ଅରାଗଡ ପାହାଡ଼ ଉପରେ ବୌଦ୍ଧ ସଂସ୍କୃତିର ମୁକସାକ୍ଷୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ପବିତ୍ର ବୁଦ୍ଧ ଜୟନ୍ତୀ। ଭାରତ ସମେତ ଅନେକ ରାଷ୍ଟ୍ରରେ ଭଗବାନ ବୁଦ୍ଧଙ୍କ ଜନ୍ମୋତ୍ସବ ପାଳିତ ହେଉଛି। ବୌଦ୍ଧ ଧର୍ମର ପ୍ରଚାରପ୍ରସାର ପାଇଁ ଦିନେ ଓଡିଶାର ନାଁ ସର୍ବଗ୍ରେ ଥିଲା। ଏ କଥା ଅଳ୍ପେ ବହୁତ ଆମେ ସମସ୍ତେ ଜାଣିଛେ। ସେଇଥି ପାଇଁ ଅବିଭକ୍ତ ପୁରୀ ଜିଲାର ଡେଲାଙ୍ଗ, ଜଟଣୀ, ଭୁବନେଶ୍ୱର ସମେତ ଯାଜପୁର ଜିଲାରେ ସଂଖ୍ୟାଧିକ ବୌଦ୍ଧ ସ୍ମାରକୀ ଆଜି ମଧ୍ୟ ମୁକସାକ୍ଷୀ ହୋଇ ଛିଡା ହୋଇଛି। ଭୁବନେଶ୍ୱରର ଧଉଳୀ ଶାନ୍ତିସ୍ତୁପ ସମ୍ପର୍କରେ ସମସ୍ତେ ପ୍ରାୟତଃ ଜାଣିଥିବା ବେଳେ ଆନାଲୋଚିତ ହୋଇ ରହିଛି ଏକ ବିରଳ ବୌଦ୍ଧ କିର୍ତ୍ତି। ଯାହାର ନିର୍ମାଣ କାଳ ହେଉଛି ଖ୍ରୀଷ୍ଟପୂର୍ବ ୫ମ ଶତାଦ୍ଦୀ।ଯାହା କେବଳ ଓଡିଶା ନୁହେଁ ସାରା ବିଶ୍ୱ ପାଇଁ ବିରଳ ଐତିହ୍ୟ। ତା ହେଲେ ଆସନ୍ତୁ ଜାଣିବା ଏହି ବିରଳ ବୌଦ୍ଧ ସ୍ମାରକୀ ସମ୍ପର୍କରେ।

ହିନ୍ଦୁମାନଙ୍କ ମନ୍ଦିରରେ ଠାକୁରଙ୍କ ପୂଜା ଭଳି ବୌଦ୍ଧମାନେ ଭଗବାନ ବୁଦ୍ଧଙ୍କ ଉପାସନା ପାଇଁ ପବିତ୍ର ସ୍ତୁପମାନ ନିର୍ମାଣ କରିଥାନ୍ତି। ସେହିପରି ହିନ୍ଦୁଧର୍ମର ମଠମାନଙ୍କ ପରି ବୌଦ୍ଧ ଶ୍ରମଣମାନେ ମଧ୍ୟ ମଠ ନିର୍ମାଣ କରିଥାନ୍ତି। ଯାହାକୁ “ବୌଦ୍ଧଚୈତ୍ୟ” ବୋଲି କୁହାଯାଏ। ସାରା ଭାରତରେ ଏଭଳି ଚୈତ୍ୟ ବିରଳ ହୋଇଗଲାଣି। ହେଲେ ଜେଣିଲେ ଆଶ୍ଚର୍ଯ୍ୟ ହେବେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡରେ ଗୋଟିଏ ବୌଦ୍ଧ ଚୈତ୍ୟ ଅକ୍ଷତ ଅବସ୍ଥାରେ ରହିଛି। ରାଜ୍ୟର ଏହା ଏକମାତ୍ର ବୌଦ୍ଧ ଚୈତ୍ୟ। ପାହାଡ ଉପରେ ଘଞ୍ଚ ଜଙ୍ଗଲ ପରିବେଷରେ ଏହି ବିରଳ ଐତିହ୍ୟ ରହିଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଛି ପ୍ରଶାସନ ଓ ପ୍ରତ୍ନତତ୍ୱ ବିଭାଗ।

କ’ଣ ଏହି ଚୈତ୍ୟ: ଏହା ଏକପ୍ରକାର ମଠ ମନ୍ଦିର। ଏଠାରେ ଭଗବାନ ବୁଦ୍ଧଙ୍କ ଉପାସନା ସହ ବୈଦ୍ଧ ସନ୍ୟାସୀ ବା ଶ୍ରମଣମାନଙ୍କ ରହିବା ଲାଗି ବ୍ୟବସ୍ଥା ରହିଥାଏ। ଏହି ଚୈତ୍ୟକୁ ବେଢି ରହିଥାଏ ଅନେକ କ୍ଷୁଦ୍ରାକୃତି ସ୍ତୁପ। ଅରାଗଡଠାରେ ଥିବା ବୈଦ୍ଧ ଚୈତ୍ୟ ଏକ ଦର୍ଶନୀୟ ସ୍ଥାନ। ଏହି ଚୈତ୍ୟଟି ଦ୍ୱିତଳ ପ୍ରସାଦ ଭଳି। ଉପରେ ପୂଜିତ ବିଗ୍ରହଙ୍କୁ ସ୍ଥାପନ କରାଯିବା ଭଳି ଏକ ସିଂହାସନ ରହିଛି। ଏହା ସହ ଏକ ଜାଲି ଝରକା ମଧ୍ୟ ରହିଛି। ଏହା ସମ୍ପୁର୍ଣ୍ଣ କନ୍ଦା ପଥରରେ ନିର୍ମିତ। ତଳ ବଖରାଟି ମଧ୍ୟ ସେହିପରି। ଏଠାରେ ବୌଦ୍ଧ ଶ୍ରମଣମାନେ ରହୁଥିବା ବିଶ୍ୱାସ କରାଯାଏ। ତଳବଖରାଟି ମାଟିରେ ପୋତି ହୋଇଥିବା ପରି ରହିଛି। ବାହାରୁ ଦେଖିଲେ ମାତ୍ର ଗୋଟିଏ ବଖରା ଦୃଶ୍ୟମାନ ହୁଏ। କିନ୍ତୁ ପାଖକୁ ଗଲେ ଏହାର ପ୍ରକୃତ ସ୍ୱରୂପ ଦେଖିବକୁ ମିଳେ। ଏହି ଚୈତ୍ୟ ସଂଲଗ୍ନ ଏକ ଜଳପୂର୍ଣ୍ଣ କୂଅ ରହିଛି। ଶୁଣିଲେ ଆଶ୍ଚିର୍ଯ୍ୟ ହେବେ ଯେ, ପାହାଡ ଶୀର୍ଷଦେଶରେ ରହିଥିବା ଏହି କୂଅର ଜଳ ବର୍ଷତମାମ୍‌ କେବେ ବି ଶୁଖେ ନାହିଁ। ଏହାର ପାଣି ସମ୍ପୂର୍ଣ୍ଣ ନୀଳ।

ପୂଜିତ ବିଗ୍ରହ: ଏଠାରେ ସମ୍ପ୍ରତି କୌଣସି ମୂର୍ତ୍ତି ନାହାନ୍ତି। ହେଲେ ପାହାଡ଼ ପାଦ ଦେଶରେ ଥିବା ଅରାଗଡ ଗ୍ରାମରେ ବୌଦ୍ଧ ଯୁଗୀୟ ୪ଟି ମୂର୍ତ୍ତି ପୂଜିତ ହେଉଛନ୍ତି। ଏହାଙ୍କୁ ସ୍ଥାନୀୟ ଲୋକେ ବୁଦ୍ଧ ନାରାୟଣ ଭାବେ ପୂଜା କରୁଛନ୍ତି। ୪ଟି ଯାକ ବିଗ୍ରହ ଧ୍ୟାନରତ। ପ୍ରଥମ ବିଗ୍ରହ ଭଗବାନ ବୁଦ୍ଧଙ୍କ ଭଳି । ଧ୍ୟାନରତ ମୁଦ୍ରାରେ ବସିଛନ୍ତି। ଅନ୍ୟ ୩ଟି ବିଗ୍ରହ ୩ ମୁଣ୍ଡ ବିଶିଷ୍ଟ । ହେଲେ ଏହି ମୂର୍ତ୍ତିମାନଙ୍କ ମଧ୍ୟକୁ ଶେଷ ମୂର୍ତ୍ତିଟି ଅତ୍ୟନ୍ତ କମନୀୟ ଏହା ଆଠ ହାତ ବିଶିଷ୍ଟ। ପ୍ରଥମ ବୃଦ୍ଧ ମୂର୍ତ୍ତିଙ୍କ ବ୍ୟତିତ ସମସ୍ତ ବିଗ୍ରହ ନିଜ ହାତରେ ଆୟୁଧ ଧାରଣ କରିଛନ୍ତି। ଯାହାକୁ ଦେଖି ଗବେଷକମାନେ ଅନୁମାନ କରନ୍ତି ଯେ, ବୈଦ୍ଧ ଧର୍ମରେ ତନ୍ତ୍ର ପ୍ରଭାବ ପଡିବା ପରେ ବୌଦ୍ଧ ଧର୍ମରେ ଏଭଳି ମୂତ୍ତିର ପରିକଳ୍ପନା କରାଯାଇଥାଇପାରେ। ଏହି ମୂର୍ତ୍ତିକୁ ବିଲ ହଳ କରିବା ବେଳେ ୧୯୫୨ ମସିହାରେ ସ୍ଥାନୀୟ ଅଞ୍ଚଳର ଜଣେ କୃଷକ ଉଦ୍ଧାର କରିଥିଲେ।

କେମିତି ଯିବେ: ଭୁବନେଶ୍ୱରରୁ ଏହାର ଦୂରତା ମାତ୍ର ୨୪ କିଲୋମିଟର। ଏହାର ନିକଟବର୍ତ୍ତି ରେଳଷ୍ଟେଶନ ହେଉଛି ଖୋର୍ଦ୍ଧାରୋଡ। ଭୁବନେଶ୍ୱରରୁ ଜଟଣୀ ସହର ଦେଇ ବାଇକ୍‌ କିମ୍ବା କାର ଯୋଗେ ଏଠାକୁ ଯାଇପାରିବେ।

Previous ArticleNext Article

Send this to a friend