ମୁଁ ଭାରତ କହୁଛି

Kulbhushan-Yadav
ସୁକାନ୍ତି ରାଉତ
ସୁକାନ୍ତି ରାଉତ

ବହୁଚର୍ଚ୍ଚିତ କୁଲଭୂଷଣ ଯାଦବ ଫାଶୀ ଦଣ୍ଡାଦେଶ ମାମଲାରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ପାକିସ୍ତାନକୁ ନିଦ୍ଦେର୍ଶ ଦେଇଛନ୍ତି ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଫାଶୀ ନ ଦେବା ପାଇଁ। ଏହି ରାୟ ପ୍ରକାଶ ପାଇବା ପରେ ମୁଁ ଭାରତ ମାତା ହିଁ ଅଧିକ ଖୁସି ହୋଇଛି । ୧୯୪୭ ମସିହା ଅଗଷ୍ଟ ୧୫ ଠାରୁ ବି ଏ ଖୁସି ଢ଼େର୍ ବେଶୀ ହେବ । ୨୦୧୬ ମସିହା ମାର୍ଚ୍ଚ ମାସରେ ମୋର ବାଧ୍ୟ ସନ୍ତାନ କୁଲଭୂଷଣଙ୍କୁ ପାକିସ୍ତାନ ଗିରଫ କରିଥିଲା ଏବଂ ସେ ଉକ୍ତ ଦେଶରେ ଗୋଇନ୍ଦାଗିରି କରିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଷଡ଼‌ଯନ୍ତ୍ର କରୁଥିବା ଅଭିଯୋଗ ଆଣିଲା।  ପାକିସ୍ତାନ କୋର୍ଟ ଏହାର ବିଚାର କରି ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ। ଏମିତି କି କୁଲଭୂଷଣଙ୍କୁ ଜୋର ଜବରଦସ୍ତ କରି ଏକ ସ୍ୱୀକାରୋକ୍ତି ହାସଲ  କରିନେଲା ପାକିସ୍ତାନ । ଏପରିକି ଭାରତୀୟ କୂଟନୀତିଜ୍ଞମାନଙ୍କୁ ମଧ୍ୟ ମୋ ପୁଅକୁ ଭେଟିବାକୁ ସୁଯୋଗ ବି ଦିଆଯାଇନାହିଁ, ୧୫ରୁ ଅଧିକ ଥର ଆବେଦନ  କରିଥିଲେ ମଧ୍ୟ ସେମାନେ ଲୁହ ଆଉ କୋହ ଧରି ଫେରିଛନ୍ତି ନିଜ ଭାଇର ମୁହଁ ନ ଦେଖି । ମୋ ଦେଶରେ ଥିବା ମୋର ଅନ୍ୟ ପୁଅମାନଙ୍କୁ ସାଲୁଟ କରୁଛି ଆଉ ସେମାନଙ୍କ ମାଆ ହୋଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । କାରଣ ପାକିସ୍ତାନ ସବୁ ସମୟରେ ତାର ନଖରାମୀ ଦେଖାଇଛି। ଆଉ ଖାସ୍ ସେଥିପାଇଁ  ଭାରତ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ତୁରନ୍ତ ଏହି ମାମଲାର ବିଚାର କରି ଉକ୍ତ ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଥିଲା।

କାରଣ ମୋର ସନ୍ଦେହ ଥିଲା ଯେ ବିଚାର ପ୍ରକ୍ରିୟା ବିଳମ୍ୱିତ ହେଲେ ପାକିସ୍ତାନ ତା’ର ପୁରୁଣା କୁଟିଳ ଖେଳ ଖେଳିବ ଆଉ ମୋର ନିରୀହ ପୁଅକୁ  ଆଇନ୍ ବାଟରେ ହେଉ ବା ବେଆଇନ‌ ଭାବେ ହତ୍ୟା କରିବ । ଅତୀତରେ ଏମିତି କୁତ୍ସିତ ଖେଳ ପାକିସ୍ତାନ ଖେଳିଛି ।  ସରବଜିତ ମାମଲା ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ । ଏତେ ସବୁ ପରେ ବି ମୁଁ ସବୁବେଳେ ପାକିସ୍ତାନକୁ ବନ୍ଧୁତାର ହାତ ବଢ଼ାଇ ଆସିଛି । କିନ୍ତୁ ଦୀର୍ଘ ବର୍ଷ ପରେ ମୋର ମନେ ହେଲା-ବନ୍ଧୁ ବନ୍ଧା ଯାଏ ବିଶ୍ୱାସରେ, ଭରସାରେ  କିନ୍ତୁ କୁଟିଳତା କି ଛଳନାରେ ନୁହେଁ । ମୋ ପୁଅ କିନ୍ତୁ ବିଲ୍ କୁଲ୍ ବି ଦୋଷୀ ନୁହେଁ । ପୃଥିବୀରେ ମାଆ ହିଁ ଜଣେ ମାତ୍ର ବ୍ୟକ୍ତି ଯିଏ ଜାଣିପାରେ ତା ପୁଅ ଦୋଷୀ କି ନିର୍ଦ୍ଦୋଷୀ । ହୁଏତ ଜୀବନ ପ୍ରତି ବିପଦ ରହିଛି ଭାବି ସେ ପାକିସ୍ତାନ ଆଗରେ ମୁଣ୍ଡ ଟୁଙ୍ଗାରି ହଁ କହିଥାଇପାରେ, ମୋର ଆଇନ୍ ଉପରେ ବିଶ୍ୱାସ ରହିଛି ଆଉ ଭଗବାନଙ୍କ ଉପରେ ବି । ମୋ ମନ କହୁଛି-ପାକିସ୍ତାନ ଯେତେ ଚାଲ୍ କଲେ ବି ମୋ ପୁଅ ମୋ ନିକଟକୁ ପୁଣି ଫେରିବ, ହସରେ ଲୁହରେ ଆମରି ସହିତ ରହିବ ବାକି ଦିନ।

କସବ ଜଣେ ଆତଙ୍କବାଦୀ ବୋଲି ଜାଣି ମଧ୍ୟ ମୁଁ କେବେ ବି ଏତେ ତରବରିଆ ନିଷ୍ପତ୍ତି ନେଇ  ନ ଥିଲି । ଫାଶୀ ଖୁଂଟରେ ଝୁଲାଇବା ଆଗରୁ ଶହେ ବାର ପାକିସ୍ତାନକୁ ସୁଯୋଗ ଦିଆଯାଇଛି ନିଜର ଦୋଷ ସ୍ୱୀକାର କରିବାକୁ । ମୋ ଦେଶର ଆଇନ୍ କହେ-ଶହେ ଦୋଷୀ ପଛେ ଖସିଯାଆନ୍ତୁ କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ । ଆଉ ସେଥିପାଇଁ କସବକୁ ଦୀର୍ଘ ବର୍ଷ ଜେଲ‌ରେ ରଖିଥିଲୁ, ମୋର କୋଟି କୋଟି ସନ୍ତାନ ପେଟକୁ ଗଣ୍ଡେ ଦାନା ପାଉନାହାନ୍ତି, ଭୋକ ଉପାସରେ ରାସ୍ତା କଡ଼ରେ ଦିନ ଏବେ ବି କାଟୁଛନ୍ତି କିନ୍ତୁ କସବ ପାଇଁ ସୁଖାଦ୍ୟ ପରସା ହେଉଥିଲା ଆଉ ସେ ଯାହା ଖାଇବାକୁ ଚାହୁଁଥିଲା ତାହା ମଧ୍ୟ ପରଶା ଯାଉଥିଲା ।  ସେ ସମୟରେ ମୋ ପିଲାମାନେ ମୋତେ ପ୍ରଶ୍ନ କରୁଥିଲେ-କାହିଁକି ଜଲ‌୍ଦି କସବକୁ ଫାଶୀ ଦେଉନାହୁଁ । ଅଯଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସେ କସବ ପଛରେ । ପ୍ରକୃତରେ ମୁଁ ଚାହୁଁଥିଲି କସବ ବଂଚୁରହୁ ଆଉ ଏତେ କମ୍ ବୟସରୁ ଜୀବନ ନେଇଗଲେ ଭଗବାନ ବି କ୍ଷମା କରିବେନି ମୋତେ । ସେଥିପାଇଁ ଗୋଟେ ମା’ର ମନ ନେଇ ମୁଁ ବାରମ୍ୱାର ଆଘାତ ପାଇଛି । ପରିସ୍ଥିତିରେ ପଡ଼ି ହୁଏତ ଏମିତି କଦର୍ଯ୍ୟ କାର୍ଯ୍ୟ କରୁଛି । ଅନୁତାପ କଲେ ହୁଏତ‌ ବଦଳିଯିବ । ମୋର କିନ୍ତୁ ସବୁ ସନ୍ତାନମାନେ କେବେ କେବେ ଭୁଲ୍ କରନ୍ତି କିନ୍ତୁ ପରମୂହୁର୍ତ୍ତରେ ଅନୁତାପ ଅନଳରେ ଜଳି ଭଲ ମଣିଷ ହୋଇଛନ୍ତି ।  କିନ୍ତୁ ଶେଷ ଯାଏ କସବ ହୁଏତ ଅନୁତାପ କରିଛି କିନ୍ତୁ ପାକିସ୍ତାନ ନୁହେଁ । ମୋତେ ଖୁସି ସେଦିନ ଖୁସି ଲାଗିଥିଲା ଯେତିକି କଷ୍ଟ ବି ପାଇଥିଲି ସେତିକି-ଯେଉଁଦିନ କସବର ପିତାମାତା ତାର ଶବକୁ ନିଜ ଦେଶକୁ ନେବାକୁ ମନାକଲେ ଆଉ କହିଲେ ଆମେ ଜଣେ ଆତଙ୍କବାଦୀର ପିତାମାତାର ପରିଚୟ ନେଇ ବଂଚିବାକୁ ଚାହୁଁନା । କିନ୍ତୁ ପିତାମାତା ଏମିତି କଥା ସହଜରେ କହିଦିଅନ୍ତି କିନ୍ତୁ ଏତକ କଥା ସେମାନେ କହିବାବେଳେ ସେମାନଙ୍କ ହୃଦୟ କାନ୍ଦିଥିବ ଶହେବାର ଅଥଚ ପାକିସ୍ତାନ କସବର ମୁକ୍ତି ପାଇଁ କେବେ ଥରେ ମୋ ପାଖେ ନେହୁରା ହୋଇନାହିଁ । କସବ ନିଜେ ମାନିଥିଲା ସେ ପାକସ୍ତାନ ଦ୍ୱାରା ପ୍ରୋତ୍ସାହିତ ହୋଇ ଏମିତି କାମ କରିଛି, ଏସବୁ ପରେ ବି ପାକିସ୍ତାନ ଫାଙ୍କି ଦେଇଥିଲା କସବ ଯେ ତା’ର ଦେଶର ସନ୍ତାନ । ହଁ, ହୋଇପାରେ ପାକିସ୍ତାନର ଏମିତି ଗୁଣ ପାକିସ୍ତାନ ଜନ୍ମ ମସିହାରୁ ଅର୍ଥାତ ୧୯୪୭ରୁ ।

ଆଜି ମୋର ପୁତ୍ର କୁଳଭୂଷଣ ପାଇଁ ମୁଁ ଏକା କାନ୍ଦୁନି, ତା’ର କୋଟି କୋଟି ଭାଇ ଭଉଣୀ ବି କାନ୍ଦୁଛନ୍ତି ଆଉ ଅପେକ୍ଷା କରିଛନ୍ତି ତା’ର ଫେରିବା ବାଟକୁ । ଆଉ ମନେରଖ ବେଇମାନ ପାକିସ୍ତାନ ଯାହା ଉପରେ ଗୋଟେ ମାଆର ଆର୍ଶିବାଦ ରହିଛି, ତା’ର କେହି ବି କିଛି କରିପାରିବେ ନାହିଁ ।   ତେବେ କୁଳଭୂଷଣଙ୍କୁ ଫାଶୀ ଦେବା ପାଇଁ ଏତେ ତପିର ହେବା ପଛରେ ରହିଛି ପାକିସ୍ତାନର କାଶ୍ମୀର ହାତେଇବା । ସେଥିପାଇଁ ଗୋଟେ ପରେ  ଗୋଟେ ଘଟାଇ ଚାଲିଛି । କୁଆଡ଼ୁ କିଛି ନ ଥିବ କରୁଛି ଅଚାନକ ଆକ୍ରମଣ । ପଠାଣକୋଟ ଆକ୍ରମଣ ଠାରୁ ଆରମ୍ଭ କରି ଅଦ୍ୟାବଧି ଘଟିଥିବା ଆକ୍ରମଣ ପଛରେ ସେଇ କାଶ୍ମୀର । ଭାରତ ସବୁବେଳେ ଚାହିଁଛି ଶାନ୍ତିପୂର୍ଣ୍ଣ ଆଲୋଚନା ହେଉ ଆଉ  ଆତଙ୍କବାଦ ସମସ୍ୟାର ସମାଧାନ ବାଟ ଫିଟୁ। କିନ୍ତୁ କପଟୀ ଚିନ୍ତାରେ ମାହିର ପାକିସ୍ତାନ ଥିବା ଏହା ବୋଧହୁଏ ଚାହେଁନା।  