ସ୍ଥିତି ସମ୍ଭାଳିଲେ ବିରାଟ-କାର୍ତ୍ତିକ ଯୋଡ଼ି, ଜିତିବାକୁ ଲୋଡ଼ା ଆଉ ୮୪ ରନ

ବର୍ମିଂହାମ: ଘଟଣାବହୁଳ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଧିନାୟକ ବିରାଟ କୋହଲୀଙ୍କ ଅପରାଜିତ ୪୩ ରନ ବଳରେ ଭାରତ ୫ ୱିକେଟ ବିନିମୟରେ ୧୧୦ ରନ କରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବାର ଆଶା ଉଜ୍ଜୀବିତ ରଖିଛି। ଘରୋଇ ଦଳର ଏହି ୧୦୦୦ତମ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିବା ପାଇଁ  ଭାରତ ଦରକାର କରୁଛି ଆଉ ୮୪ ରନ। ତୃତୀୟ ଦିନ ଷ୍ଟମ୍ପ ଅପସାରଣ ହେବା ବେଳକୁ ଦିନେଶ କାର୍ତ୍ତିକ […]

AP18214521016427_0

AP18214521016427_0

Ordigital Desk
  • Published: Saturday, 04 August 2018
  • Updated: 04 August 2018, 12:40 AM IST

Sports

Latest News

ବର୍ମିଂହାମ: ଘଟଣାବହୁଳ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଧିନାୟକ ବିରାଟ କୋହଲୀଙ୍କ ଅପରାଜିତ ୪୩ ରନ ବଳରେ ଭାରତ ୫ ୱିକେଟ ବିନିମୟରେ ୧୧୦ ରନ କରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବାର ଆଶା ଉଜ୍ଜୀବିତ ରଖିଛି।

ଘରୋଇ ଦଳର ଏହି ୧୦୦୦ତମ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିବା ପାଇଁ  ଭାରତ ଦରକାର କରୁଛି ଆଉ ୮୪ ରନ।

ତୃତୀୟ ଦିନ ଷ୍ଟମ୍ପ ଅପସାରଣ ହେବା ବେଳକୁ ଦିନେଶ କାର୍ତ୍ତିକ ୧୮ ରନ କରି ଅପରାଜିତ ରହିଛନ୍ତି।

ଭାରତର ଟପ ଅର୍ଡର ପ୍ରଥମ ଇନିଂସ ଭଳି ଦ୍ଵିତୀୟ ଇନିଂସରେ ମଧ୍ୟ ଫେଲ ମାରିଥିଲା। ଓପନର ମୁରଲୀ ବିଜୟ ମାତ୍ର ୬ ରନ କରି ଆଉଟ ହୋଇଥିବା ବେଳେ ତାଙ୍କ ପାର୍ଟନର ଶିଖର ଧୱନ, ଲୋକେଶ ରାହୁଲ ଓ ରବିଚନ୍ଦ୍ରନ ଅଶ୍ଵିନ ୧୩ ରନ ଲେଖାଏ ସ୍କୋର କରି ପ୍ୟାଭିଲିୟନ ଫେରିଯାଇଥିଲେ।

୭୮ ରନରେ ୫ ୱିକେଟ ହରାଇବା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ତେବେ ଦିନେଶ କାର୍ତ୍ତିକ କୋହଲୀଙ୍କ ସହ ମିଶି ୩୨ ରନ ଯୋଡ଼ିବା ପରେ ସ୍ଥିତି ବଦଳିଛି। ଏହି ଯୋଡ଼ି ଚତୁର୍ଥ ଦିନ ଲଞ୍ଚ ପର୍ଯ୍ୟନ୍ତ ତିଷ୍ଠି ରହିଲେ ଟାର୍ଗେଟ ଅତିକ୍ରମ କରିବା ସମ୍ଭବ ହୋଇପାରିବ।

 

ତୃତୀୟ ଦିନ ବୋଲରମାନଙ୍କ ଆଧିପତ୍ୟ ଜାରି ରହିଥିଲା। ଖେଳ ଶେଷ ସୁଦ୍ଧା ମୋଟ ୧୪ଟି ୱିକେଟ ପଡ଼ିଥିବା ବେଳେ ମାତ୍ର ୨୮୧ ରନ ସ୍କୋର ହୋଇଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ ୨୯ ରନ ଦେଇ ୨ଟି ୱିକେଟ ଦଖଲ କରିଥିବା ବେଳେ ଜେମ୍ସ ଆଣ୍ଡରସନ ( ୧/୩୩ ), ବେନ ଷ୍ଟୋକ୍ସ ( ୧/୨୫ ) ଏବଂ ସ୍ୟାମ କରାନ ( ୧/୧୭) ଗୋଟିଏ ଲେଖାଏ ୱିକେଟ ହାସଲ କରିଛନ୍ତି ।

୧୮୦ ରନରେ ଇଂଲଣ୍ଡ ଅଲ ଆଉଟ

ଯୁବ ଅଲରାଉଣ୍ଡର ସାମ କରାନ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ବିରାଟ୍‌ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍‌ ରହିଛି।

ଇନିଂସ ଆରମ୍ଭରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ଇଂଲିଶ ଟପ୍‌ ଅର୍ଡରକୁ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇଥିବା ବେଳେ ଘରୋଇ ଦଳର ମିଡିଲ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା। ଅଶ୍ୱିନ୍‌ ଓ ଇଶାନ୍ତ ମିଳିତ ଭାବେ ଇଂଲଣ୍ଡର ପ୍ରଥମ ୭ ୱିକେଟ୍‌କୁ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ।

୮୭ ରନ୍‌ରେ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ୍‌ ହରାଇ କ୍ରିଜ୍‌ରେ ସଂଘର୍ଷ କରୁଥିବା ଇଂଲଣ୍ଡ ଦଳକୁ ଏହି ବିପର୍ଯୟରୁ ଉଦ୍ଧାର କରିଥିଲେ ଅଷ୍ଟମ ୱିକେଟ୍‌ ପାଇଁ ନବାଗତ ଅଲରାଉଣ୍ଡର ସାମ କରାନ୍‌ ଓ ଆଦିଲ୍‌ ରଶିଦଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ।

ଉଭୟ ଅଷ୍ଟମ ୱିକେଟ୍‌ ପାଇଁ ମହତ୍ତ୍ୱପୂର୍ଣ୍ଣ ୪୮ ରନ୍‌ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତେବେ ରଶିଦ୍‌ଙ୍କୁ କ୍ଲିନ୍‌ ବୋଲ୍ଡ କରି ଉମେଶ ଯାଦବ ୱିକେଟ୍‌ ପାଇଁ ଚାଲିଥିବା ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ପରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଧୱନଙ୍କ ହାତରେ କ୍ୟାଚ୍‌ କରାଇ ଇଶାନ୍ତ ଗସ୍ତର ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ୍‌ର ସଫଳତା ପାଇଥିଲେ। ତେବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କୁ ଜବରଦସ୍ତ ମୁକାବିଲା କରି ୬୩ ରନ୍‌ର ସ୍ମରଣୀୟ ପାଳି ଖେଳିଥିବା କରାନ୍‌ଙ୍କୁ ୱିକେଟ୍‌ କିପର୍‌ ଦୀନେଶ କାର୍ତ୍ତିକଙ୍କ ଦ୍ୱାରା କ୍ୟାଚ୍‌ କରାଇ ଇଂଲିଶ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ଉମେଶ ଯାଦବ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଇଶାନ୍ତ ଶର୍ମା ୫୧ ରନ୍‌ରେ ୫ ଓ ଅଶ୍ୱିନ୍‌ ୫୯ ରନ୍‌ରେ ୩ ୱିକେଟ୍‌ ଅକ୍ତିଆର୍‌ କରିଥିବା ବେଳ ଉମେଶ ଯାଦବ ୨ଟି ୱିକେଟ ଦଖଲ କରିଛନ୍ତି।

ପୂର୍ବରୁ ପ୍ରଥମ ଇନିଂସରେ ଅଧିନାୟକ ଜୋ ରୁଟ୍‌ ଓ ଜନ୍ନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୨୮୭ ରନ୍‌ କରିଥିବା ବେଳେ ଏହାର ଜବାବରେ କୋହଲିଙ୍କ ଜବରଦସ୍ତ ଶତକ ଜରିଆରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୪ ରନ୍‌ କରିଥିଲା।

ମ୍ୟାଚ୍‌ ଶେଷ ହେବାକୁ ଆଉ ୨ ଦିନ ବାକି ଥିବା ବେଳେ ଏଥିରୁ ଫଳାଫଳ ମିଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos