୩୭ରେ ଧୋନୀ: ଜନ୍ମଦିନରେ ଜାଣନ୍ତୁ ଧୋନୀଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ

ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ। ମାହି ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ଧୋନୀ ଭାରତୀୟ ଟିମ୍‌ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେଠାରେ ସେ ପତ୍ନୀ ସାକ୍ଷୀ, ଝିଅ ଜିଭା ଓ ସାଥି ଖେଳାଳିଙ୍କ ସହିତ ନିଜର ୩୭ ତମ ଜନ୍ମଦିନ ପାଳନ […]

b7

b7

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 04:43 PM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ। ମାହି ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ଧୋନୀ ଭାରତୀୟ ଟିମ୍‌ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେଠାରେ ସେ ପତ୍ନୀ ସାକ୍ଷୀ, ଝିଅ ଜିଭା ଓ ସାଥି ଖେଳାଳିଙ୍କ ସହିତ ନିଜର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି। ଆଜି ତାଙ୍କର ଜନ୍ମଦିନ ଅବସରେ ଆଇସିସି ଓ ବିସିସିଆଇ ଓ ବହୁ ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତୀୟ କ୍ରିକେଟ ଦଳରେ ଧୋନୀ ହେଉଛନ୍ତି ଏଭଳି ଜଣେ ଉଦୀୟମାନ ତାରକା ଯିଏ ଦଳ ପାଇଁ ଆଣି ଦେଇଛନ୍ତି ଅନେକ କିଛି ଉପଲବ୍ଧୀ। ପଡ଼ିଆରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍‌ ଦେବାରେ ତାଙ୍କର ରଣ କୌଶଳ ଅଦ୍ୱିତୀୟ। ଧୋନୀ ଯେତେ ଭଲ ଖେଳାଳି, ସେତେ ଭଲ ମଣିଷ ମଧ୍ୟ। ତାଙ୍କର ଶାନ୍ତ ସ୍ୱଭାବ ଯୋଗୁଁ ତାଙ୍କୁ କ୍ୟାପ୍ଟେନ କୁଲ୍ ମଧ୍ୟ କହାଯାଏ। ତାଙ୍କର ଏହି ଗୁଣ ପାଇଁ ଦେଶ ବିଦେଶର ଅନେକ ମହାନ ଖେଳାଳି ତାଙ୍କ ପ୍ରଶଂସାରେ ଶତମୁଖ ହୁଅନ୍ତି। ତାଙ୍କର ୧୪ ବର୍ଷର କ୍ରିକେଟ କ୍ୟାରିୟରରେ ସେ ଅନେକ ସଫଳତା ସାଉଁଟିଛନ୍ତି। ଆଜି ତାଙ୍କର ୩୭ ତମ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର ସଫଳ କ୍ରିକେଟ୍‌ ଯାତ୍ରା ବିଷୟରେ।

ଆରମ୍ଭ:

୧୯୮୩ ମସିହାରେ ଲର୍ଡସଠାରେ କପିଲଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମ ଥର ବିଶ୍ୱକପ ଜିତିବା ପରେ ଏକ ନୂଆ ସକାଳ ଆଡ଼କୁ ଅଗ୍ରସର ହୋଇଥିଲା। ଏହାପରେ ଭାରତୀୟ ଦଳରେ ଅନେକ ବଡ଼ବଡ଼ ଖେଳାଳି ଓ ଅଧିନାୟକ ଆସିଲେ। ସେମାନଙ୍କୁ ଅନେକ ସଫଳତା ମଧ୍ୟ ମିଳିଲା। କିନ୍ତୁ ଧୋନୀ ଦଳର ନେତୃତ୍ୱ ନେବା ପରେ ଭାରତୀୟ ଟିମ୍‌କୁ ସଫଳତାର ଧାଡ଼ି ଲାଗିଲା। ବିଶ୍ୱ ଦରବାରର ଟିମ୍‌ ଇଣ୍ଡିଆ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା।

ଧୋନୀଙ୍କ ପିଲା

ଦିନ: ଜୁଲାଇ ୭ ତାରିଖ ୧୯୮୧ ମସିହାରେ ରାଞ୍ଚିରେ ପାନ୍‌ ସିଂହ ଓ ଦେବକୀ ଦେବୀଙ୍କର ଘରେ ଜନ୍ମଗ୍ରହଣ କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ବାପାଙ୍କ ବ୍ୟତୀତ ଧୋନୀଙ୍କର ଜଣେ ବଡ଼ ଭାଇ ନରେନ୍ଦ୍ର ଓ ଭଉଣୀ ଜୟନ୍ତୀ ମଧ୍ୟ ଅଛନ୍ତି। ନରେନ୍ଦ୍ର ସମାଜବାଦୀ ପାର୍ଟିର ନେତା ମଧ୍ୟ।

