୨୦୧୮ରେ ଏଇ ୧୮ଟି ଚ୍ୟାଲେଞ୍ଜ ବିଜେଡିକୁ କରିପାରେ ବିଚଳିତ

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ୨୦ ବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ପାଇଁ ନୂଆବର୍ଷ ୨୦୧୮ ଅନେକ ଆହ୍ୱାନ ନେଇ ଆସୁଛି। ଦଳ ପାଇଁ ବୋଧହୁଏ ଏତେ ଚ୍ୟାଲେଞ୍ଜ୍ ଆଗରୁ କେବେ ଆସି ନଥିବ। ପାଟିରେ ସୁନା ଚାମଚ ଧରି ଜନ୍ମ ହୋଇଥିବା ଏ ଦଳ, ଜନ୍ମରୁ ହିଁ କ୍ଷମତାରେ ରହିଆସିଛି। ଦୁଃଖ କଷ୍ଟ ଓ ଶତ୍ରୁ, ଏମାନଙ୍କୁ ସାମ୍ନା କରିବାର ମୌକା କେବେ ଆସିନି। ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ଯାହା […]

Jadoo-Koi-mil-gaya copy

Jadoo-Koi-mil-gaya copy

Ordigital Desk
  • Published: Saturday, 30 December 2017
  • Updated: 30 December 2017, 05:02 PM IST

Sports

Latest News

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ୨୦ ବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ପାଇଁ ନୂଆବର୍ଷ ୨୦୧୮ ଅନେକ ଆହ୍ୱାନ ନେଇ ଆସୁଛି। ଦଳ ପାଇଁ ବୋଧହୁଏ ଏତେ ଚ୍ୟାଲେଞ୍ଜ୍ ଆଗରୁ କେବେ ଆସି ନଥିବ। ପାଟିରେ ସୁନା ଚାମଚ ଧରି ଜନ୍ମ ହୋଇଥିବା ଏ ଦଳ, ଜନ୍ମରୁ ହିଁ କ୍ଷମତାରେ ରହିଆସିଛି। ଦୁଃଖ କଷ୍ଟ ଓ ଶତ୍ରୁ, ଏମାନଙ୍କୁ ସାମ୍ନା କରିବାର ମୌକା କେବେ ଆସିନି। ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ଯାହା ଇଙ୍ଗିତ କରୁଛି, ୨୦୧୮ ବୋଧହୁଏ ବିଜେଡିକୁ ବାସ୍ତବ ଲଢ଼େଇ କ’ଣ ଚଖେଇ ଦେବ। ଯେହେତୁ ବହୁବର୍ଷ ଧରି ଦଳ ଶାସନ ଗାଦିରେ ବସିଛି, ତେଣୁ ଦୋଷତ୍ରୁଟିର ତାଲିକା ଲମ୍ବା। ସମସ୍ୟା ହେଲା ଏ ସବୁକୁ କିନ୍ତୁ ବିଜେଡି ମାନୁନି, ଲୁଚେଇବାକୁ ବା ଚପେଇବାକୁ ଚାହୁଁଛି। ନୂଆବର୍ଷରେ ବିଜେଡି ପାଇଁ ସେତେବେଳେ ଲାଭ ହେବ, ଯଦି ଦଳର ନେତାମାନେ ନିଜ ଦୋଷକୁ ସ୍ୱୀକାର କରି ସେ ସବୁକୁ ସଜାଡ଼ିବାକୁ ଚେଷ୍ଟା କରିବେ। ବରିଷ୍ଠ ନେତାଙ୍କୁ ସାଇଡ୍ କରି ଯେଉଁସବୁ ଚଙ୍ଗୁମଙ୍ଗୁ ନେତାଙ୍କୁ ନେଇ ନବୀନ ତାଙ୍କ ଶାସନ ଚଳେଇବେ ବୋଲି ଭାବିଛନ୍ତି, ତାହା ବେଶୀଦିନ ସମ୍ଭବ ନୁହେଁ। ଆଉଏକ ବଡ଼ କଠୋର ସତ୍ୟ ହେଲା, ଯେ ପର୍ଯ୍ୟନ୍ତ ନବୀନ ‘ତୃତୀୟ ମହଲା’ର ଫାଇଲ୍‌ ଧରା ଅଣଓଡ଼ିଆ ପାରିଷଦଙ୍କ କବଳରୁ ମୁକ୍ତ ନହେବେ, ତେବେ ଦିନ ଆସିବ, ଦେଖାଯିବ ଯେତେବେଳେ କେବଳ ଗୁହାଳ ଥିବ, ଗୋରୁ ନଥିବେ। ୨୦୧୮ରେ ଯେଉଁ ୧୮ଟି ଚ୍ୟାଲେଞ୍ଜ ବିଜେଡିକୁ ବିଚଳିତ କରିପାରେ, ସେଗୁଡ଼ିକର ଏକ ଆକଳନ ନିମ୍ନରେ କରାଯାଇଛି।

୧. ବିଜେଡି ପାଇଁ ସୋସିଆଲ୍ ମିଡିଆ ହେବ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଶାସକ ଦଳ ବିରୋଧରେ ଲୋକଙ୍କର ରାଗ ବେଶୀ ଥାଏ। ସେମାନେ ନିଜ ଅସନ୍ତୋଷ ଜାହିର କରିବାକୁ ଯେତେବେଳେ କାହାର ସାହାଯ୍ୟ ନପାଇବେ, ସେତେବେଳେ ସେମାନେ ଫେସ୍‌ବୁକ୍, ହ୍ୱାଟ୍ସଆପ୍ ଓ ଟ୍ୱିଟର ଭଲି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିବେ। ଯାହା ଉପରେ ବିଜେଡିର କୌଣସି ନିୟନ୍ତ୍ରଣ ରହିବ ନାହିଁ। ସ୍ଥଳ ବିଶେଷରେ ବିରୋଧୀ ଦଳ ମଧ୍ୟ ଯୋଜନାବଦ୍ଧ ଭାବରେ ସୋସିଆଲ୍ ମିଡିଆରେ ବିଜେଡି ବିରୋଧୀ କ୍ୟାମ୍ପେନ୍ ଚଳେଇବେ।

୨. ନୂଆବର୍ଷରେ ଶାସକ ବିଜେଡି ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ ଆଭ୍ୟନ୍ତରୀଣ କନ୍ଦଳ। ନବୀନଙ୍କ ନେତୃତ୍ୱ ପ୍ରତି ବିପଦ ନଥିଲେ ବି, ଦଳରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇପାରେ।

୩. ଦଳର ଭୁଲ୍‌ଭଟକା ପ୍ରତି ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଥିବା ନେତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିପାରେ। ୨୦୧୭ରେ ଭର୍ତ୍ତୃହରି ମହତାବ ଓ ବୈଜୟନ୍ତ ପଣ୍ଡାଙ୍କ ପରି ନେତା ଦଳକୁ ସଜାଡ଼ିବାକୁ ପରାମର୍ଶ ଦେଇ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ।

୪. ଦଳ ଭିତରେ ଦିନେ ପ୍ରଭାବଶାଳୀ ଥିବା ଓ ଘଟଣାକ୍ରମରେ ଅବହେଳିତ ହୋଇପଡ଼ିଥିବା ନେତାମାନେ ଅଡୁଆ ସୃଷ୍ଟିକରି ପାରନ୍ତି। ସେମାନେ ମିଶି ସରକାରୀ ବିରୋଧୀ ଏକ ଗୋଷ୍ଠୀ ବି କରିପାରନ୍ତି। ଯେଉଁ ଗୋଷ୍ଠୀ ଏକ ବିକଳ୍ପ ନେତୃତ୍ୱ ସୃଷ୍ଟି କରିବାକୁ ସୁଯୋଗ ସୃଷ୍ଟି କରିପାରନ୍ତି।

୫. ମନ୍ତ୍ରିମଣ୍ଡଳରେ ଥିବାବେଳେ ବୋଲ ମାନୁନଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ତୁଣ୍ଡ, ପରବର୍ତ୍ତୀ ସମୟରେ ବିଜେଡି ପାଇଁ ଅଧିକ ବିପଦ ସୃଷ୍ଟି କରିପାରେ।

୬. ମଝିରେ ମଝିରେ ଉଭୟ ବିଜେଡି ଓ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟୁ କରୁଥିବା ଖଣି ଓ ଚିଟ୍‌ଫଣ୍ଡ ତଦନ୍ତ, ୨୦୧୮ରେ ଅଧିକ ଅଡୁଆ ସୃଷ୍ଟି କରିପାରେ। ସିବିଆଇ ଜାଲକୁ କେତେବେଳେ ପୁଣି କିଏ ଟଣା ହେବେ ତାହା କୁହେଳିକା ହୋଇ ଝୁଲି ରହିବ।

୭. ୨୦୧୯ରେ ହେବାକୁ ଥିବା ନିର୍ବାଚନ ୨୦୧୮ରେ ହୋଇଯାଇ ପାରେ। ଟିକେଟ ପାଇବାର ଆଶା କମିଗଲେ କିମ୍ବା ନିଜକୁ ଅସୁରକ୍ଷିତ ମଣୁଥିବା ଦଳର କିଛି ପ୍ରଭାବଶାଳୀ ନେତା ଅନ୍ୟଦଳକୁ ଡେଇଁ ପାରନ୍ତି। ସେହିପରି ଅନ୍ୟ ଦଳରୁ ବିଜେଡିକୁ ଆସୁଥିବା ନେତାଙ୍କ ପାଇଁ ଦଳର ତୃଣମୂଳ ସ୍ତରରେ କନ୍ଦଳ ବଢ଼ିପାରେ। ବିଜେପୁର ଉପନିର୍ବାଚନ ବେଳେ ସୃଷ୍ଟି ହୋଇଥିବା ସମସ୍ୟା ଏହାର ଏକ ଉଦାହରଣ।

୮. ରାଜକୋଷକୁ ଦୃଷ୍ଟି ନଦେଇ ସରକାର ଗୋଟିଏ ପରେ ଗୋଟିଏ ଜନପ୍ରିୟ ଯୋଜନା ଘୋଷଣା କରି ଚାଲିଥିବାରୁ, ଆଗାମୀ ଦିନରେ ଏହା ରାଜ୍ୟ ସରକାରଙ୍କ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ।

୯. ନବୀନ ବାବୁ ଓଡ଼ିଆରେ ଭାଷଣ ଦେବାକୁ ଚେଷ୍ଟା ଜାରି ରଖିଥିଲେ ବି, ଏହାକୁ ବିରୋଧୀ ଏକ ମୁଖ୍ୟ ଇସ୍ୟୁ କରିବେ। ଫଳରେ ବିଜେଡିର ଛବି ମଳିନ ହେବ।

୧୦. ଭଗବାନ କରନ୍ତୁ ନୂଆବର୍ଷରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଭଲ ରହୁ। କିନ୍ତୁ ୨୦୧୮ରେ ଦଳ ପାଇଁ ଏହା ବି ଏକ ସମସ୍ୟା ଭାବେ ଉଭା ହୋଇପାରେ।

୧୧. ବିଜେଡିର ପାଖାପାଖି ୪୦ରୁ ଅଧିକ ବିଧାୟକ ଅତି ବେଶୀରେ ୫ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ତେଣୁ ସେଇସବୁ ଆସନରେ ଦଳ ହାତରୁ ‍କ୍ଷମତା ଖସିଯାଇ ପାରେ।

୧୨. ଯଦି ୨୦୧୮ରେ ନିର୍ବାଚନ ହୁଏ, ତେବେ ବିଜେଡି ପାଇଁ ମୁଖ୍ୟ ବିରୋଧୀ ହେବ ବିଜେପି। କେନ୍ଦ୍ରରେ ବିଜେପି କ୍ଷମତାରେ ଥିବାରୁ ନିର୍ବାଚନରେ ଅର୍ଥ ଖର୍ଚ୍ଚ କରିବା ତା ପାଇଁ ସମସ୍ୟା ନୁହେଁ। ତେଣୁ ବିଜେପିର ଅର୍ଥବଳକୁ ମୁକାବିଲା କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପାରେ।

୧୩. ବର୍ତ୍ତମାନ ସ୍ଥିତିରେ ଓଡ଼ିଶାରେ କଂଗ୍ରେସର ପ୍ରଭାବ ଯେତେ କମିବ, ବିଜେପି ପାଇଁ ସେତେ ଭଲ, ବିଜେଡି ପାଇଁ ପାଇଁ ସେତେ କାଳ ହେବ। ତେଣୁ ପରୋକ୍ଷ ହେଉ କି ପ୍ରତ୍ୟକ୍ଷ, ବିଜେଡି ଯଦି କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼େ ତେବେ ବିଜେପିର ମୁକାବିଲା କରିବା ତା ପାଇଁ ସହଜ ହୋଇଯିବ। ନହେଲେ ବିଜେଡି ବିରୋଧୀ ପିଟା-ଭୋଟର, କଂଗ୍ରେସରୁ ମୁହଁ ଫେରେଇଲେ ବିଜେପିକୁ ହିଁ ସେମାନଙ୍କ ଭୋଟ ଦେଇଦେବେ।

୧୪. ନବୀନ ହେଉଛନ୍ତି ବିଜେଡିର ସର୍ବମାନ୍ୟ ନେତା। ଅଫିସିଆଲୀ ନହେଲେ ବି ଏବେ ଓଡ଼ିଶାରେ ଧର୍ମେନ୍ଦ୍ର ବିଜେପିର ସର୍ବମାନ୍ୟ ନେତା ବୋଲି ଲୋକେ ବିଚାର କରୁଛନ୍ତି। ବିଭିନ୍ନ ସମୟରେ ବିଜେଡି ମଧ୍ୟ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି ତାଙ୍କ ଗୁରୁତ୍ୱ ବଢ଼େଇ ଦେଉଛି। ଏହା ବିଜେଡି ପାଇଁ କାଳ ହେବ।

୧୫. ଓଡ଼ିଶାରେ ବିଜେଡି ୨୦ ବର୍ଷ ଧରି ଶାସନରେ ଥିବାରୁ, ବିରୋଧୀଙ୍କ ହାତରେ ଦଳ ବିରୋଧରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ସବୁ ସମୟରେ ଏହାର ଉତ୍ତର ଦେବାରେ ଦଳ ହୁଏତ ସଫଳ ହୋଇନପାରେ।

୧୬. ବିଜେଡି ତୁଳନାରେ ବିଜେପିର ପ୍ରଚାର ଷ୍ଟ୍ରାଟେଜି ଅଧିକ ପ୍ରଭାବଶାଳୀ। ବିଜେଡି ନିଜେ ନିଜର ପ୍ରଚାର ଷ୍ଟ୍ରାଟେଜି ତିଆରି ନକରି ବିଜେପିକୁ ଫଲୋ କଲେ ତାହା ଘାତକ ହୋଇପାରେ।

୧୭. ନବୀନ ତାଙ୍କ ଚୁପ୍‌ଚାପ୍ ସ୍ୱଭାବ ପାଇଁ ନିଜର ପ୍ରଭାବ ବିସ୍ତାର କରିପାରିଛନ୍ତି। ମୋଦି ଓ ଅନ୍ୟ ବିଜେପି ନେତାଙ୍କୁ ଦେଖି ସେ ବି ଧୀରେ ଧୀରେ ଲୋକାଭିମୁଖୀ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେଥିରେ ସେ ବେଶୀ ସଫଳ ହୋଇପାରୁ ନାହାଁନ୍ତି।

୧୮. ନବୀନ ତାଙ୍କ ଶାସନ ବ୍ୟବସ୍ଥା ନେତାମାନଙ୍କ ଦ୍ୱାରା ନ ଚଳେଇ, ଅଫିସରମାନଙ୍କ ଦ୍ୱାରା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି, ଧୀରେ ଧୀରେ ଲୋକେ ତାକୁ ବିଶ୍ୱାସ କରିବା ଆରମ୍ଭ କଲେଣି। ଥାର୍ଡ ଫ୍ଲୋର୍ ବା ତୃତୀୟ ମହଲା ରାଜନୀତି ତାଙ୍କ ପାଇଁ ମହଙ୍ଗା ପଡ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos