାର ଶିକାର ହୁଅନ୍ତି କାହିଁକି? ଏବଂ ମୁଖ୍ୟ କଥା ହେଲା, ଏହାକୁ କିପରି ଏଡ଼ାଇ ଦିଆଯାଇପାରିବ । ଯଦିଓ ଏଭଳି ଲକ୍ଷଣ କାହିଁକି ପ୍ରକାଶ ପାଏ ସେନେଇ ସମସ୍ତ କାରଣ ଆଜିବି ଅଜଣା ହୋଇ ରହିଛି, ତଥାପି ଏହାର ଦୁଇଟି ମୁଖ୍ୟ କାରଣ ହେଲା ମୋସନ୍ ସିକନେସ୍ ବା ଗତି ଅସୁସ୍ଥତା ଏବଂ ବସ୍ କିମ୍ବା କାର୍ ଭିତରର ଅସ୍ୱାଭାବିକ ଗନ୍ଧ ।

ମୋସନ୍ ସିକନେସ୍ କାହିଁକି ହୁଏ?
ମୋସନ୍ ସିକନେସ୍ ବା ଗତି ଅସୁସ୍ଥତା କାହିଁକି ହୁଏ ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିବା ଆବଶ୍ୟକ ଯେ, ଆମେ ଗତି କରୁଛୁ ବୋଲି ଆମ ମସ୍ତିଷ୍କ ଜାଣେ କିପରି? ଆମ ଅଖି ବନ୍ଦ ଥିଲେ ମଧ୍ୟ ଆମେ କେଉଁ ଆଡ଼େ ଗତି କଲେ ଜାଣିପାରୁ ବା ଅନୁଭବ କରିପାରୁ । କାରଣ ଆମ ଶରୀର କେଉଁ ସ୍ଥାନରେ ଅଛି ଏବଂ କେଉଁଆଡ଼େ ଗତି କରୁଛି ତାହା ଜାଣିବା ପାଇଁ ଆମ ମସ୍ତିଷ୍କ କେବଳ ଦୃଷ୍ଟି ଶକ୍ତି ନୁହେଁ, ବରଂ ଏକାଧିକ ଇନ୍ଦ୍ରିୟ ଓ ଅଙ୍ଗରୁ ସଂକେତ ଗ୍ରହଣ କରି ସେଗୁଡ଼ିକୁ ବିଶ୍ଳେଷଣ କରିଥାଏ । ଏହି ସଂକେତ ଉତ୍ସ ଗୁଡ଼ିକ ହେଲା ଦୃଷ୍ଟି, ସ୍ପର୍ଶ, ଶବ୍ଦ, ଅସ୍ଥିଖଞ୍ଜା ଗୁଡ଼ିକର ଅବସ୍ଥା, ଆଭ୍ୟନ୍ତରୀଣ କର୍ଣ୍ଣ ଓ ନିଜର ପ୍ରତ୍ୟାଶା । ଏହିସବୁ ଅଙ୍ଗରୁ ମିଳୁଥିବା ସଂକେତ ବିଶ୍ଳେଷଣରୁ ଗୋଟିଏ ନିର୍ଯାସ ବାହାର କରି ମସ୍ତିଷ୍କ ନିଶ୍ଚିତ ହୋଇଥାଏ ଯେ, ଶରୀର କେଉଁ ସ୍ଥାନରେ ଅଛି ଏବଂ ସ୍ଥିର ଅଛି ନା ଗତିଶୀଳ ଅଛି । ଏହି ସବୁ ଅଙ୍ଗ ମଧ୍ୟରୁ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଦୁଇଟି ଅଙ୍ଗ ହେଲା ଚକ୍ଷୁ ଓ ଆଭ୍ୟନ୍ତରୀଣ କର୍ଣ୍ଣ (vestibular system)। ଆମ ଆଖି ବନ୍ଦ ଥିଲେ ମଧ୍ୟ ଆମେ ଗତି କରିବା ସମୟରେ ଆମ ଆଭ୍ୟନ୍ତରୀଣ କର୍ଣ୍ଣରେ ଥିବା ତରଳ ପଦାର୍ଥ ହଲଚଲ୍ ହୋଇଥାଏ । ଏଥିସହ କୌଣିକ ଗତି (angular motion) ଜାଣିବା ପାଇଁ ଆଭ୍ୟନ୍ତରୀଣ କର୍ଣ୍ଣରେ ଥିବା ସେମି-ସର୍କୁଲାର କେନାଲ୍ ଏବଂ ରୈଖିକ ଗତି (linear motion) ଜାଣିବା ପାଇଁ ସେଠାରେ ଥିବା ଓଟୋଲିଥ୍ ସାହାଯ୍ୟ କରେ ।
