ନୂଆ ବର୍ଷରେ ଓଡ଼ିଶାର ସ୍ୱପ୍ନ

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ବିଦାୟ ନେଇଛି ଘଟଣାବହୁଳ ୨୦୧୬। ଆଜିଠୁ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୧୭। ନୂଆ ବର୍ଷରେ ଅନେକେ ଶପଥ ନିଅନ୍ତି ଏୟା କରିବେ, ସେୟା କରିବେନି। ଆପଣମାନଙ୍କ ମଧ୍ୟରୁ କେହି କେହି ଏଥର ସେହିପରି କିଛି ଶପଥ ନେଇଥିବେ! ତେବେ କେବଳ ନିଜ ପାଇଁ ସଂକଳ୍ପ ନେଲେ ହେବ ନାହିଁ, ରାଜ୍ୟ ପାଇଁ ବି ସଂକଳ୍ପ ନେବାକୁ ପଡ଼ିବ। କେହି କେହି କହିପାରନ୍ତି ସେଥିପାଇଁ ତ ସରକାର ଅଛନ୍ତି। କିନ୍ତୁ ରାଜ୍ୟର ଉନ୍ନତି […]

odishamap

odishamap

Rakesh Mallick
  • Published: Sunday, 01 January 2017
  • Updated: 29 January 2017, 08:09 PM IST

Sports

Latest News

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ବିଦାୟ ନେଇଛି ଘଟଣାବହୁଳ ୨୦୧୬। ଆଜିଠୁ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୧୭। ନୂଆ ବର୍ଷରେ ଅନେକେ ଶପଥ ନିଅନ୍ତି ଏୟା କରିବେ, ସେୟା କରିବେନି। ଆପଣମାନଙ୍କ ମଧ୍ୟରୁ କେହି କେହି ଏଥର ସେହିପରି କିଛି ଶପଥ ନେଇଥିବେ! ତେବେ କେବଳ ନିଜ ପାଇଁ ସଂକଳ୍ପ ନେଲେ ହେବ ନାହିଁ, ରାଜ୍ୟ ପାଇଁ ବି ସଂକଳ୍ପ ନେବାକୁ ପଡ଼ିବ। କେହି କେହି କହିପାରନ୍ତି ସେଥିପାଇଁ ତ ସରକାର ଅଛନ୍ତି। କିନ୍ତୁ ରାଜ୍ୟର ଉନ୍ନତି ପାଇଁ କ’ଣ କେବଳ ସରକାର କାର୍ଯ୍ୟ କରିବେ, ଅନ୍ୟମାନେ ନୁହେଁ? ଚଳିତ ବର୍ଷ ସରକାର, ବିରୋଧୀ ଦଳ, ବିଭିନ୍ନ ସଂଗଠନ ଓ ଜନସାଧାରଣ ମିଶି ରାଜ୍ୟକୁ ଏକ ଭିନ୍ନ ପରିଚିତି ଦେବାକୁ ଦୃଢ଼ ପ୍ରତିଜ୍ଞା ନେବା ଆବଶ୍ୟକ। ତେବେ ହଁ, ସରକାରଙ୍କ ଦାୟିତ୍ୱ ଅନ୍ୟମାନଙ୍କଠାରୁ ଅଧିକ। ଗତବର୍ଷ ଏମିତି କିଛି ଘଟଣା ଘଟି ଯାଇଛି ଯେଉଁଗୁଡ଼ିକର ପୁନରାବୃତ୍ତି ଯେପରି ନ ଘଟେ ସେଥିପ୍ରତି ସରକାରଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ।

