ଫୁଟବଲ୍‌ ପାଇଁ ପାଗଳ ଏହି ଭାରତୀୟ ଚା’ବାଲା : ପ୍ରିୟ ଟିମ୍‌ ଆର୍ଜେଣ୍ଟିନା ପାଇଁ ବଦଳାଇଦେଲେ ନିଜ ଘରର ରଙ୍ଗ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ବିଶ୍ୱକପରେ ସ୍ଥାନ ପାଇନଥିଲେ ମଧ୍ୟ ସାରା ଭାରତରେ ଏବେ ଫିଫା ବିଶ୍ୱକପ ମାନିଆ। କିଏ ଜର୍ମାନୀ ତ କିଏ ବ୍ରାଜିଲ ଟିମ ପାଇଁ ପୁରା ପାଗଳ। ହେଲେ ପଶ୍ଚିମବଂଗର ଜଣେ ଏମିତି କ୍ରୀଡ଼ାପ୍ରେମୀ ଅଛନ୍ତି ଯିଏ ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କ ସବୁଠୁ ବଡ଼ ଫ୍ୟାନ ପାଲଟିଛନ୍ତି। ଏହି ବ୍ୟକ୍ତିଙ୍କ ନାଁ ଶିବଶଙ୍କର। ସେ ମେସିଙ୍କ ଜର୍ସି ରଙ୍ଗରେ ନିଜ ଘରକୁ ରଙ୍ଗୀନ କରିଛନ୍ତି।

ଶିବ ଶଙ୍କର ପାତ୍ର  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ନଓ୍ୱାଜଗଞ୍ଜର ବାସିନ୍ଦା। ସେ ଚା ଦୋକାନ କରି ନିଜ ଘରର ଗୁଜୁରାଣ ମେଣ୍ଟାନ୍ତି। ହେଲେ ସେ ଆର୍ଜେଣ୍ଟିନା ଓ ମେସିଙ୍କର ଜଣେ ଡାଇ-ହାର୍ଡ ଫ୍ୟାନ୍ ଭାବେ ଜଣାଶୁଣା। ଇଚ୍ଛା ଥିଲା ଋଷ ଯାଇ ଫିଫା ବିଶ୍ୱକପରେ ନିଜର ପ୍ରିୟ ଦଳ ଏବଂ ଖେଳାଳିଙ୍କୁ ଦେଖିବାପାଇଁ। ଏଥିପାଇଁ ବହୁ କଷ୍ଟରେ ଏକାଠି କରିଥିଲେ ୬୦ ହଜାର ଟଙ୍କା। କିନ୍ତୁ ଏତିକି ଟଙ୍କାରେ ମୋସ୍କୋ ଯିବା ଅସମ୍ଭବ ବୋଲି ଜାଣିବା ପରେ ନିଜର ସାଇତା ଟଙ୍କା ଲଗାଇଲେ ଘରର ରଙ୍ଗ କାମରେ।

ସେ ବି ନିଜ ପ୍ରିୟ ଦଳର ଜର୍ସି ରଙ୍ଗରେ  ରଙ୍ଗୀନ କଲେ ସାରା ଘରକୁ। ଧଳା-ନୀଳ ରଙ୍ଗରେ ରଙ୍ଗିନ କରି ମେସିଙ୍କ ଅନେକ ଫୋଟକୁ ଘର କାନ୍ଥରେ ଟାଙ୍ଗିଛନ୍ତି। ଏମିତି କି ଚା ଷ୍ଟଲକୁ ମଧ୍ୟ ଆର୍ଜେଣ୍ଟିନା ଫୁଟବଲ ଜର୍ସି ରଙ୍ଗ ଲଗାଇଛନ୍ତି। ଏହାସହ ଘରର ଆସବାବ ପତ୍ର ମଧ୍ୟ ଆର୍ଜେଣ୍ଟିନା ଜର୍ସି ରଙ୍ଗରେ ରଙ୍ଗୀନ। 

ଶିବ ଶଙ୍କରଙ୍କ ଚା  ଦୋକାନର ନାଁ  ମଧ୍ୟ ଆର୍ଜେଣ୍ଟିନା ନାଁ ଅନୁସାରେ ଦିଆଯାଇଛି। ଶିବ ଶଙ୍କର ୧୯୮୬ ମସିହା ବିଶ୍ୱକପ ଟିଭିରେ ଦେଖିବା ପରେ ସେ ଆର୍ଜେଣ୍ଟିନାର ପ୍ରଶଂସକ ହୋଇଯାଇଥିଲେ। ସେବେ ପରଠାରୁ ପ୍ରଥମେ ମାରାଡୋନା ଓ ପରେ ମେସିଙ୍କ ଡାଇ-ହାର୍ଡ ଫ୍ୟାନ ବନିଗଲେ  ଶିବ ଶଙ୍କର। ସେ କହନ୍ତି କହନ୍ତି ମୁଁ କୌଣସି  ନିଶା ଗ୍ରହଣ କରେ ନାହିଁ, ମୋର କେବଳ ଗୋଟିଏ ନିଶା ଆର୍ଜେଣ୍ଟିନା ଏବଂ ମେସି।

Previous ArticleNext Article

Leave a Reply

Send this to a friend