‘ଲୋକେ କହିବେ ଭଲ କଳାକାରଟା ଚାଲିଗଲା, ତା’ଠୁ ଆଉ ଅଧିକ ମୋର କ’ଣ ଦରକାର’

manibhadra

manibhadra“କୁଲକ ପକାଇଥିଲି କବାଟ ଖୋଲିବ କିଏ…।” ‘ରାମଦାସ ହାଜିର ହୋ’ ନାଟକର ଏହି ଡାଏଲଗ ମନେ ପଡ଼ିଲେ ମନେ ପଡ଼ନ୍ତି ଯାତ୍ରା ଜଗତର କମେଡି କିଙ୍ଗ୍ ମଣିଭଦ୍ର ବିଶ୍ୱାଳ। ତାଙ୍କ ଠାଣି ଓ ଚାହାଣି ଦେଖିଲେ ହିଁ ଲୋକେ ହସିବା ଆରମ୍ଭ କରି ଦିଅନ୍ତି। ଆଉ ପାଟି ଖୋଲିଲେ ହସରେ ଫାଟି ପଡ଼େ ମଞ୍ଚ। ଏହି ମହାନ ହାସ୍ୟ ଅଭିନେତାଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ଓଳିଆପାଟଣା ଗାଁରେ। ତାଙ୍କ ସହିତ ମନୋରଞ୍ଜନଙ୍କ ସ୍ୱତନ୍ତ୍ର ଆଳାପ।

ପ୍ରଶ୍ନ: ଆପଣ ଶିକ୍ଷକତା କରୁଥିଲେ। ଯାତ୍ରାକୁ କେମିତି ଢଳି ଗଲେ?

ଉତ୍ତର: ଶିକ୍ଷକ ଭାବେ ଚାକିରି କରୁଥିଲି। ସେଥିରେ ମୋତେ ଆତ୍ମସନ୍ତୋଷ ମିଳିଲାନି। ବାଧ୍ୟହୋଇ ୧୯୭୦ ମସିହାରେ ଚାକିରି ଛାଡ଼ିଲି ଓ  ଭଦ୍ରକ ଜିଲ୍ଲାର “ଜଗନ୍ନାଥ ଅପେରା”ରେ ଯୋଗ ଦେଲି। ଏଥିପାଇଁ ମୋ’ ପରିବାରର ସମର୍ଥନ ଥିଲା। କାରଣ ମୋ’ ବାପା ଓ ଜେଜେବାପା କଳାପ୍ରେମୀ ଥିଲେ। ସେମାନେ ମଞ୍ଚରେ ଅଭିନୟ କରୁଥିଲେ। ମୋର ମନେ ଅଛି ପିଲା ବେଳେ ବାପା ମୋତେ ପ୍ରତି ଦିନ ସକାଳେ କାନ୍ଧରେ ବସାଇ ଉସ୍ତାଦ ପାଖକୁ ନେଉଥିଲେ। ସେଠାରୁ ମୁଁ ତାଲିମ ନେଉଥିଲି। ୭ ବର୍ଷ ବୟସରେ ପ୍ରଥମ କରି ମଞ୍ଚରେ ନାଚିଲି। ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ହାସ୍ୟ ଅଭିନୟ କଲି। ମୋ’ ଅଭିନୟ ସମସ୍ତଙ୍କୁ ହସର ଖୋରାକ ଯୋଗାଇଥିଲା। ତା’ପରେ ବହୁ ନାଟକରେ ଅଭିନୟ କରିଥିଲି।

ପ୍ରଶ୍ନ: ଶିକ୍ଷକତା ଆପଣଙ୍କୁ ଆତ୍ମସନ୍ତୋଷ ଦେଇ ନ ଥିଲା। ଯାତ୍ରା କ’ଣ ଆତ୍ମସନ୍ତୋଷ ଦେଇପାରିଛି?