ଉପକୂଳ ଜିଲ୍ଲା ଯାଜପୁରର ନଗଡ଼ାରେ ଆଦିବାସୀ ଶିଶୁଙ୍କ ମୃତ୍ୟୁ ଗତବର୍ଷ ଚର୍ଚ୍ଚାର ବିଷୟ ହୋଇଥିଲା। ଅପପୁଷ୍ଟି ଯୋଗୁଁ ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏ ଗାଁଟିକୁ ଯୋଗାଯୋଗ ବୋଲି କିଛି ନ ଥିଲା। ଅପପୁଷ୍ଟିରେ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ପରେ ଏବେ ସେ ଗାଁର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଯେପରି ରାଜ୍ୟର ଜଣେ ବି ଶିଶୁ ଅପପୁଷ୍ଟି ଯୋଗୁଁ ପ୍ରାଣ ନ ହରାନ୍ତି ସେ ନେଇ ସରକାର ଯତ୍ନବାନ ହେବା ଜରୁରୀ। ସେହିଭଳି ରାଜ୍ୟର ସବୁ ଗାଁକୁ ଭଲ ରାସ୍ତା କରିବା ପାଇଁ  ସରକାର ସଂକଳ୍ପ ନେବା ଦରକାର। ରାସ୍ତା ନ ଥିବା ଗାଁଗୁଡ଼ିକୁ ଚିହ୍ନଟ କରି ବର୍ଷ ଶେଷ ସୁଦ୍ଧା କେତେ ଅଧିକ ଗାଁକୁ ରାସ୍ତା ହୋଇପାରିବ ସେ ନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଦରକାର।

ନଗଡ଼ା ଭଳି ଚର୍ଚ୍ଚାର ବିଷୟ ହୋଇଥିଲା କନ୍ଧମାଳ ଜିଲ୍ଲା ଗୁମୁଡ଼ୁମାହା ଗୁଳିକାଣ୍ଡ। ଏଥିରେ ପୋଲିସ୍‌ ଗୁଳିରେ ୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ନକ୍ସଲ ଭାବି ପୋଲିସ୍ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲା ବୋଲି କୁହାଯାଉଛି। ଏ ଘଟଣାର ତଦନ୍ତ ଚାଲିଛି। ସରକାର ଓ ପୋଲିସ୍ ନକ୍ସଲ ବିରୋଧୀ ଅଭିଯାନ ଜାରି ରଖନ୍ତୁ ଓ ଏଥିରେ ଅଧିକରୁ ଅଧିକ ସଫଳ ହୁଅନ୍ତୁ। କିନ୍ତୁ ମାଓ ଅପରେସନ୍‌ ନାଁରେ ନିରୀହ ଲୋକଙ୍କ ଜୀବନ ଯେପରି ନଯାଉ ସେନେଇ ସୁରକ୍ଷାକର୍ମୀ ଅଧିକ ଦାୟିତ୍ୱବାନ ହୁଅନ୍ତୁ।

ନଗଡ଼ା ଓ ଗୁମୁଡ଼ୁମାହାଠୁ ଟପି ଯାଇଥିଲା ଦାନ ମାଝୀ ଘଟଣା। କଳାହାଣ୍ଡି ଜିଲ୍ଲାର ଦାନ ମାଝୀ ତାଙ୍କ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେବା ଘଟଣା କେବଳ ରାଜ୍ୟ କି ଦେଶ ନୁହେଁ ବିଦେଶରେ ଚହଳ ପକାଇ ଦେଇଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିଲା। ଏ ଘଟଣା ପରେ ଶବକୁ ସମ୍ମାନର ସହିତ ଡାକ୍ତରଖାନାରୁ ସ୍ଥାନାନ୍ତର ହୋଇପାରିବ ସେନେଇ ସରକାର ବ୍ୟବସ୍ଥା କରିଛନ୍ତି। ଏହା କିପରି ଅକ୍ଷରେ ଅକ୍ଷରେ ପାଳନ କରାଯିବ ତା’ର ଦାୟିତ୍ୱ ସରକାରଙ୍କ ସମେତ ଅନ୍ୟ ସମସ୍ତଙ୍କର ମଧ୍ୟ।

କିଛି କମ୍ ଚର୍ଚ୍ଚାରେ ନ ଥିଲା ନୀଳାଦ୍ରି ବିଜେ ବିଶୃଙ୍ଖଳା। ପ୍ରଶାସନର ବାରଣ ସତ୍ତ୍ୱେ କିଛି ନିର୍ଦ୍ଦିଷ୍ଟ ସେବାୟତ ସେମାନଙ୍କ ପରିବାର ସଦସ୍ୟଙ୍କୁ ରଥ ଉପରକୁ ଚଢ଼ାଇ ଥିଲେ। ଏପରିକି ଏହାକୁ ନେଇ ପୁରୀ ଜିଲ୍ଲାପାଳ ଓ ସେବାୟତଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା। ବାହାରେ ଜଗନ୍ନାଥଙ୍କୁ ନେଇ ଓଡ଼ିଶାର ଏକ ଭିନ୍ନ ଛବି ଓ ଆଦର ରହିଛି। କିନ୍ତୁ ରଥଯାତ୍ରା ବେଳେ ବାରମ୍ବାର ଏଭଳି କିଛି ଘଟଣା କ’ଣ ରାଜ୍ୟର ଛବିକୁ ଖରାପ କରୁନି? ଏଥିପାଇଁ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଦରକାର। ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା ସେବାୟତ ଓ ଭକ୍ତଙ୍କ ସଂକଳ୍ପ ହେବା ଉଚିତ।

ପ୍ରାୟ ଦୁଇ ମାସ ଧରି ମାଲକାନଗିରି ଜିଲ୍ଲାରେ ଆତଙ୍କ ଚଲାଇଥିଲା ଜାପାନୀଜ୍ ଏନ୍‌ସେଫାଲାଇଟିସ୍। ଏଥିରେ ୧୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଜାପାନୀଜ୍ ଏନ୍‌ସେଫାଲାଇଟିସ୍‌ର ସଂକ୍ରମଣ ସମୟ ଶେଷ ହୋଇଯିବା ପରେ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ଜିଲ୍ଲାରେ ଥିବା ସମସ୍ତ ଶିଶୁଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି। କିନ୍ତୁ ଚଳିତ ବର୍ଷ ଯେପରି ଏହି ରୋଗ ଅନ୍ୟ କୌଣସି ସ୍ଥାନରେ ନ ହୁଏ ସେଥିପାଇଁ ବିହିତ ପଦକ୍ଷେପ ଆଗୁଆ ନିଆଯିବା ଉଚିତ।

ଡେଙ୍ଗୁ ମଧ୍ୟ ଗତବର୍ଷ ଆତଙ୍କ ସୃଷ୍ଟି କରିଥିଲା। ବିଶେଷ କରି କେନ୍ଦୁଝର ଓ କଟକରେ ଅଧିକ ଥିଲା ଏହାର କାୟା। ଏଣୁ ବର୍ଷ ପ୍ରାରମ୍ଭରୁ ଡେଙ୍ଗୁ ବ୍ୟାପୁଥିବା ଅଞ୍ଚଳଗୁଡ଼ିକରେ ଆଗୁଆ ବ୍ୟବସ୍ଥା ଗ୍ରହଣ କରାଯାଉ। ଡେଙ୍ଗୁ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉ।

୨୦୧୬ର ଅନ୍ୟ ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ଥିଲା ବସ୍ ଦୁର୍ଘଟଣା। ଅନୁଗୋଳ ଜିଲ୍ଲା ପୁରୁଣା ମାଣତ୍ରୀ ନିକଟରେ ଏକ ବସ୍ ପୋଲ ତଳକୁ ଖସି ପଡ଼ିବାରୁ ୧୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଡ୍ରାଇଭର ମୋବାଇଲ୍‌ ଫୋନ୍‌ରେ କଥା ହୋଇ ହୋଇ ଗାଡ଼ି ଚଳାଇଲେ ପରିଣତି ଯେ କେତେ ଭୟଙ୍କର ହୁଏ ତାହା ଏହି ଦୁର୍ଘଟଣାରୁ ଜଣାପଡ଼ିଥିଲା। ଏହା ପରେ ଅନୁଗୋଳରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲେ। ଆହୁରି ଅନେକ ସ୍ଥାନରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଯାତ୍ରୀ ହତାହତ ହୋଇଛନ୍ତି। ତେବେ ମାଣତ୍ରୀ ଦୁର୍ଘଟଣା ପରେ ଅନେକ ପଦକ୍ଷେପ ନିଆଯାଇଛି। ସେଗୁଡ଼ିକର ଅନୁପାଳନ ଯେପରି ଶତପ୍ରତିଶତ ହୁଏ ସେନେଇ ସରକାର ନିଘା ରଖିବା ସହିତ ବସ୍ ମାଲିକ ସଂଘ ବି ତୀକ୍ଷ୍ଣ ନଜର ରଖିବା ଜରୁରୀ। ଗାଡ଼ି ଚଲାଉଥିବା ବେଳେ ମୋବାଇଲ୍‌ରେ ଗପୁ ଥିବା ଡ୍ରାଇଭରଙ୍କୁ ଯାତ୍ରୀ ବାରଣ କରନ୍ତୁ ଓ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାନ୍ତୁ।

ସମ୍ ହସ୍‌ପିଟାଲ୍ ଅଗ୍ନିକାଣ୍ଡରେ ଚାଲିଗଲା ଅନେକ ରୋଗୀଙ୍କ ଜୀବନ। ହସ୍‌ପିଟାଲ୍‌ଗୁଡ଼ିକରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଯାଞ୍ଚ ନେଇ ସରକାରଙ୍କୁ ଏହା ଅଧିକ ଦାୟିତ୍ୱବାନ ହେବାକୁ ଆହ୍ୱାନ ଦେଇଥିବ ନିଶ୍ଚୟ।

ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରି ପୋଲିସ୍ ବାହାବାହା ଗୋଟାଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ସଭାରେ କଳା ଓଢ଼ଣି କାଢ଼ି ସମାଲୋଚନାର ପାତ୍ର ବି ହୋଇଥିଲା। ଏଥିପାଇଁ ବିଧାନସଭାରେ ସରକାରଙ୍କୁ ଘେରି ଥିଲେ ବିରୋଧୀ। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଏହାର ଯେପରି ପୁନରାବୃତ୍ତି ନ ହୁଏ ସେନେଇ ଗୃହ ସଚିବ ଓ ଡିଜିପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଳରେ ଆଶା କରାଯାଉଛି ପୋଲିସ୍ ଚଳିତ ବର୍ଷ ଏମିତି କିଛି କାର୍ଯ୍ୟ କରିବ ନାହିଁ।

ମହାନଦୀ ଜଳକୁ ନେଇ ଛତିଶଗଡ଼ ସହିତ ଆମ ରାଜ୍ୟର ବିବାଦ ଥିଲା ୨୦୧୬ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏ ବିବାଦ ଏଯାଏଁ ତୁଟିନି। ଆଶା କରାଯାଉ ଏବର୍ଷ ଏହି ବିବାଦ ତୁଟିବ ଓ ଓଡ଼ିଶା ତା’ ହକ୍‌ରୁ ବଞ୍ଚିତ ହେବ ନାହିଁ। ସରକାର ଏ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟକୁ ଯାଇଛନ୍ତି। ଗତବର୍ଷ ଏ ପ୍ରସଙ୍ଗରେ ସରକାର ଓ ବିରୋଧୀ ଏକାଠି ହୋଇପାରିଲେନି। ଆଶା କରାଯାଉ ଏ ବର୍ଷ ଏକାଠୁ ହୁଅନ୍ତୁ।

ଗତବର୍ଷ ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ’ କରି ରାଜ୍ୟ ସରକାର ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲେ। ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଏଥିରୁ ପ୍ରତିଶ୍ରୁତି ମିଳିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଚଳିତ ବର୍ଷ ଏତିକି ପରିମାଣର ପୁଞ୍ଜିନିବେଶ ହେଲା ଓ ଏତିକି ସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ପାଇଲେ ବୋଲି ଆମେ ସରକାରଙ୍କଠାରୁ ଶୁଣିବାକୁ ଆଶା ରଖୁଛୁ। ସେ ସଂଖ୍ୟାର ଆକାର ଏମିତି ହେବା ଦରକାର ଯେମିତି ଶୁଣିଲା ବେଳକୁ ଆଖି ବଡ଼ ବଡ଼ ହୋଇଯିବ!

ହଁ, ଗତ ବର୍ଷ ଆଉ ଗୋଟିଏ ଖବର ଆପଣ ବରାବର ଖବରକାଗଜଗୁଡ଼ିକରେ ପଢୁଥିବେ। ‘ଭାଷା ଆନ୍ଦୋଳନ’ ପକ୍ଷରୁ ପ୍ରତିଦିନ କଳାପତାକା ପଟୁଆର ବାହାରୁଛି। ଏ ଲଢ଼େଇ ଓଡ଼ିଆ ଭାଷା ପାଇଁ। ଆମ ମାତୃଭାଷା ଓଡ଼ିଆ। କିନ୍ତୁ ଦୁଃଖର ବିଷୟ ଏହା ପାଇଁ ଆମକୁ ଲଢ଼େଇ କରିବାକୁ ପଢୁଛି। ଆଶା କରାଯାଉ ଏ ବର୍ଷରୁ ଓଡ଼ିଶାରେ ଓଡ଼ିଆ ଭାଷାର ସଂପୂର୍ଣ୍ଣ ବ୍ୟବହାର ହେଉ।

ଗତବର୍ଷ ଚାଷୀମାନେ ବି ବରାବର ଖବରରେ ରହିଥିଲେ। ପ୍ରାଇସ୍, ପ୍ରେସ୍‌ଟିଜ୍ ଓ ପେନ୍‌ସନ୍ ପାଇଁ ସେମାନଙ୍କ ଆନ୍ଦୋଳନ ଚାଲିଛି। ଆଶା କରିବା ଏବର୍ଷ ଚାଷୀଙ୍କ ସମସ୍ୟା ଦୂର ହେବ। ବର୍ଷା ବି ଭଲ ହେବ ଓ ଚାଷ ବି ଭଲ ହେବ। କାରଣ ଚାଷୀ ବଞ୍ଚିଲେ ଆମେ ବଞ୍ଚିବା।

ଚଳିତ ବର୍ଷ ଓଡ଼ିଶା ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଏଥର ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ। ଦେଶରେ ନିର୍ବାଚନ ପ୍ରସଙ୍ଗରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିବା ପାଇଁ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କ ସହିତ ବିଭିନ୍ନ ଦଳଙ୍କ ନିକଟରେ ରହିଛି ଭଲ ସୁଯୋଗ। ପଚାରିବେ କେମିତି? ପ୍ରାର୍ଥୀ ଟଙ୍କା ବାଣ୍ଟିବେନି କି ଭୋଟର ଟଙ୍କା ନେବେନି। କ’ଣ ଭାବୁଛନ୍ତି ଓଡ଼ିଶାର ଭାବମୂର୍ତ୍ତି କେମିତି ହେବ? ଆଉ ଗୋଟେ କଥା। ସମସ୍ତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଭୋଟ୍ ଗ୍ରହଣ କେନ୍ଦ୍ରକୁ ନିଶ୍ଚିତ ଯାଆନ୍ତୁ।

