ଦର୍ଶକ ଦେଖିବାକୁ ପାଇବେନି ବାରବାଟୀ ‘ହିରୋ’ଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଶଂସକ ନିରାଶ

dc-Cover-mre6o5obpc71v9icelshcolr70-20170120110124.Medi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର କେଇ ଘଣ୍ଟା ପରେ ବାରବାଟୀରେ ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌। ଏହି ମ୍ୟାଚ୍‌ ପାଇଁ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଏଥର ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଦୀର୍ଘ ୨ ବର୍ଷ ପରେ ପୁଣିଥରେ ବାରବାଟୀକୁ ଟ-ଟ୍ୱେଣ୍ଟି ଫେରିଥିବା ବେଳେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହି ମ୍ୟାଚ୍‌କୁ ନେଇ ଯଦିଓ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି ତଥାବି ଅନେକ କ୍ରୀଡ଼ାପ୍ରେମୀ ବାରବାଟୀର ହିରୋ ଯୁବରାଜ ସିଂଙ୍କୁ ମିସ୍‌ କରିବେ। ଏହି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂଙ୍କ ଅନୁପସ୍ଥିତି କ୍ରୀଡ଼ାପ୍ରେମୀଙ୍କ ଉତ୍ସାହକୁ କମାଇ ଦେଇଛି। ଯୁବରାଜ ସିଂ ଅନେକ ଦିନ ଧରି ଟିମ୍‌ରୁ ବାହାରେ ଅଛନ୍ତି। ତେଣୁ ବାରବାଟୀ ଦର୍ଶକ ତାଙ୍କୁ ବହୁତ ମିସ୍‌ କରିବେ। ଆପଣଙ୍କୁ ମନେ ପକାଇଦେବାକୁ ଚାହୁଁଛି ୨୦୧୭ ଜାନୁଆରୀ ମାସରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବପକ୍ଷରେ ଯୁବରାଜ ସିଂ ଏକ ବିସ୍ଫରକ ଶତକୀୟ ପାଳି ଖେଳିଥିଲେ। ଏହି ପାଳିରେ ଯୁବି ୨୧ଟି ଚୌକା ୩ଟି ଛକା ମାରି ୧୫୦ରନର ଏକ ବିଶାଳ ସ୍କୋର କରିଥିଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ ମନୋରଂଜନର ଖୋରାକ ଯୋଗାଇଥିଲା।

ଏପର୍ଯ୍ୟନ୍ତ ବାରବାଟୀରେ କୌଣସି ଖେଳାଳିଙ୍କ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର। ବାରବାଟୀର ଯୁବିଙ୍କ ଏହି ବିସ୍ଫୋରକ ପାଳି ଦର୍ଶକଙ୍କ ମନରୁ ଏପର୍ଯ୍ୟନ୍ତ ଲିଭିନାହିଁ। ଅନେକ କ୍ରିକେଟ୍‌ ପ୍ରେମୀ ଯୁବିଙ୍କୁ ଏହି ମ୍ୟାଚ୍‌ରେ ମିସ୍‌ କରିବେ ବୋଲି କହିଛନ୍ତି। ଏହାସହ ବିରାଟ କୋହଲି ଟିମ୍‌ରେ ନଥିବାରୁ ତାଙ୍କ ଫ୍ୟାନ୍‌ ମଧ୍ୟ ନିରାଶ ହେବେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଦୁଇ ବର୍ଷ ପୂର୍ବେ ବାରବାଟୀରେ ଖେଳାଯାଇଥିବା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ଲଜ୍ଜାଜନକ ପରାସ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ଭାରତକୁ ୬ୱିକେଟ୍‌ରେ ପରାସ୍ତ କରିଥିଲା। ତେଣୁ ଏହି ମ୍ୟାଚ୍‌କୁ ଭୁଲି ଆସନ୍ତା କାଲିର ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରି ବିଜୟୀ ହେବା ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି।

Previous ArticleNext Article

Send this to a friend