ଉତ୍ତର: ମଞ୍ଚରେ ଅଭିନୟ ମୋତେ ମାନସିକ ଶାନ୍ତି ଦେଇଛି। ମୁଁ ଜଣେ ଭଲ ଶିକ୍ଷକ ହୋଇଥିଲେ ବ୍ଲକ୍‌ କିମ୍ୱା ଜିଲ୍ଲାରେ ସୀମିତ ହୋଇ ରହିଥାନ୍ତି। କଳାକାର ହିସାବରେ ସମଗ୍ର ଓଡ଼ିଶାରେ ମୋର ବହୁ ପ୍ରଶଂସକ ଅଛନ୍ତି। କିଛି ନ ହେଲା ନାହିଁ ମୁଁ ମଲା ପରେ ସେମାନେ ନିଶ୍ଚିତ କହିବେ “ଆହା ଭଲ କଳାକାରଟା ଚାଲିଗଲା”। ତା’ଠାରୁ ଅଧିକ ଆଉ କ’ଣ ମୋର ଦରକାର। ଜୀବନର ସେତିକି ସମ୍ୱଳକୁ ସାଥୀରେ ନେଇ ଯିବି। ଯଦି ମୁଁ ଶିକ୍ଷକ ହୋଇଥାନ୍ତି ମୋତେ କ’ଣ ଏ ଆତ୍ମସନ୍ତୋଷ ମିଳିଥା’ନ୍ତା?

ପ୍ରଶ୍ନ: ପ୍ରଥମ ନାଟକର ଅଭିଜ୍ଞତା କେମିତି ଥିଲା?

ଉତ୍ତର: ଶିକ୍ଷକତା ଛାଡ଼ିବା ପରେ ମୁଁ ଜଗନ୍ନାଥ ଅପେରାରେ ଯୋଗ ଦେଇଥିଲି। ମୋର ପ୍ରଥମ ନାଟକ ଥିଲା “ଅଶ୍ରୁକଣିକା”। ସେଥିରେ ହାସ୍ୟ ଅଭିନୟ କରିଥିଲି। ସେଥିରୁ ମୋର ଆତ୍ମବିଶ୍ୱାସ ବଢ଼ିଥିଲା। ତା’ପରେ ବହୁ ପୌରାଣିକ ଓ ଐତିହାସିକ ନାଟକରେ ଅଭିନୟ କରିଥିଲି।

ପ୍ରଶ୍ନ: ଆପଣଙ୍କ ଶେଷ ନାଟକର ଅନୁଭୂତି କେମିତି ଥିଲା?

ଉତ୍ତର: “ବିଶ୍ୱଦରବାର”ରୁ ଅବସର ନେଇଛି। ସବୁ ଦିନ ପରି ସେ ରାତିରେ ମଞ୍ଚକୁ ଚଢ଼ି ଦର୍ଶକଙ୍କୁ ମତୁଆଲା କରିଥିଲି। ରାତି ତମାମ ଦର୍ଶକଙ୍କୁ ହସାଇଥିଲି। ମଞ୍ଚରେ ସେଇଟା ମୋର ଶେଷ ରାତି ବୋଲି କେବେ ଭାବି ନଥିଲି। ଏପରିକି ଯାତ୍ରା ପାର୍ଟି ମାଲିକ ଓ ସହ କଳାକାରମାନେ ମଧ୍ୟ ଜାଣି ନ ଥିଲେ। ଯାତ୍ରା ସରିଲା ପରେ ଘରକୁ ଆସିଲି। ପିଲାମାନେ ବାଧ୍ୟ କଲେ ବାବା ଆଉ ଯାଅନି। ସେମାନଙ୍କ କଥା କାଟି ପାରିଲିନି। ମଞ୍ଚକୁ ଯିବାକୁ ମନା କଲି।

ପ୍ରଶ୍ନ:“ପାର୍ବତୀ ଗଣନାଟ୍ୟ”ରେ ଆପଣଙ୍କ ଶୈଳୀରେ ଜଣେ ଅଭିନୟ କରୁଛନ୍ତି। ତାଙ୍କ ନାମ ସାନ ମଣି। ସେ ସମ୍ପର୍କରେ କ’ଣ କହିବେ?

