ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଶନ ଓଡ଼ିଶା: ୩ ବର୍ଷରେ ଓଡ଼ିଶା ମାଟିରେ ୫ଥର

modi-2

ଭୁବନେଶ୍ୱର:ଓଡ଼ିଶାକୁ ଦୁଇଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫେରିଯାଇଛନ୍ତି। ଭୁବନେଶ୍ୱରର ଜନତାମଇଦାନରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ସେ ଫେରିଯାଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ   ଓଡ଼ିଶାକୁ ଆସିବାର ଏହା ହେଉଛି ତାଙ୍କର ପଞ୍ଚମ ଗସ୍ତ। ୨୦୧୪ ନିର୍ବାଚନରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଥିଲା। ଏହାରି ମଧ୍ୟରେ ୩ ବର୍ଷ ବିତିଗଲାଣି। ଆଉ ଏହି ୩ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୩ ଥର ଆସିଲେଣି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମେ ୨୦୧୫ ଏପ୍ରିଲ ୧୫ରେ ରାଉରକେଲା ଆସିଥିଲେ। କାର୍ଯ୍ୟକ୍ରମ ଥିଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଆଧୁନିକୀକରଣର ଉଦ୍‌ଘାଟନୀ ଉତ୍ସବ। ପରେ ସେ ପାରାଦୀପକୁ  ୨୦୧୬ ଫେବୃୟାରୀ ୭ ତାରିଖରେ ଆସିଥିଲେ। ଅବସର ଥିଲା ଇଣ୍ଡିଆନ ଅଏଲ ରିଫାଇନାରିର ଉଦ୍‌ଘାଟନୀ କାର୍ଯ୍ୟକ୍ରମ। ପୁଣି  ସେହି ଫେବୃୟାରୀ ୨୧ରେ ବରଗଡ଼ରେ କୃଷକ ରାଲିରେ ଯୋଗ ଦେଇଥିଲେ ମୋଦି। ଏହା ପରେ ମୋଦି ବାଲେଶ୍ୱର ଆସିଥିଲେ। ୨୦୧୬ ଜୁନ୍‌ ୨ରେ ବାଲେଶ୍ୱରକୁ ଆସିଥିବା ମୋଦି ବିଜେପିର ବିକାଶ ଉତ୍ସବରେ ଯୋଗଦେଇଥିଲେ।

ମୋଦିଙ୍କ ଓଡ଼ିଆ ଭାଷଣର ଝଲକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ଥର ଓଡ଼ିଶା ଆସିଛନ୍ତି ତାଙ୍କର ଓଡ଼ିଆରେ ଭାଷଣ ବେଶ ଚର୍ଚ୍ଚାରେ   ଥାଏ।   ଆକର୍ଷଣୀୟ ବକ୍ତବ୍ୟ ଦେଇ ଲୋକଙ୍କୁ ବାନ୍ଧି ରଖିବାର କଳା ତାଙ୍କୁ ବେଶ ଜଣା। ସିଏ ଭାଷଣ ଦେବା କ୍ଷଣି କରତାଳିରେ ବର୍ଷିଯାଏ।  ତେବେ ଓଡ଼ିଶା ଆସିଥିବା ବେଳେ କ’ଣ ଥିଲା ତାଙ୍କ ଓଡ଼ିଆର ବକ୍ତବ୍ୟ ଆସନ୍ତୁ ଜାଣିବା। ରାଉରକେଲା ଯୋଗଦେବା ଅବସରରେ ସେ  ଜୟ ଜଗନ୍ନାଥର ନାରା ଦେଇଥିଲେ। ସେହିପରି  “ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ପ୍ରିୟ ଭାଇଭଉଣୀ ମାନଙ୍କୁ ମୋର ନମସ୍କାର। ଆଜି ପବିତ୍ର ଉତ୍କଳ ଦିବସ  ଓଡ଼ିଶାର ପ୍ରତିଷ୍ଠା ଦିବସ, ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଅବସରରେ ମୋର ଅଭିନନ୍ଦନ” ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି  ବରଗଡ଼ରେ ଜୟ ଜଗନ୍ନାଥ.. ମା’ ସମଲେଇଙ୍କୁ ମୋର ଜୁହାର, ଆପଣମାନଙ୍କୁ ବି ମୋର ଜୁହାର କହି ସମ୍ବୋଧନ କରିଥିଲେ। ବାଲେଶ୍ୱରରେ  “ଓଡ଼ିଶାର ପ୍ରିୟ ଭାଈ ଭଉଣୀମାନଙ୍କୁ ମୋର ନମସ୍କାର” ବୋଲି ସମ୍ବୋଧନ କରିଥିଲେ। ସେହିପରି ପାରାଦୀପରେ “ଓଡ଼ିଶାର ପ୍ରିୟ ଭାଈ ଭଉଣୀମାନଙ୍କୁ ମୋର ନମସ୍କାର, ସୂର୍ଯ୍ୟମନ୍ଦିର ଅର୍କକ୍ଷେତ୍ର ମାଟିକୁ ମୋର ପ୍ରଣାମ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ କହି ଉଦ୍‌ବୋଧନ ଦେଇଥିଲେ। ହେଲେ ଶନିବାର ଓ ରବିବାର ଭୁବନେଶ୍ୱର ଜନତା ମଇଦାନରେ  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମୋଦି ଯୋଗ ଦେଇ ଥିଲେ ମଧ୍ୟ ସର୍ବସାଧାରଣଙ୍କୁ ଉଦ୍‌ବୋଧନ ଦେବାର ଅବସର ନ ଥିଲା।

Previous ArticleNext Article

Send this to a friend