ପଶ୍ଚିମ ବଙ୍ଗରେ ଓଡ଼ିଶୀକୁ ଲୋକପ୍ରିୟ କରୁଥିବା ଜଣେ ଅଣଓଡ଼ିଆ ନୃତ୍ୟାଙ୍ଗନାଙ୍କ କାହାଣୀ

rina-jane4

rina-jain2ଭୁବନେଶ୍ୱର (ମନୋରଞ୍ଜନ ଶିଅଳ): ଓଡ଼ିଆ ଜାଣି ନାହାନ୍ତି। ମାତ୍ର ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବହୁ ଭଲ ପାଆନ୍ତି। ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଞ୍ଜୁକ୍ତା ପାଣିଗ୍ରାହୀଙ୍କୁ ନିଜର ଆଦର୍ଶ ମାନନ୍ତି। ତାଙ୍କ ନୃତ୍ୟ ପ୍ରତି ଆକର୍ଷିତ ହୋଇ ବାପାଙ୍କ ବାରଣ ସତ୍ତ୍ୱେ ଓଡ଼ିଶୀ ଶିଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଓଡ଼ିଶୀର ପ୍ରଚାରପ୍ରସାର କରୁଛନ୍ତି। ତାଙ୍କ ଜୀବନ ଓଡ଼ିଶୀ ପ୍ରତି ସମର୍ପିତ। ସେ ହେଉଛନ୍ତି ବୋଲି ପଶ୍ଚିମବଙ୍ଗ ରାଜ୍ୟର ମେଦନାପୁର ଜିଲ୍ଲା କଣ୍ଟେଇ ଗାଁରେ ଜନ୍ମିତ ରୀନା ଜାନା। ରୀନା ପେଶାରେ ଜଣେ ଫିଜିଓଥେରାପିଷ୍ଟ୍‌ ହୋଇଥିଲେ ମଧ୍ୟ ନିଶାରେ ଓଡ଼ିଶୀ ନୃତ୍ୟାଙ୍ଗନା। ନିଜ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ “କ୍ରିତ୍ତିକା”ରେ ପିଲାମାନଙ୍କୁ ଓଡ଼ିଶୀ ତାଲିମ୍‌ ଦେଉଛନ୍ତି। ଏପରିକି ତାଙ୍କ ପାଖରେ ୧୦ରୁ ୧୨ ଜଣ ବିଦେଶୀ କଳାକାର ଓଡ଼ିଶୀ ନୃତ୍ୟ ଶିଖୁଛନ୍ତି।

ରୀନାଙ୍କର ପିଲା ବେଳୁ ଥିଲା କଳା ପ୍ରତି ଦୁର୍ବଳତା। ସବୁବେଳେ ପାଦରେ ଘୁଙ୍ଗୁର ବାନ୍ଧି ନାଚିବାକୁ ଚାହୁଁଥିଲେ। ମାତ୍ର ଜମିଦାରୀ ବାପାଙ୍କ ଅନୁଶାସନ ତାଙ୍କୁ ବାନ୍ଧି ରଖୁଥିଲା। ବାପା ଚାହୁଁଥିଲେ ଝିଅ ପାଠ ପଢ଼ି ଡାକ୍ତର, ଇଞ୍ଜିନିୟର ବା ଅଧ୍ୟାପିକା ହେଉ। ନାଚିଲେ ଝିଅ ନଷ୍ଟ ହୋଇଯିବ ବୋଲି ସେ ଭାବୁ ଥିଲେ।  ପରେ ରୀନା ଆଈଙ୍କ ଘରକୁ ଚାଲି ଯାଇଥିଲେ। ସେଠାରେ ପାଠ ପଢ଼ିବା ସହିତ ନାଚିବା ପାଇଁ କିଛି ମାତ୍ରାରେ ସୁଯୋଗ ମିଳିଥିଲା। ତଥାପି ଥିଲା ବାପାଙ୍କ ନାଲି ଆଖିର ଭୟ। ସେଥିପାଇଁ ସ୍କୁଲରୁ ଫେରି ଲୁଚି ତାଙ୍କ ସମ୍ପର୍କୀୟା ପ୍ରୀତି ଲାହେରୀଙ୍କଠାରୁ କଥକ ନୃତ୍ୟ ଶିଖିବାକୁ ଯାଉଥିଲେ। ରୀନା ଭଲ ନାଚୁ ଥିବାରୁ ଓଡ଼ିଶୀ ଶିଖିବା ପାଇଁ ପ୍ରୀତି ହିଁ ତାଙ୍କୁ ପରାମର୍ଶ ଦେଇଥିଲେ।

୧୯୮୪ରେ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର କୋଲକାତାର ଶ୍ୟାମାନନ୍ଦ ଝାଲାନଙ୍କ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯାଇଥିଲେ। ସେଠାରେ ରୀନାଙ୍କ ସହିତ ଗୁରୁ କେଳୁଚରଣ ମହାପାତ୍ରଙ୍କ ସାକ୍ଷାତ ହୁଏ। ତା’ପରେ ରୀନା ଗୁରୁ କେଳୁଚରଣଙ୍କ ସାଥୀରେ ରହିଥିଲେ। ତାଙ୍କର ସମସ୍ତ କାର୍ଯ୍ୟକ୍ରମରେ ସେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ। କୋଣାର୍କ ମହୋତ୍ସବରେ ରୀନାଙ୍କ ଅଭିନୀତ “ଚଣ୍ଡାଶୋକ” ଓ “ଯାଜ୍ଞସେନୀ” ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ‘ଯାଜ୍ଞସେନୀ’ରେ ରୀନା କୃଷ୍ଣ ଭୂମିକାରେ ଅଭିନୟ କରିଥିବା ବେଳେ ଗୁରୁଜୀ(କେଳୁଚରଣ) ଶକୁନି, ଇଲିଆନା ସୀତାରିଷ୍ଟ ଯୁଧିଷ୍ଠିର, କୁମକୁମ୍‌ ମହାନ୍ତି ଦ୍ରୌପଦୀ ଓ ରତିକାନ୍ତ ମହାପାତ୍ର ଭୀମ ଭୂମିକାରେ ଅଭିନୟ କରିଥିଲେ। ଏଥିପାଇଁ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ମିଳିଥିଲା।

ରୀନା କୁହନ୍ତି,“ପିଲା ବେଳେ ସ୍କୁଲରେ କିଏ କ’ଣ ହେବ ବୋଲି ଶିକ୍ଷକ ପଚାରିଥିଲେ। ମୁଁ ଜଣେ ନୃତ୍ୟଶିଳ୍ପୀ ହେବି ବୋଲି ଲେଖିଥିଲି। ଶିକ୍ଷକ ଦେଖି ହସି କହିଲେ କିଏ ଇଞ୍ଜିନିୟର, ଡାକ୍ତର, ଅଧ୍ୟାପକ ଓ ଶିକ୍ଷକ ହେବାକୁ ଚାହୁଁଥିବା ବେଳେ ତୁମେ ନୃତ୍ୟଶିଳ୍ପୀ ହେବ ବୋଲି କ’ଣ ପାଇଁ ଲେଖିଲ? ଏହାର ଉତ୍ତର ମୁଁ ଦେଇ ପାରି ନ ଥିଲି। ଶିକ୍ଷକଙ୍କ କଥା ଶୁଣି ପିଲାମାନେ ହସିଥିଲେ। ଏହା ମୋତେ ବହୁ ଖରାପ ଲାଗିଥିଲା। କିନ୍ତୁ ମନରେ ଥିବା ଜିଦ୍‌, ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଆଜି ମୋତେ ଏହି ସ୍ଥାନରେ ପହଞ୍ଚାଇଛି। କାହାଠାରୁ ପଇସା ନ ନେଇ ନିଜ ଉପାର୍ଜିତ ଅର୍ଥରେ ନାଚ ଶିଖିବା ସହିତ ପାଠ ପଢ଼ିଲି। ଓଡ଼ିଶୀକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କଲି। କେତେ ସଫଳ ହୋଇଛି ମୁଁ ଜାଣିନି। କିନ୍ତୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି ବୋଲି ଭାବୁଛି।”

rina-jane1

ସେ କହିଛନ୍ତି,“ଏବେ “କ୍ରିତ୍ତିକା” ମାଧ୍ୟମରେ ଅନୁନ୍ନତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ କାମ କରୁଛି। ଯେଉଁ ଅଞ୍ଚଳର ପିଲାମାନେ ନୃତ୍ୟ ପ୍ରତି ଆଗ୍ରହ ଦେଖାଉଛନ୍ତି ସେମାନଙ୍କୁ ଭାରତୀୟ ନୃତ୍ୟ ଉପରେ ତାଲିମ ଦେଉଛି। ଏଥିରେ ମୋ ଅନୁଷ୍ଠାନର ପିଲାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ମୋ ସହିତ ସବୁବେଳେ ଅଛନ୍ତି। ଏହାଛଡ଼ା ବୀରଭୂମି ଜିଲ୍ଲାର ଶାନ୍ତିନିକେତନ ନିକଟରେ ଏକ ଆଦିବାସୀ ଭିଲେଜ୍‌କୁ ଡେଭଲପ୍‌ କରୁଛି। ସେଠାରେ ଏକ ଗୁରୁକୁଳ ପ୍ରତିଷ୍ଠା କରିବି। ସେଠାରେ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ଓଡ଼ିଶୀ ସମେତ ଭାରତୀୟ ନୃତ୍ୟଶୈଳୀର ତାଲିମ ଦେବି। ଆସନ୍ତାବର୍ଷ ସୁଦ୍ଧା ମୋ ଗୁରୁକୁଳ କାର୍ଯ୍ୟକ୍ଷମ ହେବ ବୋଲି ଭାବୁଛି।”

ରୀନା ଜର୍ମାନ, ଆମେରିକା, ଇଟାଲି, ପର୍ତ୍ତୁଗାଲ ପ୍ରମୁଖ ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି।

Previous ArticleNext Article

Send this to a friend