ବାରବାଟୀ ବିଶୃଙ୍ଖଳା ପାଇଁ ଦାୟୀ କିଏ?

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇ ବର୍ଷ ପରେ ବାରବାଟୀକୁ ଫେରିଥିଲା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଷ୍ଟାଡିୟମରେ ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ପାଇଲେ ଦର୍ଶକ। ହେଲେ ଟିକେଟ ବିକ୍ରିକୁ ନେଇ ବିଭ୍ରାଟ ଓ ଅଧାରାସ୍ତାରେ ଟିମ୍ ଇଣ୍ଡିଆ ବସ୍ ଅଟକିବା ଭଳି ଆୟୋଜନରେ ଏକାଧିକ ବିଶୃଙ୍ଖଳା ପାଇଁ ବଦ୍‌ନାମ ହୋଇଛି ବାରବାଟୀ।

ଗତ ୧୭ ତାରିଖରେ କାଉଣ୍ଟରରେ ଟିକେଟ୍‌ ମିଳିଲା ନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ କ୍ରିକେଟ୍‌ ପ୍ରେମୀ ଟିକେଟ୍ କାଉଣ୍ଟରରେ ଟେକାପଥର ମାଡ଼ ମାରିଥିଲେ। ଏପରିକି ବ୍ୟାରିକେଡ୍‌ ମଧ୍ୟ ଭଙ୍ଗାରୁଜା ହୋଇଥିଲା।

୧୮ ତାରିଖରେ ୯୦୦୦ ଅନ୍‌ଲାଇନ୍‌ ଟିକେଟ୍‌ଧାରୀଙ୍କୁ ଟିକେଟ୍‌ ଦେବା ଲାଗି ଗୋଟିଏ କାଉଣ୍ଟର ଖୋଲା ଯାଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଅନ୍‌ଲାଇଟ୍‌ ଟିକେଟ୍‌ରେ ସିଟ୍‌ ନମ୍ୱର ଓ ଡିସିପିଙ୍କ ସ୍ୱାକ୍ଷର ନଥିଲା। ଫଳରେ ଖେଳ ପ୍ରେମୀଙ୍କୁ ସୁରକ୍ଷାକର୍ମୀ ଷ୍ଟାଡିୟମ ଭିତରେ ପ୍ରବେଶ କରିବାକୁ ଦେଇନଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଖେଳ ପ୍ରେମୀ ଓ ପୋଲିସ୍‌ ଧସ୍ତାଧସ୍ତି ହୋଇଥିଲେ। ଏପରିକି କିଛି ଖେଳପ୍ରେମୀ ଧାରଣା ଦେଇଥିଲେ।

ଟ୍ରାଫିକ ସମସ୍ୟା ପାଇଁ ରାସ୍ତାରେ ଦୀର୍ଘ ସମୟ ଅଟକିଲା ଟିମ୍ ଇଣ୍ଡିଆ ବସ୍। ପ୍ରାୟ ଅଧଘଣ୍ଟା ବିଳମ୍ବରେ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଖେଳାଳି। ହେଲେ ଏହି ବିଭ୍ରାଟ ପାଇଁ ଦାୟୀ କିଏ? ଦୀର୍ଘ ୨ ବର୍ଷ ପରେ ବାରବାଟୀକୁ ମ୍ୟାଚ୍ ଫେରିଥିବାରୁ ଶୃଙ୍ଖଳିତ ଆୟୋଜନ ନେଇ ଓସିଏଠୁ ନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ମାସକ ଆଗରୁ ପ୍ରସ୍ତୁତି କରିଥିଲେ ମଧ୍ୟ ବିଶୃଙ୍ଖଳା କାହିଁକି?

ମ୍ୟାଚ୍ ଅର୍ଗାନାଇଜିଂ କମିଟି ସଦସ୍ୟ ନବରଞ୍ଜନ ପଟ୍ଟନାୟକ କହିଛନ୍ତି-“ଟିମ୍‌ ଇଣ୍ଡିଆ ଖେଳାଳି ଆସୁଥିବା ଗାଡ଼ିର କୌଣସି ଅସୁବିଧା ନଥିଲା। ଆଗରେ ରାସ୍ତା ଭିଡ଼ ଥିବାରୁ ସୁରକ୍ଷା ଦୃଷ୍ଟିରୁ ତେଲେଙ୍ଗାପେଣ୍ଠରେ ଗାଡ଼ି ୧୦ ମିନିଟ୍‌ ଅଟକିଥିଲା।”

ବାରବାଟୀରେ ବିଶୃଙ୍ଖଳାକୁ ନେଇ ପୂର୍ବ ରେକର୍ଡ ବି ଭଲ ନାହିଁ। ୨୦୧୫ ଅକ୍ଟୋବର ୫ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ସମୟରେ ଗ୍ୟାଲେରିରେ ଦର୍ଶକଙ୍କ ବିଶୃଙ୍ଖଳିତ ଆଚରଣ କରି ପାଣି ବୋତଲ ଫିଙ୍ଗିବା ଯୋଗୁଁ ସଂପୂର୍ଣ୍ଣ ହୋଇ ପାରି ନଥିଲା ମ୍ୟାଚ୍। ଆଉ ଏଥିପାଇଁ ବଦନାମ ହୋଇଥିଲା ବାରବାଟୀ।

କ୍ରିକେଟ୍ କୋଚ୍ କିଶୋର ମାଣିଆ କହିଛନ୍ତି-“ଏପରି ବିଭ୍ରାଟ ପାଇଁ କାହାକୁ ଦାୟୀ କରାଯିବ? ଆପଣ ଯାହାକୁ ପଚାରିବେ, ସିଏ ନିଜ ମୁଣ୍ଡରୁ ଦୋଷ ଖସାଇବେ।”

Previous ArticleNext Article

Send this to a friend