ଉତ୍ତର: ସାନ ମଣିକୁ ମୁଁ ଚିହ୍ନିଛି। ସେ ମୋ’ ପାଖକୁ ଅଧିକାଂଶ ସମୟରେ ଆସେ। ଏବେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମୋ’ ପାଖକୁ ଆସି ପାରୁନି। ମୁଁ ତାକୁ ସବୁବେଳେ କହେ ଦୈନନ୍ଦିନ ଜୀବନରେ ମୋ’ ଶୈଳୀରେ କଥା ହେଲେ ମଞ୍ଚରେ ସଂଳାପ ଉଚ୍ଚାରଣ କଲାବେଳେ କିଛି ଅସୁବିଧା ହେବନି। ମଞ୍ଚରେ ଅଭିନୟ କଲାବେଳେ ଜିଭ ଆପେଆପେ ମୋ’ ଶୈଳୀରେ ବୋଲିଯିବ। ଏହାଛଡ଼ା ସଂଳାପ ଉଚ୍ଚାରଣ କଲା ବେଳେ କେଉଁଠି ସରକାରଙ୍କ ପ୍ରଚାର ଜିନିଷ ଲାଗିବ ଆଉ କେଉଁଠି ଚାଣକ୍ୟ ନୀତି ପ୍ରୟୋଗ କରାଯିବ ସେ ସମ୍ପର୍କରେ ତାକୁ କହିଥିଲି। ଏବେ ମଞ୍ଚରୁ ଅବସର ନେଲା ପରେ ଭାବୁଛି ତା’ ଆଖଡାକୁ ଯାଇ କିଛି ଟିପ୍ସ ଦେବି।

ପ୍ରଶ୍ନ: ଯାତ୍ରାରେ ଅଶ୍ଳୀଳତା ସମ୍ପର୍କରେ କ‘ଣ କହିବେ?

ଉତ୍ତର: ନାଟକରେ ଅଶ୍ଳୀଳତା ନଥାଏ। ଯଦି ଥିବ ରେକର୍ଡ ଡ୍ୟାନ୍ସରେ ଥାଇପାରେ! ତା’ଛଡ଼ା ଆଜିର ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ଯାତ୍ରା ଅନୁଷ୍ଠାନ ଡ୍ୟାନ୍ସକୁ ମାଧ୍ୟମ କରୁଛନ୍ତି। ଏଥିରେ ଭୁଲ ରହିଲା କେଉଁଠି? କିନ୍ତୁ ଏହି ଫର୍ମୁଲା ଏ-ଗ୍ରେଡ୍‌ ଯାତ୍ରା ପାର୍ଟି ଗୁଡ଼ିକ ଅପଣାଇ ନାହାନ୍ତି। କେତେକ ଅନୁଷ୍ଠାନ ଆପଣେଇଛନ୍ତି। ଏହାଛଡ଼ା ଛୋଟ ଡ୍ରେସ୍‌ ପିନ୍ଧିବା ଓ କୁଣ୍ଢେଇ ପକାଇବାକୁ କ’ଣ ଅଶ୍ଳୀଳତା ବୋଲି କୁହନ୍ତି? ସେମିତି ଭାବିବା ଭୁଲ।

ପ୍ରଶ୍ନ: ଆଜିର ଯୁବ ପିଢ଼ିର କଳାକାରଙ୍କୁ ଆପଣ କ’ଣ କହିବେ?

ଉତ୍ତର: ନୂଆ ପିଢ଼ିର କଳାକାରମାନେ ଶିଖିବା ମନୋବୃତ୍ତି ନେଇ ଆସୁନାହାନ୍ତି। ସେମାନଙ୍କ ଭିତରେ ଯେତିକି ଅଛି ସେତିକିରେ ସୀମିତ ରହିଛି। ମୋର ମନେ ଅଛି ଶିବାନୀ ଗଣନାଟ୍ୟରେ ଥିବା ବେଳେ ପ୍ରତିଦିନ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ କଳାକାରଙ୍କୁ ତାଲିମ ଦିଆଯାଉଥିଲା। ସଂଳାପ କେମିତି ଉଚ୍ଚାରଣ କରିବେ ଓ ଅଭିନୟ କେମିତି କରିବେ ସେ ନେଇ କଳାକାରଙ୍କୁ ତାଲିମ ଦିଆଯାଉଥିଲା।

ପ୍ରଶ୍ନ: ଯାତ୍ରାର ଅବସର ନେବା ପରେ ସମୟ କେମିତି କାଟୁଛନ୍ତି?

ଉତ୍ତର: ଯାତ୍ରା ପାର୍ଟି ଛାଡିବା ପରେ ୧୦ରୁ ୧୫ ଦିନ ମୋତେ ଅସୁବିଧା ହେଲା। ତା’ପରେ ସବୁ ଠିକ୍‌ ହୋଇଗଲା। ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଖବର କାଗଜର ପ୍ରତିଟି ପୃଷ୍ଠା ପଢ଼େ। ତା’ପରେ ଖାଇ ଯେଉଁଠି ଯିବା କଥା ଯାଏ।

Previous ArticleNext Article

1 Comment

Leave a Reply

Your email address will not be published. Required fields are marked *