ଉପରେ କିଛି ପ୍ରସଙ୍ଗକୁ ପଢ଼ିଲେ ଟିକେ ନିରାଶ ଲାଗୁଛି! କିନ୍ତୁ ଗତବର୍ଷ ଅନେକ ଭଲ କଥା ବି ଘଟିଥିଲା ଯାହା ଆମକୁ ଗୌରବାନ୍ୱିତ କରିଥିଲା। ଉଦାହରଣ ସ୍ୱରୂପ କ୍ରୀଡ଼ା କ୍ଷେତ୍ରକୁ ନିଆଯାଉ। ଅଲିମ୍ପିକ୍‌ରେ ଭାଗ ନେଇଥିଲେ ୬ ଜଣ ଓଡ଼ିଆ ଝିଅ। ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ଅଲିମ୍ପିକ୍‌ରେ ଦୌଡ଼ରେ ଭାଗ ନେଇଥିଲେ। ସେହିପରି ଅଲିମ୍ପିକ୍‌ରେ ଭାଗ ନେଇଥିବା ଭାରତୀୟ ମହିଳା ଟିମ୍‌ରେ ସ୍ଥାନ ପାଇଥିଲେ ଦୀପଗ୍ରେସ ଏକ୍କା, ନମତା ଟପ୍ପୋ, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ। ୧୫ ବର୍ଷ ପରେ ଭାରତୀୟ କନିଷ୍ଠ ହକି ଟିମ୍ ବିଶ୍ୱକପ୍ ବିଜେତା ହୋଇଥିବା ବେଳେ ଏହାର ସଦସ୍ୟ ଥିଲେ ଦୀପସାନ୍ ତିର୍କୀ। ସେହିପରି ୧୫ ବର୍ଷ ପରେ ଓଡ଼ିଶା ରଣଜୀ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା। ଆଶା କରିବା ଏବର୍ଷ ସେମିଫାଇନାଲ୍‌ରେ ପହଞ୍ଚି ଫାଇନାଲ୍‌ ଖେଳିବ।

ଓଡ଼ିଆ ଭାଷାରେ ଏଥର ୩୦ରୁ ଅଧିକ ଚଳଚ୍ଚିତ୍ର ରିଲିଜ୍ ହୋଇଛି। ଆଶା କରିବା ଏ ବର୍ଷ ଅଧିକ ଫିଲ୍ମ ରିଲିଜ୍ ହେବ ଓ ନିଜସ୍ୱ ମୌଳିକ କାହାଣୀ ପାଇଁ ସ୍ୱତନ୍ତ୍ର ଛାପ ଛାଡ଼ି ଏକ ଉଦାହରଣ ସୃଷ୍ଟି କରିବ।

ଆଶା କରିବା ଏବର୍ଷ ବିଧାନସଭା ମୁଲତବି ମୁଲତବିରେ ଶେଷ ନ ହୋଇଯାଉ। ଆଲୋଚନା ହେଉ। ଖବର ପ୍ରକାଶ ପାଉ ବିଧାନସଭାର ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ଅବଧି ବଢ଼ିଗଲା। ଅତ୍ୟଧିକ ଆଲୋଚନା ପାଇଁ କାର୍ଯ୍ୟ ଦିବସ ବଢ଼ାଗଲା। ଏହା ଉଭୟ ସରକାର ଓ ବିରୋଧୀଙ୍କ ଦାୟିତ୍ୱ। ଏପରି ହେଲେ ସେମାନଙ୍କ ସମ୍ମାନ ବଢ଼ିବ ନା କମିବ ତାହା ସେମାନେ ନିଜେ ବିଚାର କରିବେ।

ଶେଷରେ ଏତିକି କୁହାଯାଇପାରେ ସକାରାତ୍ମକ ଭାବନା ନେଇ ଚଳିତ ବର୍ଷ ସମସ୍ତ ରାଜ୍ୟବାସୀ ଆଗକୁ ବଢ଼ନ୍ତୁ। ୨୦୧୭କୁ କେବଳ ଘଟଣାବହୁଳ ନ କରି ଫଳପ୍ରଦ ବର୍ଷ କରିବାକୁ ଉଦ୍ୟମ କରନ୍ତୁ।

ସମସ୍ତଙ୍କୁ ନୂତନ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos