ଅପରାଧ ଦୁନିଆର ୭ ଲେଡି ଡନ୍‌ : ପଢନ୍ତୁ ଏହି ବାଦ୍‌ଶାହାଙ୍କ ବଦମାସିର କାହାଣୀ

ଅପରାଧ ଜଗତରେ ଯେମିତି କୁଖ୍ୟାତ ପୁରୁଷ ଡନ୍ ଅଛନ୍ତି ସେମିତି କେତେକ ମହିଳା ମଧ୍ୟ ଅଛନ୍ତି।  ଅପରାଧର କଳା ଦୁନିଆରେ ଏମାନଙ୍କର ମଧ୍ୟ କାଟ୍‌ତି ରହିଛି।  ଏମାନଙ୍କୁ ଲେଡି ଡନ୍‌ କୁହାଯାଏ।  ଆଜି ଆମେ ଆପଣଙ୍କୁ ଏମିତି ୭ ଜଣ ମହିଳାଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଦିନେ ଅପରାଧ ଦୁନିଆର ଭୟଙ୍କର ଚେହେରା ଥିଲେ। ଯାହାଙ୍କ ନାଁ ଶୁଣିଲେ ଲୋକମାନଙ୍କ ମଧ୍ୟରେ ଖେଳିଯାଉଥିଲା କୋକୁଆ ଭୟ। କିଏ ପରିସ୍ଥିତି ଚାପରେ ପଡ଼ି ଅପରାଧ ସାମ୍ରାଜ୍ୟକୁ ଲମ୍ଫ ମାରିଥିଲା […]

bandid queen copy

bandid queen copy

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 05:25 PM IST

Sports

Latest News

ଅପରାଧ ଜଗତରେ ଯେମିତି କୁଖ୍ୟାତ ପୁରୁଷ ଡନ୍ ଅଛନ୍ତି ସେମିତି କେତେକ ମହିଳା ମଧ୍ୟ ଅଛନ୍ତି।  ଅପରାଧର କଳା ଦୁନିଆରେ ଏମାନଙ୍କର ମଧ୍ୟ କାଟ୍‌ତି ରହିଛି।  ଏମାନଙ୍କୁ ଲେଡି ଡନ୍‌ କୁହାଯାଏ।  ଆଜି ଆମେ ଆପଣଙ୍କୁ ଏମିତି ୭ ଜଣ ମହିଳାଙ୍କ ବିଷୟରେ ଜଣାଇବୁ ଯେଉଁମାନେ ଦିନେ ଅପରାଧ ଦୁନିଆର ଭୟଙ୍କର ଚେହେରା ଥିଲେ। ଯାହାଙ୍କ ନାଁ ଶୁଣିଲେ ଲୋକମାନଙ୍କ ମଧ୍ୟରେ ଖେଳିଯାଉଥିଲା କୋକୁଆ ଭୟ। କିଏ ପରିସ୍ଥିତି ଚାପରେ ପଡ଼ି ଅପରାଧ ସାମ୍ରାଜ୍ୟକୁ ଲମ୍ଫ ମାରିଥିଲା ତ’ ଆଉ କାହାକୁ ଅନ୍ଧାରୀମୂଲକର ରାଣୀ ହେବା ନିଶା ପାଗଳ କରି ଦେଇଥିଲା। ତେବେ କିଏ ଏହି ଲେଡି ଡନ୍‌ ଆସନ୍ତୁ ଜାଣିବା।

ଫୁଲନ୍ ଦେବୀ: ଲେଡି ଡନ୍‌ ତାଲିକାରେ ପ୍ରଥମ ନାମ ହେଉଛି ଉତ୍ତରପ୍ରଦେଶ ଚମ୍ବଲର ଦସ୍ୟୁ ରାଣୀ (ବେଣ୍ଡିଟ୍ କୁଇନ୍‌) ଫୁଲନ ଦେବୀ। ସେ ହତ୍ୟା, ଅପହରଣ, ଲୁଟପାଟ୍, ଭଳି ଅନେକ ଅପରାଧିକ କାଣ୍ଡ ଘଟାଇଛନ୍ତି। ଫୁଲନ୍‌ ଦେବୀଙ୍କର ଅପରାଧି ଚେହେରା ପଛରେ ରହିଛି ତାଙ୍କ ଜୀବନର କରୁଣ କାହାଣୀ। କମ୍‌ ବୟସରେ ବାହାଘର ଓ ଗଣବଳାତ୍କାର ଶିକାର ହିଁ ତାଙ୍କୁ ଦସ୍ୟୁରାଣୀ ହେବାକୁ ବାଧ୍ୟ କରିଥିଲା। ସେ ୨୨ ଜଣ ରାଜପୁତ ପୁରୁଷଙ୍କୁ ଗାଁ ଦାଣ୍ଡରେ ଛିଡ଼ାକରି ଗୁଳିମାରି ହତ୍ୟା କରିଥିଲେ। ସେହି ସମୟରେ ଏହି ଘଟଣା ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା। ୧୯୮୩ ମସିହାରେ ସେ ଆତ୍ମସମର୍ପଣ କରିଥିଲେ। ତାଙ୍କ ବିରୋଧରେ ୪୮ଟି ସଙ୍ଗିନ ମାମଲା ଲାଗିଥିଲା। ୧୧ ବର୍ଷ ମାମଲା ଚାଲିବା ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଖାଲି ସେତିକି ନୁହଁ ସେ ଦୁଇଥର ସାଂସଦ ବି ହୋଇଛନ୍ତି। ତାଙ୍କ ଜୀବନୀ ଉପରେ ‘ବେଣ୍ଡିଟ୍‌ କୁଇନ୍‌’ ନାମକ ଏକ ଫିଲ୍ମ ମଧ୍ୟ ତିଆରି ହୋଇଛି। ଏହା ଜାତୀୟ ଆୱାର୍ଡ ପାଇଛି।

ସାତୋଙ୍କବେନ୍‌ ସରମନଭାଇ ଜଡେଜା: ସ୍ୱାମୀଙ୍କ ହତ୍ୟାର ପ୍ରତିଷୋଧ ନେବାକୁ ସାତୋଙ୍କବେନ୍‌ଙ୍କୁ ଅପରାଧର ସାହାରା ନେବାକୁ ପଡ଼ିଥିଲା। ସେ ୧୯୮୭ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଏକ ଆତଙ୍କବାଦୀ ଗ୍ୟାଙ୍ଗ୍ ଗଠନ କରିଥିଲେ। ନିଜ ପ୍ରତିଦ୍ୱନ୍ଦ୍ୱୀର ଗୋଟିଏ ଲୋକକୁ ମାରିବା ପାଇଁ ଗ୍ୟାଙ୍ଗର ସଦସ୍ୟକୁ ଏକ ଲକ୍ଷ ଟଙ୍କା ଦେଉଥିଲେ। ତାଙ୍କର ଏହି ଗ୍ୟାଙ୍ଗ୍‌ ଉପରେ ୫୦୦ରୁ ଅଧିକ ଅପରାଧିକ ମାମଲା ଥିଲା। ଖୋଦ ସାତୋଙ୍କବେନ୍‌ଙ୍କ ଉପରେ ୧୫ଟି ହତ୍ୟା ମାମଲା ଲାଗିଥିଲା। ଅପରାଧ ଦୁନିଆରେ ଜଡ଼ିତ ଥାଇ ମଧ୍ୟ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ। ତାଙ୍କ ଜୀବନ କାହାଣୀକୁ ନେଇ ମଧ୍ୟ 'ଗଡ ମଦର' ନାମରେ ଏକ ଫିଲ୍ମ ତିଆରି ହୋଇଥିଲା।

ଶଶୀକଳା ରମେଶ ପଟାନକର: ଦିନେ ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ଶଶୀକଳାଙ୍କ ରାଜୁତି ଥିଲା। କ୍ଷୀର ବିକାଳିରୁ ସେ ପାଲଟି ଯାଇଥିଲେ ଡ୍ରଗ୍ସ  ମାଫିଆ। ଦୀର୍ଘ କୋଡ଼ିଏ ବର୍ଷ ଧରି ସମସ୍ତଙ୍କ ଆଖିରେ ଧୁଳି ଦେଇ ସେ ରାଜ କରୁଥିଲେ। ଏହି ବ୍ୟବସାୟ କରି ଶଶୀକଳା ୧୦୦ କୋଟି ଟଙ୍କାର  ମାଲିକାଣୀ ବି ହୋଇଯାଇଥିଲେ। ୨୦୧୫ରେ ମୁମ୍ବାଇ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା।

ସୀମା ପରିହାର: ଲେଡି ଡାକୁ ସୀମା ପରିହାରଙ୍କ କୁଖ୍ୟାତି କାହାକୁ ବା ଅଜଣା। ୭୦ ହତ୍ୟା, ୨୦୦ ଅପହରଣ ଓ ୩୦ ଡକାୟତି ମାମଲା ତାଙ୍କ ନାଁରେ ରହିଛି। ୨୦୦୦ ମସିହାରେ ଏହି ଦସ୍ୟୁ ସୁନ୍ଦରୀ ପୋଲିସ୍‌ରେ ଆତ୍ମ ସମର୍ପଣ କରିଥିଲେ। ତାଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଥିଲା 'ୱାଉଣ୍ଡେଡ୍ ଦି ବେଣ୍ଡିଟ୍ କୁଇନ୍‌' ଫିଲ୍ମ। ସେଥିରେ ସେ ଅଭିନୟ ମଧ୍ୟ କରିଥିଲେ। ଖାଲି ସେତିକି ନୁହଁ ସୀମା ପରିହାର ନିର୍ବାଚନ ଲଢ଼ିବା ସହିତ ରିୟାଲିଟି ଶୋ ‘ବିଗ୍‌ବସ୍‌ରେ’ ମଧ୍ୟ ଭାଗ ନେଇଥିଲେ।

ବେଲା ଆଣ୍ଟି:  ୭୦ ଦଶକରେ ମୁମ୍ବାଇରେ ବେଲା ଆଣ୍ଟି ନାମରେ ଜଣେ ଶକ୍ତିଶାଳୀ ଗ୍ୟାଙ୍ଗଷ୍ଟର ବେଶ୍‌ ଚର୍ଚ୍ଚିତ ଥିଲେ। ବେଆଇନ୍‌ ମଦ ବ୍ୟବସାୟ ସହିତ ସେ ଅନେକ ସଙ୍ଗିନ ଅପରାଧିକ ଘଟଣା ଘଟାଇଥିଲେ। ଯେଉଁ ଗାଡ଼ିରେ ମଦ ଲୋଡ୍ ହୋଇ ଯାଉଥିଲା ସେହି ଗାଡ଼ିକୁ ନା ପୋଲିସ୍‌ ନା ଅନ୍ୟ କେଉଁ ଗ୍ୟାଙ୍ଗଷ୍ଟାର କେହି ଅଟକାଇବାର ସାହସ କରିପାରୁ ନ ଥିଲେ।

ଅଞ୍ଜନାବାଇ ଗାଭିତ୍, ରେଣୁକା ଓ ସୀମା ଗାଭିତ୍: ମହାରାଷ୍ଟ୍ରର କୋହ୍ଲାପୁରରେ ରହୁଥିବା ଅଞ୍ଜନାବାଇ ଗାଭିତ୍ ଓ ତାଙ୍କ ଝିଅ ରେଣୁକା ଓ ସୀମା ଗାଭିତ୍ ୧୯୯୦ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଅତି ନୃଶଂସ ଭାବେ ନରସଂହାର କରିଥିଲେ। ଏମାନେ ନିର୍ଦ୍ଦୟ ଭାବରେ ୪୨ ଜଣ ଛୋଟପିଲାଙ୍କୁ ହତ୍ୟା କରିଥିଲେ। ପ୍ରଥମେ ଛୋଟପିଲାଙ୍କୁ ଅପହରଣ କରିବା ପରେ ତଣ୍ଟିଚିପି କିମ୍ବା କାନ୍ଥରେ ସେମାନଙ୍କ ମୁଣ୍ଡକୁ ଛେଚି ହତ୍ୟା କରୁଥିଲେ। ଦେଶର ପ୍ରଥମ ମହିଳା ଭାବରେ ତାଙ୍କୁ ଅଦାଲତ ଫାଶି ଦଣ୍ଡାଦେଶ ଦେଇଥିଲେ।

କେ.ଡି କେମ୍ପନ୍ନା: ସାଇନାଇଡ୍‌ର ରାଣୀ କୁହାଯାଉଥିବା କେମ୍ପନ୍ନା ଜଣେ ସିରିଏଲ୍ କିଲର ଥିଲେ। ସେ ବେଙ୍ଗାଲୁରୁର ୬ ଜଣଙ୍କୁ ସାଇନାଇଡ୍‌ ଦେଇ ମାରିଦେଇଥିଲେ। ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଅପରାଧ ଦୁନିଆରେ ସେ ସକ୍ରିୟ ଥିଲେ। ଅପରାଧିକ କାର୍ଯ୍ୟକଳାପ ପାଇଁ ତାଙ୍କୁ ୨୦୧୨ରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା।  କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଆଜୀବନ କାରାଦଣ୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos