ଏମିତି ଏକ ଜଗନ୍ନାଥ ମନ୍ଦିର ଯେଉଁଠି ମୁଖ୍ୟ ନୁହଁନ୍ତି ମହାପ୍ରଭୁ !

Jan AjanaJagannath

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାର ସଂସ୍କୃତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରୁଦ୍ଧିମନ୍ତ ହୋଇଛି। ଜଗନ୍ନାଥଙ୍କ ନାଁରେ ଆମେ ସମସ୍ତେ ପରିଚିତ ହେଉଛେ, ଆଉ ଓଡ଼ିଆ ବୋଲି ଗର୍ବ କରୁଛେ। ଓଡ଼ିଶା ଓ ଓଡ଼ିଶା ବାହାରେ ଗଢ଼ି ଉଠିଛି ଅନେକ ଜଗନ୍ନାଥ ମନ୍ଦିର। ପଶ୍ଚିମବଙ୍ଗ ସଂଲଗ୍ନ ବାଲେଶ୍ୱର ଜିଲା ହେଉ କିମ୍ବା ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଞ୍ଜାମ- ସବୁ ଓଡ଼ିଆଙ୍କ ଘରେ ଘରେ ପୂଜା ପାଉଛନ୍ତି ବଡ଼ଠାକୁର।

ଆମେ ଆଜି ସେମିତି ଗୋଟିଏ ଉପାନ୍ତ ଅଞ୍ଚଳର କଥା କହିବାକୁ ଯାଉଛୁ। ଯେଉଁଠି ରହିଛି ଏକ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଥିବା ଜଗନ୍ନାଥ ମନ୍ଦିରର ଇଷ୍ଟ ମହାପ୍ରଭୁ ଜଗନ୍ନାଥ ନୁହନ୍ତି।

jagannathଆମେ କହୁଛୁ ଆନ୍ଧ୍ରପ୍ରଦେଶ ରାଜ୍ୟ ଶ୍ରୀକାକୁଲମ୍‌ ଜିଲା ସୀମାନ୍ତ ତଥା ଗଞ୍ଜାମ ଜିଲାର ଜରଡ଼ା ଜଗନ୍ନାଥ ମନ୍ଦିର ସମ୍ପର୍କରେ। ଯାହାକୁ ଲୋକେ ଜଗନ୍ନାଥ ମନ୍ଦିର ନୁହେଁ ପାର୍ଥସାରଥୀ ମନ୍ଦିର ବୋଲି କହିଥାନ୍ତି। ଏଠାରେ ମୁଖ୍ୟ ସିଂହାସନରେ ଜଗନ୍ନାଥ ଆରୁଢ଼ ହୋଇଥିଲେ ମଧ୍ୟ ଇଷ୍ଟ ଭାବେ ତଥା ପ୍ରମୁଖ ଦେବତା ଭାବେ ପୂଜା ପାଆନ୍ତି ପ୍ରଭୁ ପ୍ରାର୍ଥସାରଥୀ। ଦ୍ୱିଭୁଜ ବିଶିଷ୍ଟ କୃଷ୍ଣମୂର୍ତ୍ତି। ହାତରେ ଶଂଖ ଓ ଚକ୍ର ଧାରଣ କରିଥିବା ଅବସ୍ଥାରେ ଗର୍ଭଗୃହର ରତ୍ନସିଂହାସନ ସମ୍ମୁଖରେ ବସି ପୂଜା ପାଆନ୍ତି। ଏହାଙ୍କ ପଛପଟେ ରହିଥାନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଏକକ ଦାରୁ ବିଗ୍ରହ। ଏଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ପ୍ରାର୍ଥସାରଥୀଙ୍କ ମୂର୍ତ୍ତି ରଥାରୁଢ ହେବାପରେ ଯାଇ ରଥ ଗଡିଥାଏ।

ଉପାନ୍ତ ଅଞ୍ଚଳରେ ରହିଥିବା ଏହି ସ୍ଥାନଠାରୁ ପୁରୀ ଯାଇ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା କାଠିକର ପାଠ। ଏମିତିକି ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ମଧ୍ୟ ଥାଏ। ଏଣୁ ସ୍ଥାନୀୟ ଲୋକେ କୁହନ୍ତି- “ଅଣ୍ଟିର ପଇସା ଅଛି ତ ପୁରୀ, ଅଣ୍ଟିରେ ପଇସା ନାହିଁ ତ ଜରଡ଼ା”।

ରଥଯାତ୍ରା ବେଳେ କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଏଠାରେ ସମାଗମ ହୋଇଥାଏ। କୁହାଯାଏ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଯୁଦ୍ଧଯାତ୍ରା କରିବା ସମୟରେ ଆଳି ରାଜ ପରିବାରର ବୀରଭଦ୍ର ସାମନ୍ତ ସିଂହାର ତାଙ୍କୁ ସହାୟତା କରିଥିଲେ। ଯୁଦ୍ଧ ଜିତି ଏହି ବାଟରେ ଫେରିବା ବେଳେ ମହେନ୍ଦ୍ରଗିରି ପର୍ବତମାଳାର ଏହି ସ୍ଥାନଟିକୁ ଗଜପତିଙ୍କ ଅନୁମତି ପରେ ବୀରଭଦ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେ ଏଠାରେ ରାଜା ଭାବେ ଅଭିଷିକ୍ତ ହେବା ପରେ ମହେନ୍ଦ୍ରଗିରି ପର୍ବତ ଉପରେ ପୂଜିତ ଏକ ବିଶାଳ ସ୍ତମ୍ଭକୁ ନିଜ ରାଜବାଟୀ ସମ୍ମୁଖରେ ମନ୍ଦିର ତୋଳାଇ ବସାଇବା ପାଇଁ ଉଦ୍ୟମ କରିଥିଲେ। ଠାକୁରଙ୍କ ଦୟାରୁ ସେ ଯୁଦ୍ଧ ଜିତିଥିବା ବିଶ୍ୱାସ କରୁଥିବାରୁ ଉକ୍ତ ସ୍ତମ୍ଭକୁ ପର୍ବତ ଉପରୁ ପାଦ ଦେଶକୁ ଆଣୁଥିଲେ। ଗୋଟିଏ ସ୍ଥାନରେ ଏହା ଭାରି ଲାଗିବାରୁ ସେ ଏହାଙ୍କୁ ତଳେ ଥୋଦେଇଥିଲେ। ପରବର୍ତ୍ତି ସମୟରେ ଏହି ସ୍ତମ୍ଭ ମୂର୍ତ୍ତି ଭାବେ ପ୍ରକଟ ହୋଇଥିଲେ। ଯାହା ଏବେ ମନ୍ଦିର ଗର୍ଭଗୃହରେ ପୂଜା ପାଉଛନ୍ତି। ପରବର୍ତ୍ତୀ ସମୟରେ ଗଜପତିଙ୍କ ଅନୁମତି ନେଇ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ଏଠାରେ ସ୍ଥାପନ ହୋଇଥିବା କୁହନ୍ତି ପୂଜକ ସାରଥୀ ପ୍ରସାଦ ନାୟକ।

jjjସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ପୂଜିତ ପାର୍ଥସାରଥୀ ବିଗ୍ରହ ଅତ୍ୟନ୍ତ ରହସ୍ୟମୟ। ଏହା କେଉଁଧାତୁରେ ତିଆରି ତାହା କାହାରିକୁ ଜଣାନାହିଁ। ପୁରୀ ଜଗନ୍ନାଥ ମନ୍ଦିରର ଗରୁଡ ସ୍ତମ୍ଭ ଭଳି ଏହା ଏକ ଭିନ୍ନ ଧଳା ପଦାର୍ଥରେ ତିଆରି। ହେଲେ ଏହା କାଠ, ପଥର କି ଅନ୍ୟ କେଉଁ ଧାତୁ ସେ ସମ୍ପର୍କରେ କାହାରିକୁ କିଛି ଜଣାନାହିଁ।

 

Previous ArticleNext Article

Send this to a friend