ଫୁଟବଲ୍‌ ଥିଲା ପ୍ରଥମ ପସନ୍ଦ: ଧୋନୀଙ୍କ ଜୀବନରେ ଖେଳର ଭୂମିକା ଅନେକ ବେଶୀ। ପ୍ରଥମେ ଫୁଟବଲ୍‌ ଖେଳପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ସେ ନିଜ ସ୍କୁଲ ଦଳର ଗୋଲ୍ କିପର୍‌ ମଧ୍ୟ ଥିଲେ। ଏହି ଫୁଟ୍‌ବଲ୍‌ ନିଶା ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ବି ରହିଛି। ଧୋନୀ ବର୍ତ୍ତମାନ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ଚାମ୍ପିୟନ୍‌ ଏଫ୍‌ସି ଦଳର ମାଲିକ ମଧ୍ୟ ଅଛନ୍ତି। ଫୁଟବଲ ପରେ ବ୍ୟାଡ୍‌ମିଣ୍ଟନକୁ ବି ସେ ବେଶ୍‌ ପସନ୍ଦ କରନ୍ତି।

ଟିଟିଇ ଚାକିରି: ନିଜ ବ୍ୟକ୍ତିଗତ ଜୀବନରେ ଅନେକ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ଧୋନୀଙ୍କ ଜୀବନରେ ଅନେକ ମୋଡ଼ ଆସିଛି। ସେ ୨୦୦୧ରୁ ୨୦୦୩ ମସିହା ପର୍ଯ୍ୟନ୍ତ ରେଳବାଇରେ ଟିଟିଇ ଚାକିରି କରୁଥିଲେ। ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରିବା ସହିତ ସମୟ ପାଇଲେ ବନ୍ଧୁମାନଙ୍କ ସହ ମସ୍ତି ମଜାକ ମଧ୍ୟ କରୁଥିଲେ। ଏଥିସହିତ ଧୋନୀଙ୍କ ଲଭ୍‌ ଲାଇଫ୍‌ ବି ବେଶ୍ ଚର୍ଚ୍ଚିତ। ଯାହା ତାଙ୍କ ବାୟୋପିକ ଫିଲ୍ମ 'ଏମ୍‌ଏସ୍‌ ଧୋନୀ ଦ ଅନ୍‌ଟୋଲ୍‌ଡ ଷ୍ଟୋରୀ'ରେ ଦର୍ଶାଯାଇଛି।

କ୍ରିକେଟ କ୍ୟାରିୟର୍‌: ୧୯୯୮ରୁ ଜୁନିୟର କ୍ରିକେଟରୁ କ୍ୟାରିୟର୍ ଆରମ୍ଭ କରି ବିହାର କ୍ରିକେଟ୍‌ ଟିମ୍‌, ଝାଡ଼ଖଣ୍ଡ କ୍ରିକେଟ୍‌ ଟିମ୍‌ ଓ ଇଣ୍ଡିଆ ଏ ଟିମ୍‌ରୁ ଭାରତୀୟ କ୍ରିକେଟ ଟିମ୍‌ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ମାତ୍ର ୫ ରୁ ୬ ବର୍ଷ ଭିତରେ ପୂରା ହୋଇଥିଲା। ୨୦୦୪ ମସିହାରେ ସେ ବାଂଲାଦେଶ ବିରୋଧରେ ପ୍ରଥମ ଓଡିଆଇ ମ୍ୟାଚ୍‌ ଖେଳିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟଚ୍‌। କିନ୍ତୁ ବାଂଲାଦେଶ ବିରୋଧରେ ଧୋନୀ ସେତେଟା କମାଲ୍ ଦେଖାଇପାରି ନ ଥିଲେ। ଏହାପରେ ତାଙ୍କୁ ପୁଣିଥରେ ପାକିସ୍ତାନ ବିରୋଧରେ ଖେଳିବାକୁ ସୁଯୋଗ ମିଳିଥିଲା। ବିଶାଖାପାଟଣାରେ ଖେଳାଯାଉଥିବା ପଞ୍ଚମ ଏକଦିବସୀୟ ମ୍ୟାଚ୍‌ରେ ୧୨୩ ବଲ୍‌ରେ ୧୪୮ ରନ୍‌ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ ଧୋନୀ। ଏହାପରେ ସମସ୍ତଙ୍କ ମୁହଁରେ ଉଠିଥିଲା ଗୋଟିଏ ପ୍ରଶ୍ନ। କିଏ ଏହି ଚମତ୍କାରୀ ଖେଳାଳି?

ଧୋନୀଙ୍କ ସଉକ: ନୂଆ ବାଇକ୍ ଓ କାର୍‌ ପ୍ରତି ଧୋନୀଙ୍କର ଅହେତୁକ ଦୁର୍ବଳତା ରହିଛି। ସେଥିପାଇଁ ତାଙ୍କ ପାଖରେ ଅନେକ ନୂଆ ବାଇକ୍‌ର କଲେକ୍ସନ୍‌ ସହିତ ଦାମୀ କାର୍‌ ମଧ୍ୟ ରହିଛି। ମୋଟର୍ ରେସିଂରେ ତାଙ୍କର ସଉକ୍‌ ଥିବାରୁ ନିଜେ 'ମାହି ରେସିଂ' ନାମରେ ଏକ ଟିମ୍‌ ମଧ୍ୟ କିଣିଛନ୍ତି।

ଉପଲବ୍ଧୀର ପାହାଡ଼: ଆଇସିସିର ତିନୋଟି ବଡ଼ ଟ୍ରଫି ହାତେଇଥିବା ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ଟି-୨୦ ବିଶ୍ୱକପ୍(୨୦୦୭), ବିଶ୍ୱକପ(୨୦୧୧) ଓ ଆସିସି ଚାମ୍ପିୟନ୍ସ ଟ୍ରଫି ୨୦୧୩ ରେ ଜିତିସାରିଛି। ଏହା ସହିତ ତାଙ୍କ ଅଧିନାୟକତ୍ୱ ସମୟରେ ଟିମ୍‌ ଇଣ୍ଡିଆ ବିଶ୍ୱର ଏକ ନମ୍ବର ଦଳ ହେବାର ଗୌରବ ହାସଲ କରିଛି। ୨୦୧୪ ମସିହାରେ ଧୋନୀ ଟେଷ୍ଟ ମ୍ୟାଚ୍‌ରୁ ହଠାତ୍ ସନ୍ୟାସ ଘୋଷଣା କରିବା ପରେ  ୨୦୧୭ରେ ୱାନ୍‌ଡେ ଓ ଟି-୨୦ର ଅଧିନାୟକ ପଦରୁ ବି ବିଦାୟ ନେଇଥିଲେ।

ସଂକ୍ଷେପରେ

କ୍ରିକେଟ୍‌ ବିଶ୍ୱକପ-୧, ଟି-୨୦ ବିଶ୍ୱକପ୍-୧, ଚାମ୍ପୟନ୍ସ ଟ୍ରଫି-୧, ଆଇପିଏଲ୍‌-୩ ଟ୍ରଫି, ଚାମ୍ପିୟନ୍ସ ଲିଗ୍‌ ଟି-୨୦ରେ ଟ୍ରଫି ଜିତିସାରିଛନ୍ତି।

ରନ୍‌ ସଂଗ୍ରହ ଓ ୱିକେଟ୍‌ କିପିଂ - ଏକଦିବସୀୟ ମ୍ୟାଚ୍‌ରେ ୯,୯୬୭ ରନ୍ ସଂଗ୍ରହ ସହିତ ୱିକେଟ୍‌ କିପର ହିସାବରେ ଷ୍ଟମ୍ପିଂ ଓ ବ୍ୟାଟିଂ କ୍ଷେତ୍ରରେ ୪୦୪ଥର ସଫଳତା ଅର୍ଜନ କରିଛନ୍ତି। ଟେଷ୍ଟରେ ୪,୮୭୬ ରନ୍‌ ସହିତ ୱିକେଟ କିପିଂ କରି ୨୯୪ଟି ୱିକେଟ୍‌ ହାସଲ କରିଛନ୍ତି। ସେହିଭଳି ଟି-୨୦ରେ ୧,୪୮୭ ଆନ୍ତର୍ଜାତୀୟ ରନ୍‌ ସଂଗ୍ରହ କରିବା ସହିତ କିପିଂ କରି ୮୨ଜଣଙ୍କୁ ଆଉଟ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos