ଓଲି ଦି ୱାରିୟର: ମାସ୍କଟ୍‌ ପଛର ନିଷ୍କପଟ ସଂଘର୍ଷର କାହାଣୀ

 

ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍। ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ କ୍ରୀଡ଼ାର ଏହି ମହାକୁମ୍ଭକୁ ନେଇ ସବୁଠି ଚର୍ଚ୍ଚା। ଉଠୁଛି ପଡୁଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ। ଆଉ ଏସବୁ ଭିତରେ ପୁରା ଶୋରେ ଚର୍ଚ୍ଚାର ବିଷୟ ପାଲଟିଛି ମାସ୍କଟ୍ ଓଲି। ବିରଳ ପ୍ରଜାତିର କଇଁଛ। ତେଣୁ ରାଜ୍ୟ ସରକାର ତାକୁ ମାସ୍କଟ କରିଛନ୍ତି। ଗଲା କିଛି ଦିନ ଧରି ସାରା ରାଜ୍ୟ ବୁଲିଲା ଓଲି। କିଏ ଫଟୋ ଉଠାଇଲା ତ କିଏ ନେଲା ସେଲଫି। ସ୍କୁଲରୁ ସଚିବାଳୟ ଗଲା ସେ। କୌତୁହଳ ସୃଷ୍ଟି କଲା ଲୋକଙ୍କ ମନରେ।  ହେଲେ ଏ ଓଲି ପଛରେ ରହିଛି ଏକ ପ୍ରେରଣାଦାୟୀ କାହାଣୀ। ଯାହା କେବଳ କ୍ରୀଡ଼ାବିତଙ୍କୁ ନୁହେଁ ଆମ ସମସ୍ତଙ୍କୁ ଦେଉଛି ଜୀବନ ସଂଘର୍ଷର ମନ୍ତ୍ର।

ଋଷିକୂଲ୍ୟା ମୁହାଁଣରେ ବର୍ଷ ବର୍ଷ ଧରି ଅଲିଭ ରିଡଲେଙ୍କ ସଂଗମ, ଅଣ୍ଡାଦାନ ଓ ଛୁଆ ଫୁଟିବା ପ୍ରକ୍ରିୟାକୁ ରିପୋର୍ଟିଂ କରିବା ସମୟରେ ଯେଉଁ ଅନୁଭବ ମିଳିଛି, ତାକୁ ନେଇ ପ୍ରସ୍ତୁତ ହୋଇଛି ଏହି ଲେଖାଟି।

Olive-Ridleyଶିଶୁ ଯୋଦ୍ଧା : ସେମାନେ ଧରାପୃଷ୍ଠକୁ ଆସନ୍ତି ସଂପର୍କକୁ ସାଥୀରେ ନେଇ । ସଂଘାତର ଜୁଆର ଯେମିତି ସଂଗାତ ସାଜେ ଜନ୍ମରୁ । ଆଖି ଖୋଲିବା ପୂର୍ବରୁ ମାଆ ପର କରି ଚାଲିଯାଏ ହଜାର ହଜାର ମାଇଲ୍। ଛାଡ଼ିଯାଏ ଅନ୍ଧାର ଭିତରେ । ସେ ଆଖି ଖୋଲେ ସୂର୍ଯ୍ୟଙ୍କ ଅମାପ ସହଯୋଗରେ । ରାତିର କିଟିମିଟି ଅନ୍ଧାରରେ ଆଖି ମଳି ମଳି ଦେଖିବାକୁ ଚେଷ୍ଠାକରେ ପୃଥିବୀର ପ୍ରଥମ ରଙ୍ଗ । ହେଲେ ଏହା କଣ ସମ୍ଭବ ହୁଏ ?…..ନା, ତାକୁ ଚାହିଁ ବସିଥାଏ ଅମା ଅନ୍ଧାରର ଅଶାନ୍ତ ଜୁଆର । କାନ ଖୋଲୁ ଖୋଲୁ ଶୁଣେ, ଜୁଆର ଭିତରୁ ହାତ ଠାରି ତାକୁ ଡାକୁଛି । ଡାକୁଛି ସମୁଦ୍ରର ଗଭୀରତା ଭିତରେ ହଜି ଯିବାକୁ । ଠିକ୍  ମାଆପରି ଜନ୍ମମାଟି ସହ ପ୍ରତାରଣା କରି ଆଉ ଏକ ଅଜଣା ରାଇଜକୁ ଚାଲିଯିବାକୁ । ଯେଉଁ ରାଇଜ ସହ ତା’ର ଦୂର ଦୂର ପର୍ଯ୍ୟନ୍ତ ସଂପର୍କ ନଥାଏ । ହଁ…..ଥାଏ କେବଳ ବଂଶ ପରମ୍ପରାର ସଂପର୍କ । ସେଥିପାଇଁ ତ ଇଚ୍ଛା ନଥାଇ ବି ସେ ଜୁଆରର ନିମନ୍ତ୍ରଣକୁ ସ୍ୱାଗତ କରେ । ପାଲଟିଯାଏ ସମୁଦ୍ରର ଗଭୀର ଜଳରାଶିର ଚକ୍ରବ୍ୟୁହରେ ଅଭିମନ୍ୟୁ । ଆଉ ସେହି ଚକ୍ରବ୍ୟୁହରେ ଖୋଜେ ତାର ଅପରିଚିତା ମାଆକୁ।

