ଲାଜକୁଳି ଲତାରୁ ନୋବେଲ ପୁରସ୍କାର: ଆପଣଙ୍କୁ ନିୟନ୍ତ୍ରଣ କରୁଥିବା ଏକ ଅଦୃଶ୍ୟ ଘଡ଼ିର କାହାଣୀ

ମେଡିସିନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇବାକୁ  ଯୋଗ୍ୟ ବିବେଚିତ ହୋଇଛନ୍ତି ଆମେରିକାର ତିନିଜଣ ବୈଜ୍ଞାନିକ ଜେଫ୍ରେ ସି. ହାଲ୍, ମାଇକେଲ୍ ରୋସବାଶ୍ ଏବଂ ମାଇକେଲ୍ ଡବ୍ଲୁ. ୟଙ୍ଗ୍। ପ୍ରତ୍ୟେକ ଜୀବ ଶରୀରରେ କାର୍ଯ୍ୟ କରୁଥିବା ବାୟୋଲଜିକାଲ କ୍ଲକ୍ ବା ଜୈବିକ ଘଡ଼ି ସମ୍ପର୍କରେ ଉଲ୍ଲେଖନୀୟ ଗବେଷଣା ପାଇଁ ଏହି 3ଜଣ ବିଶେଷଜ୍ଞଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପୃଥିବୀର ଆବର୍ତ୍ତନ ସହ ଖାପଖୁଆଇ ପ୍ରତ୍ୟେକ ଉଦ୍ଭିଦ, ପ୍ରାଣୀ ଏପରିକି ମନୁଷ୍ୟ ମଧ୍ୟ କିପରି ନିଜର ଆଭ୍ୟନ୍ତରୀଣ ଜୈବିକ ଲୟ( ବାୟୋଲଜିକାଲ୍ ରିଦମ୍)କୁ ଗ୍ରହଣ କରିଥାନ୍ତି, ତା ଉପରେ ସେମାନଙ୍କ ଗବେଷଣା ଆଧାରିତ।

ବାୟୋଲଜିକାଲ୍ କ୍ଲକ୍ ବା ଜୈବିକ ଘଡ଼ି କ’ଣ? ସକାଳ ୬ଟାରେ ନିଦରୁ ଉଠିବା, ୧୦ ଟାରେ ସ୍କୁଲ କିମ୍ବା ଅଫିସ ଯିବା, ୪ଟା କିମ୍ବା 6ଟାରେ ସେଠାରୁ ଫେରିବା, ଏସବୁ ଦୈନନ୍ଦିନ କାର୍ଯ୍ୟ ଆମେ ସାଧାରଣ ଘଣ୍ଟାରେ ସମୟ ଦେଖି କରିଥାଉ। ଠିକ୍ ସେହିପରି ପ୍ରତ୍ୟେକ ଉଦ୍ଭିଦ, ପ୍ରାଣୀ ଏପରିକି ମନୁଷ୍ୟ ଶରୀର ମଧ୍ୟରେ ଏକ ଘଡ଼ି କାର୍ଯ୍ୟ କରୁଥାଏ। ଏହା ଆମର ନିଦ୍ରା, ଶରୀର ତାପମାତ୍ରା, ହରମୋନ ସ୍ତର ଓ ଶରୀର ମଧ୍ୟରେ ଚାଲୁଥିବା ରାସାୟନିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଏହାର ଏକ ଉଦାହରଣ ହେଉଛି, ଆମକୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ଭୋକ ଲାଗେ ଓ ରାତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ନିଦ ମଧ୍ୟ ଲାଗେ। ଘଣ୍ଟାରେ ସମୟ ନଦେଖିଥିଲେ ମଧ୍ୟ ସେହି ସମୟରେ ଆମେ ଭୋକ ଓ ନିଦକୁ ଅନୁଭବ କରିପାରୁ। ଏହା ଆମ ଶରୀରରେ କାର୍ଯ୍ୟ କରୁଥିବା ବାୟୋଲଜିକାଲ କ୍ଲକ୍  ଯୋଗୁଁ ସମ୍ଭବ ହୋଇଥାଏ।

ବାୟୋଲଜିକାଲ କ୍ଲକର ଆବିଷ୍କାର ଓ ଇତିହାସ: ୧୮ଶ ଶତାବ୍ଦୀରେ ମହାକାଶବିଜ୍ଞାନୀ ଡେ ମାଇରାନ୍ ପ୍ରଥମେ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିଲେ । ଲାଜକୁଳି ଲତାକୁ ନିଜ ପ୍ରୟୋଗଶାଳାରେ ରଖି ସେ ଲକ୍ଷ୍ୟ କଲେ ଯେ, ଦିନରେ ଲାଜକୁଳି ଲତାର ପତ୍ର ଖୋଲା ହୋଇ ରହୁଛି ଏବଂ ସନ୍ଧ୍ୟା ହେଲେ ତାହା ଆପେଆପେ ମୁଦି ହୋଇଯାଉଛି । ଏହାପରେ ସେ ଲାଜକୁଳି ଲତା ଲାଗିଥିବା କୁଣ୍ଡକୁ ସମ୍ପୂର୍ଣ୍ଣ ଅନ୍ଧାରରେ କିଛି ଦିନ ପାଇଁ ରଖିଲେ । ଲକ୍ଷ୍ୟ କଲେ ଯେ, ଏହା ସମ୍ପୂର୍ଣ୍ଣ ଅନ୍ଧାରରେ ରହିଲେ ମଧ୍ୟ ସକାଳ ସମୟରେ ଏହାର ପତ୍ର ପୂର୍ବଭଳି ଖୋଲିଯାଉଛି ଏବଂ ସନ୍ଧ୍ୟା ହେଲେ ପୁଣି ବନ୍ଦ ହୋଇଯାଉଛି । ସେଠାରେ ଆଲୋକର କୌଣସି ପରିବର୍ତ୍ତନ ହେଉନଥିଲେ ମଧ୍ୟ ଲାଜକୁଳି ଲତାର ଏଭଳି ଲକ୍ଷଣ ତାଙ୍କୁ ଆଶ୍ଚର୍ଯ୍ୟଚକିତ କଲା । ସେ ଗବେଷଣାରୁ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଜୀବ ମାନଙ୍କ ଶରୀରରେ ମଧ୍ୟ ଏକ ଆଭ୍ୟନ୍ତରୀଣ ଘଡ଼ି କାର୍ଯ୍ୟ କରୁଛି, ଯାହାକି ତାହାର କେତେକ ଦୈନନ୍ଦିନ ଗତିବିଧି, ପ୍ରକ୍ରିୟା ଓ ପରିବର୍ତ୍ତନକୁ ନିୟନ୍ତ୍ରଣ କରିଥାଏ । ଏହାପରେ ୧୯୭୦ ମସିହାରେ ଜଣେ ଛାତ୍ର  ସିମୋର୍ ବେଞ୍ଜେର୍ ଏହି ଜୈବିକ ଘଡ଼ି ଉପରେ ଗବେଷଣା କରି ଏହାକୁ ନିୟନ୍ତ୍ରଣ କରୁଥିବା ଜିନ୍ ବା ଗୁଣସୂତ୍ରର ନାମ ‘ପିରିୟଡ୍’ ରଖିଲେ । ସେ ଫ୍ରୁଟ୍ ଫ୍ଲାଏ ବା ଫଳମାଛି ଉପରେ ଏହି ଗବେଷଣା କରିଥିଲେ। କାରଣ କୌଣସି ଅଜ୍ଞାତ କାରଣରୁ ଫଳମାଛିର ପିରିୟଡ୍ ଜିନ୍ ରେ ମ୍ୟୁଟେସନ୍ ହୋଇ ଏହା ନଷ୍କ୍ରିୟ ହୋଇଯାଇଛି। ଫଳରେ ଫଳମାଛି ଶରୀରରେ ଜୈବିକ ଘଡ଼ି କାର୍ଯ୍ୟ କରେନାହିଁ।

