ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ- ଏକ ଅନନ୍ୟ ମ୍ୟୁଜିୟମ୍

museum

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ରାଜଧାନୀ ଭୁବନେଶ୍ୱରରେ ବୁଲି ଦେଖିବା ପାଇଁ ରହିଛି ଅନେକ ସ୍ଥାନ। ଏହାକୁ କୁହାଯାଏ ମନ୍ଦିରମାଳିନୀ ସହର। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହିତ ରାଜାରାଣୀ, କେଦାରଗୌରୀ, ମୁକ୍ତେଶ୍ୱର ଓ ବ୍ରହ୍ମେଶ୍ୱର ଆଦି ମନ୍ଦିର ଆପଣମାନେ ବୁଲି ଦେଖିପାରିବେ। ସେହିପରି ଖଣ୍ଡଗିରି ଓ ଉଦୟଗିରି ଗୁମ୍ପା, ଧଉଳିଗିରି ଶାନ୍ତି ସ୍ତୁପ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ରାଜ୍ୟ ସଂଗ୍ରହାଳୟ, ଆଦିବାସୀ ସଂଗ୍ରହାଳୟ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ବୁଲି ଦେଖିପାରିବେ। ଏ ସବୁ ମଧ୍ୟରେ ବୁଲି ଦେଖିବା ପାଇଁ ଭୁବନେଶ୍ୱରରେ ଆଉ ଏକ ସ୍ଥାନ ଅଛି। ତାହା ହେଉଛି ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନାଚୁରାଲ୍ ହିଷ୍ଟ୍ରି ବା ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ। ଆଚାର୍ଯ୍ୟ ବିହାର ଛକରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପାଖରେ ଏହା ଅବସ୍ଥିତ। ଏହି ମ୍ୟୁଜିୟମ୍ ବୁଲିଲେ ଆପଣ ଭାରତର ଜୈବ ବିବିଧତା ସଂପର୍କରେ ଅନେକ କିଛି ଜାଣିପାରିବେ। ବିଶେଷ କରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମ୍ୟୁଜିୟମ୍ ଏକ ଜ୍ଞାନର ଭଣ୍ଡାର। ଏହି ମ୍ୟୁଜିୟମ୍‌କୁ ବୁଲାଇ ନେବା ପୂର୍ବରୁ ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା କହି ରଖେ। ଏଠାରେ ବିଭିନ୍ନ ଜୀବଜନ୍ତୁଙ୍କ ପ୍ଲାଷ୍ଟର ଅଫ୍ ପାରିସ୍ ନିର୍ମିତ ମଡେଲ୍ ଓ ସତସତିକା କଙ୍କାଳ ରଖାଯାଇଛି। ସେହିପରି ମୃତ ବାଘ, ବିଲୁଆ ଓ ହରିଣ ଆଦିଙ୍କ ଛାଲକୁ ବ୍ୟବହାର କରି ମଡେଲ୍ ତିଆରି କରାଯାଇଛି। ଏଗୁଡ଼ିକୁ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଜଙ୍ଗଲ ମଝିରେ ସତସତିକା ବାଘଟିଏ ଅବା ବିଲୁଆଟିଏ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇଛି। ଏହା ସହିତ ମୃତ ମାଛ ଓ ସାପ ଆଦିଙ୍କୁ କେମିକାଲ୍‌ ଦେଇ ସଂରକ୍ଷିତ କରି ଜାର୍‌ ମଧ୍ୟରେ ରଖାଯାଇଛି। ତା’ଛଡ଼ା ଚିଲିକା, କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ମଣିପୁରର ଲୋକ୍‌ଟାକ୍‌ ହ୍ରଦର ବଡ଼ ବଡ଼ ଚିତ୍ରଗୁଡ଼ିକୁ ଏଥିରେ  ପ୍ରଦର୍ଶିତ କରାଯାଇଛି। ଯେଉଁମାନେ ଏହି ସବୁ ସ୍ଥାନଗୁଡ଼ିକ ଦେଖିନାହାନ୍ତି ସେମାନେ ସେହି ସବୁ ସ୍ଥାନଗୁଡ଼ିକ କେମିତି ହୋଇଥିବ ସେ ନେଇ ଅନ୍ଦାଜ ଲଗାଇ ପାରିବେ।

elephantଶଙ୍କରର କଙ୍କାଳ

ମୁଖ୍ୟ ଫାଟକ ଅତିକ୍ରମ କରି ମ୍ୟୁଜିୟମ୍‌ ମଧ୍ୟକୁ ପ୍ରବେଶ କଲା ବେଳେ ଆପଣମାନଙ୍କ ନଜରରେ ପ୍ରଥମେ ପଡ଼ିବ ଏକ ହାତୀର କଙ୍କାଳ। କାଠ ଓ କାଚରେ ନିର୍ମିତ ବାକ୍ସ ଭିତରେ ଥିବା ଏ କଙ୍କାଳଟି ଯେ ହାତୀର ତାହା ଚିହ୍ନିବାକୁ ଆପଣଙ୍କୁ କଷ୍ଟ ହେବ ନାହିଁ। କାରଣ ବିଶାଳକାୟ ଆକାର ସାଙ୍ଗକୁ ଆଗକୁ ବାହାରି ଥିବା ଦୁଇଟି ଲମ୍ବା ଦାନ୍ତ ଆଉ କାହାର ହୋଇପାରେ! ହାତୀର ଲମ୍ବା ହାଡ଼ ଭିତର ଦେଇ ଯାଇଥିବା ଇସ୍ପାତ ତାର ସହିତ ମୋଟ ୧୮୦ କିଲୋଗ୍ରାମ ଓଜନର ହାଡ଼କୁ ଝୁଲନ୍ତା ଅବସ୍ଥାରେ ରଖାଯାଇଛି। ହଁ, ଏଯେଉଁ ହାତୀର କଙ୍କାଳ ଏଠାରେ ରଖାଯାଇଛି ତା’ର ନାଁ ଥିଲା ଶଙ୍କର। ୨୦୦୬ ମସିହା ମେ’ ମାସ ୫ ତାରିଖରେ ଶଙ୍କରର ମୃତ୍ୟୁ ହୋଇଥିଲା। ଶଙ୍କର ହାତୀ ବିଷୟରେ ଆପଣମାନଙ୍କ ମଧ୍ୟରୁ ଅନେକ ଶୁଣିଥିବେ ଅବା ଖବର କାଗଜରେ ପଢ଼ିଥିବେ। ଯଦି ତା’ବିଷୟରେ କିଛି ଜାଣି ନାହାନ୍ତି, ତା’ହେଲେ କିଛି ଅସୁବିଧା ନାହିଁ। ଏହି କଙ୍କାଳ ନିକଟରେ ତା’ ସଂପର୍କରେ ସବିଶେଷ ତଥ୍ୟ ଲେଖାଯାଇଛି। ଆପଣମାନେ କେବେ ମ୍ୟୁଜିୟମ୍‌କୁ ବୁଲି ଗଲେ ତା’ ସଂପର୍କରେ ଜାଣିପାରିବେ।

timiତିମି କଙ୍କାଳ

ଶଙ୍କରର କଙ୍କାଳ ପରି ଏହି ମ୍ୟୁଜିୟମ୍‌ର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଦୁଇଟି ତିମିର କଙ୍କାଳ। ଏହି ଦୁଇଟି କଙ୍କାଳ ମଧ୍ୟରୁ ଗୋଟିଏ ହେଉଛି ବାଲିନ ତିମିର ଯାହା ବ୍ରାଇଡ୍‌ସ ତିମି ପ୍ରଜାତିର। ସେହିପରି ଅନ୍ୟଟି ହେଉଛ ଦନ୍ତଯୁକ୍ତ ତିମି କଙ୍କାଳ। ଏଠାରେ ପ୍ରଦର୍ଶିତ ବାଲିନ୍ ତିମିର କଙ୍କାଳର ଲମ୍ବ ୪୭ ଫୁଟ୍ ୩ ଇଞ୍ଚ। ଏହାକୁ ଗୋପାଳପୁର ସମୁଦ୍ରକୂଳରୁ ୨୦୧୦ ମସିହାରେ ସଂଗ୍ରହ କରାଯାଇଥିଲା। ସେହିପରି ଦନ୍ତଯୁକ୍ତ ତିମି କଙ୍କାଳର ଲମ୍ବ ହେଉଛି ୩୨ ଫୁଟ୍। ଏହାକୁ ଅସ୍ତରଙ୍ଗର କେଲୁଣି ନଦୀ ମୁହାଣରୁ ସଂଗ୍ରହ କରାଯାଇଥିଲା। ଏ ତିମି ଦୁଇଟିର ମୃତଦେହକୁ କେମିତି ଉଦ୍ଧାର କରାଗଲା, ସେଗୁଡ଼ିକୁ ବିଭିନ୍ନ ପ୍ରକ୍ରିୟାକରଣ ପରେ କଙ୍କାଳକୁ କିପରି ସଂଗ୍ରହାଳୟରେ ସ୍ଥାପନ କରାଗଲା ସେସବୁର ସୂଚନା ସେଠାରେ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।

ଗଣ୍ଡା ଓ ଅନ୍ୟାନ୍ୟ କଙ୍କାଳ

ମ୍ୟୁଜିୟମରେ ଆଫ୍ରିକାରେ ଦେଖାଯାଉଥିବା କଳାଗଣ୍ଡାର ଏକ କଙ୍କାଳ ରହିଛି। ପୂର୍ବରୁ ଆପଣମାନଙ୍କୁ କହିଥିଲି ମ୍ୟୁଜିୟମରେ ବିଭିନ୍ନ ଜୀବଙ୍କର ମଡେଲ୍ ରଖାଯାଇଛି। ଏହି କଳାଗଣ୍ଡା କଙ୍କାଳ ନିକଟରେ ଆଫ୍ରିକାରେ ଦେଖାଯାଉଥିବା ଦୁଇ ଶିଙ୍ଗ ବିଶିଷ୍ଟ କଳା ଓ ଧଳା ଗଣ୍ଡା ସହିତ ଭାରତରେ ଦେଖାଯାଉଥିବା ଗୋଟିଏ ଶିଙ୍ଗ ବିଶିଷ୍ଟ ଗଣ୍ଡାର ମଡେଲ ପ୍ରଦର୍ଶିତ କରାଯାଇଛି। ତା’ସହିତ ଭାରତୀୟ ଗଣ୍ଡାର ଖପୁରୀ ରଖାଯାଇଛି। ଆଫ୍ରିକୀୟ ଗଣ୍ଡାର ଖପୁରୀ ଓ ଭାରତୀୟ ଗଣ୍ଡାର ଖପୁରୀ ମଧ୍ୟରେ ଥିବା ତଫାତ୍ ଅବା ସମାନତା ସଂପର୍କରେ ଜାଣିବା ପାଇଁ ଜୀବବିଜ୍ଞାନର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ।

ଏହା ବ୍ୟତୀତ ଡଲ୍‌ଫିନ୍‌, ସାପ ଓ ଅନ୍ୟ କିଛି ଜୀବଙ୍କ କଙ୍କାଳ ଏଠାରେ ସଂରକ୍ଷିତ କରି ରଖାଯାଇଛି। ତା’ସହିତ ବାଘ, ଭାଲୁ, ସିଂହ, ହାତୀ ଓ ତିମିର ମୁଣ୍ଡର ଖପୁରୀକୁ ମଧ୍ୟ ଏଠାରେ ରଖାଯାଇଛି।

eggsପକ୍ଷୀ ଓ ସରିସୃପଙ୍କ ଅଣ୍ଡା

ଏହି ମ୍ୟୁଜିୟମ୍‌ର ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାର ପକ୍ଷୀ ଓ ସରିସୃପଙ୍କ ଅଣ୍ଡା। ପ୍ରାୟ ୨୭ ପ୍ରକାର ପକ୍ଷୀ ଓ ସରିସୃପଙ୍କ ଅଣ୍ଡାକୁ ଅତି ସୁନ୍ଦର ଭାବେ ଏଠାରେ ପ୍ରଦର୍ଶିତ କରାଯାଇଛି। କୁକୁଡ଼ା,ପାରା,ମୟୂର,ଏମୁ, ଓଷ୍ଟ୍ରିଚ୍,କୁମ୍ଭୀର, ଚମ୍ପେଇ ନେଉଳ, ଝିଟିପିଟି ଓ କଇଁଛ ଆଦିଙ୍କ ଅଣ୍ଡାକୁ ଏଠାରେ ରଖାଯାଇଛି। ଅଣ୍ଡାଗୁଡ଼ିକୁ ଚିହ୍ନିବାରେ ଆପଣଙ୍କୁ କଷ୍ଟ ହେବ ନାହିଁ। କାରଣ ପ୍ରତ୍ୟେକ ଅଣ୍ଡା ପାଖରେ ସଂପୃକ୍ତ ପକ୍ଷୀ ଓ ସରିସୃପଙ୍କ ଫଟୋ ଏବଂ ସେମାନଙ୍କ ନାଁ ରହିଛି। ପିଲାମାନଙ୍କ ପାଇଁ ଏହା ଏକ ଭଲ ଜିନିଷ। ହଁ, ଆଉ ଗୋଟିଏ କଥା। ମ୍ୟୁଜିୟମ୍‌କୁ ଆସୁଥିବା ଲୋକଙ୍କ ମଧ୍ୟରୁ ଅନେକ ପଚାରନ୍ତି ଏଗୁଡ଼ିକ ସତସତିକା ଅଣ୍ଡା ନା ନୁହେଁ। ସେଗୁଡ଼ିକ ସତ ଅଣ୍ଡା। ଆମେ ଯାହା ପଚାରି ବୁଝିଛୁ ଉକ୍ତ ଅଣ୍ଡାଗୁଡ଼ିକର ଭିତରେ କିଛି ନାହିଁ। ଭିତର ଅଂଶକୁ ସିରିଞ୍ଜ୍ ସାହାଯ୍ୟରେ କାଢ଼ି ନିଆଯାଇଛି।

egg-1ଏଲିଫେଣ୍ଟ୍‌ ବାର୍ଡର ଅଣ୍ଡା

ଏହି ମ୍ୟୁଜିୟମରେ ଅଛି ବିଲୁପ୍ତ ଏଲିଫେଣ୍ଟ୍ ବାର୍ଡର ଏକ ଅଣ୍ଡା। ଏହି ଅଣ୍ଡାଟିକୁ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଅବସର ବେଉରିଆ ପ୍ରଦାନ କରିଥିଲେ। ଏହି ଅଣ୍ଡାର ଲମ୍ବ ୧୩ ଇଞ୍ଚ ଓ ଓସାର ୯.୫ ଇଞ୍ଚ।

ଉଡ଼ି ପାରୁ ନ ଥିବା ଏଲିଫେଣ୍ଟ୍ ବାର୍ଡ ଆଫ୍ରିକା ମହାଦେଶର ମାଡାଗାସ୍କାରରେ ବାସ କରୁଥିଲେ। ୧୬୫୦ ମସିହା ପର୍ଯ୍ୟନ୍ତ ଏମାନଙ୍କୁ ଶେଷ ଥର ପାଇଁ ଠାବ କରାଯାଇଥିଲା। ଏମାନଙ୍କ ଅଣ୍ଡା ଥିଲା ବିଶ୍ୱର ବୃହତ୍ତମ ଅଣ୍ଡା। ଏବେ ସାରା ବିଶ୍ୱରେ ଏଲିଫେଣ୍ଟ ବାର୍ଡର ମୋଟ ୩ ଡର୍ଜନ ଅଣ୍ଡା ଅଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଏହି ମ୍ୟୁଜିୟମରେ ଥିବା ଅଣ୍ଡାଟି। ଏହା ଉଭୟ ଛୋଟ ପିଲା ଓ ବଡ଼ ଲୋକଙ୍କୁ ଆଶ୍ଚର୍ଯ୍ୟ ଓ ଆମୋଦିତ କରିଥାଏ। ଆପଣ ବି ଏହାକୁ ଦେଖିଲେ ସହଜେ ଆଖି ଖସାଇ ଚାଲି ଯାଇପାରିବେ ନାହିଁ!

birudiବିରୁଡ଼ି ବସା

ଏଠାରେ ଦୁଇଟି ବିରୁଡ଼ି ବସା ଅଛି। ଗୋଟିଏ ହେଉଛି ସତ ବିରୁଡ଼ି ବସା ଓ ଅନ୍ୟଟି ମଡ଼େଲ। ସତ ବିରୁଡ଼ି ବସାର କିଛି ଅଂଶ କାଟି ଦିଆଯାଇଛି। ସେହି କଟା ଅଂଶକୁ ଦେଖି ଲାଗେ ବିରୁଡ଼ିଙ୍କଠାରୁ ବଡ଼ ସ୍ଥପିତ ଆଉ କିଏ ହୋଇପାରେ?

ପ୍ରଜାପତି

ଆପଣ କେତେ ପ୍ରକାରର ପ୍ରଜାପତି ଦେଖିଛନ୍ତି? ଏଠାକୁ ଆସିଲେ ଆପଣମାନେ ଅନେକ ପ୍ରକାରର ପ୍ରଜାପତି ଦେଖିବେ। ମୃତ ପ୍ରଜାପତିମାନଙ୍କୁ କେମିକାଲ ଦେଇ ସ୍ୱତନ୍ତ୍ର ଗ୍ୟାସ୍ ଭର୍ତ୍ତି ଜାର୍ ମଧ୍ୟରେ ସୁରକ୍ଷିତ ଭାବେ ସଂରକ୍ଷଣ କରାଯାଇଛି ଅନେକ ପ୍ରକାରର ପ୍ରଜାପତି।

ବାମନ ଚୁଚୁନ୍ଦ୍ରା

ଏହା ହେଉଛି ବିଶ୍ୱର କ୍ଷୁଦ୍ରତମ ସ୍ଥଳଚର ସ୍ତନପାୟୀ ପ୍ରାଣୀ। ଏକ ବୟସ୍କ ବାମନ ଚୁଚୁନ୍ଦ୍ରାର ଲମ୍ବ ସାଧାରଣତଃ ଦୁଇ ତିନି ଇଞ୍ଚ ହୋଇଥାଏ। ଏଠାରେ ଏକ ମୃତ ବାମନ ଚୁଚୁନ୍ଦ୍ରାକୁ କେମିକାଲ୍ ଦେଇ ରଖାଯାଇଛି।

ଏସବୁ ବ୍ୟତୀତ ଏଠାରେ ଅନେକ ମୃତ ମାଛ ଓ ସାପକୁ ଜାର ଭିତରେ କେମିକାଲ ଦେଇ ରଖାଯାଇଛି। କିଛି ସାମୁଦ୍ରିକ ମାଛକୁ ଶୁଖାଇ କାଚ ବାକ୍ସ ମଧ୍ୟରେ ସୁରକ୍ଷିତ ଭାବେ ସଂରକ୍ଷଣ କରି ରଖାଯାଇଛି।

ଏହି ମ୍ୟୁଜିୟମ୍‌ ବୁଲି ଦେଖିବା ପରେ ନିଶ୍ଚିତ ଭାବେ ଆପଣଙ୍କୁ ଲାଗିବ ଯେ ଆପଣ ଅନେକ ଜିନିଷ ଦେଖିବାକୁ ପାଇଛନ୍ତି ଓ ଆପଣଙ୍କ ବହୁମୂଲ୍ୟ ସମୟ ବେକାର ଯାଇନି।

କେବେ ଓ କେତେବେଳେ ଆସିବେ?

ସୋମବାର ଓ ସରକାରୀ ଛୁଟି ଦିବସଗୁଡ଼ିକୁ ଛାଡ଼ି ଦେଲେ ବାକି ଦିନଗୁଡ଼ିକରେ ଆପଣ ଏଠାକୁ ଆସିପାରିବେ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହେ। ଏହି ମ୍ୟୁଜିୟମ୍ ବୁଲି ଦେଖିବା ପାଇଁ କୌଣସି ଫି’ ଦେବାକୁ ପଡ଼େ ନାହିଁ।

Previous ArticleNext Article

1 Comment

  1. Add your comment… ମତ ବ୍ୟକ୍ତ କରନ୍ତୁ…thanks odisha reporter ଆଜୀ କିଛି ନୁଆ ଶିଖୀବାକୁ ମିଳିଲା ,ଢ଼େଲୀ କିମା ସପୃାହର ଥରେ ଏମିତୀ କିଛି ଶିଖୀବା କଥା ପକାନୁ

Send this to a friend