ଏବେ ମୁଖ୍ୟ ପ୍ରସଙ୍ଗକୁ ଆସିବା । ଆମେ ଯେତେବେଳେ ବସ୍ ରେ ଯାତ୍ରା କରୁ ଏବଂ ବାହାରକୁ ଦେଖୁନଥାଉ ବା ଦେଖିବାର ସୁଯୋଗ ପାଉନଥାଉ କିମ୍ବା ସିଟ୍ ରେ ବସି କିଛି ପଢ଼ାପଢ଼ି କରୁଥାଉ ବା କାହାସହ କଥା ହେଉଥାଉ, ଆମ ଆଖି କେବଳ ବସ୍ ଭିତରେ ଥିବା ସ୍ଥିର ବସ୍ତୁ ଗୁଡ଼ିକୁ ଦେଖୁଥାଏ । କିନ୍ତୁ ଆଭ୍ୟନ୍ତରୀଣ କର୍ଣ୍ଣରୁ ମସ୍ତିଷ୍କକୁ ସଂକେତ ଯାଏ ଯେ, ଆମେ ଗତିଶୀଳ ଅଛୁ । ତେଣୁ ଚକ୍ଷୁ ଓ ଆଭ୍ୟନ୍ତରୀଣ କର୍ଣ୍ଣରୁ ଆସୁଥିବା ଏହି ଦୁଇଟି ଭିନ୍ନ ଭିନ୍ନ ତଥା ପରସ୍ପର ବିରୋଧୀ ସଂକେତକୁ ବିଶ୍ଳେଷଣ କରି ମସ୍ତିଷ୍କ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିପାରେ ନାହିଁ । ଅର୍ଥାତ୍ ଆମ ମସ୍ତିଷ୍କ ଦ୍ୱନ୍ଦ୍ୱରେ ପଡ଼ିଯାଏ ଯେ, ପ୍ରକୃତରେ ଚକ୍ଷୁର ସଂକେତ ଅନୁସାରେ ଶରୀର ସ୍ଥିର ଅଛି ନା ଆଭ୍ୟନ୍ତରୀଣ କର୍ଣ୍ଣର ସଂକେତ ଅନୁସାରେ ଶରୀର ଗତିଶୀଳ ଅଛି । ତେଣୁ ଏହି ଦ୍ୱନ୍ଦ୍ୱର ପରିଣାମ ସ୍ୱରୂପ ଆମେ ଅସୁସ୍ଥ ହୋଇଯାଉ ଏବଂ ଆମକୁ ବାନ୍ତି ହୁଏ, ମୁଣ୍ଡ ବୁଲାଏ ।
କେବଳ ବସ୍ ନୁହେଁ, କାର୍, ଜଳଜାହାଜ ଓ ବିମାନ ଆଦିରେ ଯାତ୍ରା କରୁଥିବା କେତେକ ଯାତ୍ରୀ ମଧ୍ୟ ମୋସନ୍ ସିକନେସର ଶିକାର ହୁଅନ୍ତି । କେତେକଙ୍କ କ୍ଷେତ୍ରରେ ଠିକ୍ ଏହାର ବିପରୀତ ଘଟଣା ଘଟେ କୌଣସି ଥ୍ରୀ-ଡି ଫିଲ୍ମ ଦେଖିବା ବେଳେ । ଥ୍ରୀ-ଡି ଫିଲ୍ମ ଦେଖିବା ବେଳେ ଆମ ଆଖି ମସ୍ତିଷ୍କକୁ ସଂକେତ ପଠାଏ ଯେ ଆମେ ଗତିଶୀଳ ଅଛୁ, କିନ୍ତୁ ଆମେ ଯେହେତୁ ଫିଲ୍ମ ହଲ୍ ରେ ସ୍ଥିର ଭାବେ ବସିଥାଉ ଆମ ଆଭ୍ୟନ୍ତରୀଣ କର୍ଣ୍ଣ ସଂକେତ ପଠାଏ ଯେ ଆମ ଶରୀର ସ୍ଥିର ଅଛି । ତେଣୁ ଏଠାରେ ମଧ୍ୟ ମସ୍ତିଷ୍କ ଦ୍ୱନ୍ଦ୍ୱରେ ପଡ଼ିଥାଏ ଓ ଅନେକଙ୍କ ମୁଣ୍ଡ ବୁଲାଇଥାଏ ଓ ବାନ୍ତି ହୁଏ ।
କେବଳ ଏହି ସଂକେତ ଅସାମଞ୍ଜସ୍ୟତା ଯୋଗୁଁ ନୁହେଁ, ଅନେକଙ୍କୁ ବସ୍ କିମ୍ବା କାର୍ ଭିତରର ଏକ ଭିନ୍ନ ପ୍ରକାରର ଗନ୍ଧ ମଧ୍ୟ ବ୍ୟତିବ୍ୟସ୍ତ କରିପକାଏ ଏବଂ ସେମାନେ ଅଶ୍ୱସ୍ତି ବୋଧ କରନ୍ତି । ତେବେ ସମସ୍ତଙ୍କ କ୍ଷେତ୍ରରେ ମୋସନ୍ ସିକନେସ୍ ଦେଖାଯାଏ ନାହିଁ । ଏହାର ସଠିକ କାରଣ ଜଣାନଥିଲେ ମଧ୍ୟ ଅନେକଙ୍କ ଇନ୍ଦ୍ରିୟ ପ୍ରତି ସମ୍ବେଦନଶୀଳତାରେ ତାରତମ୍ୟ ଏବଂ ସ୍ଥିତିକୁ ସହଜ ଭାବେ ଗ୍ରହଣ କରିବାର ଶକ୍ତିରେ ତାରତମ୍ୟ ଥିବାରୁ ଏଭଳି ହେଉଥିବା ଅନୁମାନ କରାଯାଉଛି ।
ମୋସନ୍ ସିକନେସକୁ ଏଡ଼ାଇବେ କିପରି?