ତିନିଜଣ ନୋବେଲ୍ ବିଜେତାଙ୍କ ଗବେଷଣା: ଚଳିତ ବର୍ଷର ନୋବେଲ୍ ବିଜୟୀ ବୈଜ୍ଞାନିକ ଜେଫ୍ରେ ସି. ହାଲ୍, ମାଇକେଲ୍ ରୋସବାଶ୍ ଏବଂ ମାଇକେଲ୍ ଡବ୍ଲୁ. ୟଙ୍ଗ୍ ମଧ୍ୟ ଫଳମାଛି ବା ଫ୍ରୁଟ୍ ଫ୍ଲାଏ ଉପରେ ଗବେଷଣା କରୁଥିଲେ । ପିରିୟଡ୍ ଜିନ୍ ବାୟୋଲଜିକାଲ କ୍ଲକ୍ କୁ ନିୟନ୍ତ୍ରଣ କରୁଥିବା ପୂର୍ବରୁ ଜଣାଥିଲେ ମଧ୍ୟ ଏହା ପ୍ରକୃତିରେ କିପରି ଓ କେଉଁ ପ୍ରକ୍ରିୟାରେ କାର୍ଯ୍ୟ କରିଥାଏ ତାହା ଜଣାନଥିଲା । ଆଉ ଏହାହିଁ ଥିଲେ ଏହି ତିନି ବୈଜ୍ଞାନିକଙ୍କ ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ । ଏମାନେ ଫଳମାଛିର କୋଷିକାରୁ ପିରିୟଡ୍ ଜିନକୁ ଅଲଗା କରିବାରେ ସଫଳ ହେଲେ । ଏଥିସହ ସେମାନେ ଆବିଷ୍କାର କଲେ ଯେ, ପିରିୟଡ୍ ଜିନ୍ ତିଆରି କରୁଥିବା ପିଇଆର୍ (PER) ନାମକ ଏକ ପ୍ରୋଟିନ୍ ରାତିବେଳା ଏକତ୍ର ହେଉଛି ଏବଂ ଦିନରେ ତାହା ଭାଙ୍ଗିଯାଉଛି । ତେଣୁ ଏହି ପିଇଆର୍ ପ୍ରୋଟିନ ସ୍ତର ଦିନର ୨୪ ଘଣ୍ଟା ହିସାବରେ ଆପେଆପେ ବୃଦ୍ଧିପାଏ ଓ ହ୍ରାସ ହେଉଥାଏ, ଫଳରେ ସେହି ଅନୁସାରେ ଆମର ଜୈବିକ ଘଡ଼ି କାର୍ଯ୍ୟ କରେ। ଏଥିସହ ସେମାନେ ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଥିବା ଟାଇମଲେସ୍ (timeless) ଓ ଡବଲ୍ ଟାଇମ୍ ଜିନ୍ ଏବଂ TIM ଓ DBT ପ୍ରୋଟିନ୍ ମଧ୍ୟ ଆବିଷ୍କାର କରିଛନ୍ତି।

ନୋବେଲ ବିଜେତାଙ୍କ ଗବେଷଣାରୁ ସମ୍ଭାବନା: ଏହି ଗବେଷଣାକୁ ମଣିଷ କ୍ଷେତ୍ରରେ ଉପଯୋଗ କରି ବିଭିନ୍ନ ଅଲଜାଇମର୍ସ, ଡିପ୍ରେସନ୍ ବା ଅବସାଦ, ନିଦ୍ରାହୀନତା, ADHD, ହୃଦରୋଗ, ମୋଟାପଣ ଓ ଡାଇବେଟିସ ଭଳି ସ୍ୱାସ୍ଥ୍ୟ ସମସ୍ୟା ଏବଂ ଶାରିରୀକ ତଥା ମାନସିକ ଅସଂଗତି, ଭିନ୍ନ ଭିନ୍ନ ଟାଇମଜୋନକୁ ଭ୍ରମଣ କରୁଥିବା ଯାତ୍ରୀଙ୍କ ସମସ୍ୟାର ସମାଧାନ ଆଦି ସମ୍ଭବ ହେବ ବୋଲି ଆଶାକରାଯାଉଛି। ସେହିପରି ଉଦ୍ଭିଦ କ୍ଷେତ୍ରରେ ଏହାର ଉପଯୋଗ କରି ଫସଲର ଉତ୍ପାଦନ ବୃଦ୍ଧି ମଧ୍ୟ କରାଯାଇପାରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଫୋନ୍‌ ନଂ-୮୮୯୫୯୫୬୫୦୬

Previous ArticleNext Article

Send this to a friend