ଲୋକଙ୍କ ନେତା ବନାମ ନେତାଙ୍କ ନେତା: ରାଜ୍ୟସଭା ସଦସ୍ୟ ବି ସିଧାସଳଖ ନିର୍ବାଚନ ଲଢିବା ଉଚିତ କି ?

Rajya Sabha-1

ଭବନେଶ୍ୱର; (ଅମରେଶ ବିଶ୍ୱାଳ): ନିକଟରେ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଭାରତୀୟ ଗଣତନ୍ତ୍ରର ଏକ ଗୁଢ କଥା ଉଠାଇଛନ୍ତି। କହିଛନ୍ତି, ଲୋକସଭା ପରି ରାଜ୍ୟସଭା ପାଇଁ ମଧ୍ୟ ସିଧାସଳଖ ନିର୍ବାଚନ ହେଉ। ଅର୍ଥାତ ରାଜ୍ୟସଭା ସଦସ୍ୟ  ମଧ୍ୟ ଲୋକଙ୍କ ଦ୍ୱାରା (ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ନୁହେଁ) ନିର୍ବାଚିତ ହୋଇ ସଂସଦକୁ ଆସନ୍ତୁ, ମନୋନୀତ ନ ହୋଇ, କିମ୍ୱା ପରୋକ୍ଷ ଭାବେ ନିର୍ବାଚିତ ନ ହୋଇ। ଏହା ସମ୍ଭବ କି ଅସମ୍ଭବ, ଅଥବା ଅସଙ୍ଗତ କି ସଙ୍ଗତ, ତାହା ବିଚାର କରିବା ପୂର୍ବରୁ ଏତକ କହିହେବ ଯେ, ବୈଜୟନ୍ତ ଗୋଟେ ମଞ୍ଜ କଥା ଉଠାଇଛନ୍ତି। ଭାରତୀୟ ଗଣତନ୍ତ୍ରରେ ଏମିତିକା ସାଂସଦଙ୍କର ଆବଶ୍ୟକତା ରହିଛି ଯେଉଁମାନେ ସମ୍ୱିଧାନକୁ ଏକ ଦିଶା ଦେଇପାରିବେ।

ଏବେ ଆସିବା ଅସଲ ପ୍ରସଙ୍ଗକୁ। ହୁଏତ ଅନେକ ଭାରତୀୟ ଭାବୁଥିଲେ ଭାରତୀୟ ସଂସଦର ଉଚ୍ଚ ସଦନ ବା ଅପର ହାଉସ‌୍‍ ଭାବେ ପରିଗଣିତ ରାଜ୍ୟସଭାର ପୁଣି କାମ କ’ଣ ? ଯେତେବେଳେ ମୁଁ କଲେଜରେ ଏ ସଂପର୍କରେ ପଢିଲି, ସେତେବେଳେ ମୁଁ ବି ବହୁତ ଦ୍ୱନ୍ଦ୍ୱରେ ପଡୁଥିଲି ଯେ, ରାଜ୍ୟସଭାର ସଭ୍ୟମାନଙ୍କର ପୁଣି କାମ କ’ଣ ? ଲୋକସଭାରେ ତ ସାଂସଦ ଅଛନ୍ତି, ପୁଣି ରାଜ୍ୟସଭାକୁ କାହିଁକି କିଛି ଲୋକଙ୍କୁ ପଠାଯାଏ ? ଏମାନେ ପ୍ରକୃତରେ କରନ୍ତି କ’ଣ ? ଏମାନେ କାହିଁକି ସିଧାସଳଖ ନିର୍ବାଚିତ ନହୋଇ ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି ? ସିଧାସଳଖ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ତିଆରି ଗୃହ କାହିଁକି ନିଚ୍ଚ ସଦନ, କିନ୍ତୁ ପରୋକ୍ଷରେ ନିବାର୍ଚିତ ଲୋକଙ୍କୁ ନେଇ ଗଠିତ ଗୃହ କିପରି ଉଚ୍ଚ ସଦନ ?

ଆପଣ ଜାଣନ୍ତି ରାଜ୍ୟସଭାରେ ସର୍ବାଧିକ ୨୫୦ ଜଣ ସଦସ୍ୟ ରହିପାରିବେ। ଏବେ ୨୩୩ ଜଣ ପରୋକ୍ଷରେ ନିବାର୍ଚିତ ଓ ୧୨ ଜଣ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ, ଏହିପରି ମୋଟ ୨୪୫ ଜଣ ସଦସ୍ୟ ଅଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରସିଦ୍ଧ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି। ଉଦ୍ଦେଶ୍ୟ ଥାଏ, ଦେଶକୁ ବିକାଶ ଆଡକୁ ଆଗେଇ ନେବାରେ ଏହି ଉନ୍ନତ ମସ୍ତିଷ୍କ ଗୁଡିକର ମଧ୍ୟ ଅବଦାନ ରହୁ। ବାସ୍ତବରେ ରାଜ୍ୟସଭାର ଉଦ୍ଦେଶ୍ୟ ବି ଥିଲା କିଛିଟା ସେହିପରି। ନିର୍ବାଚିତ ପ୍ରତିନିଧି ବା ରାଜନେତା ମାନଙ୍କୁ ନୀତି ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଇଂଟେଲେକଚୁଆଲ୍‌ ବା ବୁଦ୍ଧିଜୀବୀମାନେ ସହଯୋଗ କରିବାକୁ ସେମାନଙ୍କୁ ରାଜ୍ୟସଭାକୁ ନିଆଯିବା କଥା। କିନ୍ତୁ ଏବେ ଏହି ଧାରା ସଂପୂର୍ଣ୍ଣ ବିପରୀତ ଗତି ଧରିଛି। ରାଜନୈତିକ ଦଳଗୁଡିକ ନିଜ ଦଳର ନେତାଙ୍କୁ ଥଇଥାନ ବା ସନ୍ତୁଷ୍ଟ କରିବାକୁ ରାଜ୍ୟସଭାକୁ ବ୍ୟବହାର କରୁଛନ୍ତି।

ଏପରି ହେବାଦ୍ୱାରା ରାଜ୍ୟସଭା ବା ଉଚ୍ଚ ସଦନର ପ୍ରକୃତ ଉଦ୍ଦେଶ୍ୟ ସାଧନ ହେଉନାହିଁ। ବରଂ ଘଟଣାକ୍ରମରେ ରାଜ୍ୟସଭା ସଦସ୍ୟଙ୍କୁ ବ୍ୟବହାର କରି ରାଜନୀତି ଖେଳ ଖେଳାଯାଉଛି। କିଛି କ୍ଷେତ୍ରରେ ରାଜ୍ୟସଭାକୁ ଲୋକସଭାଠାରୁ ଅଧିକ ଶକ୍ତି ଦିଆଯାଇଛି। ରାଜ୍ୟସଭା ବିଶେଷ କରି କେନ୍ଦ୍ର ପାଖରୁ ରାଜ୍ୟର ଅଧିକାର ରକ୍ଷା ଦିଗରେ ଅଧିକ ଚିନ୍ତା କରିବା କଥା। ରାଜ୍ୟ ସଂପର୍କିତ କୌଣସି ଆଇନ‌ କେନ୍ଦ୍ର ସରକାର ବା ଲୋକସଭା ତିଆରି କରିପାରିବେ ନାହିଁ। ସେ ଅଧିକାର ଦିଆଯାଇଛି ରାଜ୍ୟସଭାକୁ। ପ୍ରଥମେ ରାଜ୍ୟସଭାର ଦୁଇ ତୃତୀୟାଂଶ ସଦସ୍ୟ ଏ ସଂପର୍କୀତ ରିଜୋଲ୍ୟୁସନ‌ ପାସ୍‌ କରିବା ପରେ ହିଁ ଲୋକସଭାକୁ ତାହା ଆସିଥାଏ। ସେହିପରି ସର୍ବଭାରତୀୟ ଚାକିରି କ୍ଷେତ୍ରରେ ମଧ୍ୟ, ରାଜ୍ୟସଭା ଚାହିଁଲେ ହିଁ ଏହାର ସଂଖ୍ୟା ବୃଦ୍ଧି ହୋଇପାରିବ। କେନ୍ଦ୍ର ସରକାର ବା ଲୋକସଭା ଚାହିଁଲେ ତାହା ନିଜ ତରଫରୁ କରିପାରିବେ ନାହିଁ। ଏଥିପାଇଁ ପ୍ରଥମେ ରାଜ୍ୟସଭା ଏକ ରିଜୋଲ୍ୟୁସନ୍‌ ପାସ୍‌ କରିବା ଜରୁରି।

ଯୁକ୍ତି ହେଲା, ଗଣତନ୍ତ୍ର ରାଷ୍ଟ୍ରରେ ପବ୍ଲିକ୍‌  ହିଁ ସବୁକିଛି। ଏମାନଙ୍କ ଭୋଟରେ ଲୋକସଭା ଗଠନ ହୁଏ। କିନ୍ତୁ କିଛି କ୍ଷେତ୍ରରେ ସେମାନଙ୍କ ନିର୍ବାଚିତ ସାଂସଦ ଯେ ଏତେ ଶକ୍ତିହୀନ ସେମାନେ କ’ଣ ଜାଣନ୍ତି ? ଗଣତନ୍ତ୍ରରେ ଯିଏ ଲୋକପ୍ରିୟ ସିଏ ହିରୋ। କିନ୍ତୁ ବାସ୍ତବରେ ଚିତ୍ର ଟିକିଏ ଅଲଗା। ତେଣୁ ରାଜ୍ୟସଭା ସଦସ୍ୟ ବି ସିଧାସଳଖ ନିର୍ବାଚିତ ହୋଇ ଆସିବା ଜରୁରି ବୋଲି ଦାବି ଉଠିବା କିଛି ଅଯୌକ୍ତିକ ମନେହେଉ ନାହିଁ।

Previous ArticleNext Article

Send this to a friend