ବିଟଲୁଣ ଖାଦ୍ୟର ସ୍ୱାଦ ଦୁଇଗୁଣା କରିଦେଇଥାଏ। ଖାସ୍ କରି ଜଳିଖିଆ (ତେଳଭାଜି)ରେ ବିଟଲୁଣ ପକାଇ ଦେଲେ ବେଶ ସୁଆଦିଆ ଲାଗିଥାଏ। ଏହା କେବଳ ସ୍ୱାଦ ବଢ଼ାଇ ନଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ। ପ୍ରତିଦିନ ଏକ ନିଶ୍ଚିତ ମାତ୍ରାରେ ଏହାର ବ୍ୟବହାର କରାଗଲେ ଅନେକ ରୋଗ ହେବାର ଆଶଙ୍କା ଦୂର ହୋଇଯାଇଥାଏ। ବିଟଲୁଣକୁ ଖାଦ୍ୟରେ କିମ୍ବା ସାଲାଡରେ ନିୟମିତ ଭାବ ଖାଇବା ଉଚିତ୍। କାରଣ ଏହାର ଅନେକ ଫାଇଦା ରହିଛି। ଆସନ୍ତୁ ଜାଣିବା ବିଟଲୁଣ ଖାଇବାର ଫାଇଦା।
୧- ବିଟଲୁଣ ଖାଇବା ଦ୍ୱାରା ଆଣ୍ଟୁଗଣ୍ଠି ଦରଜରୁ ମୁକ୍ତି ମିଳେ। ଏଥିପାଇଁ ଏକ ସୂତା କପଡ଼ାରେ କିଛି ବିଟଲୁଣ ନେଇ ଏକ ପୁଟୁଳା କରି ଏହାକୁ କଡ଼େଇ କିମ୍ବା ତାୱାରେ ଗରମ କରନ୍ତୁ। ଏହାପରେ ଆଣ୍ଠୁଗଣ୍ଠି ଉପରେ ସେକ ଦିଅନ୍ତୁ। ଏପରି ପ୍ରତ୍ୟେକ ଦିନ ୩ରୁ ୪ଥର କରନ୍ତୁ। ଦେଖିବେ କେମିତି ଆରାମ ମିଳିବ।
୨- ବିଟଲୁଣକୁ ପାଣି ସହ ଖାଇଲେ ପେଟର ପାଚନ କ୍ରିୟା ସୁଧୁରିଥାଏ। ଖାଇବାରେ ବିଟଲୁଣର ବ୍ୟବହାର କଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳେ ଓ ହଜମ ଭଲ ହୁଏ।
୩- ବିଟଲୁଣ ସର୍ଦ୍ଦି, କାସ, ଆଜମା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଗରମ ପାଣିରେ ପର୍ୟ୍ୟାପ୍ତ ପରିମାଣର ଲୁଣ ମିଶାଇ ଏହାର ବାମ୍ଫ ନେବା ଦ୍ୱାରା କଫ ଜଲଦି ଭଲ ହୋଇଥାଏ।
୪- ବିଟଲୁଣ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ମୋଟାପଣରୁ ମୁକ୍ତି ଦେଇଥାଏ। ଏକ ଗ୍ଲାସ ପାଣିରେ ଏକ ଚାମଚ ଲେମ୍ବୁ ରସ ଓ ବିଟଲୁଣ ପକାଇ ଏହାର ଘୋଳ ପ୍ରସ୍ତୁତ କରନ୍ତୁ। ଶୋଶ ଲାଗିଲେ ଦିନ ସାରା ଏହି ଘୋଳକୁ ପିଅନ୍ତୁ। ନିୟମିତ ଭାବେ ଏପରି କରିବା ଦ୍ୱାରା ପେଟରେ ଚର୍ବି ଜମା ହୋଇ ନଥାଏ। ଫଳରେ ମୋଟାପଣରୁ ଧୀରେ ଧୀରେ ମୁକ୍ତି ମିଳିଥାଏ।
୫- ସାଧାରଣ ଲୁଣରୁ ବିଟଲୁଣରେ କମ୍ ମାତ୍ରାର ସୋଡ଼ିୟମ ରହିଛି। ଯାହା କୋଲେଷ୍ଟ୍ରଲ କମ୍ କରିଥାଏ। ଫଳରେ ଆପଣଙ୍କ ହୃଦୟ ସୁସ୍ଥ ରହିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।