  • ବସ୍ କିମ୍ବା କାର୍ ଚାଲୁଥିବା ବେଳେ ଝରକା ବାହରକୁ ଏବଂ ବିଶେଷ କରି ଦିଗବଳୟ ଆଡ଼କୁ ଦେଖନ୍ତୁ ଏବଂ ଗାଡ଼ି ଚାଲୁଥିବା ଦିଗରେ ଦେଖନ୍ତୁ । ରାତିରେ ଅନ୍ଧାର ହୋଇଥିଲେ ଆଖି ବନ୍ଦ ରଖନ୍ତୁ ଅଥବା ଶୋଇପଡ଼ନ୍ତୁ ।
  • ବସ୍ ଯାତ୍ରା ବେଳେ ଆଗମୁହାଁ ହୋଇ ବସନ୍ତୁ । ପଛ ଆଡ଼କୁ ମୁହଁ କରି ବସନ୍ତୁ ନାହିଁ ।
  • କାର୍ ଯାତ୍ରା ବେଳେ ସର୍ବଦା ଆଗ ସିଟ୍ ରେ ବସିବାକୁ ଚେଷ୍ଟା କରନ୍ତୁ ।
  • ବସ୍ ଯାତ୍ରା ବେଳେ ଚକ ଉପରେ ଥିବା ସିଟରେ ବସନ୍ତୁ ନାହିଁ ।
  • ଚ୍ୱିଇଂଗମ୍ କିମ୍ବା ଅଦାଖଣ୍ଡକୁ ପାଟିରେ ରଖି ଚୋବାନ୍ତୁ ।
  • ଗାଡ଼ିର ଦୁର୍ଗନ୍ଧ ଆପଣଙ୍କୁ ସମସ୍ୟା କରୁଥିଲେ ଝରକା ପଟେ ବାହାରର ଖୋଲା ଥଣ୍ଡା ପବନରେ ନିଶ୍ୱାସ ନିଅନ୍ତୁ । ଲେମ୍ବୁ ଶୁଂଘିଲେ ମଧ୍ୟ ଉପକାର ମିଳିଥାଏ ।
  • ଯାତ୍ରା ପୂର୍ବରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ତେଲ ମସଲାଯୁକ୍ତ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ନଖାଇବାକୁ ଚେଷ୍ଟା କରନ୍ତୁ ।
  • ଗାଡ଼ି ଭିତରେ ବହି କିମ୍ବା ଖବରକାଗଜ ଆଦି ପଢ଼ନ୍ତୁ ନାହିଁ । ବାହାରକୁ ଦେଖନ୍ତୁ । ଅନ୍ୟ କେହି ଯାତ୍ରୀ ବାନ୍ତି କରୁଥିଲେ କିମ୍ବା ମୋସନ୍ ସିକନେସର ଶିକାର ଥିଲେ ତାଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ କିମ୍ବା ତାଙ୍କ ଅାଡ଼କୁ ଦେଖନ୍ତୁ ନାହିଁ ।
  • ମୋସନ୍ ସିକନେସ ଏଡ଼ାଇବା ପାଇଁ ଔଷଧ ମଧ୍ୟ ରହିଛି । ତାହା ଡାକ୍ତରଙ୍କ ପରାମର୍ଶରେ ନେଇପାରିବେ ।
  • ଗୀତ ଶୁଣନ୍ତୁ କିମ୍ବା ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
  • ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଗାଡ଼ିରେ ଯାତ୍ରା କରିବା ସମୟରେ ଭାବି ହୁଅନ୍ତୁ ନାହିଁ ଯେ ମୋର ମୋସନ୍ ସିକନେସ୍ ଅଛି, ମୋତେ ଏବେ ବାନ୍ତି ଲାଗିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos