[caption id="attachment_165496" align="alignleft" width="215"] ଅମରେଶ ବିଶ୍ୱାଳ[/caption]
ସରକାର ତମର, ପୋଲିସ୍ ତମର, ରାସ୍ତାଘାଟ ତମର, ସେକ୍ରେଟାରିଏଟ୍ ଓ ବିଧାନସଭା ତମର, କିନ୍ତୁ ଜାଣି ରଖିବା ଉଚିତ ଏ ଜନତା ତମର ନୁହଁନ୍ତି। ଇଏ ପବ୍ଲିକ୍, କାହାକୁ ପସନ୍ଦ କରିବେ, କାହାକୁ ଘୃଣା କରିବେ ତାହା ସଂପୂର୍ଣ୍ଣ ଭାବେ ସେମାନଙ୍କ ନିଷ୍ପତ୍ତି।
ଆଜି (୧୮ ସେପ୍ଟେମ୍ୱର, ସୋମବାର) ସାରା ରାଜ୍ୟରେ ବିଜେଡିର ବନ୍ଦ ପାଳନକୁ କମ୍ ସମର୍ଥନ, ବେଶୀ ଘୃଣା ମିଳିଛି। ଭୁବନେଶ୍ୱରରେ ବୁଲିଲା ବେଳେ ଓ ଟିଭି ଦେଖିଲା ବେଳେ ଅନ୍ତତଃ ଏତିକି ବୁଝି ହେଉଥିଲା। ଛୋଟ ସହର ଗୁଡ଼ିକରେ ସ୍ଥିତି କେମିତି ଥିବ ତାହା ସହଜରେ ଅନୁମାନ କରିହେଉଛି। ଶାସକ ଦଳ ପ୍ରତି ମୋର ଘୃଣା ଭାବ ନାହିଁ। କିନ୍ତୁ କର୍ମୀଙ୍କ ବ୍ୟବହାର ପ୍ରତି ଅଭିଯୋଗ ଅଛି। ନବୀନ ବାବୁ ଦୟାକରି ନିଜ କର୍ମୀଙ୍କୁ ଭଲ ବ୍ୟବହାର ଶିଖାନ୍ତୁ।
ବିଜେଡି ମନେରଖିବା ଉଚିତ ଯେ, ଏହା ଓଡ଼ିଶାର ରାଜା ନୁହେଁ, କଟୁଆଳ ବା ଜଗୁଆଳି ବା ସିକ୍ୟୁରିଟି ମାତ୍ର। ଲୋକମାନେ ହେଉଛନ୍ତି ଏ ରାଜ୍ୟର ଅସଲ ରାଜା। ସେମାନେ ରାଜ୍ୟର ଭାର ତମ ହାତରେ ଦେଇଛନ୍ତି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଭିତରେ ରାଜ୍ୟ ଚଳାଇବା ତମର କାମ। ଆନ୍ଦୋଳନ ମଧ୍ୟ କରିବାକୁ କାହାକୁ ମନାନାହିଁ। କିନ୍ତୁ ସରକାରୀ କଳ ଦ୍ୱାରା ପ୍ରାୟୋଜିତ ଏ ବନ୍ଦର କିଛି ଅର୍ଥ ନଥାଏ। ତମ ରାଜ୍ୟ, ତମେ ଦିନେ ଛୁଟି କରିଦେଲେ କାମ ସରିଯିବ।
ହଡ଼ତାଳ ଆଳରେ ରାସ୍ତା ଉପରେ ଲୋକଙ୍କୁ ହଇରାଣ ହରକତ ଓ ଦୁର୍ବ୍ୟବହାର କରିବାକୁ ଆଉ କେହି ଗ୍ରହଣ କରିପାରୁ ନାହାଁନ୍ତି। ପୂର୍ବରୁ ଲୋକେ ନିଜ ଅସନ୍ତୋଷ ପ୍ରକାଶ କରିବାକୁ ବେଶୀ ଉପାୟ ନଥିଲା। ଏବେ କିନ୍ତୁ ସୋସିଆଲ୍ ମିଡିଆ ଆସିବା ପରେ କାହା ପାଟିରେ ବାଡ଼ବତା ଦେବେ? ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ଯିଏ ଯେଉଁଠି ପାରିଲା, କର୍ମୀଙ୍କ ଉତ୍ପାତର ଦୃଶ୍ୟ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ିଲା। ଏଥିରେ ବିଜେଡି ବେଶୀ ବଦନାମ ହେଉଛି।
ସେହିପରି ଏକ ଭିଡିଓ ଦେଖିଲି। ତାହା ଥିଲା ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତାରେ ଟୁ-ହ୍ୱିଲର ନେଇ ଯାଉଥିବା ଜଣେ ଯୁବତୀଙ୍କୁ ବିଜେଡି କର୍ମୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବାର ଦୃଶ୍ୟ। ଯୁବତୀ ଜଣକ ପଚାରୁଛନ୍ତି, ବନ୍ଦ କରିବାର ଉପାୟ କ’ଣ ଏହିପରି। କେହିକିଛି ନବୁଝି ହଠାତ୍ ଜଣେ ବିଜେଡି କର୍ମୀ ତାଙ୍କ ଗାଡ଼ିକୁ ପାହାରେ ଦେଲେ। ନବୀନ ବାବୁ ନିଜେ କୁହନ୍ତୁ, ଯଦି ଏହି କର୍ମୀଙ୍କ ଭିତରୁ ହଠାତ୍ କିଏ ଝିଅଟି ଦେହରେ ହାତ ଲଗେଇ ଦେଇଥାନ୍ତା, ତେବେ ପୂରା କ୍ରାଉଡଙ୍କ ପାଇଁ ତାହା ଉସକେଇଲା ପରି କଥା ହୋଇନଥାନ୍ତା କି? ତା ପରର ସ୍ଥିତି କିଏ ସମ୍ଭାଳିଥାନ୍ତା ? ବିଜେଡି ମାତ୍ର ଦୁଇ ମିନିଟ୍ରେ ତଳିତଳାନ୍ତ ହୋଇଯାଇଥାନ୍ତା।
ବିଜେଡିର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା? ତୈଳଦରକୁ ନେଇ ବିଜେପିକୁ ପାନେ ଦେବା। ଯଦି ସେଇଆ, ତେବେ କେବଳ ଜିଲ୍ଲାପାଳ ଅଫିସ୍ ଆଗରେ ପ୍ରତୀକାତ୍ମକ ଆନ୍ଦୋଳନ ବି କରି ହେଇଥାନ୍ତା। ପୂରା ଆନ୍ଦୋଳନକୁ ଯେ ସରକାରୀ କଳ ସମର୍ଥନ ଦେଉଥିଲା ତାହା ପୂରା ଜଣା ପଡୁଥିଲା। ନିଜେ ସରକାର ବି ଘୋଷଣା କରିଦେଲେ (ପରାମର୍ଶ ଦେଲେ), କାଳେ କିଛି ଗଣ୍ଡଗୋଳ ସ୍ଥିତି ଉପୁଜିବ, ତେଣୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିଦିଅ। ମାଷ୍ଟରଙ୍କୁ ବି ସୁବିଧା ହେଲା। ନିଜେ ସରକାର ଯେତେବେଳେ ଏମିତି ଆଶଙ୍କ କରୁଛନ୍ତି, ତା ଅର୍ଥ ହେଲା, ନିଜ କର୍ମୀଙ୍କ ବ୍ୟବହାର ଉପରେ ବିଜେଡିର ଭରସା ନାହିଁ। କିଛି ବି ହୋଇପାରେ। ବନ୍ଦ ବେଳେ ପୋଲିସ୍ ବାଲାଙ୍କୁ ବି ଦେଖିବାର କଥା। ପୂରା ନିଷ୍କ୍ରିୟ। ସେ ଯେଉଁ ଯୁବତୀଙ୍କୁ ଦୁର୍ବ୍ୟବହାର କଥା କହୁଥିଲି, ସେ ଦୃଶ୍ୟରେ ଦେଖିବାକୁ ମିଳିଲା, ସେଠି କୌଣସି ପୋଲିସ୍ କର୍ମଚାରୀ ଉପସ୍ଥିତ ନଥିଲେ। ଯଦି ଯୁବତୀଙ୍କୁ ବିଜେଡି କର୍ମୀ କିଛି ଶାରୀରିକ ଆକ୍ରମଣ କରିଥାନ୍ତେ, କେହି କିଛି କରିପାରି ନଥାନ୍ତେ। କାରଣ ସେଠି ପୋଲିସ୍ ନଥିଲା।
ସେହିପରି ଆଉ ଏକ ଦୃଶ୍ୟ ଦେଖିଲି। ଏକ ପିକ୍ଅପ୍ ଭ୍ୟାନ୍ରେ ଗୋଟେ ଗାଈକୁ ନିଆଯାଉଛି ପଶୁ ଡାକ୍ତରଖାନା। ଗାଈଟି ବାଛୁରୀ ଜନ୍ମ କରିବ। ଏମିତିକି ବାଛୁରିଟିର ଗୋଡ଼ ବାହାରି ଆସିଲାଣି। ତେଣୁ ତୁରନ୍ତ ତାକୁ ଡାକ୍ତରଖାନାରେ ପହଞ୍ଚାଇବା ଦରକାର ଥିଲା। ଗାଡ଼ି ଚାଳକ ବି ଚେଷ୍ଟା ଚଳେଇଥାନ୍ତି। କିନ୍ତୁ ଆଗରେ ବିଜେଡି କର୍ମୀ ଟାୟାର ଜାଳି ରାସ୍ତା ବନ୍ଦ କରିଛନ୍ତି। ବିଚରା ଡ୍ରାଇଭର ବା ଆଉ କ’ଣ କରନ୍ତା। ତା ପିଳେହି ପାଣି। ଗୋମାତା ବରଂ ମରୁ, କିନ୍ତୁ ସେ ନିଜେ ଓ ତା ଗାଡ଼ିଟି ବିଜେଡି କର୍ମୀଙ୍କ ଉତ୍ପାତରୁ ବଞ୍ଚିଯାଉ। ଶେଷରେ ଗାଡ଼ିଟିକୁ ଛାଡ଼ିଲେ। କିନ୍ତୁ ସମୟ ଗଡ଼ି ଯାଇଥିଲା। ଗାଈଟିର ଅବସ୍ଥା କ’ଣ ହେଲା ସେ ଖବର ଆମ ପାଖରେ ନାହିଁ। ଜନନୀ ଅସୁରକ୍ଷାରେ ଓଡ଼ିଶା ଏ ଦେଶରେ ଏକ ନମ୍ୱର। ଯେଉଁଠି ମଣିଷ ମାଆଟିଏ ଅସୁରକ୍ଷିତ ସେଠି ଗୋମାତାର ଅବସ୍ଥା ବିଷୟରେ ବା କିଏ ପଚାରୁଛି।
ଶେଷରେ କେବଳ ଏତିକି କହିହେବ। ନବୀନ ବାବୁ, ସମୟ ଆସିଯାଇଛି, ଦୟାକରି ଆପଣଙ୍କ କର୍ମୀଙ୍କୁ ବ୍ୟବହାର ଶିଖାନ୍ତୁ। ନହେଲେ ଭୋଟରମାନେ ଆପଣଙ୍କୁ ପିଟିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।