ସଂସାରର ଆଲୋକ ଛୁଏଁ ନବାଗତକୁ । ନବାଗତ ଛୁଏଁ ମାତୃଲୋକ । ମାଆ ହିଁ ତ ଦିଏ ପହିଲି ପରଶ । ମାଆର ପହିଲିତମ ପରଶ ସିନା ପାଇନି, ହେଲେ ମାଆ କ’ଣ ତା ପାଇଁ ଗର୍ଭଯନ୍ତ୍ରଣା ସହି ନଥିବ…..। ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ସେ କେତେବେଳେ ବାହାରି ପଡେ଼ ମାଆକୁ ଖୋଜିବାକୁ । ଏମିତିରେ ସେ ଆମ ସମସ୍ତଙ୍କ ଭଳି ସ୍ୱାର୍ଥପର । କିଏ ବା ଚାହେଁ, ମାଆ ଥାଇ ବି ଏମିତି ମାଆ ଛେଉଁଣ୍ଡ ଭଳି ବଞ୍ଚିବାକୁ । କିଏ ବା ଚାହେଁ ଶୈଶବରେ ମାଆର ମମତାକୁ ହାତଛଡ଼ା କରିବାକୁ । ମାଆକୁ ଖୋଜେ ସମୁଦ୍ରର ଅତଳ ଗର୍ଭରେ । ଆଉ ତା ସହିତ ଆରମ୍ଭ ହୁଏ ମୃତ୍ୟୁ ସହ ସଂଗ୍ରାମ ।

Olive-ridley-Sea-Turtlesକେବଳ ସେ ନୁହେଁ ତା’ ଭଳି ଏମିତି ଲକ୍ଷ ଲକ୍ଷ ଶିଶୁଯୋଦ୍ଧା କରନ୍ତି ଜନ୍ମରୁ ସଂଘର୍ଷ ନିଜେ ବଞ୍ଚିବାକୁ ଆଉ ସ୍ୱାର୍ଥପର ମାଆକୁ ଖୋଜିବାକୁ । ….କିଏ ଆରମ୍ଭରୁ ହାରିଯାଏ ତ ଆଉ କିଏ ଅଧବାଟରେ । ପୁଣି ଆଉ କିଏ ପହଞ୍ଚିଯାଏ, ସେହି ଅପରିଚିତ ଇଲାକାରେ । ଯେଉଁ ଇଲାକା ସହ ତାର ନୁହେଁ, ତା’ ମାଆର ନିବିଡ଼ ସଂପର୍କ । ଆଉ ସେ ରହିବ ସେଠାରେ, ତା’ ମାଆ ଭଳି ସେ ବି ବଡ଼ ହୋଇ ଘର ସଂସାର କରିବ ।

ରାତି ବଢ଼େ ଆଉ ନିଶାଘାରେ । ଜୁଆର ଟାଣିନିଏ…ଦିନ ପରେ ଦିନ, ରାତି ପରେ ରାତି କଟିଯାଏ । ଯିବାକୁ ପଡ଼ିବ ହଜାର ହଜାର ମାଇଲ୍ । ଆଉ ବାଟରେ ଯଦି ଥକି ପଡ଼େ, ତେବେ ନିଜକୁ ବୁଝାଇନିଏ । ମାଆର ମମତା ଲୋଭ ହେଉ କି ମାଆର ସେହି ପ୍ରବଞ୍ଚନାର ହିସାବନିକାଶ କରିବାକୁ ସେ ବାହାରି ପଡେ଼ ପୁଣି ସେହି ଅଜଣା ରାଇଜ ଆଡ଼କୁ ।

ଏତେ କଥା ଶୁଣିବା ପରେ ହୁଏତ ଆପଣଙ୍କ ମନରେ ଉଙ୍କି ମାରୁ‌‍ଥିବ କିଏ ସେ ।…କେଉଁମାନେ ସେହି ଯୋଦ୍ଧାଶିଶୁ, ସେମାନଙ୍କ ପରିଚୟ କ’ଣ ? ହଁ…ଏ ହେଉଛି ବିରଳ ପ୍ରଜାତିର କଇଁଛଙ୍କ ଜୀବନ କାହାଣୀ । ଯେଉଁ କଇଁଛଙ୍କ ପାଇଁ ଆଜି ବିଶ୍ୱ ଦରବାରରେ ଆମ ରାଜ୍ୟର ବେଶ‌ ନାଁ ।

ଅଲିଭ ରିଡଲେ କଇଁଛ । ଯାହା ଏବେ ଏସିଆନ୍ ଗେମସ ମାସ୍କଟ୍ ସାଜିଛି।

ଅଲିଭ ରିଡଲେଙ୍କ ଓଡ଼ିଶା ଲିଙ୍କ

ପ୍ରତିବର୍ଷ ନଭେମ୍ୱର ମାସର ଦ୍ୱିତୀୟ କିମ୍ୱା ତୃତୀୟ ସପ୍ତାହ ବେଳକୁ ଏହି ବିରଳ ପ୍ରଜାତିର କଇଁଚ ଚାଲି ଆସନ୍ତି ଦେବୀ, ଗହୀରମଥା ଓ ଋଷିକୁଲ୍ୟା ମୁହାଁଣକୁ । କେବେଠାରୁ ଏଠାକୁ ଆସୁଛନ୍ତି ଅଲିଭ‌ ରିଡ଼ଲେ ? ପ୍ରତିକୂଳ ଜଳବାୟୁ ନା ଅନ୍ୟକିଛି କାରଣ ରହିଛି ଏମାନଙ୍କ ସମାଗମ ପଛରେ, ତାହା ଏବେବି ଏକ ରହସ୍ୟମୟ କାହାଣୀ ସମସ୍ତଙ୍କ ପାଇଁ ।

a-pair-of-turtles-matingସଂଗମ ପାଇଁ ଶ୍ରୀଲଙ୍କାରୁ ଆସନ୍ତି : ମୁହାଁଣରୁ ପ୍ରାୟ ୧୫କିଲୋମିଟର ଅଞ୍ଚଳରେ ହୁଏ ଏମାନଙ୍କ ସମାଗମ। ଆଉ ତାପରେ ତାଙ୍କର ସଂଗମ ପ୍ରକ୍ରିୟା। ଏକ ପ୍ରକାର ଅପୂର୍ବ ଦୃଶ୍ୟରେ ସମୁଦ୍ରର ସୁନେଲୀ ଜଳରାଶି ଦୃଶ୍ୟମାନ ହୁଏ। ମାଳମାଳ ଯୋଡ଼ି କଇଁଛ, ନିର୍ଭୟରେ କରନ୍ତି ସଂଗମ କ୍ରୀଡ଼ା। ନଥାଏ ସମୁଦ୍ର ଜୁଆରର ଭୟ, ହେଲେ ଥାଏ ମନୁଷ୍ୟକୃତ ବିପଦର ଆଶଙ୍କା। ତଥାପି ବି ଦୁଇ ସପ୍ତାହରୁ ଅଧିକ ସମୟ ଧରି ଚାଲେ ସଂଗମ ପ୍ରକ୍ରିୟା। ଆଉ ତାପରେ ଅନ୍ତର୍ଦ୍ଧାନ। କେତେ ଖୋଜିଲେ ବି ଆଉ ଦେଖା ଦିଅନ୍ତିନି ଅଲିଭ୍ ରିଡଲେ କଇଁଛ।

ସାଧାରଣତଃ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଓ ଆଟଲାଣ୍ଟିକ୍ ସାଗର ଅଂଚଳରେ ଦେଖାଯାଆନ୍ତି ଅଲିଭ ରିଡଲେ। ତେବେ ଏହି ଚାରି ଦଶନ୍ଧି ଧରି ଓଡ଼ିଶା ଉପକୂଳ ସହ ଅଲିଭ ରିଡଲେଙ୍କ ସଂପର୍କ ରହିଥିବା କୁହାଯାଉଛି। 1993 ମସିହାରୁ ଆରମ୍ଭ ହୋଇଛି ଅଲିଭ ରିଡେଲଙ୍କ ଉପରେ ଗବେଷଣା । ୱାଲଇଡ୍ ଲାଇଫ୍ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ମିଳିତ ଭାବେ ଗବେଷଣା କାମ ହାତକୁ ନେଇଛନ୍ତି। ଆଉ ଏଇ କିଛି ବର୍ଷ ତଳେ ଗବେଷକମାନେ ଘୋଷଣା କଲେ ଲକ୍ଷ ଲକ୍ଷ ଅଲିଭ ରିଡଲେ ଆସୁଛନ୍ତି ଶ୍ରୀଲଙ୍କା ଉପକୂଳ ଅଚଂଳରୁ।

ବିସ୍ତୀର୍ଣ୍ଣ ବାଲୁକାଶଯ୍ୟାରେ ଅଣ୍ଡାଦାନ : ତେବେ ଓଡିଶାର ମୁହାଁଣକୁ ଏମାନେ କାହିଁକି ଆସୁଛନ୍ତି। ତାର ଉତ୍ତର ଏବେ ବି ପାଉନାହାଁନ୍ତି ଗବେଷକମାନେ। ସଂଗମ ପରେ ପୁଣି ଶ୍ରୀଲଙ୍କା ଉକକୂଳକୁ ଫେରିଯାଆନ୍ତି କଇଁଛ। ଆଉ ଠିକ୍ ଫେବୃଆରୀ ପ୍ରଥମ ସପ୍ତାହ ବେଳକୁ ମାଈ କଇଁଛ ଫେରି ଆସନ୍ତି ଅଣ୍ଡା ଦେବାକୁ। ଗହୀରମଥା, ଦେବୀ ଓ ଋଷିକୂଲ୍ୟା ମୁହାଁଣର ବିସ୍ତୀର୍ଣ୍ଣ ବାଲୁକାଶଯ୍ୟାରକୁ ସୁରକ୍ଷିତ ମନେ କରନ୍ତି। ଚାଲେ ସମୁହ ଅଣ୍ଡାଦାନ ପର୍ବ। ସମୁହ ଅଣ୍ଡାଦାନ ତ ନୁହେଁ ପ୍ରକୃତିର ଅନନ୍ୟ ଆଶ୍ଚର୍ଯ୍ୟ।

ରାତି ବଢେ, ଥଣ୍ଡା ପଡ଼େ, ଆଉ ବିସ୍ତୀର୍ଣ୍ଣ ବାଲୁକାରାଶିରେ ସମାଗମ ହୁଏ କଇଁଛଙ୍କର। ମାଆ କଇଁଛ ଅତି ସନ୍ତର୍ପଣରେ ଅଣ୍ଡାଦିଏ। ଆଉ ସେହି ଅଣ୍ଡାଗୁଡ଼ିକୁ ବାଲି ଭିତରେ ଘୋଡ଼ାଇ ଦେଇ ଚାଲିଯାଏ ଅଥର ସମୁଦ୍ର ଭିତରକୁ। ସକାଳ ହେବା ବେଳକୁ କଇଁଛ ଆଉ ନଥାନ୍ତି ବାଲୁକାଶଯ୍ୟାରେ।

OliveRidleynesting ଅନ୍ଧାରରେ ଆସନ୍ତି, ଆଉ ପାହାନ୍ତିଆ ବେଳକୁ ଚାଲିଯାଆନ୍ତି ଅଥଳ ସମୁଦ୍ର ଭିତରକୁ। ଅଣ୍ଡାଗୁଡ଼ିକୁ ଯେମିତି କହିଦେଇ ଯାଆନ୍ତି ସଂଘର୍ଷର ପ୍ରାରମ୍ଭିକ କଥା। ଅଣ୍ଡା ପାଖରେ ରହି ଉଷୁମାଇବାରେ ସାହାଯ୍ୟ କରେନି ବୋଲି ତ ମାଆ କଇଁଛ ଦେହରେ ବୋଳି ହୋଇଯାଏ ସ୍ୱାର୍ଥପରର କାଳିମା। ମାଆ କଇଁଛ ଚାଲିଯାଏ ହଜାର ହଜାର କୋଶ। ମାସେ ଦେଢ଼ ମାସପରେ ଆରମ୍ଭ ହୁଏ ଅଣ୍ଡାରୁ ଛୁଆ ଫୁଟିବାର ପର୍ବ। ସୂର୍ଯ୍ୟଙ୍କ ଉତ୍ତାପରେ ଅଣ୍ଡା ଉଷୁମେ, ଆଉ ସେହି ଅଣ୍ଡାରୁ ଛୁଆ ଜନ୍ମନିଏ। ତାପରେ ଆରମ୍ଭ ହୁଏ, ସେହି ଶିଶୁ ଯୋଦ୍ଧାଙ୍କ ଜୀବନ ଯୁଦ୍ଧର କାହାଣୀ। ରାତିର ଘନଅନ୍ଧାର ଭିତରେ ବାଲୁକାଶଯ୍ୟାରୁ ବାଟ ଖୋଜେ ସମୁଦ୍ର ଗର୍ଭକୁ। ମୁହାଁଣର ନିର୍ଜନତାକୁ ଭାଙ୍ଗୁଥାଏ ସମୁଦ୍ର ଜୁଆରର ଗର୍ଜନ। ଜୀବନ କ’ଣ ଜାଣିବା ପୂର୍ବରୁ ଛୁଆ କଇଁଛମାନଙ୍କୁ ଜୀବନ ଯୁଦ୍ଧର ଡାକରା ଦେବାକୁ ପଡ଼େ। ଲମ୍ଫ ଦିଏ ସେହି ଅଶାନ୍ତ ସମୁଦ୍ର ଭିତରକୁ। ପୂର୍ବ ଆକାଶରେ ସିନ୍ଦୂରା ଫାଟିବା ବେଳକୁ ଛୁଆ କଇଁଛ ପହଞ୍ଚିଯାଏ ସମୁଦ୍ର ଭିତରେ। ନହେଲେ ଜୀବନ ପ୍ରତି ରହିଥାଏ ବିପଦ । କୂଆ, କୋଇଲି ଠାରୁ ଆରମ୍ଭ କରି ଚିଲ, ଚଞ୍ଚାଣ ଓ ବିଲୁଆ କୁକୁର। ସମସ୍ତଙ୍କ ଲୋଭିଲା ଆଖିରୁ ଖସି ଯିବାକୁ ପଡେ଼ ସେମାନଙ୍କୁ। ସେକେଣ୍ଡ, ମିନିଟ‌, ଘଣ୍ଟା ନହେଲେ କେଇଟା ଦିନରେ କାହାର ଜୀବନ ଦୀପାଳି ଲିଭିଯାଏ। ଆଉ ଯିଏ ବଞ୍ଚିଯାଏ, ସେ ପହଞ୍ଚେ ମାଆ କଇଁଚ ପାଖରେ। ମାନେ ଶ୍ରୀଲଙ୍କା ଉପକୂଳରେ।

ତେବେ ସମୁଦ୍ରର ଢ଼େଉ ସହ ଯୁଦ୍ଧକରି ଜୀବନ ଜିତୁଥିବା ଏହି କଇଁଛମାନେ କିନ୍ତୁ ଆଜି ବି ଅସଂଖ୍ୟ ପ୍ରଶ୍ନର ଢ଼େଉ ଛିଡ଼ାକରି ଦେଇଛନ୍ତି ସାଧାରଣ ମଣିଷଠାରୁ ଆରମ୍ଭ କରି ଗବେଷକଙ୍କ ମନରେ। ବାସ୍ ଏତିକି କହିହେବ ଯେ ମାଆ କଇଁଛ ସ୍ୱାର୍ଥପର ନୁହେଁ। ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଉପରେ ତାର ଅଖଣ୍ଡ ବିଶ୍ୱାସ । ସୂର୍ଯ୍ୟଙ୍କ ଉତ୍ତାପରେ ଅଣ୍ଡା ଉଷୁମିବ ଆଉ ଛୁଆ ଫୁଟିବ। ଆଉ ଅଣ୍ଡାଗୁଡ଼ିକୁ ଏମିତି ଉପେକ୍ଷା କରି ଚାଲିଯିବା ପଛରେ ଥାଏ ମାଆର ପ୍ରଛନ୍ନ ପ୍ରେରଣା, ଜନ୍ମରୁ…ମୃତ୍ୟୁ ସହ ପରିଚିତ ହେବାକୁ ।

ରଙ୍ଗାଧର ପଣ୍ଡା

ଇନପୁଟ୍ ଏଡିଟର, ଓଟିଭି

 

 

 

 

 

 

 

Previous ArticleNext Article