ବିଜେପିରେ ସାମିଲ ହେଲେ ୩ ପୂର୍ବତନ ବିଧାୟକ

bjp-misrana

bjpଭୁବନେଶ୍ୱର: ୩ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ପୂର୍ବତନ ବିଧାୟକମାନେ ହେଲେ ଧର୍ମଶାଳାର ଗୁରୁଚରଣ ଟିକାୟତ, ଗୁଣୁପୁରର ରାମମୂର୍ତ୍ତି ମୁଟ୍ଟିକା ଏବଂ ଭଟ୍ଟଲିର କୁମରବର ବେହେରା। ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ସଂଗ୍ରାମ କେଶରୀ ପାଇକରାୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

ଏମାନଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଜେଡି, କଂଗ୍ରେସ ଓ ଆପ୍‌ ପାର୍ଟିର ୫୦ ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି।

ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ଏହି ନେତୃବୃନ୍ଦ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ନେତାମାନଙ୍କ ଦଳରେ ସାମିଲ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଏବଂ ଅନ୍ୟ ନେତାମାନେ ଏକ ଶୋଭାଯାତ୍ରାରେ ଆସି ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ଦଳ ପକ୍ଷରୁ ନୂଆ ଅତିଥିଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

ବରିଷ୍ଠ ନେତା ହରିଚନ୍ଦନ କହିଛନ୍ତି,“ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ବନ୍ଧୁ, ପୁରୁଣା ରାଜନୀତିଜ୍ଞ, ପୂର୍ବତନ ବିଧାୟକ ବିଜେପିରେ ଯୋଗଦେଇଛନ୍ତି। ଦଳ ତରଫରୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି।”

ଉତ୍ସବରେ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ‘ପୁଷ୍ପକଯାନ’ରେ ଭ୍ରମଣ କରୁଛନ୍ତି। ହେଲିକପ୍ଟରରେ ଯାଇ ଗୋଟିଏ ଗୋଟିଏ ମଞ୍ଚରେ ୨୦୦ରୁ ୩୦୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି। ଯେଉଁ ହେଲିକପ୍ଟରରେ ଆପଣ (ମୁଖ୍ୟମନ୍ତ୍ରୀ) ଭ୍ରମଣ କରୁଛନ୍ତି ଏଥିପାଇଁ ଅର୍ଥ କେଉଁଠୁ ଆସୁଛି ? ରାଜ୍ୟ ସରକାରଙ୍କ ଅର୍ଥରେ ମଞ୍ଚ ଓ ବାରିକେଡ ତିଆରି କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ, ତହସିଲଦାର ସମସ୍ତେ ଲାଗି ପଡୁଛନ୍ତି। ସରକାରୀ କାର୍ଯ୍ୟକ୍ରମର ଖୋଳପା ଭିତରରେ ରହି ବିଜେଡି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚଲାଇଛି। ଓଡ଼ିଶାର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏହା ବିଜେଡିର ଏକ ଯୋଜନା।”

ସେ କହିଛନ୍ତି,“ବିଜେଡି ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଛି। ସ୍ୱଚ୍ଛ ଶାସନର ଅର୍ଥ ନୁହେଁ ଗରିବ ଲୋକଙ୍କ ଅର୍ଥକୁ ଆପଣ ହେଲିକପ୍ଟର ଚଢି ପଞ୍ଚାୟତ ନିର୍ବାଚନ ଲଢିବେ। ମହାନଦୀ ମହାସଂଗ୍ରାମର ମହାନାୟକ ନବୀନ ପଟ୍ଟନାୟକ ସମଗ୍ର ଓଡ଼ିଆ ଜାତିକୁ ବୋକା ବନାଇବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ସବୁଥିରେ ମହାନଦୀକୁ ଯୋଡ଼ିଛନ୍ତି, ସେ କେବେ ମହାନଦୀ ଦେଖିଛନ୍ତି? ଓଡ଼ିଶା ମାଟି ଓ ମହାନଦୀ ପାଇଁ ତାଙ୍କର କିଛି ମମତା ଅଛି? ମହାନଦୀକୁ ନେଇ ଏ ଯେଉଁ ନାଟକ ଆପଣ (ମୁଖ୍ୟମନ୍ତ୍ରୀ) କରୁଛନ୍ତି ଏହାର ପରିସମାପ୍ତି ହେବା ଦରକାର। ଓଡ଼ିଶାର ଲୋକଙ୍କର ବହୁ ସମସ୍ୟା ଅଛି। ମହାନଦୀ ମହାନଦୀ ଜପି ହେଉଛ, ୧୬ ବର୍ଷ ମଧ୍ୟରେ ଗୋଟିଏ ବି ଜଳସେଚନ ବ୍ୟବସ୍ଥା କରିପାରିଲ ନାହିଁ। ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହୁଛ। ଓଡ଼ିଶାର ସମସ୍ତେ ଜାଣିଛନ୍ତି ଜଣେ ଲୋକ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।”

Previous ArticleNext Article

1 Comment

  1. mukhyamantri nka kumbhira kandanaa 9 barsa kala sunile….setebele nischita koili ra kuhu taana bhali laguthila…..

Send this to a friend