ଭୁବନେଶ୍ୱର: ୬୦ ଗ୍ରାମ ବ୍ରାଉନସୁଗାର,୨୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

g

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଗୋଟିଏ ଦିନରେ କମିଶନରେଟ୍ ପୋଲିସ୍ ଓ ଅବକାରୀ ବିଭାଗ ଜାଲରେ ପଡ଼ିଛନ୍ତି ଦୁଇ ଜଣ ନିଶା ବେପାରୀ। ସେମାନଙ୍କଠାରୁ ଜବତ ହୋଇଛି ୬୦ ଗ୍ରାମ ବ୍ରାଉନ୍ ସୁଗାର ଓ ୨୦ କେଜି ଗଞ୍ଜେଇ।

ଗିରଫ ଦୁଇ ନିଶା ବେପାରୀ ହେଉଛନ୍ତି ଶେଖ୍ ୟୁସୁଫ ଓ ସୁକାନ୍ତ ମାଟି।

ଶେଖ କମିଶନରେଟ୍ ପୋଲିସ୍‌ର କୁଇକ୍ ଆକ୍ସନ ଟିମ୍‌ ହାତରେ ଧରାପଡ଼ିଥିବା ବେଳେ ସୁକାନ୍ତ ଧରାପଡ଼ିଛି ଭୁବନେଶ୍ୱର ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡ୍ ହାତରେ। ଶେଖ୍‌ ଠାରୁ ୨୦ ଗ୍ରାମ ଜବତ କରାଯାଇଥିବା ବେଳେ ସୁକାନ୍ତ ଠାରୁ ୪୦ ଗ୍ରାମର ବ୍ରାଉନ୍‌ସୁଗାର ପ୍ୟାକେଟ୍ ଓ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି। ତା’ଠାରୁ ଜବତ ୪୦ ଗ୍ରାମ ବ୍ରାଉନ୍‌ସୁଗାରର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ।

ଶେଖ୍‌ର ଘର ଲକ୍ଷ୍ମୀସାଗର ଅଞ୍ଚଳରେ। ସେ ଫୋନ୍‌ ଯୋଗେ ବେପାର ଚଲାଏ। ନିଛାଟିଆ ସ୍ଥାନ ଦେଖି ମାଲ୍ ଦିଏ। ତାକୁ ଧରିବା ପାଇଁ ଜାଲ ବିଛାଇଥିଲା କମିଶନରେଟ୍ ପୋଲିସ୍।

ମଞ୍ଚେଶ୍ୱରର ଝରଣା ବସ୍ତିରେ ଜଳଖିଆ ଦୋକାନ କରି ସୁକାନ୍ତ ଚଳାଇଥିଲା ନିଶା କାରବାର।

ଭୁବନେଶ୍ୱର ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡ୍ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ କହିଛନ୍ତି: “ଆଜି ଆମେ ପେଟ୍ରୋଲିଂ କରୁଥିବା ସମୟରେ ଝରଣା ବସ୍ତିର ଗୋଟିଏ ଜଳଖିଆ ଦୋକାନରେ  ବ୍ରାଉନସୁଗାର ଓ ଗଞ୍ଜେଇ ଷ୍ଟକ୍ ଅଛି ବୋଲି ଖବର ପାଇଲୁ।  ତା’ପରେ ଆମେ ଏହି ଦୋକାନ ଉପରେ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନସୁଗାର ଓ ୨୦ କେଜି ଗଞ୍ଜେଇ, ଚାରିହଜାର ଦୁଇ ଶହ ଟଙ୍କା ଓ ୱାସିଂ ମେସିନ୍ ଜବତ କରିଛୁ।”

ସୁକାନ୍ତ କହିଛନ୍ତି, “ମୁଁ ସିଗାରେଟ ବେପାର କରେ । ଜଣେ ଏହି ସବୁ ଜିନିଷ ମୋତେ ଦେଇଥିଲା ରଖିବା ପାଇଁ।  ମୁଁ ସେହି ବ୍ୟକ୍ତିକି ଚିହ୍ନିନି କି ଜାଣିନି। ଦୁଇ ତିନି ଦିନ ମୋ ଦୋକାନକୁ ଆସିଲା। ମୋତେ ଜିନିଷ ରଖିବାକୁ କହିଲା। ପରେ ଆସି ନେଇଯିବି  ବୋଲି କହିଲା। କିନ୍ତୁ ଏପର୍ଯ୍ୟନ୍ତ ଆସିନାହିଁ।”

ନିକଟରେ ରାଜଧାନୀର ହଳଦିପଡ଼ିଆ ବସ୍ତି ଓ ଅନ୍ୟ କେତେକ ଅଞ୍ଚଳରେ ଖୁଲମଖୁଲା ବ୍ରାଉନ୍‌ସୁଗାର କାରବାର ଚାଲିଥିବା ନେଇ ପର୍ଦ୍ଦାଫାଶ କରିଥିଲା ଓଟିଭି। ଆଉ ଏହା ପରେ ବେଶ୍ ତତ୍ପର ହୋଇପଡ଼ିଥିଲା ପୋଲିସ୍।

Previous ArticleNext Article

Send this to a friend