ମୁକ୍ତି ମଣ୍ଡପରେ ବସୁଛନ୍ତି ଏହି ମୁସଲମାନ, ଗାଉଛନ୍ତି ଜଗନ୍ନାଥ ଭଜନ !

ଭୁବନେଶ୍ୱର(ଓଡିଶା ରିପୋର୍ଟର): କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି…।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ। ଖାଲି ସେ […]

bhikari mohammed

bhikari mohammed

Rakesh Mallick
  • Published: Wednesday, 11 April 2018
  • Updated: 12 April 2018, 04:15 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କାଳିଆ ଠାକୁରଙ୍କ ଲୀଳା ବାସ୍ତବରେ ରହସ୍ୟମୟ। ଦିନେ ଯବନ ସାଲବେଗର ଭାବରେ ଅଟକି ଯାଇଥିଲା ନନ୍ଦିଘୋଷ। ଭାବ ବିନୋଦିଆ କାଳିଆ ଠାକୁର ଭକ୍ତର ଆକୁଳ ନିବେଦନକୁ କାଟି ଯାଇପାରି ନ ଥିଲେ ଆଗକୁ। ଆଉ ସୃଷ୍ଟି ହୋଇଥିଲା ଭଜନଟିଏ- “ଜଗବନ୍ଧୁ ହେ ଗୋସାଇଁ, ମୁହିଁ ଯିବା ଯାଏଁ ନନ୍ଦି ଘୋଷେ ଥିବ ରହି...।” ଭକ୍ତର ଯେ, କୌଣସି ଜାତି ଆଉ ଧର୍ମ ନ ଥାଏ ସେ କଥା ପ୍ରମାଣିତ ହୋଇଥିଲା ସେଦିନ। ଖାଲି ସେ ଦିନ ନୁହେଁ ଆଜି ବି ଏମିତି ଅଲୌକିକ ଘଟଣାମାନ ଶ୍ରୀ ଜଗନ୍ନାଥଙ୍କୁ ନେଇ ଘଟୁଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଜାଣିଛନ୍ତି, ସାଲବେଗଙ୍କ ଭଳି ଆଉ ଜଣେ ଭକ୍ତ ଜନ୍ମିଛନ୍ତି ଆମ ଓଡିଶା ମାଟିରେ। ଯାହାଙ୍କ ଜନ୍ମ ବୃତାନ୍ତ ଶୁଣିବା ପରେ ଆପଣଙ୍କ ଲୋମ ବି ଟାଙ୍କୁରୀ ଉଠିବ। ଯୋଡି ହୋଇଯିବ ହାତ, ଝରି ପଡିବ ଲୁହ। ଖାସ୍‌ ସେଇ କଳା ଠାକୁରଙ୍କ ଲାଗି।

ଆମେ ଆଜି ଆପଣଙ୍କୁ ସେହି ଯବନ ଭକ୍ତଙ୍କ କଥା କହିବାକୁ ଯାଉଛୁ। ଯାହାଙ୍କୁ ଆପଣ ଚାହିଁଲେ ଦେଖି ପାରିବେ ଆଉ କଥା ବି ହୋଇପାରିବେ। ତାଙ୍କ ମୁହଁରୁ ଶୁଣିପାରିବେ ମନଲୋଭା ଜଗନ୍ନାଥ ଭଜନ। ସେ ହେଉଛନ୍ତି, ନୟାଗଡ ଜିଲା ଖଣ୍ଡପଡାର ଭିକାରୀ ମହମ୍ମଦ। ଏହି ନାଁ ହିଁ ତାଙ୍କର ପରିଚୟ। ଖଣ୍ଡପଡା ଜଗନ୍ନାଥ ମନ୍ଦିର ପରିସରେ ଥିବା ମୁକ୍ତି ମଣ୍ଡପରେ ସେ ବସନ୍ତି। ଆଉ କାଳିଆ ମୁହଁକୁ ଚାହିଁ ଗାଆନ୍ତି ଗୀତ। ମୁଣ୍ଡରେ ଟୋପି, ମୁହଁରେ ଦାଢି ଥିବା ଏହି ସଚ୍ଚା ମୁସ୍‌ଲମାନ୍‌ ଭାଇ ଜଣକ ଯେବେ ଗଦ୍‌ଗଦ୍‌ ହୋଇ ଗୀତ ଗାଆନ୍ତି ଆପଣଙ୍କ ଆଖିରୁ ବି ଜକେଇ ଆସିବ ଲୁହ। କାଳିଆର ମାୟା ବୁଝିବାକୁ ଆପଣ ବି ଅଟକି ଯିବେ ଆଉ ପଚାରିବେ ତାଙ୍କ ଭକ୍ତିର ମାର୍ଗ ସମ୍ପର୍କରେ।

ଇଏ ସେହି ଭିକାରୀ ମହମ୍ମଦ

bhikari mohammedପାଖାପାଖି ୪୦ ବର୍ଷ ତଳର କଥା। ଦୁଇ ଦୁଇଟା ଝିଅ ପରେ ବି ପୁଅଟିଏ ନ ଥିଲା ତାଙ୍କର। ଏହି ଘଟଣାକୁ ନେଇ ମୁସଲମାନ୍‌ ଦମ୍ପତିଙ୍କ ଭିତରେ ସବୁବେଳେ ଲାଗି ରହୁଥିଲା ଝଗଡା। ତଲାକ୍‌ ପର୍ଯ୍ୟନ୍ତ କଥା ବି ଯାଇଥିଲା। ହେଲେ କୌଣସି ଦୁର୍ବଳ ମୁହୂର୍ତ୍ତରେ ଭଗବାନ ସଦୟ ହେବାରୁ ତଲାକ୍‌ ହୋଇ ନ ଥିଲା। ହେଲେ ପୁଅଟିଏ ନ ଥିବାରୁ ପତ୍ନୀଙ୍କୁ ଘରୁ ତଡି ଦେଇଥିଲେ ତାଙ୍କ ସ୍ୱମୀ। ମହିଳା ଜଣକ ନିଜକୁ ବେସ୍‌ ଅସହାୟ ମନେକଲେ। ଘରେ ଛୋଟ ଝିଅ ଦୁଇଟିକୁ ଛାଡି ସାରା ଖଣ୍ଡପଡା ସହର ବୁଲିଲେ। ଏତିକି ବେଳେ ନଜର ପଡିଲେ ଦଳେ ମହିଳା। ଯେଉଁମାନେ ପାଳୁଥିଲେ ଦୁତୀଆ ଓଷା। ଓଡିଆ ଘରର ମହିଳମାନେ ପୁଅଟିଏ ପାଇବାକୁ ଏହି ଓଷା କରିଥାନ୍ତି। ଯାହା ଶୁଣିବା ପରେ ସମ୍ପୃକ୍ତ ମୁସଲିମ୍‌ ମହିଳା ଜଣକ ମନରେ ଆଶାର ସୂର୍ଯ୍ୟୋଦୟ ହେଲା।

ଅଭିମାନ କରି ଖଣ୍ଡପଡା ଜଗନ୍ନାଥ ମନ୍ଦିର ସାମ୍ନାରେ ଛିଡାହୋଇ କହିଲେ “ଦୁନିଆ ଜାକର ଲୋକଙ୍କୁ ତମେ କେତେ କ’ଣ ଦେଉଛ। ତା’ ହେଲେ ମତେ ପୁଅଟିଏ ଦିଅ। ଜାଣିବି ତୁମେ ବଡ ପାରିବାର ଦିଅଁ। ଯଦି ପୁଅଟିଏ ହୁଏ ସେ ହେବ ତୁମର ଭିକ୍ଷା, ନ ଦେବ ଯଦି ତୁମ ଦୁଆରେ ମରିବି। ଭାବି ନେବେ ମୋ ଶବ ତୁମର।” ଏହି ଅଭିମାନ ପରେ ମହିଳା ଜଣକ ଆରମ୍ଭ କରନ୍ତି ଦୁତୀଆ ଓଷା। କିଏ କହିଥିଲା କେଜାଣି ଅଜଣା ଭାବାବେଗରେ ଅଣ୍ଟିରେ ପୁରାଇ ରଖିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଛୋଟିଆ ଫଟୋଟିଏ। କାଳେ କିଏ ଜାଣିଦେବ ସେଥିପାଇଁ ଲୁଚି ଲୁଚି ପାଳିଥିଲେ ଓଷା।

କାଳିଆକୁ ବି ମାୟା ଲାଗି ଯାଇଥିଲା ବୋଧେ। ନ ହେଲେ ସେ କ’ଣ ସହଜରେ କାହା ଡାକ ଶୁଣେ। ହେଲେ ଯବନ ଭକ୍ତଟିର କଥା ଟାଳି ପାରିଲାନି। ଓଷା ପରେ ପରେ ତାଙ୍କ ଅଣ୍ଟି ପୂରଣ କରିଦେଲା। ପୁଅଟିଏ ହେଲା। ଏଥର ମହିଳା ଜଣକ ଘରକୁ ଯିବାକୁ ବାଟ ପାଇଗଲେ। ଯୋଉ ସ୍ୱାମୀ ଦିନେ ତଲାକ୍‌ ଦବ ବୋଲି କହି ଘରୁ ତଡିଥିଲା। ତା’ ଆଗରେ ପୁଅକୁ ଥୋଇ କହିଲେ- “ଦେଖ ଭିକ ମିଳିଗଲା। ହେଲେ ମହିଳାଙ୍କ ସ୍ୱାମୀ କହୁଥାନ୍ତି ‘ଏ ଭିକ ନୁହେଁ, ଏ ମୋର ମହମ୍ମଦ’ । ଏହି କଥା ଶୁଣି ପତ୍ନୀ କହିଲେ ମହମ୍ମଦ ନୁହେଁ, ଏ ହେଉଛି ଜଗନ୍ନାଙ୍କ ଭିକ। ବାସ୍‌ ସ୍ୱାମୀ ସ୍ତ୍ରୀଙ୍କ ଏହି ଦାମ୍ପତ୍ୟ କଳହରେ ପୁଅଟିର ନାଁ ହେଇଗଲା “ଭିକାରୀ ମହମ୍ମଦ”।

ଖଣ୍ଡପଡା ଜଗନ୍ନାଥ ମନ୍ଦିରକୁ ପ୍ରାର୍ଥନା ଚ୍ୟାନେଲର ‘ଶୁଣ ସୁଜନେ’ ଟିମ୍‌ ଯାଇଥିବା ବେଳେ ଭେଟିଥିଲେ ଭିକାରୀ ମହମ୍ମଦ। ଜଣେ ମୁସ୍‌ଲମାନଙ୍କୁ ଜଗନ୍ନାଥ ମନ୍ଦିରରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ତାଙ୍କ ଜନ୍ମ ବୃତ୍ତାନ୍ତ ଶୁଣି ସମସ୍ତେ ପଡିଯାଇଥିଲେ ତାଙ୍କ ପାଦ ତଳେ।

ଭିକାରୀ ମହମ୍ମଦ କହିଛନ୍ତି, ସକାଳେ ସେ ନମାଜ ପଢନ୍ତି, ଆଉ ଛାଇ ଲେଉଟିଲା ବେଳକୁ ଚାଲିଆସନ୍ତି ମନ୍ଦିର। କାଳିଆ ଠାକୁରଙ୍କ ଆଗରେ ଗୀତ ପଦୀଏ ଗାଇ ଦେଲେ କୋଟିନିଧି ପାଇଲା ପରି ଲାଗେ। ପ୍ରାର୍ଥନା ଟିମ୍‌ର ପୂରା ସଦସ୍ୟ ଯେତେବେଳେ ଏମିତି କଥା ଶୁଣିଲେ, କେହି କେହି ତ ନିଜ ଲୁହ ବି ରୋକିପାରି ନ ଥିଲେ। ଜଣେ ମୁସଲମାନ୍‌ ଭକ୍ତର ଆକୁଣ୍ଠ ଜଗନ୍ନାଥ ପ୍ରେମ ବାସ୍ତବରେ ଅତି ନିଚ୍ଛକ ଦେଖା ଯାଉଥିଲା। ଆଉ କ୍ୟାମେରା ଲେନ୍ସର ଏହି ଭକ୍ତଙ୍କ ସହ ସେଲ୍ଫି ନେଇଥିଲେ ଟିମ୍‌ ମେମ୍ୱରମାନେ। ‘ଶୁଣ ସଜନେ’ ଟିମ୍‌ରେ ଥିବା ଦୁଇ ଚକୁଲିଆ ପଣ୍ଡା ମଧ୍ୟ ଫଟୋ ଉଠାଇଥିଲେ ଭିକାରୀ ମହମ୍ମଦଙ୍କ ସହ। ଯେଉଁ ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ କହୁଛି ଜଗନ୍ନାଥ ମହିମାର କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos