ଗୋଟିଏ କୋଠରୀରେ ଥିଲେ ଯୁଧିଷ୍ଠିର ଏବଂ ଦ୍ରୌପଦୀ, ହଠାତ୍‌ ପଶି ଆସିଲେ ଅର୍ଜୁନ ଆଉ ତା’ପରେ…

ମହାଭାରତ ଗାଥା ଭାରତର ଏକ କାଳଜୟୀ ସୃଷ୍ଟି। ଏଥିରେ  ଅନେକ ଏମିତି ଶିକ୍ଷଣୀୟ କଥା ଅଛି ଯାହା ମଣିଷକୁ ମାର୍ଗ ଦର୍ଶନ କରେ। ଏଥିରେ ଥିବା ସମସ୍ତ ବିଷୟବସ୍ତୁକୁ ଭଲଭାବେ ତର୍ଜମା କଲେ ପ୍ରତି ଘଟଣାରେ କିଛି ନା କିଛି ଶିଖିବାକୁ ମିଳେ। କିନ୍ତୁ ଏଥିରେ ଥିବା ମହନୀୟ ଦିଗଗୁଡ଼ିକୁ ଚିହ୍ନିପାରିଲେ ହେଲା। ଆମେ ସମସ୍ତେ ଜାଣନ୍ତି ଯେ, ପଞ୍ଚୁ ପାଣ୍ଡବଙ୍କର ଗୋଟିଏ ମାତ୍ର ପତ୍ନୀ ଥିଲେ। ସେ ହେଉଛନ୍ତି ଦ୍ରୌପଦୀ। ମହର୍ଷି ବ୍ୟାସଙ୍କ ଆଜ୍ଞା ଅନୁସାରେ ପାଞ୍ଚ ଭାଇଙ୍କ ମଧ୍ୟରେ ଏକ ନିୟମ କରା ଯାଇଥିଲା। ପାଞ୍ଚ ଭାଇଙ୍କ ମଧ୍ୟରୁ ଯେତେବେଳେ ଜଣେ ଭାଇ ଦ୍ରୌପଦୀଙ୍କ ସହିତ ଥିବେ ସେତେବେଳେ ଅନ୍ୟ ଜଣେ ଭାଇ ସେଠାକୁ ଯାଇ ପାରିବେ ନାହିଁ। ଏହି ନିୟମ ଭଙ୍ଗ କଲେ ୧୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟରୁ ବିତାଡ଼ିତ ହେବାର ଦଣ୍ଡବିଧାନ ମଧ୍ୟ କରାଯାଇଥିଲା। ପାଣ୍ଡବ ଭାଇମାନେ ମଧ୍ୟ ମହର୍ଷିଙ୍କର ଏହି ନିୟମକୁ ପାଳନ କରୁଥିଲେ।

ଦିନକର କଥା। ବଡ଼ଭାଇ ଯୁଧିଷ୍ଠିର ଦ୍ରୌପଦୀଙ୍କ ସହିତ ତାଙ୍କ କକ୍ଷରେ ବିଶ୍ରାମ କରୁଥାନ୍ତି। ଏତିକିବେଳେ ଅର୍ଜୁନଙ୍କୁ ଜଣେ ବ୍ରାହ୍ମଣଙ୍କର କରୁଣ ଚିତ୍କାର ଶୁଣାଗଲା। କିଛି ଲୁଟେରା ବ୍ରାହ୍ମଣଙ୍କଠାରୁ ଜୋର ଜବରଦସ୍ତ ତାଙ୍କ ଗାଈକୁ ଛଡ଼େଇ ନେଇ ଯାଉଥିଲେ। ବ୍ରାହ୍ଣଣ ଜଣକ ଧନୁର୍ଦ୍ଧାରୀ ଅର୍ଜୁନଙ୍କ ସାହାଯ୍ୟ ଭିକ୍ଷା କଲେ। ଏହାପରେ ଅଡ଼ୁଆରେ ପଡ଼ିଲେ ‌ଅର୍ଜୁନ। କାରଣ ତାଙ୍କ ଗାଣ୍ଡିବ ଧନୁଟି ବଡ଼ଭାଇଙ୍କ ବିଶ୍ରାମ କକ୍ଷରେ ହିଁ ରହିଯାଇଥିଲା। କିପରି ସେଠାରୁ ଧନୁ ଆଣିବେ କିଛି ଭାବି ପାରୁ ନ ଥିଲେ। ବଡ଼ଭାଇ ଯେ, ଦ୍ରୌପଦୀଙ୍କ ସହ ବିଶ୍ରାମ କରୁଛନ୍ତି। ତେଣୁ ନିୟମାନୁସାରେ ଅନ୍ୟ କୌଣସି ଭାଇ ସେଠାକୁ ଯିବା କଥା ନୁହଁ। କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ ଅର୍ଜୁନ।

ଶେଷରେ କର୍ତ୍ତବ୍ୟ ପାଇଁ ଅର୍ଜୁନଙ୍କୁ ତାଙ୍କ ନିୟମ ଭାଙ୍ଗିବାକୁ ପଡ଼ିଲା। ସେ ପ୍ରଥମେ ଦୂଆରେ ଥାଇ କବାଟ ଠକ୍ ଠକ୍‌ କରିବା ପରେ କକ୍ଷ ଭିତରକୁ ପଶି ଗାଣ୍ଡିବ ଧରି ଚାଲି ଆସିଲେ। ଆଉ ଲୁଟେରାଙ୍କ ପିଛା କରି ତାଙ୍କଠାରୁ ଗାଈ ଛଡ଼ାଇ ଆଣି ବ୍ରାହ୍ଣଣ ଦେବତାଙ୍କୁ ଫେରାଇ ଦେଲେ। କିନ୍ତୁ ମହର୍ଷି ବ୍ୟାସଙ୍କ ନିୟମ ଭଙ୍ଗ କଲେ ଦଣ୍ଡବିଧାନ ବ୍ୟବସ୍ଥା ଥିଲା। ତେଣୁ ନିୟମାନୁସାରେ ଅର୍ଜୁନ ଦଣ୍ଡ ଭୋଗିବା ପାଇଁ ବଡ଼ ଭାଇ ଯୁଧିଷ୍ଠିରଙ୍କ ପାଖକୁ ଆସିଥିଲେ। ଆଉ ତାଙ୍କଠାରୁ ୧୨ ବର୍ଷ ପାଇଁ ରାଜ୍ୟରୁ ବିତାଡ଼ିତ ହେବାର ଅନୁମତି ମଧ୍ୟ ମାଗିଲେ। ଅର୍ଜୁନଙ୍କ କଥା ଶୁଣି ଦୁଃଖୀ ହୋଇଗଲେ ଯୁଧିଷ୍ଠିର। ସେ ଅର୍ଜୁନଙ୍କୁ କହିଲେ, ହେ ଅର୍ଜୁନ, ତୁମେ ନିୟମ ଭଙ୍ଗ କରିଛ ଏହା ସତ୍ୟ। କିନ୍ତୁ ଏଥିରେ ତୁମର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନିହିତ ନାହିଁ। ବଂର ତୁମେ ପରୋପକାର ପାଇଁ ଏପରି କରିଛ। ତୁମେ ବ୍ରାହ୍ମଣ ରୂପି ଜଣେ ପ୍ରଜାକୁ ରକ୍ଷା କରି ମତେ ପ୍ରଜାଙ୍କ ଅପଯଶରୁ ରକ୍ଷା କରିଛ। ଯଦି ପରୋପକାର ପାଇଁ ନିୟମ ଭାଙ୍ଗିବାକୁ ପଡ଼େ ତେବେ ଏହା ଅପରାଧ ନୁହେଁ। ବରଂ ଶ୍ରେଷ୍ଠ କାର୍ଯ୍ୟ। ତୁମେ ଦଣ୍ଡ ନୁହେଁ ସମ୍ମାନର ପାତ୍ର।

ଏକଥାରୁ ଗୋଟିଏ କଥା ସ୍ପଷ୍ଟ ହେଇଛି ଯେ, କେଉଁ ନିର୍ଦ୍ଦୋଷୀର ଉପକାର ପାଇଁ ଯଦି ନିୟମ ଭାଙ୍ଗିବାକୁ ପଡ଼େ ତେବେ ଏହା ପାପ କି ଅପରାଧ ନୁହେଁ।  ବରଂ ଏଥିରେ ପୁଣ୍ୟ ମଳିଥାଏ। ସେଥିପାଇଁ କୁହାଯାଇଛି ପରୋପକାରାୟ ସ୍ୱର୍ଗାୟ।

Previous ArticleNext Article

Send this to a friend