ହେଲିକପ୍ଟରରେ ବାହାରିଲେ ବିବାହ ଉତ୍ସବ, ପହଞ୍ଚିଲେ ଜେଲ୍‌ରେ

0

ନୂଆଦିଲ୍ଲୀ: ଯଦି ଆପଣଙ୍କର ଭାଗ୍ୟ ଭବିଷ୍ୟତରେ ବିଶ୍ୱାସ ଅଛି, ତେବେ ଏହା ନିଶ୍ଚିୟ ଜାଣିଥିବେ ଯେ, ଆପଣଙ୍କ କପାଳରେ ଯାହା ଲେଖା ଅଛି ତାହା ନିଶ୍ଚୟ ଘଟିବ। ଯେମିତି ବେଳେବେଳେ ଆପଣ ନିଷ୍ପତ୍ତି ନେଇଥିବେ ଗୋଟିଏ କାମ କରିବାକୁ କିମ୍ବା ଗୋଟିଏ ଜାଗାକୁ ଯିବାକୁ, ହେଲେ ପହଞ୍ଚନ୍ତି ଆଉ ଗୋଟିଏ ଜାଗାରେ। ଆମ ଚାରିପାଖରେ ଏମିତି ଅନେକ ଘଟଣା ଘଟିଥାଏ, ଆମ ସହିତ ବି ଘଟିଥିବ।

ଏହାର ଏକ ଉଦାହରଣ ଘଟିଛି କିଛିଦିନ ତଳେ ବଙ୍ଗଳାଦେଶରେ। କିଛି ଧନୀକ ଶ୍ରେଣୀର ବ୍ୟକ୍ତି ଥରେ କୌଣସି କାରଣରୁ ନିଷ୍ପତ୍ତି ନେଲେ ଯେ, ସେମାନେ ତାଙ୍କର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଚପର୍ ବା ହେଲିକପ୍ଟରରେ ହିଁ ଯିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସ୍ୱତନ୍ତ୍ର ବିମାନରେ ଏମାନେ ବାହାରିଥିଲେ ବନ୍ଧୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବା ସ୍ଥାନକୁ। କିନ୍ତୁ ସମୟର ନିଷ୍ପତ୍ତି ଥିଲା କିଛିଟା ଅଲଗା। ହେଲିକପ୍ଟରରେ ଯାଉଥିଲେ ମାନେ ଶୀଘ୍ର ବନ୍ଧୁଙ୍କ ଘରେ ପହଞ୍ଚି ଯିବା କଥା। କିନ୍ତୁ ସେମାନେ ବନ୍ଧୁଙ୍କ ଘରେ ପହଞ୍ଚିବେ କଣ, ପହଞ୍ଚିଗଲେ ଜେଲ୍‌ରେ। କଥାଟି ଶୁଣି ଆପଣ ଦ୍ୱନ୍ଦ୍ୱରେ ପଡ଼ିବେଣି। କିନ୍ତୁ ଘଟଣାଟି ସେମିତି ହିଁ ଘଟିଥିଲା।

ମନରେ ପ୍ରଶ୍ନ ଉଠିବଣି, ସେମାନେ ଜେଲ୍ ଗଲେ କେମିତି। ବାସ୍ତବରେ ହେଲିକପ୍ଟରରେ ଚଳାଉଥିବା ପାଇଲଟ୍ ଜଣକ ହଠାତ୍ ଦିଶାହୀନ ହୋଇଗଲେ। ଆକାଶରେ ହିଁ ସେ ଜାଣିପାରିଲେ ନାହିଁ କୁଆଡ଼େ ଯିବେ କଣ କରିବେ। ଏହା ସମସ୍ତଙ୍କ ପାଇଁ ଆଶଙ୍କା ସୃଷ୍ଟି କଲା। ଯାହା ହେଉ, ପାଇଲଟ୍ ଜଣକ କୌଣସି ମତେ ହେଲିକପ୍‌ଟରଟିକୁ ଏକ ଜେଲ୍ ସାମ୍ନାରେ ଅବତରଣ କରିବାରେ ସଫଳ ହେଲେ। ଏହା ଦେଖି ଜେଲ ସୁରକ୍ଷାକର୍ମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଭୟ ବି ପାଇଯାଇଥିଲେ। ମନରେ ପ୍ରଶ୍ନ ଉଠିଲା ହଠାତ୍ ଏ ହେଲିକପ୍‌ଟର ଆସିଲା କେଉଁଠୁ। ଅଧିକ କିଛି ଭାବିବା ଆଗରୁ ସମସ୍ତେ ତୁରନ୍ତ ନିଷ୍ପତ୍ତି ନେଇଗଲେ ଯେ, ହେଲିକପ୍‌ଟରରେ ଆସିଥିବା ଲୋକମାନେ ସମସ୍ତେ ଆତଙ୍କବାଦୀ ହିଁ ହୋଇଥିବେ। ଭାବିଲେ, ହୁଏତ ଜେଲରେ ଥିବା କୌଣସି କଏଦୀ ଆତଙ୍କବାଦୀଙ୍କ ସହଯୋଗ ଲୋଡ଼ିଛି। ତେଣୁ ସହଯୋଗ ପାଇଁ ଆସିଛନ୍ତି ଆତଙ୍କବାଦୀ।

କିନ୍ତୁ ତା ପରର ଦୃଶ୍ୟ ଥିଲା ଆହୁରି ଆଶ୍ଚର୍ଯ୍ୟଜନକ। ଜେଲ୍ ସୁରକ୍ଷାକର୍ମୀମାନେ ଦେଖିଲେ ଯେ, ହେଲିକପ୍‌ଟର ଭିତରୁ ସଜବାଜ ହୋଇ ୫ ଜଣ ଭଦ୍ରଲୋକ ବାହାରିଲେ। ସେମାନଙ୍କୁ ଦେଖି ସୁରକ୍ଷାକର୍ମୀ ଟିକେ ହଡ଼ବଡ଼େଇ ଗଲେ। ତେବେ ସେମାନଙ୍କ ସହ ଆଲୋଚନା କରିବା ପରେ ପୂରା ଘଟଣାର ସ୍ପଷ୍ଟ ଚିତ୍ର ପଦାକୁ ଆସିଥିଲା।

 

Previous ArticleNext Article

Send this to a friend