ସରକାରୀ ଅନୁଦାନରୁ ବଞ୍ଚିତ ବୌଦ୍ଧ ଜିଲ୍ଲାର ମହିଳା କେନ୍ଦୁପତ୍ର ତୋଳାଳୀ

kandu

ବୌଦ୍ଧ: ଓଡ଼ିଶାରେ ମିଳୁଥିବା କେନ୍ଦୁପତ୍ରର ବହୁ ଚାହିଦା ରହିଛି। ଉନ୍ନତମାନର କେନ୍ଦୁପତ୍ର ଲାଗି ରାଜ୍ୟର ସ୍ୱତନ୍ତ୍ର ପରିଚୟ ଅଛି। କେନ୍ଦୁପତ୍ର ବିଭାଗରୁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ପାଇଥାନ୍ତି।  ହେଲେ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରାଣ ମେଣ୍ଟାଉଥିବା ତୋଳାଳୀ ମାନଙ୍କ ଦୁଃଖ ସରକାର ବୁଝୁନାହାନ୍ତି। କେନ୍ଦୁପତ୍ର ତୋଳାଳୀଙ୍କୁ ପରିଶ୍ରମ ଅନୁଯାୟୀ ଉପଯୁକ୍ତ ମୂଲ୍ୟ ମିଳୁନାହିଁ। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସେମାନଙ୍କୁ ସାମିଲ କରାଯାଉନାହିଁ। ଏହି ଶୋଷଣର ଶିକାର ହେବାକୁ ପଡ଼ିଛି ବୌଦ୍ଧ ଜିଲ୍ଲାର ମହିଳା କେନ୍ଦୁପତ୍ର ତୋଳାଳୀମାନଙ୍କୁ। ଜିଲ୍ଲାରେ ହଜାର ହଜାର ପତ୍ର ତୋଳାଳୀ ଓ ପତ୍ର ବନ୍ଧାଳି ନିୟୋଜିତ ହୋଇଛନ୍ତି । ମାତ୍ର ପ୍ରୋତ୍ସାହନ ଅଭାବରୁ ଏହି ଶ୍ରମିକମାନେ ନାନା ସମସ୍ୟାରେ ଗତି କରୁଛନ୍ତି । ଏହି ତୋଳାଳୀମାନଙ୍କୁ ଏପର୍ଯ୍ୟନ୍ତ ଚପଲ, ଛତା, ପାଣି ବୋତଲ ଦିଆଯାଇ ନ ଥିବା ବେଳେ କେନ୍ଦୁପତ୍ର ବିଡ଼ାରେ ୨୦ପତ୍ର ବଦଳରେ ୨୪ ପତ୍ର ନିଆଯାଉଥିବା ତୋଳାଳୀମାନେ ଅଭିଯୋଗ କରିଛନ୍ତି।
kandu

ଆମ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ସଂଖ୍ୟକ କେନ୍ଦୁପତ୍ର ଉତ୍ପାଦିତ ହୋଇଥାଏ। ସବୁଜ ହୀରା ଭାବେ ପରିଚିତ କେନ୍ଦୁପତ୍ର ଲକ୍ଷ ଲକ୍ଷ ଆଦିବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇଥାଏ। ମାତ୍ର ପ୍ରଶାସନିକ ଅବହେଳାରୁ ଏହାର ସୁଫଳ ବୌଦ୍ଧ ଜିଲ୍ଲାରେ ଶ୍ରମିକମାନଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା କେନ୍ଦୁପତ୍ର ବନଖଣ୍ଡରେ ୯ଟି କେନ୍ଦୁପତ୍ର ବନାଞ୍ଚଳ ରହିଛି। ବଡି ସକାଳୁ ଆଦିବାସୀ ମହିଳାମାନେ ଯାଇଥାନ୍ତି କେନ୍ଦୁପତ୍ର ତୋଳିବାକୁ। ଟାଣ ଖରାରେ କେନ୍ଦୁପତ୍ର ତୋଳି ଘରକୁ ଫେରିଥାନ୍ତି। କିନ୍ତୁ ତାଙ୍କର ଏହି କଠିନ ପରିଶ୍ରମର ସଠିକ୍ ମୂଲ୍ୟ ମିଳି ନ ଥାଏ। ସରକାର ବୁଝିନଥାନ୍ତି ତାଙ୍କ କଥା। କେନ୍ଦୁପତ୍ର ବିକ୍ରି କରି ପରିବାର ପୋଷଣ  କରୁଥିବା ବେଳେ ତାଙ୍କୁ ମିଳେ ନାହିଁ ଉପଯୁକ୍ତ ପାରିଶ୍ରମିକ। କେନ୍ଦୁପତ୍ର ବିଭାଗ କେନ୍ଦୁପତ୍ର ବିଡ଼ା (୨୦ଟି ପତ୍ର)କୁ  ୭୦ ପଇସା ଦର ଧାର୍ଯ୍ୟ କରିଥିବା ବେଳେ ସେମାନଙ୍କଠାରୁ ଆଉ ଅଧିକ ୪ଟିପତ୍ର ନିଆଯାଉଥିବା ମହିଳା କେନ୍ଦୁପତ୍ର ତୋଳାଳୀ ଅଭିଯୋଗ କରିଛନ୍ତି।

kandu patra

ମହିଳା କେନ୍ଦୁପତ୍ର ତୋଳାଳୀ ରୂପା କର୍ଣ୍ଣ କହିଛନ୍ତି, “ସରକାରଙ୍କ ପକ୍ଷରୁ ଆମକୁ କୌଣସି ସୁବିଧା ମିଳୁନାହିଁ।  ସରକାର ଚପଲ  ଓ ପାଣି ବୋତଲ ଦେଉ ନ ଥିବାରୁ ଆମକୁ ବହୁତ ଅସୁବିଧା ହେଉଛି। ଚପଲ ନ ଥିବାରୁ ଖରାହେଲେ କେନ୍ଦୁପତ୍ର ତୋଳିପାରୁନାହୁଁ।  କେନ୍ଦୁପତ୍ରବିଭାଗ ପକ୍ଷରୁ ବିଡ଼ାରେ ୨୦ଟି ପତ୍ର ନେବାକୁ ଥିବା ବେଳେ ଆମ ପାଖରୁ ୨୪ଟି ପତ୍ର ନେଉଛନ୍ତି। ଆମେ ଏହାର ପ୍ରତିବାଦ କଲେ ଆମ ପାଖରୁ ପତ୍ର ନେବେ ନାହିଁ ବୋଲି କହୁଛନ୍ତି। କେନ୍ଦୁପତ୍ର ବିକ୍ରି କରି ଆମେ ପରିବାର ପୋଷଣ କରୁଛୁ। ଏମିତି ହେଲେ କେମିତି ଆମେ ପରିବାର ପୋଷଣ କରିବୁ! ସରକାର ଆମ ଦୁଃଖ ଶୁଣନ୍ତୁ। ଆମକୁ ଉପଯୁକ୍ତ ପାରିଶ୍ରମିକ ଦିଅନ୍ତୁ।”

କେନ୍ଦୁପତ୍ର ତୋଳାଳୀମାନଙ୍କୁ ସରକାର ଚପଲ, ପାଣି, ବୋତଲ, ଛତା ଦେବା ପାଇଁ  ଘୋଷଣା କରିଥିଲେ ମଧ୍ୟ ୨ ବର୍ଷ ହେଲା ତୋଳାଳୀମାନଙ୍କୁ କିଛି ମିଳି ନାହିଁ। ଫଳରେ ଟାଣ ଖରାରେ ଖାଲିପାଦରେ କେନ୍ଦୁପତ୍ର ତୋଳିବାକୁ ବହୁତ କଷ୍ଟ  ହୋଇଥାଏ।  ଖରାରେ  ପାଦ ତାତି ଯାଉଥିବା ସତ୍ତ୍ୱେ ଏ ଗଛ ସେ ଗଛ ହୋଇ ପତ୍ର ତୋଳିଥାନ୍ତି। ଏହା ସହ  କେନ୍ଦୁପତ୍ର ତୋଳାଳୀମାନଙ୍କୁ ଦୁର୍ଘଟଣା ବୀମା ମିଳି ନଥିବା ମହିଳା ତୋଳାଳୀ ଅଭିଯୋଗ କରିଛନ୍ତି।

k

ମହିଳା କେନ୍ଦୁପତ୍ର ତୋଳାଳୀ ଆଲ୍ଲାଦିନୀ ସାହୁ କହିଛନ୍ତି, “ଆମେ ବଡି ଭୋରରୁ  କେନ୍ଦୁପତ୍ର ତୋଳିବାକୁ ଯାଇଥାଉଁ। ଫେରିଲା ବେଳକୁ  ଦିନ ଗୋଟାଏ ବା ଦୁଇଟା ହୋଇଥାଏ।  ଖରା ହେଲେ ଚପଲ ନ ଥିବାରୁ ଆମକୁ କଷ୍ଟ ହୋଇଥାଏ। ପତ୍ର ନ ତୋଳିନପାରି  ଆମେ ଗଛ ମୂଳେ ବିସିଥାଉ। ସରକାର ଆମକୁ ଚପଲ ଓ ଛତା ଦେବେ ବୋଲି କହିଥିଲେ କିନ୍ତୁ ଆମକୁ ମିଳୁନାହିଁ। ଟାଣ ଖରା ହେଲେ ପତ୍ର ନ ତୋଳି ପଳାଇଆସୁଛୁ। ସରକାର ଆମ ଗୁହାରୀ ଶୁଣନ୍ତୁ। ଆମକୁ ସମସ୍ତ ସୁବିଧା ଯୋଗାଇ ଦିଅନ୍ତୁ।”

ସମସ୍ୟା ସମ୍ପର୍କରେ ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡର ଡିଏଫଓ  ସୁଶୀଳ ନାୟକ କହିଛନ୍ତି, “ବୌଦ୍ଧ ବନଖଣ୍ଡରେ ୪୧,୯୯୯ ଜଣ କେନ୍ଦୁପତ୍ର ତୋଳାଳୀ ଅଛନ୍ତି।  ସେଥିମଧ୍ୟରୁ ୩୦,୦୦୦  କେନ୍ଦୁପତ୍ର ତୋଳାଳୀଙ୍କୁ ଜୋତା  ଓ ଛତା ଦିଆଯାଇଛି।   ବାକି ଥିବା ୧୧,୦୦୦ କେନ୍ଦୁପତ୍ର ତୋଳାଳୀଙ୍କୁ ଟଙ୍କା ଆସିଲେ ମାସକ ଭିତରେ  ଜୋତା ଓ ଛତା ଦିଆଯିବ। ପଇସା ଆସିଲେ ଆମ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବୁ।”

Previous ArticleNext Article

Send this to a friend