ଏମିତି ଥିଲା ଏହି କ୍ରିକେଟ୍‌ ଷ୍ଚାରଙ୍କ ପରିବାରର ଅଭାବି କାହାଣୀ

ନୂଆଦିଲ୍ଲୀ: ‘ଧୋନୀ ଦ ଅନ୍‌ଟୋଲ୍ଡ ଷ୍ଟୋରି’ ଏହି ଫିଲ୍ମଟି ପ୍ରାୟ ସମସ୍ତେ ଦେଖିଥିବେ ନିଶ୍ଚୟ। ଫିଲ୍ମଟି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଏଥିରେ ଧୋନୀଙ୍କ ସଙ୍ଘର୍ଷଭରା କାହାଣୀକୁ ଚିତ୍ରଣ କରାଯାଇଛି।

କେବଳ ଧୋନୀ ନୁହେଁ  ଭାରତର ଏମିତି କିଛି କ୍ରିକେଟ୍‌ ଷ୍ଟାର ଅଛନ୍ତି ଯେଉଁମାନେ ଆର୍ଥିକ ଅଭାବ ଦେଇ ଗତି କରିଛନ୍ତି। କିଏ ଟ୍ରକ ଡ୍ରାଇଭର ହେବାକୁ ଭାବିଥିଲେ ତ କିଏ ପୋଲିସ୍‌ ଅଫିସର ହେବା ପାଇଁ କସରତ କରୁଥିଲା। କିନ୍ତୁ ସେମାନଙ୍କ ଭାଗ୍ୟଲିପି କିଛି ଅଲଗା ଥିଲା। ଯାହା ତାଙ୍କୁ ଜଣେ ଜଣେ କ୍ରିକେଟ୍‌ ଷ୍ଟାର କରି ଗଢ଼ି ତୋଳିଲା। ଆସନ୍ତୁ ଜାଣିବା ସେହିଭଳି କିଛି ଖେଳାଳିଙ୍କ ବିଷୟରେ।

ରମେଶ ପାୱାର: ରମେଶ ପାୱାର ଦିନେ ଭାରତୀୟ କ୍ରିକେଟ ଦଳରେ ଜଣେ ନାମୀ ଖେଳାଳି ଥିଲେ। ବୋଲିଂ କୌଶଳରେ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଉଥିଲେ। ବ୍ୟାଟିଂରେ ମଧ୍ୟ ତାଙ୍କ କରିସ୍ମା କିଛି କମ୍‌ ନଥିଲା। ସେ ଭାରତୀୟ ଦଳ ପାଇଁ ମୋଟ ୩୪ଟି ୱାନ୍‌ଡେ ଓ ଦୁଇଟି ଟେଷ୍ଟ ଖେଳିଥିଲେ।

କିନ୍ତୁ ଆପଣ ଜାଣନ୍ତି କି ଏହି ଖେଳାଳି ଦିନେ ଅଭାବିପଣରେ ଯୁଝୁଥିଲେ। ପିଲାବେଳେ ମା’ଙ୍କ ଦେହାନ୍ତ ହୋଇଗଲା। ଭଉଣୀଙ୍କ ଆଦର ଯତ୍ନରେ ରମେଶ ବଢ଼ିବାକୁ ଲାଗିଲେ। କିନ୍ତୁ ଏତେସବୁ ବାଧାବିଘ୍ନ ପରେ ବି ସେ ତାଙ୍କ ଲକ୍ଷ୍ୟ ହାସଲ କରିନେଲେ।

ଉମେଶ ଯାଦବ: ଭାରତର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପା କୋଇଲା ଖଣିରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଉମେଶଙ୍କ ସ୍ୱପ୍ନ ଥିଲା, ସେ ଭବିଷ୍ୟତରେ ଜଣେ ପୋଲିସ୍‌ ଅଫିସର ହେବେ। କିନ୍ତୁ ନିୟତି କିଛି ଅଲଗା ଲେଖିଥିଲା। ଭଲ ବୋଲିଂ ପାଇଁ ତାଙ୍କୁ ବୋଲିଂ କ୍ୟାମ୍ପରେ ଚୟନ କରାଗଲା। ଧୀରେ ଧୀରେ ବୋଲିଂରେ ଏକାଗ୍ରତା ଯୋଗୁଁ ସେ ଆଜି ଭାରତୀୟ ଦଳରେ ଜଣେ ଷ୍ଟାର ବୋଲର ହୋଇପାରିଛନ୍ତି।

ବିରେନ୍ଦ୍ର ସେହୱାଗ: ସେହୱାଗ୍‌ଙ୍କ ପରିବାର ଏକ ବଡ଼ ପରିବାର ଥିଲା। ୫୦ ଜଣ ସଦସ୍ୟଙ୍କ ମଧ୍ୟରେ ସମସ୍ତେ ମିଳିମିଶି ରହୁଥିଲେ। ତାଙ୍କ ବାପା ଗହମ ବିକ୍ରି କରିବାର ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟକୁ ପୁଅ ସେହୱାଗ ଚଲାନ୍ତୁ ବୋଲି ସେ ଚାହୁଁଥିଲେ। ସେହୱାଗଙ୍କ ସ୍ୱପ୍ନ କିନ୍ତୁ ଅଲଗା ଥିଲା। ସେ କ୍ରିକେଟ୍‌ ଖେଳିବା ପାଇଁ ୮୪ କିମି ବସ୍‌ରେ ଯାତ୍ରା କରି ଆସୁଥିଲେ। ସଚିନ୍‌ଙ୍କ ସହ ବ୍ୟାଟିଂ କରିବା ତାଙ୍କର ଇଚ୍ଛା ଥିଲା। ଶେଷରେ ତାଙ୍କ ସ୍ୱପ୍ନ ସତ ହେଲା। ସେ ସଚିନଙ୍କ ସହିତ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଲେ। ଆଉ ଚାହୁଁ ଚାହୁଁ ସୁପରଷ୍ଟାର ବନିଗଲେ।

ହରଭଜନ ସିଂହ: ଭାରତୀୟ କ୍ରକେଟ ଦଳରେ ଟେଷ୍ଟରେ ସବୁଠାରୁ ଅଧିକ ୱିକେଟ୍‌ ହାତେଇ ଥିବା ଏହି ଅଲ୍‌ରାଉଣ୍ଡରଙ୍କୁ ଆଜି କିଏ ନ ଜାଣେ। ୧୯୯୮ରେ କ୍ରିକେଟ୍‌ରେ ପାଦ ଥାପିଥିବା ଭଜି ଦିନେ ହାତାଶା, ନିରାଶା ଦେଇ ଗତି କରିଥିଲେ। ଚୟନ କର୍ତ୍ତା ତାଙ୍କୁ ଦଳରେ ୩ ବର୍ଷ ସିଲେକ୍ଟ କଲେ ନାହିଁ। ଏହି ସମୟରେ ତାଙ୍କ ବାପାଙ୍କ ମୃତ୍ୟୁ ହେଲା। ପରିବାରରେ ବୋଝ ଯୋଗୁଁ ସେ କାନାଡା ଯାଇ ଟ୍ରକ ଡ୍ରାଇଭିଂ କରିବେ ବୋଲି ଭାବିଥିଲେ। କିନ୍ତୁ ପରେ ସ୍ଥିତି ବଦଳିଗଲା

ମୋହମ୍ମଦ ସାମି: ଇଲେକ୍ଟ୍ରିସିଟି ନ ଥିବା ଏକ ନିପଟ ମଫସଲ ଗାଁରୁ କ୍ରିକେଟ୍‌ ଜଗତ ପର୍ଯ୍ୟନ୍ତ ସାମିଙ୍କ ଯାତ୍ରା ବହୁ ବାଧାବିଘ୍ନରେ କଟିଥିଲା। ସାମି କୋଲକାତା କ୍ରିକେଟ୍‌ କ୍ଲବ୍‌ରେ ଖେଳିବାକୁ ସୁଯୋଗ ତ ପାଇଲେ କିନ୍ତୁ ସେଠାରେ ରହିବାକୁ ତାଙ୍କ ପାଖରେ ଅର୍ଥ ନଥିଲା। ସେ କୋଚ୍‌ଙ୍କ ଘରେ ରହି କ୍ରିକେଟ୍‌ ଖେଳିଲେ। ଶେଷରେ ସ୍ୱପ୍ନ ସାକାର ହେଲା। ସେ ଭାରତୀୟ ଦଳରେ ସ୍ଥାନ ପାଇଲେ। ସଫଳତା ପାଇବା ପରେ ତାଙ୍କ ଗାଁର ପରିସ୍ଥିତି ସୁଧାରିବାକୁ ଲାଗିଲେ ସାମି। ରାସ୍ତା ସହିତ ବିଜୁଳି ସେବା ଯୋଗାଇ ଦେବାକୁ ମୁଖ୍ୟ ଭୂମିକା ଗ୍ରହଣ କଲେ।

 

ବିନୋଦ କାମ୍ବଲି:  ଏହି ଖେଳାଳିଙ୍କ ବାପା ଜଣେ ମେକାନିକ୍‌ ଭାବରେ ମାସକୁ ୫୦୦ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ କ୍ରିକେଟ୍‌ ପ୍ରତି ତାଙ୍କର ନିଷ୍ଟା ତାଙ୍କୁ ପରମୁହୂର୍ତ୍ତରେ ସଫଳ କ୍ରିକେଟର ଭାବେ ଗଢ଼ି ତୋଳିଥିଲା। ସଚିନଙ୍କ ସହ ୬୦୦ରୁ ଅଧିକ ରନ୍‌ର ପାଟନରସିପ୍ ତାଙ୍କୁ  ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ରବୀନ୍ଦ୍ର ଜାଡେଜା: ଜାଡେଜାଙ୍କ ବାପା ଜଣେ ସିକ୍ୟୁରିଟି ଗାର୍ଡ ଥିଲେ। ଏଥିରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ଥିଲା। ଜାଡେଜାଙ୍କ ମା’ ଜାଡେଜାଙ୍କୁ କ୍ରିକେଟ୍‌ ଖେଳିବାକୁ ପ୍ରେରଣା ଦେଉଥିଲେ। ହଠାତ୍‌ ମା’ଙ୍କ ଅକାଳ ବିୟୋଗ ପରେ ଦୁଃଖରେ ଭାଙ୍ଗିପଡ଼ି ସେ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଭଉଣୀଙ୍କ ସହଯୋଗ ପାଇ ଜାଡେଜା ଖେଳ ଜାରି ରଖିଥିଲେ। ଯାହା ତାଙ୍କୁ ଆଜି ବିଶ୍ୱ ଦରବାରରେ ପରିଚିତ କରିଛି।

ଜାହିର ଖାନ: ପିଲାବେଳୁ କ୍ରିକେଟ୍‌ ଖେଳିବାକୁ ଜାହିରଙ୍କ ଇଚ୍ଛା ଥିଲା। ମୁମ୍ବାଇ ନ୍ୟାସନାଲ୍‌ କ୍ରିକେଟ୍‌ କ୍ଲବ୍‌ରେ ଖେଳିବାକୁ ସୁଯୋଗ ମିଳିବାରୁ ଜାହିର ଘରଦ୍ୱାର ଛାଡ଼ି ମୁମ୍ବାଇ ଚାଲିଆସିଲେ। ତାଙ୍କ ଆଣ୍ଟି ଏକ ଡାକ୍ତରଖାନାରେ ଜଣେ ହେଲ୍‌ପର ଭାବରେ କାମ କରୁଥିବାରୁ ଡାକ୍ତରଖାନାର ବେଡ୍ ନଥିବା ଏକ ଛୋଟିଆ ରୁମ୍‌ରେ ଆଣ୍ଟିଙ୍କ ସହ ରହୁଥିଲେ ଜାହିର ଖାନ। ଏହାପରେ ଜାହିରଙ୍କ ମେଣ୍ଟର ତାଙ୍କ ପାଇଁ ଏକ ଚାକିରି ଠିକ୍‌ କରିଦେଲେ। ମାତ୍ର ୫୦୦୦ ଟଙ୍କା ଷ୍ଟାଇପେଣ୍ଡରେ ଚାକିରି କରି ସେ ଖେଳ ଜାରି ରଖିଲେ। ଶେଷରେ ୨୦୦୦ ମସିହାରେ ଭାରତୀୟ ଦଳରେ କ୍ରିକେଟ୍‌ ଖେଳିବାକୁ ସୁଯୋଗ ପାଇଲେ ଜାହିର ଖାନ୍‌।

ମୁନାଫ୍‌ ଫଟେଲ୍: ଶିଶୁ ଶ୍ରମିକ ଭାବରେ ଏକ ଟାୟାର ଫ୍ୟାକ୍ଟୋରିରେ କାମ କରୁଥିଲେ ମୁନାଫ୍‌। ତିନିବେଳା ଖାଇବା ଯୋଗାଡ଼ କରିବା ମଧ୍ୟ ତାଙ୍କ ପରିବାର ପାଇଁ କଷ୍ଟକର ଥିଲା। ସେ ଚପଲ ପିନ୍ଧି କ୍ରିକେଟ୍‌ ଅଭ୍ୟାସ କରୁଥିଲେ। ତାଙ୍କର ଏପରି ଟେଲେଣ୍ଟ ଦେଖି ତାଙ୍କର ଜଣେ ପଡ଼ୋଶୀ ତାଙ୍କ ପାଇଁ ସୁ କିଣି ଦେଲେ ଓ ବଡୋଦ୍ରା କ୍ରିକେଟ୍‌ କ୍ଲବ୍‌ରେ ଖେଳିବାକୁ ପରାମର୍ଶ ଦେଲେ। ପରେ ମୁନାଫ୍‌ଙ୍କୁ ଏମ୍‌ଆର୍‌ଏଫ୍ ପେସ୍ ଆକାଡେମୀରେ ଚୟନ କରାଗଲା। ସେଠାର ଫେମସ୍‌ ବୋଲର ଡେନିସ୍‌ ଲିଲ୍ଲୀ ମୁନାଫ୍‌ଙ୍କ ପ୍ରତିଭାରେ ଖୁସି ହୋଇ ସଚିନ୍‌ଙ୍କୁ  ତାଙ୍କ ବିଷୟରେ କହିଲେ। ସଚିନ୍ ଚୟନ କର୍ତ୍ତାଙ୍କ ସହ ମୁନାଫ୍‌ ବିଷୟରେ କଥା ହେବାରୁ ୨୦୦୬ରେ ମୁନାଫ୍‌ ଭାରତୀୟ ଦଳରେ ପ୍ରବେଶ କଲେ।

ଇର୍ଫାନ୍‌, ୟୁସୁଫ୍‌: ମୁଣ୍ଡ ଗୁଞ୍ଜିବା ପାଇଁ ପଠାନ୍ ବ୍ରଦର୍ଶଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ପରିବାର ଏକ ମସ୍‌ଜିଦରେ ରହୁଥିଲେ। ତାଙ୍କ ବାପା ସେଠାରେ ୨୫୦ ଟଙ୍କାରେ କାମ କରୁଥିଲେ। ତାଙ୍କ ବାପା ମେହେମୁଦ ଫଟା ବୁଟ୍‌ କିଣି ସିଲାଇ କରି କ୍ରିକେଟ୍‌ ଖେଳିବା ପାଇଁ ଦୁଇ ପୁଅଙ୍କୁ ଦେଉଥିଲେ। ଫଠାନ ବ୍ରଦର୍ସଙ୍କର ଏହି ଅଭାବ ସବୁଦିନ ରହିଲା ନାହିଁ। ଦୁହେଁ ଭାରତର ପ୍ରତିଭାବାନ କ୍ରିକେଟ୍‌ ଖେଳାଳି ହେଲେ।

Previous ArticleNext Article

Send this to a friend