ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ଟିମ୍ ଇଲେଭେନରୁ ମଧ୍ୟ ବିଦା ହେଲେ ଗୌତମ ଗମ୍ଭୀର। ଫିରୋଜ ଶାହା କୋଟ୍ଲା ଷ୍ଟାଡ଼ିୟମରେ ଦିଲ୍ଲୀ ଓ କେକେଆର୍ ମଧ୍ୟର ଖେଳାଯାଉଥିବା ମ୍ୟାଚ୍ରେ ଗମ୍ଭୀରଙ୍କୁ ଡ୍ରପ୍ କରାଯାଇଛି। ଆଇପିଲରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗମ୍ଭୀର ନିଜେ ଅଧିନାୟକ ପଦ ଛାଡିଥିଲେ। ଆଜିର ମ୍ୟାଚ୍ରେ ଗମ୍ଭୀରଙ୍କ ବଦଳରେ ଶ୍ରେୟସ ଆୟର ଦିଲ୍ଲୀର ନେତୃତ୍ୱ ଭାର ନେଇଛନ୍ତି।
ଆଜି ମ୍ୟାଚ୍ରେ କେକେଆର୍ ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେକେଆର୍ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ରୁ ୩ଟିରେ ବିଜୟ ଓ ୩ଟିରେ ପରାଜୟ ସହ ପିଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ ୬ଟି ମ୍ୟାଚ୍ରୁ ମାତ୍ର ଗୋଟିଏ ମ୍ୟାଚ୍ରେ ଜିତି ତାଲିକାର ଶେଷ ସ୍ଥାନରେ ରହିଛି। ଆଜି ମ୍ୟାଚ୍ ବିଶେଷ କରି ଦିଲ୍ଲୀ ପାଇଁ ଅନେକ ଗୁରୁତ୍ୱ ରଖୁଛି। ଆଜି ମ୍ୟାଚ ହାରିଲେ ଦିଲ୍ଲୀ ପାଇଁ ଟପ୍-୪ରେ ପହଞ୍ଚିବା ବହୁ କଷ୍ଟକର ହେବ। କାରଣ ଦିଲ୍ଲୀକୁ ଅତିକମରେ ଶେଷ ୮ଟି ମ୍ୟାଚ୍ରୁ ୭ଟି ମ୍ୟାଚ୍ରେ ଜିତିବାକୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।