ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍-୨୦୧୮ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ବାକି ଅଛି। ସମସ୍ତ ଫ୍ରାଞ୍ଚାଇଜ୍ ନିଜ ନିଜ ଖେଳାଳିଙ୍କ ସହ ଜୋରଦାର ଅଭ୍ୟାସ ଚଲାଇଛନ୍ତି। ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ଆଇପିଏଲର ଦୁଇ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବାକୁ ଯାଉଛି। ଆଇପିଏଲରେ ଯଦିଓ ଚେନ୍ନାଇ ଗତ ଦୁଇ ବର୍ଷ ଧରି ସାମିଲ ନଥିଲା, ତଥାବି ଆଇପିଏଲରେ ଏହି ଦୁଇଟି ଟିମ୍ ମଧ୍ୟରେ ଖେଳାଯାଉଥିବା ସମସ୍ତ ମ୍ୟାଚ୍କୁ ଦର୍ଶକ ଭର୍ପୁର୍ ଉପଭୋଗ କରିବାକୁ ଅପେକ୍ଷା କରିଛନ୍ତି। ଚେନ୍ନାଇ ଆଇପିଏଲରେ ୨ଥର ଚାମ୍ପିୟନ ହୋଇଥିବା ବେଳେ ମୁମ୍ବାଇ ୩ ଥର ଚାମ୍ପିୟନ ହୋଇଛି।
ମୁମ୍ବାଇ ଓ ଚେନ୍ନାଇର ରେକର୍ଡ ଯଦି ଦେଖିବା, ତେବେ ମୁମ୍ବାଇର ପଲ୍ଲା ଭାରି ପଡ଼ିବ। ଏହି ଦୁଇଟି ଟିମ୍ ଆଇପିଏଲରେ ମୋଟ୍ ୨୪ ଥର ସମ୍ନାସାମ୍ନି ହୋଇଥିବା ବେଳେ ମୁମ୍ବାଇ ୧୩ ଥର ଜିତିଥିବା ବେଳେ ଚେନ୍ନାଇ ୧୧ ଥର ଜିତିଛି। ୨୦୧୮ ଆଇପିଏଲରେ ଉଭୟ ଟିମ୍ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଇପିଏଲ ଆରମ୍ଭରୁ ଦୀର୍ଘ ୧୦ଟି ସିଜିନ ପାଇଁ ମୁମ୍ବାଇ ଟିମ୍ରେ ଖେଳିଆସିଥିବା ହରଭଜନ ସିଂ ଏଥର ଚେନ୍ନାଇ ପାଇଁ ଖେଳିବାକୁ ଯାଉଛନ୍ତି। ମୁମ୍ବାଇ ଆଇପିଏଲରେ ୩ ଥର ଚାମ୍ପିୟନ ହେବା ପଛରେ ହରଭଜନଙ୍କ ଭୂମିକା ମଧ୍ୟ କମ ନୁହେଁ। ହରଭଜନ ସିଂଙ୍କୁ ଚେନ୍ନାଇ ୨ କୋଟି ଟଙ୍କାରେ ଏଥର କିଣିଛି। ଆଇପିଏଲରେ ଏପର୍ଯ୍ୟନ୍ତ ହରଭଜନ ୧୩୬ ଟି ମ୍ୟାଚ୍ ଖେଳି ୧୨୭ ୱିକେଟ୍ ହାସଲ କରିଛନ୍ତି। ବ୍ୟାଟିଂରେ ମଧ୍ୟ ୧୪୧ ଷ୍ଟ୍ରାଇକ୍ରେଟ୍ରେ ସେ ୭୭୧ ରନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।