ଆଉ ଖାସ୍  ସେଥିପାଇଁ  ସ୍ୱାଧୀନତା ପର ଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିପାରୁନି।  ସୈତାନ ବଦଳି ପାରେ, କିନ୍ତୁ ପାକିସ୍ତାନ ନୁହେଁ। ପାକିସ୍ତାନ ନ ବଦଳିବାର ଅନ୍ୟ କାରଣଗୁଡ଼ିକ ହେଲା  ପାକ‌ରେ ଲୋକ ପ୍ରତିନିଧିଙ୍କ ଶାସନ ନୁହେଁ। ସେଠାରେ ଆତଙ୍କବାଦୀ ଓ ଆଇଏସ‌ଆଇଙ୍କ ଶାସନ ଚାଲିଛି। ସେମାନେ କେହି ବନ୍ଧୁତାର ଭାବ ବୁଝନ୍ତିନି। ସେମାନେ ରକ୍ତର ହୋରି ଖେଳକୁ ଭଲପାଆନ୍ତି।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ବାରମ୍ୱାର ଅପଦସ୍ଥ ହେବାକୁ ପଡୁଛି । ଏସବୁ ପରେ ବି ପାକିସ୍ତାନ ତା’ର ଖୋଇ ଛାଡ଼ିପାରୁନାହିଁ । ଏଇ ନିକଟରେ କାଶ୍ମୀର ପ୍ରସଙ୍ଗରେ ଭାରତ ସହ ନିଜେ ପାକିସ୍ତାନ ନିଜ ଦମ‌ରେ ଲଢେଇ କରୁ ବୋଲି ଚୀନ ରୋକଠୋକ କହିଛି । ମିଳିତ ଜାତିସଙ୍ଘ ବୈଠକରେ ଚୀନ କହିଛି କାଶ୍ମୀର ପ୍ରସଙ୍ଗ ଉଭୟ ଭାରତ ଏବଂ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ଅଟେ । ତେଣୁ ଏହାର ସମାଧାନ  ମଧ୍ୟ ସେହି ଦୁଇ ଦେଶ ବାହାର କରିବା ଉଚିତ ବୋଲି କହିଛି ଚୀନ । କାଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବାକୁ ପାକିସ୍ତାନ ଅନେକ ଦିନରୁ ଚେଷ୍ଟା  କରିଆସୁଛି ।  ଏହା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଆବାସୀ ଜାତିସଙ୍ଘରେ କାଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରିଥିଲେ । କିନ୍ତୁ ଭୁଲ ଭାବେ ପାକିସ୍ତାନ କାଶ୍ମୀରକୁ ହାତେଇବାକୁ ଚାହୁଁଛି । ପାକିସ୍ତାନର ଏହି ମନ୍ଦ ଚିନ୍ତା କଦାପି ସଫଳ ହେବ ନାହିଁ ବୋଲି ଭାରତ ମଧ୍ୟ ସ୍ପଷ୍ଟ କରିଦେଇଛି । ଏପରି କି ପାକିସ୍ତାନର ନୂଆ ନାମ ଆତଙ୍କବାଦ ବା ‘ଟେରରିସ୍ତାନ’ । ପାକିସ୍ତାନ ନିଜେ ଦେଶ ଭିତରେ ମାନବାଧିକାର ଉଲ୍ଲଙ୍ଘନ  କରିଛି । ଏହାଛଡା କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ବୋଲି ପାକିସ୍ତାନ ଜାଣିବା ଦରକାର ବୋଲି ଭାରତ ଦୃଢ଼ଭାବେ କହିଛି । ଜାତିସଙ୍ଘରେ ଭାରତର ପ୍ରଥମ ସଚିବ ଇନମ ଗମ୍ଭୀର ପାକିସ୍ତାନକୁ ‘ଟେରରିସ୍ତାନ’ ବୋଲି ଅଭିହିତ କରିଛନ୍ତି। ଏତେ ସବୁ ପରେ ବି ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ଜନ୍ମ ଦେଉଛି ବୋଲି ନ ମାନିବା ନଖରାମୀ ଛଡ଼ା ଆଉ କିଛି ନୁହେଁ ।  ପାକିସ୍ତାନ ବିଲକୁଲ୍ ମାନିବାକୁ ନାରାଜ ନୁହେଁ ଯେ, କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ କେବେ ବି ପାକିସ୍ତାନକୁ ଦେଇହେବ ନାହିଁ। ପୂର୍ବରୁ କେନ୍ଦ୍ର ସରକାର ପାକିସ୍ତାନ ସହ ପୁଣି ଥରେ ଆଲୋଚନା ଆରମ୍ଭ କରିବା ନେଇ ଜମ୍ମୁ ଓ କାଶ୍ମୀର ବିଧାନ ପରିଷଦରେ ଏକ ସଙ୍କଳ୍ପନାମା ଗୃହୀତ ହୋଇଛି। ବାଚନିକ ଭୋଟ‌ରେ ଗୃହୀତ ହୋଇଥିବା ଏହି ସଙ୍କଳ୍ପନାମା ଅନୁଯାୟୀ  ଜମ୍ମୁରେ ଶାନ୍ତି ଫେରାଇବା ପାଇଁ ଭାରତ-ପାକିସ୍ତାନ ଆଲୋଚନା ଆରମ୍ଭ ହୋଇଥିଲା କିନ୍ତୁ ପାକିସ୍ତାନର ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ଆଗକୁ ଯାଇପାରୁନି । ଏଇ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବାକୁ ଏହି ସଙ୍କଳ୍ପନାମାରେ ଉଲ୍ଲେଖ ରହିଛି।  ଜମ୍ମୁ ଓ କାଶ୍ମୀର ସମ୍ୱିଧାନ ଅନୁସାରେ କୌଣସି ବୈଦେଶିକ ବ୍ୟାପାର ରାଜ୍ୟ ଅଧୀନରେ ନଥବା ସେତ୍ତ୍ୱ ଏହି ସଙ୍କଳ୍ପନାମା ବିଧାନପରିଷଦରେ ଗୃହୀତ କରାଇ ରାଜ୍ୟ ସରକାର କେନ୍ଦ୍ରର ନାଲି ଆଖିର ଶିକାର ହୋଇଛି। ଜମ୍ମୁ  ସିମଲା ଚୁକ୍ତି ଓ ଲାହୋର ଘୋଷଣାନାମାର ପରିଧି ମଧ୍ୟରେ ରହି ଭାରତ  କରିବ ବୋଲି ଭାରତ କହିଥିଲେ ମଧ୍ୟ ପାକିସ୍ତାନ ଏହାକୁ ଶୁଣିବାର ନାହିଁ ।  ପାକିସ୍ତାନ ଭାରତରେ ବାରମ୍ୱାର  ଆକ୍ରମଣ ପଛରେ ଦୁଇଟା କାରଣ ଥାଇପାରେ। ଗୋଟିଏ ହେଉଛି-ଭାରତର ଲୋକପ୍ରିୟତାକୁ ସହିପାରୁନି ପାକିସ୍ତାନ ଆଉ ଗୋଟେ ହେଉଛି ଜାମ୍ମୁ-କାଶ୍ମୀରକୁ ହାତେଇବ। ପାକିସ୍ତାନକୁ ବୋଧେ ଜଣାନାହିଁ ଏମିତି ଆକ୍ରମଣ କରି କିଛି ଅକ୍ତିଆର କରାଯାଇପାରେନା । ଏବେ ପର୍ଯ୍ୟନ୍ତ ଯୁଦ୍ଧ କରି କୌଣସି ଜିନିଷ ହାସଲ କରିନାହିଁ କେବେ କେହି । ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିନି କି ଆଉ କେବେ ଆସିବାର ନାହିଁ।  ପାକିସ୍ତାନ ତାର ପୁରୁଣା ଅଭ୍ୟାସକୁ ପୁଣି ଦୋହରାଇଛି। ଗତ ବର୍ଷ ସେପ୍ଟେମ୍ୱର ୨୯ରେ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକ୍ ସେନା  ଅନେକ ଭାରତୀୟ ଯବାନଙ୍କ ମୁଣ୍ଡ କାଟ୍ କରିଛନ୍ତି।

ମୋତେ କାଟି କି ଟିକ୍ ଟିକ୍ କରିଦେଲେ ବି କାଶ୍ମୀରକୁ ମୁଁ କଦାପି ପାକିସ୍ତାନକୁ ଦେଇପାରିବି ନାହିଁ । କାଶ୍ମୀର ମୋର କୋଟି କୋଟି ସନ୍ତାନଙ୍କ ନିଜସ୍ୱ ସମ୍ପତ୍ତି । ସେଇ କାଶ୍ମୀର ପାଇଁ ମୋର ଅନେକ ପୁଅଙ୍କ ମୁଣ୍ଡ ନେଇଛୁ  ଆଉ ମୁଁ ଗୋଟେ ମାଆ ହୋଇ ଦେଖୁଛି ସେମାନଙ୍କ ପତ୍ନୀମାନଙ୍କର ଖାଲି ସୀମନ୍ତ ।  କେତେ ଅସହାୟ ସେମାନେ ଲାଗନ୍ତି କିନ୍ତୁ ଗର୍ବ ବି କରନ୍ତି ସେମାନଙ୍କ ସ୍ୱାମୀ ଦେଶ ପାଇଁ ଜୀବନ ଦେଇଛନ୍ତି । ନିଃସଙ୍ଗ ରାତିରେ ଏକାକୀ ଜୀବନ କାଟୁଛନ୍ତି ସେମାନଙ୍କ ପିଲାମାନଙ୍କୁ ନେଇ । କେବେ କେବେ ସେମାନଙ୍କ ପିଲାମାନେ ସେମାନଙ୍କୁ ପ୍ରଶ୍ନ କରନ୍ତି-କାଶ୍ମୀର କେବେ ହେବ ଭାରତର ।  ମୁଁ ଚୁପ୍ ଚାପ ଶୁଣେ ସେମାନଙ୍କ ଏତେ ସୁନ୍ଦର ଆଉ ନିରୀହ ପ୍ରଶ୍ନ !! ମୋର ଅନେକ ନାତି ନାତିଣୀ ଏବେ ବି ମୋତେ ଚିଠି ଲେଖନ୍ତି-କୌଣସି ପରିସ୍ଥିତି କାଶ୍ମୀରକୁ ପାକିସ୍ତାନକୁ ନ ଦେବା ପାଇଁ  ଆଉ ମୁଁ ବି ସେମାନଙ୍କୁ କଥା ଦେଇଛି-ତମମାନଙ୍କ କଥା ରଖିବି ।   ମୋର ପୁଅମାନଙ୍କୁ ବାରବାର ବୁଝାଏ-କାହାର କ୍ଷତି କରନି, ସମୟ ଆସିଲେ ସବୁ ସମସ୍ତେ ବୁଝିବେ । ଏହା ଭିତରେ ବିତିଗଲାଣି ୭୫ ବର୍ଷ ହେଲେ ପାକିସ୍ତାନ ଏ ଯାଏଁ ବୁଝିଲାନି ଭୁଲ୍। ଏବେ କିନ୍ତୁ ମୁଁ ନିଜେ ମୋର ପୁଅମାନଙ୍କୁ ଉପଦେଶ ଦେଇଛି-ସବୁ ସମୟରେ ପ୍ରସ୍ତୁତ ରୁହ-ଯୁଦ୍ଧ କେଉଁ ସମୟରେ ବି ହୋଇପାରେ । ଆଉ ଡ଼ରିବାର ନାହିଁ , ଏଥର ପିନ୍ଧିବାର ଅଛି ବିଜୟର ଟିକା ।

ରାଘବପୁର, ଗେଡ଼ମା, ମଂଜରିରୋଡ଼, କେନ୍ଦୁଝର-୨୧

ଫୋନ୍-୮୮୯୫୩୦୪୫୫୬

 

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend